ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତିଳୋତମା ବିବାହ

ବିକ୍ରମାଦିତ୍ୟ ପଲଙ୍କ ଉପରେ ଲୁଗାଗୁଡିଏ ରଖି ମନୁଷ୍ୟ ଆକୃତି କରି ଘୋଡାଇ ଦେଇ ଆଗୁଆ ଚଢି ବୃକ୍ଷ ଡାଳରେ ବସିଗଲେ । ଭାନୁମତୀ ବୃକ୍ଷରେ ବସିବା ସଙ୍ଗେ ସଙ୍ଗେ ଯୋଗ୍ନିଗଣ ବୃକ୍ଷକୁ ଧରି ଚାଲିଗଲେ । ରାତ୍ର ପାଂଚଘଡିରେ ଭାନୁମତୀ ପିତାଙ୍କ ଆଳୟରେ ପହଁଚିଲେ । ଭୋଜରାଜଙ୍କର ପରିଚାରୀମାନେ ରାଣୀଙ୍କୁ ପାଛୋଟି ନେଲେ । ଭାନୁମତୀ ପିତାମାତାଙ୍କ ପାଖରେ ପହଁଚି ପ୍ରଣାମ କଲେ । ତିଳୋତମା ବିବାହ ନିମିତ୍ତ ଭୋଜରାଜ ବହୁତ ଆୟୋଜନ କରିଥିଲେ । ନାନା ରତ୍ନରେ ଘର ସୁନ୍ଦର ଦିଶୁଥିଲା । ଗୀତ, ନାଟ, ବାଦ୍ୟ ପରିବେଶଣ ସ୍ଥାନ ମାନଙ୍କରେ ବିବାହ ବେଦିକା ଅତି ଯତ୍ନରେ ନିର୍ମାଣ କରିଥିଲେ । ଭୁରିମଲ୍ଲ ରାଜପୁତ୍ରଙ୍କ ସଙ୍ଗରେ ତିଳୋତମାର ବିବାହ ହେବ । ବିକ୍ରମାଦିତ୍ୟ ରାଜା ନିଜ ମନ ମଧ୍ୟରେ ଶୁକକୁ ପ୍ରଶଂସା କଲେ । ମନ ମଧ୍ୟରେ ବିକ୍ରମାଦିତ୍ୟ ଚିନ୍ତାକଲେ ଶ୍ୱଶୁର ନିମନ୍ତ୍ରଣ ଦେଇ ନାହାଁନ୍ତି ଦେଖାକଲେ ତାଙ୍କୁ ଅପମାନ ହେବ । ଠିକ୍ ଏହି ସମୟରେ ବର ଆଗମନ କଲା । ଢୋଲ, ଶଙ୍ଖ, ଭେରୀ ତୁରୀ ଶବ୍ଦ ଶୁଣାଗଲା । ବାଦ୍ୟନାଦ ଘାତରେ ଭୋଜରାଜଙ୍କ କଟକ ଉଚ୍ଛୁଳି ଉଠିଲା । ବୃକ୍ଷଡାଳେ ରାଜା ବିକ୍ରମାଦିତ୍ୟ ଥିଲେ । ବୃକ୍ଷରୁ ଓହ୍ଲାଇବା ବେଳେ  ଭୋଜରାଜଙ୍କର ଜଣେ ଚାର ତାଙ୍କୁ ଧରି ନେଇ ଭୋଜରାଜଙ୍କ ସମ୍ମୁଖରେ ଉପସ୍ଥିତ କରାଇ କହିଲା ମହାଭାଗ ଏ ବରକୁ ଟେକା ମାରୁଥିଲା । ବିକ୍ରମାଦିତ୍ୟ ଯେତେ ନେହୁରା ହେଉଥିଲେ ସୁଦ୍ଧା ସେ ତାଙ୍କ କଥା ଶୁଣିଲା ନାହିଁ । ଏବେ ଯାହା ଉଚିତ୍ ଦଣ୍ଡ ଏହାକୁ ଦିଅନ୍ତୁ ।

