ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତୃତୀୟ ପ୍ରଶ୍ନ

                ରାଜା ହସି ହସି କହିଲେ, “ଏବେ ମୁଁ ଭାବୁଛି ଯେ ମୋ ରାଜ୍ୟରେ ଦୁଃଖ, ଅନ୍ୟାୟ ବା ଅଧର୍ମ କିଛି ହେଲେବି ନାହିଁ ।”

                ଏକଥା ଶୁଣି ନାଗବର୍ମାଙ୍କ ସମର୍ଥକମାନେ ଆନନ୍ଦରେ ତାଳି ମାରିଲେ । କିନ୍ତୁ ଜନତା ଭିତରୁ ଗୋବିନ୍ଦ ନାମକ ଏକ ଯୁବକ ଆଗକୁ ଆସି ବହୁତ ବିନୟ ପୂର୍ବକ ରାଜାଙ୍କୁ କହିଲା, “ଆପଣଙ୍କ ରାଜ୍ୟଶାସନ ବିଷୟରେ କୌଣସି ଆଲୋଚନା କରିବା ଭଳି ଜଣେ ବିଶିଷ୍ଟ ବ୍ୟକ୍ତି ମୁଁ ନୁହେଁ । ତଥାପି ଆପଣ ଯେତେବେଳେ ସୁଯୋଗ ଦେଇଛନ୍ତି ମୁଁ ଆପଣଙ୍କୁ ତିନୋଟି ପ୍ରଶ୍ନ ପଚାରିବାକୁ ଚାହେଁ ।”

                ରାଜା କହିଲେ, “ନିଶ୍ଚୟ, ନିଶ୍ଚୟ; ଏବେ କୁହ ତୁମର ପ୍ରଶ୍ନ ଗୁଡିକ କ’ଣ?”

                ଗୋବିନ୍ଦ କହିଲା, “ମହାରାଜ, କୁହାଯାଉଛି ଯେ ଦେଶବାସୀ ସମସ୍ତେ ପେଟଭରି ଖାଇବାକୁ ପାଉଛନ୍ତି । କିନ୍ତୁ ଅଧେ ଲୋକ କାହିଁକି ଭିଖ ମାଗି ଚଳୁଛନ୍ତି? କ’ଣ ଭିଖାରୀମାନଙ୍କୁ ପ୍ରଜାମାନଙ୍କ ମଧ୍ୟରେ ଗଣନା କରାଯାଉ ନାହିଁ କି?”

                ରାଜା ଏ ପ୍ରଶ୍ନ ଶୁଣି ନାଗବର୍ମାଙ୍କ ଆଡକୁ ଟିକିଏ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ପୁଣି ଗୋବିନ୍ଦକୁ କହିଲେ, “ଆଚ୍ଛା, ତୁମର ଦ୍ୱିତୀୟ ପ୍ରଶ୍ନଟି କ’ଣ?”

                ଗୋବିନ୍ଦ ନିର୍ଭୟରେ କହିଲା, “ମହାରାଜ, କୁହାଯାଉଛି ଯେ ଏ ରାଜ୍ୟର ପ୍ରଜାମାନେ ନିର୍ଭୟରେ ଓ ସ୍ୱାଧୀନ ଭାବରେ ନିଜ ନିଜ ମତ ବ୍ୟକ୍ତ କରି ପାରିବେ । ତେବେ ଶତାଧିକ ପ୍ରଜା କାହିଁକି ଆପଣଙ୍କ କାରାଗାରରେ ବନ୍ଦୀ ଜୀବନ ଯାପନ କରୁଛନ୍ତି?”

                ରାଜା କହିଲେ, “ଓ ଏପରି କଥା । ଆଚ୍ଛା ଏବେ ତୁମର ତୃତୀୟ ପ୍ରଶ୍ନଟି ପଚାର ।”

                ଏବେ ଗୋବିନ୍ଦ ହାତ ଯୋଡି କହିଲା, “ମହାରାଜ, ମୋର ଆପଣଙ୍କୁ ଗୋଟିଏ ଛୋଟିଆ ପ୍ରାର୍ଥନା ଅଛି । ଏହି ତୃତୀୟ ପ୍ରଶ୍ନ ସମ୍ଭବତଃ ମୋର ବାପା କିଛିଦିନ ପରେ ଆସି ଆପଣଙ୍କୁ ପଚାରିବେ ।”

                ଗୋବିନ୍ଦର ଏପରି ନିର୍ଭୟତାପୂର୍ଣ୍ଣ ବ୍ୟବହାରରେ ରାଜା ଅତ୍ୟନ୍ତ ମୁଗ୍ଧ ହୋଇ ତାକୁ ପାଖକୁ ଡାକିଲେ । ତା’ କାନ୍ଧରେ ହାତ ରଖି ସେ କହିଲେ, “ସାବାସ୍, ଦେଶର ଏପରି ଦୁର୍ଦ୍ଦିନରେ ତୁମପରି ଜଣେ ନିର୍ଭୀକ ଯୁବକ ମୁଁ ଚାହେଁ । ତୁମର ପ୍ରଥମ ଦୁଇ ପ୍ରଶ୍ନ ମୁଁ ବୁଝିଲି; ତା’ର ଜବାବ୍ ମୁଁ ଦେବି । କିନ୍ତୁ ତୃତୀୟ ପ୍ରଶ୍ନ ତୁମ ପିତା କରିବାକୁ ମୁଁ ସୁଯୋଗ ଦେବି ନାହିଁ ।”

                ତା’ପରେ ଅଚାନକ ରାଜା ଦେହରକ୍ଷୀମାନଙ୍କୁ ଡାକି ନାଗବର୍ମା ଓ ତାଙ୍କର ସମସ୍ତ ସମର୍ଥକଙ୍କୁ ବନ୍ଦୀ କଲେ । ଏସବୁ ଦେଖି ମନ୍ତ୍ରୀ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ।

                ନାଗବର୍ମାଙ୍କୁ କାରାଗାରରେ ରଖାଗଲା । ରାଜା ସ୍ୱୟଂ ନିଜର ମନ୍ତ୍ରୀ ଓ ଅନୁଚରଙ୍କୁ ନେଇ ଦେଶର ଭଲମନ୍ଦ ବୁଝିଲେ ଓ ପ୍ରଜାମାନେ ଶାନ୍ତିରେ ଜୀବନ ଯାପନ କଲେ ।

                କିଛିଦିନ ଉତାରୁ ଦିନେ ମନ୍ତ୍ରୀ ରାଜାଙ୍କୁ ପଚାରିଲେ, “ମହାରାଜ, ନାଗବର୍ମାଙ୍କ କୌଶଳ ଦ୍ୱାରା ଆପଣ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଗଲେ ବୋଲି ମୁଁ ଭାବିଲି । ପୁଣି ଗୋବିନ୍ଦର ପ୍ରଶ୍ନ ସବୁ ପରେ ଆପଣ କ’ଣ ଭାବି ନାଗବର୍ମାଙ୍କୁ ବନ୍ଦୀ କଲେ? ପୁଣି ଗୋବିନ୍ଦ ବାପାକୁ ତୃତୀୟ ପ୍ରଶ୍ନଟି ପଚାରିବାର ସୁଯୋଗ କାହିଁକି ବା ଦେଲେ ନାହିଁ?”

                ରାଜା ହସି ହସି କହିଲେ, “ଗୋବିନ୍ଦର ପ୍ରଶ୍ନରୁ ମୁଁ ଠିକ୍ ଜାଣି ପାରିଲି ଯେ ନାଗବର୍ମାର ଦୁଷ୍କୃତି ତା’ର ପ୍ରଜାପୀଡନ ଓ ଦେଶବାସୀଙ୍କର ଦୁର୍ଦ୍ଦଶା ମୁଁ ଦ୍ୱିତୀୟ ପ୍ରଶ୍ନରୁ ବୁଝିନେଲି । ତା’ପରେ ତୃତୀୟ ପ୍ରଶ୍ନ ତା’ର ବାପା ପଚାରିବାର ଅର୍ଥ ଏହାପରେ ତା’ର ଆଉ ବଞ୍ଚି ରହିବାର କୌଣସି ସମ୍ଭାବନା ନାହିଁ । ଅର୍ଥାତ୍ ନାଗବର୍ମା ନିଶ୍ଚୟ ତାକୁ ପ୍ରାଣରେ ମାରିଦେବ । ତେଣୁ କିଛିଦିନ ପରେ ତା’ ବାପା ପୁଅକୁ ଖୋଜି ଖୋଜି ଆସି ମୋତେ ପଚାରିବ, ‘ମୋ ପୁଅ କାହିଁ?’ ଏଇଟାହିଁ ତୃତୀୟ ପ୍ରଶ୍ନ । ତେଣୁ ମୁଁ ଏପରି ବ୍ୟବସ୍ଥା କଲି ଯେଉଁଥିରେ କି ତା’ ବାପା ଆସି ଆଉ ତୃତୀୟ ପ୍ରଶ୍ନ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ ।”

ଗୋବିନ୍ଦର ତୃତୀୟ ପ୍ରଶ୍ନର ସଙ୍କେତ ରାଜ୍ୟ ପାଇଁ ପ୍ରକୃତରେ କେତେଦୂର କଲ୍ୟାଣକର ଏକଥା ଭାବି ମନ୍ତ୍ରୀ ଅତି ଆନନ୍ଦିତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