ଥରେ ସେମାନେ ବଣରେ ରହିଗଲେ ଓ ସେଠାରେ ଶୋଇ ପଡିଲେ । ସକାଳୁ ଖରା ପଡିବା ମାତ୍ରେ ସେମାନେ ନିଦରୁ ଉଠି ଦେଖିଲେ ଯେ ତାଙ୍କ ନିକଟରେ ଜଣେ ପିଲା ସୁନ୍ଦର ଧଳା ଚକଚକିଆ ପୋଷାକ ପିନ୍ଧି ବସିଛି । ସେ ପିଲାଟି କରୁଣା ପୂର୍ଣ୍ଣ ଆଖିରେ ସେମାନଙ୍କୁ ଚାହିଁଦେଇ ହଠାତ୍ ସେ ବଣ ମଧ୍ୟରେ ଅଦୃଶ୍ୟ ହୋଇଗଲା । ଦୁଇ ଭଉଣୀଯାକ ଦେଖିଲେ ଯେ ସେମାନେ ପର୍ବତର ତୀଖ ଜାଗାରେ ଶୋଇଛନ୍ତି ଯଦି ରାତିର ଅନ୍ଧାରରେ ସେମାନେ ଆଉ ଗୋଟିଏ ପାଦ ବି ଆଗକୁ ଯାଇଥାନ୍ତେ ତେବେ ସେମାନେ ପର୍ବତ ଉପରୁ ଖସି ପଡିଥାନ୍ତେ ।
ତା’ପରେ ସେମାନେ ଘରକୁ ଫେରି ତାଙ୍କ ମା’ଙ୍କୁ ଏଇ ବିପଦର କଥା କହିବାରୁ ମା’ କହିଲେ ଯେ, କେତେକ ଭଲପରୀ ଅଛନ୍ତି ଯେଉଁମାନେ ଭଲପିଲାମାନଙ୍କୁ ବିପଦରୁ ରକ୍ଷା କରନ୍ତି ।
ସେ ଦୁଇ ଭଉଣୀଯାକ ତାଙ୍କ ଘରକୁ ଏମିତି ପରିଷ୍କାର ପରିଚ୍ଛନ୍ନ ରଖିଥାନ୍ତି ଯେ ସେଇ ଘର ଭିତରକୁ ଯିବାକୁ ଅତ୍ୟନ୍ତ ଆନନ୍ଦ ଲାଗେ । ଗ୍ରୀଷ୍ମ ଋତୁରେ ଲାଲଗୋଲାପୀ ଘରର ଯତ୍ନନିଏ ଏବଂ ଦୁଇଗୋଲାପ ଗଛରୁ ଦୁଇଟି ଫୁଲ ନେଇ ମା’ ଉଠିବା ପୂର୍ବରୁ ତାର ଶେଯ ପାଖରେ ରଖିଦିଏ । ଶୀତ ଋତୁରେ ତୁଷାରଶୁଭ୍ରା ଚୁଲିରେ ନିଆଁ ଧରାଇ ପରିଷ୍କାର କେଟଲିରେ ପାଣି ଗରମ କଲେ ।
ଖୁବ୍ ଶୀତଦିନେ ଯେତେବେଳେ ତୁଷାର ପାତ ହେଉଥାଏ ସେତେବେଳେ ମା କହନ୍ତି ‘ତୁଷାରଶୁଭ୍ରା, ତୁ ଯାଇ ଝରକା କବାଟ ବନ୍ଦ କରି ଦେ’ । ତାପରେ ସେମାନେ ନିଆଁ ପାଖରେ ବସନ୍ତି ଓ ମା’ ତାଙ୍କ ଆଖିରେ ଚଷମା ଦେଇ ଗୋଟିଏ ମୋଟା ବହିରୁ କ’ଣ ସବୁ ପଢନ୍ତି ଓ ଦୁଇଝିଅ ମା’ଙ୍କ ବହିପଢିବା ଶୁଣନ୍ତି ଓ ନୀରବରେ ବସି ସୂତା କାଟନ୍ତି । ସେମାନଙ୍କ ପାଖରେ ଗୋଟିଏ ଛୋଟ ମେଣ୍ଢାଛୁଆ ଥାଏ ଓ ପାଖରେ ଥିବା ଗୋଟିଏ ପଞ୍ଜୁରିରେ ଗୋଟିଏ ଧଳା ପାରା ତାପରକୁ କୁଙ୍କୁଡି କାଙ୍କୁଡି କରି ଶୋଇଥାଏ ।
