ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତୁଷାର ଶୁଭ୍ରା ଓ ସପ୍ତବାମନ

ସଂଧ୍ୟାବେଳକୁ ବାମନମାନେ ଯେତେବେଳେ ଘରକୁ ଫେରିଲେ ସେମାନେ ତୁଷାରଶୁଭ୍ରାକୁ ମରି ପଡିଥିବା ଭଳି ଦେଖିବାକୁ ପାଇଲେ । ସେମାନେ ଖୁବ୍ ଧୀର ଭାବରେ ଉଠାଇ ଦେଖିଲେ ଯେ ତୁଷାରଶୁଭ୍ରା ବେକରେ ଟାଇଟା ଜୋର୍ରେ ଭିଡାହୋଇ ବନ୍ଧା ହୋଇଥିବାରୁ ତାର ଶ୍ୱାସରୁଦ୍ଧ ହୋଇ ଯାଇଛି । ସେମାନେ ଯେମିତି ଛୁରିରେ ସେ ଟାଇଟାକୁ କାଟି ଦେଇଛନ୍ତି ତୁଷାରଶୁଭ୍ରା ପୁଣି ନିଶ୍ୱାସ ପ୍ରଶ୍ୱାସ ନେବାକୁ ଲାଗିଲା ଓ ଅଳ୍ପ ସମୟ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲା ।

ବାମନମାନେ ତାଠାରୁ ସବୁକଥା ଶୁଣି କହିଲେ ‘ସେ ଫେରିବାଲୀ ଆଉ କେହି ନୁହେଁ ନିଶ୍ଚୟ ସେ ତାର ସାବତମା’ ରାଣୀ । ସେ ତୋତେ ମାରିବା ପାଇଁ ଚେଷ୍ଟା କରୁଛି ତେଣୁ ତୁ ଟିକେ ସାବଧାନ ହୋଇ ରହ ।’

ରାଣୀ ନଅରରେ ପହଁଚି ପୁଣି ଦର୍ପଣ ପାଖରେ ଠିଆହୋଇ ପଚାରିଲା ‘ହେ ଦର୍ପଣ! କହ ଏ ସଂସାରରେ କିଏ ସବୁଠାରୁ ସୁନ୍ଦରୀ?’

ଦର୍ପଣଟି ଉତ୍ତର ଦେଲା ‘ସଂସାରରେ ତମେ ତ ସୁନ୍ଦରୀ ମାତ୍ର ତୁଷାରଶୁଭ୍ରା ତୁମଠାରୁ ବି ଆହୁରି ସୁନ୍ଦରୀ ।’ ଏକଥା ଶୁଣି ସେ ରାଣୀଙ୍କ ମନ ଫିକା ପଡିଗଲା ଓ ସେ ତୁଷାରଶୁଭା ବଂଚିଥିବାର ଜାଣିପାରିଲା । ରାଣୀ ଏଥର ସେ ତୁଷାରଶୁଭ୍ରାକୁ ପୁଣି ଜୀବନରେ ମାରି ଦେବାର ଉପାୟ ଚିନ୍ତା କଲା ଓ ଜଣେ ଗୁଣିଆ ପାଖରେ ଗୋଟିଏ ସୁନ୍ଦର ବିଷ ପାନିଆ ତିଆରି କଲା ।

ପୁଣି ରାଣୀ ନିଜକୁ ଆଉ ଜଣେ ଫେରିବାଲୀ ବେଶରେ ସଜାଇ ସାତ ବାମନଙ୍କ ଘର ନିକଟକୁ ଯାଇ କବାଟ ଠକ୍ ଠକ୍ କଲା । ତୁଷାର ଶୁଭ୍ରା ଫେରିବାଲୀକୁ ଦେଖି ତାକୁ ଘରକୁ ଆସିବାକୁ ମନାକଲା । ସେ କହିଲା ‘ତୁମେ ଏଠାରୁ ଚାଲିଯାଅ । ମୁଁ ତୁମକୁ ଆସିବା ପାଇଁ କବାଟ ଖୋଲିବି ନାହିଁ ।’

