ଥରେ ବୁଦ୍ଧଦେବ ତାଙ୍କ ଶିଷ୍ୟମାନଙ୍କ ସହିତ ବସି ଆଲୋଚନା କରୁଥିଲାବେଳେ ଜଣେ ଲୋକ ସେଠାରେ ଆସି ପହଁଚିଲା । ସେ ବୁଦ୍ଧଦେବଙ୍କ ପ୍ରତି ଆଗରୁ କୌଣସି କାରଣ ନେଇ ଅସନ୍ତୁଷ୍ଟ ହୋଇଥିଲା ।
ଲୋକଟି ରାଗିଯାଇ ଅକଥ୍ୟ ଭାଷାରେ ବୁଦ୍ଧଦେବଙ୍କୁ ମନଇଚ୍ଛା ଗାଳିଦେଲା । ବୁଦ୍ଧଦେବ ତାକୁ କିଛି ହେଲେବି ନ କହି ତା’ଆଡକୁ ଟିକିଏ ଚାହିଁ ଖାଲି ହସିଦେଲେ । ଲୋକଟି ବୁଦ୍ଧଦେବଙ୍କୁ କିଛି ସମୟ ଗାଳିଦେଇ ସେଠାରୁ ଚାଲିଯାଇଥିଲା ।
ଲୋକଟି ଚାଲିଯିବା ପରେ କିଛିସମୟ ଧରି ଆଲୋଚନା ଚାଲିଥିଲା । ଆଲୋଚନା ଶେଷହେବା ପରେ ବୁଦ୍ଧଦେବଙ୍କ ପ୍ରିୟ ଶିଷ୍ୟ ଆନନ୍ଦ ତାଙ୍କୁ ପଚାରିଲେ, “ଆଜ୍ଞା! ସେହି ଲୋକଟି ଆପଣଙ୍କୁ ମନଇଚ୍ଛା ଗାଳିଦେଲା ଅଥଚ ଆପଣ ତାକୁ କାହିଁକି କିଛି ହେଲେ ବି କହିଲେ ନାହିଁ?”
ବୁଦ୍ଧଦେବଙ୍କ ପାଖରେ ଫୁଲମାଳଟିଏ ଥିଲା । ସେ ମାଳାଟିକୁ ଦେଖାଇ ଆନନ୍ଦଙ୍କୁ ସେ କହିଲେ, “ମୁଁ ଏ ଫୁଲମାଳାଟି ତୁମକୁ ଦେଉଛି, ତୁମେ ଯଦି ତାହା ଗ୍ରହଣ କରିବ ନାହିଁ ତେବେ ମାଳାଟି କାହାର ହେବ?”
ଆନନ୍ଦ କହିଲେ, “ମୁଁ ମାଳାଟି ନ ନେଲେ ଆପଣଙ୍କର ମାଳା ଆପଣଙ୍କର ହେବ ।”
ବୁଦ୍ଧଦେବ କହିଲେ, “ଆନନ୍ଦ! ତୁମେ ଠିକ୍ କହିଛ । ଲୋକଟି ମୋତେ ଗାଳି ଦେଇଥିଲା । ହେଲେ ମୁଁ ତା’ର ସେ ଗାଳି ଗ୍ରହଣ କଲି ନାହିଁ । ତେଣୁ ଗାଳି ସବୁ ମୋର ନ ହୋଇ ତାର ହୋଇଛି । ଏହା ନୁହେଁ କି ।”
ବୁଦ୍ଧଦେବଙ୍କ ଏ ଉପଦେଶଟି ଆନନ୍ଦଙ୍କ ମନକୁ ବେଶ୍ ଭାବେ ପାଇଥିଲା ।