ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତୁଷାରଶୁଭ୍ରା ଓ ଲାଲଗୋଲାପୀ

ଲାଲଗୋଲାପୀ ପଚାରିଲା ‘ହଇଓ ବାମନ ସେଠାରେ କ’ଣ କରୁଥିଲ?’

ତହୁଁ ସେ ବାମନ ଉତ୍ତର ଦେଲା ‘ତୁମେ ସବୁ ବୋକା ଓ ନିର୍ବୋଧ । ଜାଳେଣୀ କାଠ ପାଇଁ ମୁଁ ଏ ଗଛରେ ଗୋଟାଏ କିଳା ଭର୍ତ୍ତି କରି କାଠକୁ ଫଟାଉଥିଲି ମାତ୍ର କାଠଟା ସାଉଁଳିଆ ହୋଇଥିବାରୁ କିଳାଟା ଚଟ୍କରି ବାହାରି ଗଲା ଏବଂ ସେଇ କାଠ ଫାଟରେ ମୋ ଧଳା ଦାଢି ପୁଳାକ ଚାପିହୋଇ ରହିଗଲା । ତେଣୁ ମୁଁ ଏଠାରୁ ଖସି ଯାଇପାରୁ ନାହିଁ । ତୁମେ ସୁନ୍ଦର ଝିଅ ଦୁଇଟି ମୋତେ ବୋକାଭଳି ଚାହିଁ ହସୁଛ? କେତେ କଦର୍ଯ୍ୟ ପିଲା ତୁମେ?’

ବାମନର ଏପ୍ରକାର କଥା ଶୁଣି ସେ ଝିଅ ଦୁଇଟି ତା ପାଖକୁ ଯାଇ କାଠ ଭିତରୁ ଦାଢିକୁ ଟାଣି ବାହାର କରିବାକୁ ବହୁତ ଚେଷ୍ଟା କଲେ ମାତ୍ର ସେମାନେ ବି ତା ଦାଢିକୁ ଟାଣି ବାହାର କରି ପାରିଲେ ନାହିଁ । କାହିଁକିନା ସେ ବାମନର ଦାଢି କିଳାଭଳି କାଠ ଫାଙ୍କରେ ଖୁବ୍ ଜୋର୍ରେ ଚାପିହୋଇ ରହିଯାଇଥିଲା ।

ତା’ପରେ ସେ ଲାଲଗୋଲାପୀ କହିଲା ‘ଆଚ୍ଛା ମୁଁ ଦୌଡି ଯାଇ ଆଉ କାହାକୁ ଡାକି ଆଣେ ।’

ଏସବୁ କଥା ଶୁଣି ସେ ବାମନ ଚଟ୍କରି କହିଲା ‘ତୁମେ ସବୁ ବୋକାପିଲା । ଆଉ କାହାକୁ ଡାକିବା ପୁଣି କ’ଣ ଦରକାର? ତୁମେ ଦୁହେଁ ହିଁ ଠିକ୍ ପାରିବ । ତୁମ ମୁଣ୍ଡରେ କ’ଣ ଆଉ କିଛି ନୂଆ ବୁଦ୍ଧି ପଶୁନାହିଁ?’

ଶୁଭ୍ରା କହିଲା ‘ତୁମେ ଆଦୌ ଅଧୈର୍ଯ୍ୟ ହୁଅ ନାହିଁ । ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି । ଏତିକି କହି ସେ ଶୁଭ୍ରା ତା ପକେଟରୁ ଗୋଟିଏ କତୁରୀ କାଢି ସେଥିରେ ସେ ବାମନର ଦାଢି ପୁଳାକ ମୂଳରୁ ଚଟ୍କିନା କାଟିଦେଲା । ଯେମିତି ବାମନର ଦାଢିପୁଳାକ କଟି ଯାଇଛି ସେ ଗଛ ମୂଳର ଗୁମ୍ଫାରେ ଥିବା ଗୋଟିଏ ସୂନା ମୋହରପୂର୍ଣ୍ଣ ଥଳି ଆଣି ଝିଅ ଦୁଇଟିଙ୍କୁ ଗାଳି ଦେଇ କହିଲା ‘ତୁମେମାନେ ଅତି ଖରାପ ପିଲା ମୋର ଏତେ ସୁନ୍ଦର ଦାଢିକୁ ତୁମେ କାଟି ଦେଲ? ମୁଁ ତୁମକୁ ଅଭିଶାପ ଦେବି ।’ ଏହା କହି ସେମାନଙ୍କ ଆଡକୁ ଆଉ ନଚାହିଁ ଥଳିଟିକୁ କାନ୍ଧରେ ଝୁଲାଇ ସେ ବାମନ ତା’ ବାଟରେ ଚାଲିଗଲା ।

ଆଉ କିଛି ଦିନ ପରେ ଶୁଭ୍ରା ଓ ଗୋଲାପୀ ତରକାରି ପାଇଁ ନିକଟସ୍ଥ ଝରଣାକୁ ମାଛ ଧରିବା ପାଇଁ ଗଲେ । ଝରଣା କୂଳରେ ସେମାନେ ଯେମିତି ପହଁଚିଛନ୍ତି ସେମାନେ ଦେଖିଲେ ବଡ ଝିଂଟିକା ଭଳି କ’ଣ ଗୋଟାଏ ଡେଇଁ ଡେଇଁ ଯାଉଛି । ସେମାନେ ଦୌଡି ଯାଇ ଦେଖିଲେ ତାଙ୍କର ଚିହ୍ନା ସେଇ ବାମନ ।

ତାକୁ ଦେଖି ଗୋଲାପୀ କହିଲା ‘ଆରେ ତୁମେ ଏଠି? କୁଆଡେ ଯାଉଛ? ବୋଧେ ପାଣି ଭିତରକୁ କେବେ ଡେଇଁବାକୁ ଯାଉଛ?’

