ସମ୍ରାଟଙ୍କ ନବରତ୍ନ ପଣ୍ଡିତଙ୍କ ମଧ୍ୟରୁ ଏ ହେଉଛନ୍ତି ଶ୍ରେଷ୍ଠ ପଣ୍ଡିତ ବିରବଲ । ତାଙ୍କୁ ସିନା କେହି ନେତ୍ରରେ ଦେଖି ନଥାଆନ୍ତି, ହେଲେ ସମସ୍ତେ ଜାଣନ୍ତି, ଯେ ସମ୍ରାଟ୍ ଆକବରଙ୍କ ଆଖ ପାଖ ପଣ୍ଡିତ ହେଉଛନ୍ତି ବିରବଲ । ବିରବଲଙ୍କ ନାମ ବିରବଲଙ୍କ ମୁଖରୁ ଶୁଣିବା ମାତ୍ରେ ଲୋକଟି ବିରବଲଙ୍କ ପାଦତଳେ ପଡିଗଲା । ଆଉ କହିଲା – ହଜୁର୍ ମୁଁ ଆପଣଙ୍କୁ ଆଗରୁ କେବେ ଦେଖିନଥିଲି କିମ୍ବା ଜାଣି ନଥିଲି । ସେଥିଯୋଗୁଁ ମୁଁ ଆପଣଙ୍କୁ ଉପଯୁକ୍ତ ସମ୍ମାନ ଦେଇ ପାରିନଥିଲି । ଏଥିଲାଗି ମୋର ଦୋଷ ମାଫ୍ କରିଦେବେ ହଜୁର୍ । ବିରବଲ କହିଲେ – ଠିକ୍ ଅଛି । ଏହା କ’ଣ ତୁମ୍ଭର ଭୁଲ୍ । ଏବେ ମୁଁ ତୁମକୁ କହିଯାଉଛି ଯେ ତୁମ୍ଭେ ତୁମ୍ଭ ସ୍ତ୍ରୀଙ୍କ ମିଠା, ଶାଢି, ଶଙ୍ଖା ଆଉତାଙ୍କ ସ୍ୱାମୀଙ୍କ ଲାଗି ନେଉଥିବା ଶାନ୍ତିପୁରୀ ଯୋଡ ନେବା ଆଗରୁ ଆଗ ସମ୍ରାଟଙ୍କୁ ଯାଇ ସାକ୍ଷାତ କରି ଆସିବାକୁ ହେବ ।
ବିରବଲଙ୍କ ମୁଖରୁ ସମ୍ରାଟଙ୍କୁ ସାକ୍ଷାତ କରିବା କଥା ଶୁଣି ଲୋକଟା ହଡବଡେଇ ଗଲା । ତା’ଛଡା ୟେ ସମ୍ରାଟ୍ ଆକବର, ଏଭଳି ସମ୍ରାଟଙ୍କର ଆଦେଶ ନ ମାନିବା ଯେପରି ଅସୁବିଧା ସେହିପରି ସମ୍ରାଟଙ୍କ ଦଣ୍ଡ ମଧ୍ୟ ଖୁବ୍ କଠୋର । ପୁଣି ସମ୍ବାଦ ଦେଉଥିବା ବ୍ୟକ୍ତି ହେଉଛନ୍ତି ସ୍ୱୟଂ ସମ୍ରାଟଙ୍କର ଅତି ପାଖଲୋକ । ଏଣୁ କଥାକୁ ନ ମାନିବ ବା କିପରି? ତହୁଁ ସେ ବିରବଲଙ୍କୁ ପ୍ରଣାମ ଜଣାଇ କହିଲା – ଛାମୁଙ୍କ ଆଜ୍ଞା ଶିରୋଧାର୍ଯ୍ୟ ।
ଏହାପରେ ବିରବଲ ସେହି ଲୋକଟିକୁ ଛାଡି ଦେଲେ । ତା’ପରେ ଆଗକୁ ଚାଲିଲେ । ଏବେ ସନ୍ଧ୍ୟାହୋଇଯିବା ପ୍ରାୟ । ବିରବଲଙ୍କର ଚିନ୍ତା ପ୍ରଥମଦିନ ଗୋଟିଏ ମୂର୍ଖକୁ ଚିହ୍ନଟ କରି ପାରିଛି, ଏଥର ଦ୍ୱିତୀୟ ମୂର୍ଖ ଲୋକର ସଂଧାନ ଦରକାର । ଏପରି ଚିନ୍ତା ମନ ମଧ୍ୟରେ କରୁଥିବା ଅବସ୍ଥାରେ ବିରବଲ ଆଗକୁ ଚାଲିଲେ ।
ବିରବଲ ସେ ସ୍ଥାନ ପରିତ୍ୟାଗ କରି କିଛି ପଥ ଆଗକୁ ଯାଇଛନ୍ତି, ଲୋକଟା ସନ୍ଧ୍ୟା ହୋଇଯିବା ଆଶଙ୍କାରେ ବସିଥିବା ଘୋଡାଟିକୁ ଖୁବ୍ ଜୋର୍ରେ ଚାବୁକ ମାରି କହୁଛି, ଚାଲ ଶାଲା, ଏକ ମଠୁଆଟା କିରେ ।
ବିରବଲ ଦେଖିଲେ, ଲୋକଟା ମୁଣ୍ଡ ଉପରେ ଶକତ କରି ଗୋଚ୍ଛାଏ ଘାସକୁ ବାନ୍ଧି ମୁଣ୍ଡରେ ମୁଣ୍ଡାଇଛି । ତା’ପରେ ସେ ଘୋଡା ଉପରେ ବସି ଘୋଡାକୁ ଶୀଘ୍ର ଦଉଡିବାର ଲାଗି ବାଡୋଉଛି ।