ତାପରେ ସେ ଘାସବୁଦାମୂଳରୁ ଗୋଟିଏ ମୁକ୍ତାବସ୍ତାଟି ଆଣି ଏମାନଙ୍କୁ କିଛି ନକହି ପର୍ବତ ଆରପଟରେ କୁଆଡେ ଅର୍ନ୍ତଦ୍ଧାନ ହୋଇଗଲା । ଆଉ ଦିନେ ମା’ ଶୁଭ୍ରା ଓ ଗୋଲାପୀଙ୍କୁ ସୂତା, ଛୁଂଚି, ଝାଲେରୀ ଆଉ ରିବନ ଆଣିବାକୁ ବଜାରକୁ ପଠେଇଲେ । ବଜାରକୁ ଯିବା ବାଟରେ ଗୋଟିଏ ବଡ ପଡିଆ ପଡିଲା ଏବଂ ସେଇ ପଡିଆ ମଝିରେ ଯେଉଁ ରାସ୍ତା ଯାଇଛି ତା ଉପରେ ଅନେକ ପଥର ଗୋଡି ୟାଡେ, ସାଡେ ହୋଇ ପଡିଥିଲା । ବାଟରେ ଯାଉ ଯାଉ ସେମାନେ ଦେଖିଲେ ଯେ, ତାଙ୍କ ମୁଣ୍ଡ ଉପରେ ଗୋଟିଏ ଇଗଲପକ୍ଷୀ ଚକର କାଟୁଛି ଏବଂ କିଛି ସମୟପରେ ଆସ୍ତେ ଆସ୍ତେ ତଳକୁ ଆସି ଗୋଟିଏ ଛୋଟ ପାହାଡ ଉପରେ ଓହ୍ଲାଇ ବସିଲା । ଇଗଲପକ୍ଷୀଟି ପାହାଡ ଉପରେ ବସିବାମାତ୍ରେ ସେମାନେ କାହାର ଏକ କରୁଣ ଚିତ୍କାର ଶୁଣିବାକୁ ପାଇଲେ ।
ସେମାନେ ସେ ପାହାଡ ପାଖକୁ ଦୌଡିଯାଇ ଏକ ଭୟଙ୍କର ଦୃଶ୍ୟ ଦେଖିଲେ । ସେଇ ଇଗଲପକ୍ଷୀଟି ତାଙ୍କର ସେଇ ଚିହ୍ନା ବାମନଟିକୁ ଝାମ୍ପମାରି ନେଇ ଯିବାକୁ ବସିଛି । ଏହି ଦୟାଳୁ ଝିଅ ଦୁଇଟି ଅନେକ ସମୟ ଯୁଦ୍ଧକଲେ ଏବଂ ଶେଷରେ ଇଗଲଟି ତାର ଶିକାର ବାମନଟିକୁ ଛାଡି ଦେଇ ସେଠାରୁ ଉଡି ପଳେଇଲା ।
ସେ ବାମନଟି ଇଗଲ କବଳରୁ ରକ୍ଷା ପାଇବାପରେ ତାର ରୁକ୍ଷ କଣ୍ଠରେ ଚିତ୍କାର କରି ସେ ଝିଅଦୁଇଟିଙ୍କୁ କହିଲା ‘ମୋତେ ଆଉ ଟିକିଏ ଯତ୍ନ ସହକାରେ ଉଦ୍ଧାର କରିପାରିଲ ନାହିଁ? ତୁମେ ମୋ ସୁନ୍ଦର କୋଟ୍ଟିକୁ ଟୁକୁରା ଟୁକୁରା କରି ଚିରିଦେଲ? ତୁମେ ଦୁଇଜଣ ନିଲର୍ଜ ଆଉ କଦର୍ଯ୍ୟ ପିଲା ।’ ତା ପରେ ସେ ଗୋଟି ମୂଲ୍ୟବାନ ହୀରାନୀଳା ଥିବା ଥଳି ଧରି ପର୍ବତର ଗୁମ୍ଫା ମଧ୍ୟକୁ ଚାଲିଗଲା ।