ଏକଥା ଶୁଣି ସେ ବାମନଟି ଚିତ୍କାର କରି କହିଲା ‘ମୁଁ ଏତେ ବି ବୋକା ନୁହେଁ ଯେ ପାଣି ଭିତରକୁ ଡେଇଁବାକୁ ଯିବି । ଏଇ କଦର୍ଯ୍ୟ ମାଛଟା ମୋତେ ପାଣି ଭିତରକୁ ଟାଣି ନେଇଛି ।’

ଏହି ଛୋଟ ଆକୃତିର ଲୋକଟି ଝରଣା କୂଳରେ ବସି ବନ୍ସୀରେ ମାଛ ଧରୁଥିଲା ଓ ଦୁର୍ଭାଗ୍ୟକୁ ପବନ ଦ୍ୱାରା ତାର ଲମ୍ବା ଦାଢି ଉଡିଯାଇ ବନ୍ସୀ ଡୋରରେ ଗୁଡେଇ ହୋଇଗଲା ଏବଂ ଠିକ୍ ଏଇ ସମୟରେ ମାଛଟି ଥୋପ ଗିଳିଦେଲା । ଏତେବଡ ମାଛଟିଏ ଲାଗିଗଲା ଯେ ଏଇ ଦୁର୍ବଳ ଲୋକଟି ସେ ମାଛକୁ ଟାଣିବାବେଳେ ମାଛଟି ବନ୍ସୀ ସହିତ ବାମନକୁ ଟାଣିବାକୁ ଲାଗିଲା ।

ଏହା ଦେଖି ଝରଣାକୂଳରେ ଥିବା କଣ୍ଡକାଣ୍ଡିଆ ବଡ ବଡ ଘାସ ଗଛକୁ ଧରି ବାମନଟି ନିଜକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାର ଅଟକିବା ମୋଟେ ସମ୍ଭବ ହେଉନଥାଏ । ମାଛ ଯୁଆଡେ ଟାଣୁଥାଏ ସେଇ ଆଡକୁ ସେ ବାମନ ବି ଟାଣି ହୋଇ ଯାଉଥାଏ ଏବଂ ପ୍ରତି ମୁହୂର୍ତରେ ତାର ପଡିବାର ସମ୍ଭାବନା ଥାଏ ।

ଏଇ ଦୁଇଝିଅ ଏଇ ସମୟରେ ପହଁଚିବାରୁ ସେମାନେ ବାମନଟିକୁ ଧରି ଅଟକାଇ ତା ଦାଢିକୁ ବନ୍ସୀ ସୂତାରୁ ଛଡେଇବାକୁ ଅନେକ ଚେଷ୍ଟା କଲେ ମାତ୍ର ତାର ଦାଢି ଓ ବନ୍ସୀ ସୂତା ଏପରି ଛନ୍ଦି ହୋଇ ଗୁଡାଇ ହୋଇ ଯାଇଥିଲା ଯେ ସେମାନଙ୍କ ଛଡେଇବାର ସବୁ ପ୍ରକାର ଚେଷ୍ଟା ଶେଷରେ ବୃଥା ହେଲା । ଆଉ କିଛି ଉପାୟ ନପାଇ ସେମାନେ କତୁରୀ ବାହାରକରି ସେ ବାମନର ଦାଢିର ଅଳ୍ପ କିଛି ଅଂଶ କାଟି ଦେବାକୁ ସ୍ଥିର କଲେ ।

ସେମାନେ ଦାଢି କାଟିଦେବାର ଦେଖି ସେ ଅକୃତଜ୍ଞ ବାମନ ପୁଣି ଚିତ୍କାର କରି କହି ଉଠିଲା ‘ତୁମେ ଏପରି ଭାବରେ ବାରମ୍ବାର ମୋର ମୁଖମଣ୍ଡଳ ବିକୃତ କରୁଛ କାହିଁକି? ତୁମେ କାଟିଥିବା ଦାଢି ବେଶୀ ଲମ୍ବା ହୋଇନଥିଲା । ତୁମେ ପୁଣି ସେ ସୁନ୍ଦର ଦାଢି ପୁଳାକ କାଟିଦେଲ । ଆର ଥର ଭଳି ଏଥର ମଧ୍ୟ ମୁଁ କାହାକୁ ବି ଆଉ ମୋ ନିଜ ମୁହଁ ଦେଖାଇ ପାରିବି ନାହିଁ । ତୁମକୁ କହି ରଖୁଛି ତୁମେ ଆଉ କେବେ ବି ମୋ ପାଖକୁ ଆସିବ ନାହିଁ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