ନଈ କୂଳରେ ଗୋଟିଏ ବଡ ଶାଳଗଛ ଥିଲା । ଯେତେ ତୋଫାନ ହଉ ବା ନଈବଢି ଆସୁ ସେ ଗଛ ସେସବୁକୁ ମୋଟେ ଖାତିର କରେ ନାହିଁ । ସେହିପରି ଛିଡା ହୋଇ ରହିଥାଏ । ଥରେ ବହୁତ ଜୋର୍ରେ ତୋଫାନ ଓ ନଈ ବଢି ଆସିଲା । ଚେଷ୍ଟା କରି ବହୁତ ସମୟ ଧରି ସେ ଶାଳଗଛ ସେଠାରେ ଛିଡା ହୋଇ ରହିଲା । କିନ୍ତୁ ଶେଷରେ ଉପୁଡି ଯାଇ ନଈରେ ପଡିଗଲା । ନଈରେ ଭାସି ଭାସି ଯାଉଥିବାବେଳେ ନଈ କୂଳରେ ଥିବା ଛୋଟ ଛୋଟ ଘାସ ଗଛ ସବୁ ଆରାମରେ ଛିଡା ହୋଇଥିବାର ସେ ଶାଳଗଛ ଦେଖିଲା । ଘାସ ଗଛ ମାନଙ୍କୁ ସେ ଶାଳଗଛ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ମୁଁ ତ ବହୁତ ଦିନଧରି ତୋଫାନ ଓ ନଈବଢି ଆଗରେ ମୁଣ୍ଡ ଟେକି ଛିଡା ହୋଇ ରହିଲି । କିନ୍ତୁ ଏଥରକ ଏତେ ବଡ ଧରଣର ତୋଫାନ ଆସିଲା ଯେ ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ହେଲେ ତୁମେମାନେ ଏତେ ଛୋଟ ଛୋଟ ଗଛ ହୋଇ ମଧ୍ୟ କେମିତି ଛିଡା ହୋଇ ରହିଛ?” ଏହା ଶୁଣି ସେ ଘାସ ଗଛସବୁ କହିଲେ, ‘ତୁମେ ହେଲ ବଡଗଛ, ତୋଫାନ ହେଲେ ତୁମେ ତା’ ସାଙ୍ଗରେ ଲଢେଇ କର । ମାତ୍ର ଆମେ ହେଲୁ ଛୋଟ ଗଛ । ଯେତେବେଳେ ବି ତୋଫାନ ଆସେ ଆମେ ନଇଁ ପଡୁ ଏବଂ ତୋଫାନ ଚାଲିଗଲା ପରେ ପୁଣି ଛିଡା ହୋଇଯାଉ, ସେଥିପାଇଁ ତୋଫାନ ଓ ନଈ ବଢିରେ ଆମର କିଛିବି କ୍ଷତି ହୁଏ ନାହିଁ ।”
ସବଳ ଶକ୍ତି ବିରୁଦ୍ଧରେ ଛିଡା ହୋଇ ଲଢେଇ କରିବାଠାରୁ ନଇଁ ପଡି ସହି ଯିବା ହିଁ ଭଲ ।