ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତୁଷାରଶୁଭ୍ରା ଓ ଲାଲଗୋଲାପୀ

ତେଣୁ ସେ ଝିଅ ଦୁହେଁ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ ଏବଂ ସେମାନଙ୍କ ସହ ମେଣ୍ଢା ଛୁଆ ଓ ପାରା ମଧ୍ୟ ପାଖକୁ ଆସିଲେ । ସେମାନଙ୍କର ଭୟ ତୁଟିଗଲା । ଭାଲୁଟି ତା ଲୋମରୁ ତୁଷାର କଣିକା ଗୁଡିକୁ ପୋଛି ଦେବାକୁ ସେମାନଙ୍କୁ କହିଲା ଓ ସେମାନେ ଗୋଟିଏ ବ୍ରସରେ ତାର ଲୋମ ଶୁଖିଯିବା ପର୍ଯ୍ୟନ୍ତ ତୁଷାର କଣିକାଗୁଡିକୁ ପୋଛି ଝାଡି ଦେଲେ । ଭାଲୁଟି ଆନନ୍ଦରେ ଓ ଆରାମରେ ଶୋଇ ଶବ୍ଦକରିବାକୁ ଲାଗିଲା । ଝିଅ ଦୁଇଟି ତା ସହିତ ଖେଳିବାକୁ ଲାଗିଲେ ଓ ତା ସହିତ ପୋଷା କୁକୁର ଭଳି ବ୍ୟବହାର କରିବାକୁ ଲାଗିଲେ । ସେମାନେ ସେ ଭାଲୁଟିକୁ ଏପଟ ସେପଟ ଗଡାଇ ଆନନ୍ଦରେ ତାକୁ ଚିଡାଇବାକୁ ଲାଗିଲେ ଏବଂ ତାର ବିଚିତ୍ର ଶବ୍ଦ ଶୁଣି କେବଳ ହସିବାକୁ ଲାଗିଲେ ।

ଭାଲୁଟି ଆନନ୍ଦରେ ତାଙ୍କ କଥା ସହିଗଲା ମାତ୍ର ସେମାନେ ଯେତେବେଳେ ତାସହିତ ବେଶୀବେଶୀ ଲାଗିଲେ ସେ ଭାଲୁ ଗୀତରେ ସେମାନଙ୍କୁ ତଥା ସେ ଦୁଇ ଭଉଣୀଙ୍କୁ ଗୋଟେ କଥା କହିଲା –

ଭାଲୁଟି କହିଲା ନିକର- ରଖ ହେ ଜୀବନ ମୋହର

ଶୁଭ୍ରା ଗୋଲାପୀ ତୁମ୍ଭେ ଶୁଣ – ମୁଁ ଯେ ତୁମର ପ୍ରିୟ ଜାଣ

ରାତିରେ ଯେତେବେଳେ ସେମାନେ ଶୋଇବାକୁ ଗଲେ ମା’ ଭାଲୁଟିକୁ କହିଲା ‘ତୁମେ ଏ ଚୁଲି ପାଖରେ ଶୋଇପଡ । ବାହାରର ତୁଷାର ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏଇଟା ହେଉଛି ଏକମାତ୍ର ନିରାପଦ ସ୍ଥାନ ।’

ଯେମିତି ସକାଳ ହେଲା ପିଲାମାନେ ସେ ଭାଲୁଟିକୁ ଘରୁ ବାହାର କରିଦେଲେ ଓ ସେ ଭାଲୁ ବି ଧୀରେ ଧୀରେ ଦୌଡି ବଣକୁ ପଳାଇଗଲା । ସେହି ଦିନଠାରୁ ପ୍ରତ୍ୟେକ ସଂନ୍ଧ୍ୟାରେ ସେ ଭାଲୁଟି ତାଙ୍କ ଘରକୁ ଆସେ ଏବଂ ଥଣ୍ଡାରୁ ରକ୍ଷାପାଇବା ପାଇଁ ଚୁଲି ପାଖରେ ଶୁଏ ଓ ଶୁଭ୍ରା ଓ ଗୋଲାପୀ ଦୁହେଁ ତା ସହିତ କୌତୁକରେ ଖେଳାଖେଳି କରନ୍ତି । ସେମାନେ ତା ଆସିବା ସହିତ ଏମିତି ଅଭ୍ୟାସ ହୋଇ ଯାଇଥିଲେ ଯେ ଭାଲୁଟି ନ ଆସିବା ପର୍ଯ୍ୟନ୍ତ ତାଙ୍କ ଦାଣ୍ଡକବାଟ ବନ୍ଦ ହୁଏ ନାହିଁ ।

ଯେମିତି ବସନ୍ତ ଋତୁ ଆସିଲା ଏବଂ ଚତୁର୍ଦ୍ଦିଗ ସବୁଜ ବର୍ଣ୍ଣ ଧାରଣ କଲା ଭାଲୁ ଦିନେ ସକାଳୁ ଶୁଭ୍ରାକୁ କହିଲା ‘ବର୍ତ୍ତମାନ ମୁଁ ତୁମକୁ ଛାଡି ଚାଲିଯିବି ଏବଂ ଗ୍ରୀଷ୍ମ ଋତୁଯାକ ଏଠାକୁ ଆଉ ଆସିବି ନାହିଁ ।’

ଶୁଭ୍ରା ପଚାରିଲା ‘ତୁମେ କେଉଁଠାକୁ ଯିବ?’