         ରାଜା ଭୁରିମଲ୍ଲ ବିକ୍ରମାଦିତ୍ୟଙ୍କ ରୂପ ଦର୍ଶନ କରି ଚକିତ ହୋଇଗଲେ । ରାଜା ଚିନ୍ତାକଲେ ଏ ସାମାନ୍ୟ ଲୋକ ନୁହେଁ ରାଜ ଚକ୍ରବର୍ତୀ ଚିହ୍ନ ଏହାର ଗଳାରେ ରହିଛି । ବିକ୍ରମାଦିତ୍ୟଙ୍କର ବନ୍ଧନ ଖୋଲି ତାଙ୍କୁ ପଚାରିଲେ ସତ୍ୟ କରି ତୁମ୍ଭର ପରିଚୟ  ପ୍ରଦାନ କର । ତବ ରୂପ ଶୋଭା ଦେଖି ମୋର ସ୍ନେହ ଜାତ ହେଉଛି । ମୋ ଚାକରମାନେ ତୁମ୍ଭଙ୍କୁ ଚିହ୍ନି ନପାରି ଦୋଷ କରିଛନ୍ତି । ବିକ୍ରମାଦିତ୍ୟ କହିଲେ କାନ୍ୟକୁବ୍ଜରେ ମୋର ଘର, ମୋ ନାମ ଜନାର୍ଦ୍ଦନ । ମୋର କେହି ନାହାଁନ୍ତି । ମୁଁ ଜଣେ ଅନାଥ । ବିବାହ ରୋଷଣୀ ମୁଁ ବୃକ୍ଷମୂଳରେ ବସି ଦେଖୁଥିଲି  । ତୁମ୍ଭର ଲୋକେ ମୋତେ ଧରି ଆଣିଲେ । ରାଜା ଭୁରିମଲ୍ଲ କହିଲେ ସେ କଥା ଛାଡ । ତୁମେ ପ୍ରକୃତରେ ଜଣେ ମହାନ ବ୍ୟକ୍ତି, ମୋର ଗୋଟିଏ ଉପକାର କର ।

         ବିକ୍ରମାଦିତ୍ୟ କହିଲେ ହେ ରାଜନ! ପ୍ରକୃତରେ ମୋଦ୍ୱାରା ଆପଣଙ୍କର ଯେବେ କିଛି ଉପକାର ହେବ ମୁଁ ବିନା ଦ୍ୱିଧାରେ କରିବି । ଭୁରିମଲ୍ଲ କହିଲେ ମୋର ପୁତ୍ର କୁଜା । ମୋ ପୁତ୍ରକୁ ନଦେଖି ରାଜା ବର କରିଛନ୍ତି । ତାଙ୍କର କନ୍ୟା ପରମ ରୂପବତୀ ସୁଲକ୍ଷଣୀ । ମୋ ପୁତ୍ରର କୁଜକୁ ଦେଖିଲେ ସେ ଦୁଖଃ କରିବେ। ତାହାକୁ ବରରୂପେ ରାଜପୁରେ ନେବାକୁ ମନ ହେଉ ନାହିଁ । ତୁମ୍ଭେ ବରବେଶ ହୋଇ ପାଲିଙ୍କିରେ ବସିଯାଅ । ତୁମ୍ଭଙ୍କୁ ଦେଖିଲେ ସେହି ରାଜା ଅତ୍ୟନ୍ତ ଖୁସିହେବେ । ବିବାହ ପରେ ମଧୁଶଯ୍ୟା ଗୃହରେ ତୁମେ ଥିବ, ମୋ ପୁଅ ଗଲେ ଚାଲି ଆସିବ । ମୋର ଏତିକି ଉପକାର କଲେ ମୋ ରାଜ୍ୟରୁ ପାଂଚଗୋଟି ଗ୍ରାମ ଦେବି । ବସ୍ତ୍ର ଅଳଙ୍କାର ବହୁତ ଦେବି । ତୁମ୍ଭର ଦରିଦ୍ରାବସ୍ଥା ରହିବ ନାହିଁ । ରାଜା ବିକ୍ରମାଦିତ୍ୟ ତହୁଁ ବରବେଶ ହୋଇ ପାଲିଙ୍କିରେ ବସିଲେ । ବିକ୍ରମାଦିତ୍ୟଙ୍କ ବରବେଶ ଦେଖି ଭୁରିମଲ୍ଲ ଆନନ୍ଦ ହେଲେ । ପଟୁଆର ରାଜନଗର ମଧ୍ୟକୁ ପ୍ରବେଶ କରନ୍ତେ ବର ଦେଖିବାକୁ ନଗ୍ରର ନରନାରୀମାନେ ଧାଇଁଲେ । ଅନ୍ତଃପୁରର ନାରୀମାନେ ଗବାକ୍ଷ ମାର୍ଗରେ ବରକୁ ଦେଖିଲେ । ଏବେ ରାଣୀ ଭାନୁମତୀ ଗବାକ୍ଷ ମାର୍ଗରେ ବରକୁ ଦେଖିଲେ । ମୋର ପତି କ’ଣ ବରବେଶ ହୋଇ ଆସିଲେ କି? ପୁଣି ଭଉଣୀ ସ୍ନେହରେ କହିଲେ ସେ ତ ଶୋଇଥିଲେ ସେ ଆସିବେ କାହିଁକି? ତିଳୋତମା ବଡ ଭାଗ୍ୟବତୀ, ଭଲ ବରଟିଏ ପାଇଲା । ପୁନଶ୍ଚ ଚିନ୍ତା କଲା, ତିଳୋତମା । ଭୋଗ କରିବାକୁ ସେ କ’ଣ ଆସିଛନ୍ତି କି?


ଗପ ସାରଣୀ

ତାଲିକାଭୁକ୍ତ ଗପ