ସେ ଝିଅ ଦୁଇଜଣ ତ ପୂର୍ବରୁ ବାମନର କୃତଘ୍ନତା ସମ୍ପର୍କରେ ଜାଣିଥିଲେ ତେଣୁ ସେମାନେ ସେ କଥା ଚିନ୍ତା ନକରି ବଜାରକୁ ଚାଲିଗଲେ । ସେମାନେ ବଜାରରୁ ପୁଣି ସେଇ ବାଟେ ଫେରିବା ବେଳେ ଦେଖିଲେ ସେ ବାମନ ତାର ମୂଲ୍ୟବାନ ହୀରାନୀଳା ଖେଳାମେଳା କରି ପକାଇଛି ଏବଂ ସେ ଜାଣିଛି ଯେ ଏତେ ବିଳମ୍ବରେ ସେଇ ବାଟେ କେହି ବି ଆସନ୍ତି ନାହିଁ । ସୂର୍ଯ୍ୟଙ୍କର ଅସ୍ତଗାମୀ କିରଣ ସେଇ ମୂଲ୍ୟବାନ ହୀରାନୀଳା ଉପରେ ପଡି ଏତେ ସୁନ୍ଦର ଭାବରେ ଝଲ୍ମଲ୍କରୁଥିଲା ଯେ ସେ ଝିଅ ଦୁଇଜଣ ସେଗୁଡିକୁ ନିର୍ନିମେଷ ନୟନରେ ଚାହିଁ ରହିଥିଲେ ।
ଏ ଝିଅ ଦୁଇଜଣଙ୍କୁ ଦେଖି ସେ ବାମନର ପାଉଁଶିଆ ମୁହଁଟି ରାଗରେ ଲାଲ୍ ହୋଇଗଲା ଓ ସେ ଭୀଷଣ ରାଗରେ ଚିତ୍କାର କରି ଉଠିଲା ତୁମେ ଦୁଇଜଣ ଏଠାରେ କାହିଁକି ବଲବଲ କରି ଚାହିଁ ରହିଛ?’
ବାମନର ଏଇ ବିରକ୍ତିକର କଥା ଶୁଣି ସେମାନେ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କଲାବେଳେ କ’ଣ ଗୋଟାଏ ଗର୍ଜ୍ଜନ ଶୁଣାଗଲା ଓ ଦେଖିଲାବେଳକୁ ବଣଆଡୁ ଗୋଟାଏ କଳାଭାଲୁ କଦମ ପ୍ରକାର ମାଡି ଆସିଲା । ବାମନଟି ସେଇ ଭାଲୁଟିକୁ ଦେଖି ଅତ୍ୟନ୍ତ ଭୟରେ ଡେଇଁ ତା ଲୁଚିବା ସ୍ଥାନକୁ ପଳେଇବା ପୂର୍ବରୁ ଭାଲୁ ତାକୁ ମାଡି ବସିଲା । ତା ପରେ ବାମନଟି ଭୟରେ କହିଲା ‘ହେ ଭଲ୍ଲୁକ ମହାଶୟ, ମୋତେ ଛାଡିଦିଅ । ମୋର ସବୁତକ ଧନରତ୍ନ ମୁଁ ତୁମକୁ ଦେବି । ସେଠି ଜମା ହୋଇଥିବା ସବୁ ମୂଲ୍ୟବାନ ହୀରାନୀଳା କୁ ଚାହଁ । ମୋ ଜୀବନକୁ ରକ୍ଷାକର । ମୋଭଳି ଏକ କ୍ଷୁଦ୍ର ଦୁର୍ବଳ ଲୋକକୁ ଖାଇ କି ସୁଖ ବା ପାଇବ? ତୁମ ପାଟିକି ତ ମୁଁ ଲାଗିବି ନାହିଁ । ସେଠାରେ ଠିଆ ହୋଇଥିବା ଦୁଇଜଣ କୋମଳ ଆଉ ମୋଟା ଝିଅ ତୁମର ଖାଇବାପାଇଁ ବେଶ୍ ହେବେ । ମୋତେ ଛାଡି ସେମାନଙ୍କୁ ଖାଅ ।’
