ଠିକ୍ ଏତିକିବେଳେ ଭୁରିମଲ୍ଲଙ୍କ ପୁତ୍ର କୁଜ କାନ୍ଦିକରି କହିଲା । ଭୋଜରାଜଙ୍କ କନ୍ୟା ମୋତେ ମାଡମାରି କୁଜାକରି ଦେଇଛି । ତାଙ୍କର ଝିଅ କହୁଛି ମୁଁ ତା’ର ପତି ନୁହଁ । ତିଳୋତମା କହିଲେ ଏ ମୋର ସ୍ୱାମୀ ନୁହଁନ୍ତି । ମୋ ସ୍ୱାମୀ ବିବାହ ପରେ ମୋ ପାଖରେ ଥିଲେ, ରାତ୍ରି ଶେଷହେବା ଦେଖି ଚାଲିଗଲେ । ସେ ଯିବାପରେ ଏ କୁଜା ଆସି ମୋ ସାଙ୍ଗରେ କଟାଳ କଲା । ତେଣୁ ତାକୁ ମୁଁ ଘର ଭିତରକୁ ପୂରାଇଦେଲି ନାହିଁ । ମୋ ନାମରେ ଏ କୁଜ ମିଥ୍ୟା ଅପବାଦ ଦେଉଛି । ପ୍ରକୃତରେ ଏ ମୋର ପତି ନୁହଁନ୍ତି । ହେ ନୃପ, ଏକଥା ଶୁଣି ମୋର ମସ୍ତିଷ୍କ ବିଭ୍ରମ ଘଟିଲା । ତୁମ୍ଭ ପାଖରୁ ଉଚିତ ନ୍ୟାୟ ପାଇବାପାଇଁ ମୁଁ ଆସିଛି ।
ରାଜା ଭୁରିମଲ୍ଲ କହିଲେ ହେ ମହାଭାଗ, ମୋ ବୋହୂକୁ ମୋତେ ଦିଅନ୍ତୁ ମୁଁ ମୋର ଘରକୁ ଯିବି । ଭୁରିମଲ୍ଲ କଥାଶୁଣି ନୃପ ମନରେ ହସିଲେ । ବିକ୍ରମାଦିତ୍ୟ ଭୋଜରାଜଙ୍କୁ ପରିହାସ କରି କହିଲେ ମୋତେ ନିମନ୍ତ୍ରଣ ନଦେଇ ତୁମ୍ଭେ କନ୍ୟା ବିଭାକଲ? ମୁଁ ତୁମ୍ଭର ବଡ ଜ୍ୱାଇଁ ! ତୁମ୍ଭେ ମୋତେ ତେଜ୍ୟା କଲ କି? ବିକ୍ରମାଦିତ୍ୟଙ୍କର କଥା ଶୁଣି ଭୋଜରାଜ ତଳକୁ ଲଜ୍ଜାରେ ମୁଖପୋତି ବସିଲେ । ଶ୍ୱଶୁରଙ୍କ ଲଜ୍ଜିତ ହେବାର ଦେଖି ବିକ୍ରମାଦିତ୍ୟ କହିଲେ ଗତସ୍ୟ ଶୋଚନା ନାସ୍ତି । ଏବେ ନ୍ୟାୟ ବିଚାର କରିବା । କନ୍ୟାକୁ ଅନ୍ତଃପୁରରୁ ସଭାକୁ ଅଣାଯାଉ ।
ଆଦେଶ ପାଇ ଭାନୁମତୀ ନିଜର ଭଉଣୀ ତିଳୋତମାକୁ ଆଣି ପରଦାପଛରେ ରହିଲେ । ତିଳୋତମାକୁ ରାଜା ବିକ୍ରମାଦିତ୍ୟ ପଚାରିଲେ ଯାହା କହିବ ସତ କହିବ । ତୋର ପତି ଏ କୁଜା କି? ତିଳୋତମା କହିଲେ ଏ କୁଜା ମୋର ପତି ନୁହଁନ୍ତି । ସେ ଯିବାବେଳେ ମୋତେ ଏକ ମୁଦ୍ରିକା ଦେଇ ଯାଇଛନ୍ତି । ଭୁରିମଲ୍ଲ ପୁତ୍ରକୁ ଡାକି ପଚାରିଲେ, ଆରେ ପୁଅ ତିଳୋତମାକୁ ତୁ କିଛି ସଙ୍କେତ ଦେଇଛୁ କି? ମୋତେ ମାଡମାରି ସେ କୁଜା କରିଦେଲା । ରାଜା ବିକ୍ରମାଦିତ୍ୟ କହିଲେ ଭାନୁମତୀ ତୁମ୍ଭେ ତିଳୋତମାକୁ ଅନ୍ତଃପୁରକୁ ଘେନି ଚାଲିଯାଅ । ପ୍ରଶ୍ନ ଉତ୍ତରରୁ ଜଣା ପଡିଲା ଏ କୁଜା ତୁମ୍ଭର ପତି ନୁହେଁ । ଭାନୁମତୀ କହିଲେ ତିଳୋତମା କହୁଛି ସନ୍ତକ ରଖିଛି ସେ ଦେଖାଇଲେ ମୁଁ ପରତେ ଯିବି । ବିକ୍ରମାଦିତ୍ୟଙ୍କ କଥା ଶୁଣି ତିଳୋତମା ମୁଦିକୁ ବଢାଇ ଦେଲା । ସଭା ମଧ୍ୟରେ ଯେତେ ଲୋକ ବସିଥିଲେ ସେ ମୁଦ୍ରିକାକୁ ନେଇ ଦେଖିଲେ । ତହିଁରେ ବିକ୍ରମାଦିତ୍ୟଙ୍କର ନାମ ଲେଖା ହୋଇଛି । ସମସ୍ତେ ଏ ଘଟଣା ଦେଖି ହତବାକ୍ ହେଲେ । ରାଜା ବିକ୍ରମାଦିତ୍ୟ କହିଲେ ବଡ ଆଶ୍ଚର୍ଯ୍ୟ କଥା ମୋର ମୁଦ୍ରିକା ତା ହସ୍ତକୁ ଗଲା କିପରି? ମୁଁ ତୋର ବର କି ନୁହେଁ; ଏ ସଭାରେ କହ । ଭାନୁମତୀ ଓ ତିଳୋତମା ଦୁହେଁ କହିଲେ ହେ ନୃପ ତୁମ୍ଭେ କିପରି ଅସମ୍ଭବ କଥା କହୁଛ । ଭୁରିମଲ୍ଲଙ୍କୁ ରାଜା ବିକ୍ରମାଦିତ୍ୟ କହିଲେ ନାରୀ ମାଡରେ ପୁରୁଷ କେବେ କୁଜା ହେବାର ଶୁଣାଯାଇ ନାହିଁ । ତାପରେ ବିକ୍ରମାଦିତ୍ୟ ସେ ସଭାରେ ସମସ୍ତ କଥା କହିଲେ । ଭୁରିମଲ୍ଲକୁ ପୁଣି ରାଜା ବିକ୍ରମାଦିତ୍ୟ ପ୍ରଶ୍ନ କଲେ ମଲ୍ଲେ ସତ୍ୟ କୁହ ଏକଥା ସତ୍ୟ କିବା ମିଥ୍ୟା । ଭୁରିମଲ୍ଲ ସଭାମଧ୍ୟରେ ସମସ୍ତ କଥା ମାନିନେଲେ । ଭାନୁମତୀ କହିଲେ ତୁମ୍ଭେ ମିଥ୍ୟା କହୁଛ । ସବୁକଥା ଫାନ୍ଦିକରି କହୁଛ । କଥା ଯେବେ ସତ୍ୟ ମୁଁ ଯେଉଁ ମାଳା ଦେଇଥିଲି କାହିଁ? ବିକ୍ରମାଦିତ୍ୟ କହିଲେ କାଳ ବିଳମ୍ବ ନକରି ଶଯ୍ୟା ଲେଉଟାଇ ଦେଖ । ଶୁଣି କରି ଭାନୁମତୀ ଦୁଃଖିତ ହେଲେ ଓ ନିଜର ଭଗ୍ନୀକୁ ନେଇ ଅନ୍ତଃପୁରକୁ ଗଲେ । ଭୋଜରାଜ ସେଦିନ ଉଜ୍ଜୟିନୀରେ ରହିଲେ । ରାଜା ଭୁରିମଲ୍ଲ ଅପମାନିତ ହୋଇ ସ୍ୱଦେଶକୁ ଚାଲିଗଲେ । ବିକ୍ରମାଦିତ୍ୟ ନିଜର ଭୋଜନାଦି କର୍ମ ଶେଷକରି ଶଯ୍ୟାରେ ଶୟନ କଲେ ।
କିଛି ସମୟପରେ ଭାନୁମତୀ ଓ ତିଳୋତମା ଦୁଇ ଭଉଣୀ ଯାଇ ରାଜାଙ୍କର ସେବା ନିଯୋଗିଲେ । ରାଜା ବିକ୍ରମାଦିତ୍ୟ ନାନା ପ୍ରକାର ପରିହାସ କଥା ଦୁଇ ଭଉଣୀଙ୍କୁ କହନ୍ତେ ଦୁହେଁ ଲଜ୍ଜାରେ ମଥା ପୋତିଲେ । ରାଜା ଦୁହିଁଙ୍କ ସାଙ୍ଗରେ ଆନନ୍ଦରେ ରହିଲେ । ଆନନ୍ଦରେ ଏହିପରି ଅନେକ ଦିନ ବିତିଗଲା । ଭୋଜରାଜ ପରଦିନ ପ୍ରଭାତରୁ ଆପଣାର ନଗରକୁ ଯାତ୍ରା କଲେ । ଶୁକ ପକ୍ଷୀ ଯୋଗୁଁ ରାଜା ଅନେକ ଯଶ, ସୁନାମ ଅର୍ଜନ କଲେ ।