ଫେରିବାଲୀଟି କହିଲା ତୁମେ ଝରକା ବାଟେ ଦେଖ ମୁଁ କଣ ଆଣିଛି । ତୁଷାର ଶୁଭ୍ରା ଯେମିତି ସେ ସୁନ୍ଦର ପାନିଆଟି ଦେଖିଛି ସେ ଆଉ ତା ଲୋଭ ସମ୍ଭାଳି ନପାରି କବାଟ ଖୋଲି ଦେଲା । ପାନିଆର ଦର ମୂଲ କଲା ବେଳେ ସେ ଫେରିବାଲୀ କହିଲା ‘ତୁମେ ଆସ ଏ ସୁନ୍ଦର ପାନିଆରେ ତୁମର ମୁଣ୍ଡ ମୁଁ କୁଣ୍ଡେଇ ଦେବି ।’ ବିଚରା ତୁଷାରଶୁଭ୍ରା ଫେରିବାଲୀ କଥାରେ ଆଦୌ ସନ୍ଦେହ ନକରି ସେ ଫେରିବାଲୀ ପାଖକୁ ଗଲା । ଫେରିବାଲୀ ତା ମୁଣ୍ଡରେ ପାନିଆଟି ଛୁଆଁଇଛି କି ନାହିଁ ସେ ତୁଷାରଶୁଭ୍ରା ମୂର୍ଚ୍ଛାହୋଇ ତଳେ ପଡିଗଲା । ତୁଷାର ଶୁଭ୍ରା ତଳେ ପଡିଯିବାର ଦେଖି ରାଣୀ ଆନନ୍ଦରେ କହିଲା ‘ଯାହା ହେଉ ଏଥର ତୁ ପାନେ ପାଇଛୁ ।’ ଏହା କହି ସେ ଫେରିାଲୀ ସେଠାରୁ ତୁରନ୍ତ ଚାଲିଗଲା ।’

ଠିକ୍ ସଂଧ୍ୟା ବେଳକୁ ବାମନମାନେ ଘରକୁ ଫେରି ତୁଷାରଶୁଭ୍ରା ମରି ପଡିଥିବାର ଦେଖି ଏହା ତାର ସାବତମା’ ତଥା ସେ ଦୁଷ୍ଟରାଣୀର କାମ ବୋଲି ସନ୍ଦେହ କଲେ । ସେମାନେ ତୁଷାର ଶୁଭ୍ରାର ଦେହକୁ ପରୀକ୍ଷା କରୁ କରୁ ତା ମୁଣ୍ଡ ବାଳ ଭିତରେ ସେ ବିଷପାନିଆଟି ଦେଖିଲେ ଓ ଯେମିତି ସେ ପାନିଆଟି ତା ମୁଣ୍ଡରୁ କାଢି ଦେଲେ ସେମିତି ତୁଷାରଶୁଭ୍ରା ଜୀବନ ପାଇ ଉଠି ବସିଲା । ଏଥର ଆଉ କେହି ଆସିଲେ ବି ଦୁଆର ନ ଖୋଲିବାକୁ ତାକୁ ବାମନମାନେ ତାଗିଦ୍ କରିଦେଲେ ।

ରାଣୀ ନଅରରେ ପହଁଚି ପୁଣି ସେ ଦର୍ପଣ ନିକଟକୁ ଯାଇ ପଚାରିଲେ! ‘ହେ ଦର୍ପଣ! ସଂସାରରେ ସବୁଠାରୁ ସୁନ୍ଦରୀ କିଏ?’ ଆଇନାଟି ପୁଣି ଉତ୍ତର ଦେଲା ‘ତୁମେ ତ ଖୁବ୍ ସୁନ୍ଦରୀ କିନ୍ତୁ ସାତବାମନଙ୍କ ଘରେ ଥିବା ତୁଷାରଶୁଭ୍ରା ତୁମଠାରୁ ବି ଆହୁରି ସୁନ୍ଦରୀ ।

ଏକଥା ଶୁଣି ସେ ରାଣୀ ଖୁବ୍ ରାଗିଗଲା ଏବଂ ଏଥର ତୁଷାରଶୁଭ୍ରାକୁ ମାରିବାକୁ ଆଉ ଗୋଟିଏ ଉପାୟ ଚିନ୍ତାକଲା ।

