ଆଉ ଦିନକର କଥା । ସେଦିନ ସମ୍ରାଟ୍ ଆକବରଙ୍କ ଦରବାର ପାରିଷଦ ଓ ଅନ୍ୟ ସଭ୍ୟମାନଙ୍କ ଦ୍ୱାରା ପୂରି ଉଠୁଥାଏ । ପରସ୍ପରଙ୍କ ଆଳାପ ଆଲୋଚନା ଦ୍ୱାରା କେହି କାହାରି କଥା ଶୁଣି ପାରୁନଥାନ୍ତି । ସମ୍ରାଟଙ୍କର ନିଜର ଅତି ପ୍ରିୟ ବିରବଲଙ୍କ ସହିତ ଅନ୍ୟ ଆଠଜଣ ପଣ୍ଡିତ ମଧ୍ୟ ଦରବାରରେ ନିଜ ନିଜ ଆସନରେ ବସି ଢୋଳେଇବାରେ ବ୍ୟସ୍ତ । ସେପରି ଅବସରରେ ସମ୍ରାଟ୍ ନିଜର ଆସନ ପରିତ୍ୟାଗ କରି ଦଣ୍ଡାୟମାନ ହେଲେ ଏବଂ ବିରବଲଙ୍କୁ ଚାହିଁ ତାଙ୍କୁ ଆଦେଶଦେଲେ ଯେ ବିରବଲ, ମୋର ଆପଣଙ୍କ ଉତ୍ତରରେ ଢେର ବିଶ୍ୱାସ ଥିବାରୁ ଆଜି ମୁଁ ତୁମ ଉପରେ ଏକ ବିରାଟ ଦାୟିତ୍ୱ ଦେବାକୁ ଚାହେଁ ।
ବିରବଲ କହିଲେ – ସମ୍ରାଟ୍ ଙ୍କ ଆଜ୍ଞାକୁ ମୁଁ ଶିର ପାତି ଗ୍ରହଣ କରୁଛି । ଏବେ ଆପଣ ମୋତେ କେଉଁ ଦାୟିତ୍ୱ ଦେବାକୁ ଚାହାଁନ୍ତି ତାହା ଯଥାଶୀଘ୍ର ପ୍ରକାଶ କରନ୍ତୁ ।
ଏହାପରେ ସମ୍ରାଟ୍ କହିଲେ – ଦେଖ ବୀରବଲ୍! ମୁଁ ଆପଣଙ୍କୁ ମାତ୍ର ଚାରିଦିନ ଲାଗି ଦାୟିତ୍ୱ ଦେବି । ଆଉ ତୁମେ ମଧ୍ୟ ମୋର ସେହି ଦାୟିତ୍ୱ ବହନ କରି ମୋତେ ଧନ୍ୟ କରି ଦିଅନ୍ତୁ ।
ବିରବଲ ଅତି ଚତୁରତାର ସହିତ ସମ୍ରାଟଙ୍କୁ କହିଲେ – ସମ୍ରାଟ ଆଉ ବିଳମ୍ବ କାହିଁକି? ଶୁଭସ୍ୟ ଶୀଘ୍ରମ୍ ।
ଏତକ କହି ବିରବଲ ନୀରବ ରହନ୍ତେ ସମ୍ରାଟ୍ ହସି ହସି କହିଲେ – ହେ ବିରବଲ! ତୁମ୍ଭଙ୍କୁ ମୁଁ ଆଜି ତୁମ ଉପରେ ଗୋଟିଏ ଗୁରୁଦାୟିତ୍ୱ ଦେଉଅଛି । ଆଉ ତୁମେ ମଧ୍ୟ ବାଧ୍ୟ ହୋଇ ମୋର ଦାୟିତ୍ୱକୁ ଉତ୍ତମ ଭାବରେ ବହନ କରି ନିଜର କାମ ସମାପ୍ତ କଲେ ବୋଲି ପ୍ରମାଣିତ କରନ୍ତୁ ।
ବିରବଲ କହିଲେ – ତାହା ହେଉ, ମୋତେ କେଉଁ କାର୍ଯ୍ୟ କରିବାକୁ ହେବ । ତାହା ଦୟାକରି ପ୍ରକାଶ କରନ୍ତୁ ।
ସମ୍ରାଟ୍ କହିଲେ – ହେ ବିରବଲ! ମୁଁ ତୁମକୁ ଯେଉଁ ଆଦେଶ ଦେବି ସେହି ଆଦେଶ ହେଉଛି ଯେ, ଆଗାମୀ ଚାରି ଦିନ ଯାଏଁ ମୁଁ ଆପଣଙ୍କୁ ଅପେକ୍ଷା କରିବି । ଏହି ଦିନମାନଙ୍କ ଆଗରୁ ମୋତେ ତୁମେ ମୋ ରାଜ୍ୟରୁ ଚାରିଜଣ ମୂର୍ଖ ବ୍ୟକ୍ତିଙ୍କୁ ବାଛି ଆଣି ମୋ ନିକଟରେ ହାଜର କରିବେ । ଏହାପରେ ବିରବଲ ସେହି ଚାରିଜଣ ମୂର୍ଖଙ୍କ ଅନୁସନ୍ଧାନରେ ବାହାରି ପଡିଲେ ।