ଭାଲୁ ତା କଥା ନଶୁଣି ଦୁଷ୍ଟ ବାମନକୁ ତା ପଞ୍ଜାରେ ଗୋଟାଏ ଏମିତି ଏକ ମୁଥାମାରିଲାଯେ ସେ ବାମନଟି ନିଶ୍ଚଳ ହୋଇଗଲା । ସେ ଝିଅ ଦୁଇଜଣ ଏହା ଦେଖି ଦୌଡି ପଳାଇଲାବେଳେ ଭାଲୁ ତାଙ୍କୁ ପଛରୁ ଡାକିଲା ‘ହେ ଶୁଭ୍ରା ଆଉ ଗୋଲାପୀ, ତୁମେ ଅପେକ୍ଷା କର ମୁଁ ତୁମ ପାଖକୁ ହିଁ ଯାଉଛି । ସେ ଝିଅ ଦୁଇଜଣ ତାଙ୍କର ପୁରୁଣା ବଂଧୁ ଭାଲୁର ସ୍ୱର ଚିହ୍ନି ପାରି ସ୍ଥିର ହୋଇ ଠିଆ ହୋଇଗଲେ । ଯେତେବେଳେ ଭାଲୁ ତାଙ୍କ ପାଖରେ ପହଁଚିଲା ସେତେବେଳେ ତା ଦେହରୁ ଭାଲୁର ଚର୍ମ ଆବରଣ ଖସି ପଡିଲା । ଝିଅ ଦୁଇଜଣ ଦେଖିଲେ ସେମାନଙ୍କ ପାଖରେ ସୁନାର ପୋଷାକ ପିନ୍ଧି ଜଣେ ସୁନ୍ଦର ଯୁବକ ଠିଆ ହୋଇଛି ।
ତା’ପରେ ସେ କହିଲା ‘ମୁଁ ଜଣେ ରାଜପୁତ୍ର ଏବଂ ଏ ଦୁଷ୍ଟ ବାମନ ମନ୍ତ୍ର କରି ମୋତେ ଭାଲୁକରି ଦେଇଥିଲା । ସେ ଯେ ମୋର ସମସ୍ତ ଧନ ରତ୍ନ ଚୋରି କରିନେଇଥିଲା ତା ନୁହେଁ ବରଂ ତାର ମୃତ୍ୟୁ ପର୍ଯ୍ୟନ୍ତ ମୋତେ ଏକ ହିଂସ୍ର ଭାଲୁ କରି ରଖିଥିଲା । ବର୍ତ୍ତମାନ ତାର ଉପଯୁକ୍ତ ଦଣ୍ଡ ସେ ପାଇଛି ।’
ଶୁଭ୍ରା ସେଇ ରାଜକୁମାରକୁ ବିବାହ କଲା ଏବଂ ଗୋଲାପୀ ସେଇ ରାଜକୁମାରର ଭାଇକୁ ବିବାହ କଲା । ସେମାନେ ଦୁଷ୍ଟ ବାମନ ସଂଚୟ କରିଥିବା ଧନରତ୍ନ ସବୁ ସମାନ ଭାବରେ ବାଂଟିନେଲେ । ବୁଢୀ ମା’ ସେମାନଙ୍କ ସହିତ ଅନେକଦିନ ବସବାସ କଲା । ଶୁଭ୍ରା ଓ ଗୋଲାପୀ ତାଙ୍କ ବାଡିରେ ଥିବା ଗୋଲାପ ଗଛ ଦୁଇଟିକୁ ତାଙ୍କ ସାଙ୍ଗରେ ନେଇଗଲେ ଏବଂ ତାଙ୍କ ବଗିଚାରେ ଲଗାଇଲେ । ଯେତେବେଳେ ସେ ଗୋଲାପଗଛରେ ଫୁଲ ଫୁଟେ ସେମାନେ ଝରକା ପାଖରେ ଠିଆହୋଇ ସେଇ ଫୁଲଗୁଡିକୁ ଚାହାଁନ୍ତି । ପ୍ରତ୍ୟେକ ବର୍ଷ ସେଇ ଗଛ ଦୁଇଟିରେ ଧଳାଗୋଲାପ ଓ ଲାଲ୍ ଗୋଲାପ ଫୁଲ ଫୁଟେ ।