ରାଜଉଦ୍ୟାନରେ ଥିବା ଗୋଟିଏ ଆପଲ୍ ଗଛରେ ପାଚିଥିବା ଏକ ଆପଲ୍ ରାଣୀ ତୋଳି ଆଣିଲା । ସେ ଆପଲ୍ର ଗୋଟିଏ ଫାଳ ଲାଲ୍ ଏବଂ ଅନ୍ୟ ଫାଳଟି ଧଳାରଙ୍ଗର ଥିଲା । ସେ ଆପଲର ଲାଲ୍ ଫାଳରେ ରାଣୀ କିଛି ବିଷ ପୂରାଇ ଦେଲା । ସେ ଫଳଟି ଏତେ ସୁନ୍ଦର ଦେଖା ଯାଉଥିଲା ଯେ ତାକୁ ଯେ ଦେଖିବ ସେ ଲୋଭରେ ତାକୁ ଖାଇବାକୁ ଇଚ୍ଛା କରିବ ।

ସେ ନିଜକୁ ଜଣେ ଫଳ ବିକାଳି ଭାବରେ ସଜେଇ ପୁଣି ଯାଇ ସେହି ସାତବାମନଙ୍କ ଘର ନିକଟରେ ପହଁଚି କବାଟ ଠକ୍ ଠକ୍ କଲା । କବାଟ ଠକ୍ ଠକ୍ ଶବ୍ଦ ଶୁଣି ତୁଷାରଶୁଭ୍ରା ଝରକା ନିକଟକୁ ଆସି ଫଳବିକାଳିକୁ ଦେଖିଲା । ଫଳ ବିକାଳି ଯେମିତି ସେ ସୁନ୍ଦର ଫଳଟି ତୁଷାରଶୁଭ୍ରାକୁ ଦେଖାଇଛି ତାକୁ ଖାଇବାକୁ ତାର ଖୁବ୍ ଲୋଭ ହେଲା ମାତ୍ର କାଳେ ଫଳରେ ବିଷ ମିଶିଥିବ ସେଥିପାଇଁ ସେ ଫଳଟିକୁ ନେବାକୁ ମନାକଲା ।

ଫଳ ବିକାଳି ବେଶରେ ଥିବା ରାଣୀ ଏହା ଜାଣି ପାରି ସେ ଫଳର ଧଳା ଫାଳଟି ଯେଉଁଫାଳରେ କି ବିଷ ନଥିଲା ସେ ଫାଳଟିକୁ ନିଜେ ଖାଇଲା ଏବଂ ବିଷମିଶିଥିବା ଲାଲ୍ ରଙ୍ଗର ଆରଫାଳଟିକୁ ତୁଷାରଶୁଭ୍ରାକୁ ଦେଲା । ତୁଷାରଶୁଭ୍ରା କିଛି ବି ସନ୍ଦେହ ନକରି ସେ ବିଷଫାଳଟିକୁ ଖାଇ ଦେବା ମାତ୍ରେ ତଳେ ପଡି ମରିଗଲା । ତା ପରେ ରାଣୀ ନଅରକୁ ଫେରି ଦର୍ପଣ ନିକଟକୁ ଯାଇ ପଚାରିଲା ‘ହେ ଦର୍ପଣ! କହ ଏ ସଂସାରରେ ସବୁଠାରୁ ସୁନ୍ଦରୀ କିଏ?’ ଦର୍ପଣଟି ଉତ୍ତର ଦେଲା, ‘ହେ ରାଣୀ! ଏ ସଂସାରରେ ଏକା ତୁମେ ହିଁ ସୁନ୍ଦରୀ’ । ଏ କଥା ଶୁଣି ରାଣୀ ନିଶ୍ଚିତ ହୋଇଗଲା ଯେ ତୁଷାରଶୁଭ୍ରା ଏଥର ମରିଯାଇଛି ତେଣୁ ତା ମନ ଆନନ୍ଦରେ ଖାଲି ନାଚି ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