ଭାଲୁଟି କହିଲା ଦୁଷ୍ଟ ବାମନ ମାନଙ୍କ ଦାଉରୁ ମୋର ଧନ ରତ୍ନକୁ ରକ୍ଷା କରିବାକୁ ମୁଁ ବଣକୁ ଯିବି । ଶୀତଋତୁରେ ଯେତେବେଳେ ସାରା ପୃଥିବୀ ବରଫାବୃତ ହୋଇଯାଏ, ଠିକ୍ ସେତେବେଳେ ସେମାନେ ମାଟିତଳେ ରହନ୍ତି ଓ କାହାର କିଛି ବି କ୍ଷତି କରି ପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଯେତେବେଳେ ଖରାପଡି ବରଫ ତରଳିଗଲାଣି ସେମାନେ ସବୁ ମାଟିତଳୁ ବାହାରି ଚାରିଆଡେ ଲୁଚିଲୁଚି ବୁଲି ଯାହା ପାଇବେ ତାକୁ ନେଇ ସେମାନେ ଗୁମ୍ଫାରେ ଲୁଚେଇ ଦେବେ ଓ ତାହାକୁ ଖୋଜି ସହଜରେ ବାହାରକୁ ଆଣି ହେବ ନାହିଁ ।’

ଶୁଭ୍ରା ସେ ଭାଲୁ ବଂଧୁଟିର ବିଦାୟରେ ଖୁବ୍ ଦୁଃଖ ପ୍ରକାଶ କଲା । ଯେତେବେଳେ ଶୁଭ୍ରା ଦାଣ୍ଡ କବାଟ ଖୋଲି ଦେଲା ଏବଂ ଭାଲୁଟି ଚାଲିଗଲା ବେଳେ ତାର ଲୋମ କବାଟ ଫାଙ୍କରେ ଲାଗିଲା । ଶୁଭ୍ରା ଦେଖିଲା ତା ଲୋମ ତଳେ ସୁନା ସବୁ ଚକ୍ଚକ୍ କରୁଛି । ଶୁଭ୍ରା ଏହା ଦେଖୁଦେଖୁ ଭାଲୁଟି ଖୁବ୍ ଦ୍ରୁତ ଗତିରେ ଦୌଡି ବଣର ଗଛଲତା ମଧ୍ୟରେ ଅଦୃଶ୍ୟ ହୋଇଗଲା ।

ଅଳ୍ପ କିଛି ଦିନ ପରେ ଶୁଭ୍ରା ଓ ଗୋଲାପୀଙ୍କୁ ତାଙ୍କ ମା’ କାଠିଝାଟି କାଟି ଆଣିବାପାଇଁ ବଣକୁ ପଠେଇଲା । ବଣରେ ତଳେ ପଡିଥିବା ଗୋଟିଏ ବଡଗଛର ଗଣ୍ଡିରେ ମାଡିଥିବା ଲମ୍ବା ଘାସ ଭିତରେ କ’ଣ ଗୋଟାଏ ଡେଇଁ ଡେଇଁ ଯାଉଛି ମାତ୍ର ସେମାନେ ତାକୁ ଚିହ୍ନି ପାରିଲେ ନାହିଁ ।

ଯେତେବେଳେ ସେମାନେ ସେ ଘାସ ପାଖକୁ ଗଲେ ଦେଖିଲେ ସେଠାରେ ଗୋଟିଏ ବାମନ ଯାହାର ମୁଖମଣ୍ଡଳ ବିବର୍ଣ୍ଣ ଓ ମୁହଁରେ ଲମ୍ବା ଦାଢିଥିଲା । ତାର ସେହି ଲମ୍ବା ଦାଢି ପୁଳାକ ଗଛର ଫାଟରେ ପଶି ଲାଖି ଯାଇଛି । ତାର ଦାଢି ଗଛର ଫାଟରେ ଏମିତି ଲାଖି ଗୁଡାଇ ହୋଇ ଯାଇଛି ଯେ ସେ ଯେମିତି ଦୌଡିରେ ବଂଧା ହୋଇଥିବା କୁକୁର ଭଳି ଟାଣି ଓଟାରି ହେଉଛି ଓ କ’ଣ କହିବ ବୋଲି କିଛି ବି ଭାବିପାରୁ ନାହିଁ । ବାମନଟି ଏମାନଙ୍କୁ ଦେଖି ନିଆଁ ଭଳି ଜଳୁଥିବା ତା ଆଖିରେ ଏମାନଙ୍କୁ ଚାହିଁ ଚିତ୍କାର କରି ଉଠିଲା ‘ସେଠି କାହିଁକି ଠିଆ ହୋଇଛ? ଏଠିକି ଆସି ମୋତେ ସାହାଯ୍ୟ କର ।’


ଗପ ସାରଣୀ

ତାଲିକାଭୁକ୍ତ ଗପ