ଦିନେ ସଂନ୍ଧ୍ୟାବେଳେ ସେମାନେ ଏକାଠି ନିଆଁ ପୋଇବାକୁ ନିଆଁ ପାଖରେ ବସିଥିବାବେଳେ କିଏ ଜଣେ ଆସି କବାଟ ଠକ୍ ଠକ୍ କଲା । ଏହା ଶୁଣି ମା’ କହିଲେ ‘ଲାଲଗୋଲାପୀ, ତୁ ଯାଇ ଶୀଘ୍ର କବାଟ ଖୋଲିଦେ ତ । କେହି ଜଣେ ଅସହାୟ ବାଟୋଇ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବୋଧେ ଆଶ୍ରୟ ମାଗୁଛି ।’
ଲାଲଗୋଲାପୀ ତୁରନ୍ତ ଦୌଡିଯାଇ କବାଟ ଖୋଲି ଦେଲା ଏବଂ ଦେଖିଲା ଅନ୍ଧାରରେ କେହି ଜଣେ ଠିଆ ହୋଇଛି । ମାତ୍ର ଦେଖିଲା ବେଳକୁ ସେ ଗୋଟାଏ ଭାଲୁ ଏବଂ ତାର କଳାମଚମଚ ମୁହଁ କବାଟ ଫାଙ୍କରେ ଗଳେଇଛି । ତାକୁ ଦେଖି ଲାଲଗୋଲାପୀ ଭୟରେ ଖାଲି ଚିତ୍କାରକରି ପଛକୁ ଡେଇଁ ପଡିଲା ଓ ପାଖରେ ଶୋଇଥିବା ମେଣ୍ଢା ଛୁଆଟା ବୋବେଇବାକୁ ଲାଗିଲା, ପାରାଟି ମଧ୍ୟ ଭୟରେ ପକ୍ଷୀ ଫଡଫଡ କଲା ଓ ତୁଷାରଶୁଭ୍ରା ଯାଇ ତା ମା’ ପଛପାଖରେ ଲୁଚିଗଲା ।
ଏହା ଦେଖି ସେ ଭାଲୁଟି କହିଲା ‘ମୋତେ ଆଦୌ ଭୟକର ନାହିଁ । ମୁଁ ତୁମର କିଛି ବି କ୍ଷତି କରିବି ନାହିଁ । ମୋ ଦେହ ଶୀତରେ କାଲୁଆ ହୋଇ ଯାଇଛି ତେଣୁ ମୁଁ ଟିକିଏ ନିଆଁ ପୋଇବାକୁ ଚାହୁଁଛି ।’
ତୁଷାରଶୁଭ୍ରାର ମା’ ଏହା ଶୁଣି କହିଲା, ‘ଆସ ତୁମେ ଏ ନିଆଁ ପାଖରେ ଶୋଇପଡ ମାତ୍ର ତୁମ ଲୋମରେ କାଳେ ନିଆଁ ଲାଗିଯିବ ସେଥିପାଇଁ ସତର୍କ ରୁହ ।’
ଏହାପରେ ମା’ ସେମାନଙ୍କୁ ଡାକି କହିଲେ ‘ତୁଷାର ଶୁଭ୍ରା, ଲାଲ ଗୋଲାପୀ ତୁମେ ଆସ । ଭାଲୁଟି ତୁମର କିଛି ବି କ୍ଷତି କରିବ ନାହିଁ । ସେ ଭଲ ଏବଂ ଖୁବ୍ ନିରୀହ ମଧ୍ୟ ।’