ବାୟୁଦେବ ହସିଲେ ଏବଂ କହିଲେ; “ହେ ବିକ୍ରମାଦିତ୍ୟ! ତୁମେ କେଡେ ଅପରିଣାମଦର୍ଶୀ ଏବଂ ଭାବୁକ ପ୍ରକୃତିର? ଏ ସମଗ୍ର ସୃଷ୍ଟିର କୋଣ ଅନୁକୋଣରେ ମୋର ଉପସ୍ଥିତି । ଯେଉଁଠି ଜୀବନ ସେଇଠି ମୁଁ । ମୋ ବିନା ଜୀବନ ବ୍ୟର୍ଥ । ଅଥଚ ତମେ ଯଦି ମୋର ସଶରୀର ଉପସ୍ଥିତି ଚାହୁଁଛ, ତେବେ ମୋ କଥା ମାନି ଏପ୍ରକାର ନିଷ୍ପତି ତ୍ୟାଗକର । କାରଣ:
“ଯେ କୌଣସି ସ୍ଥାନରେ ମୋର ସଶରୀର ଉପସ୍ଥିତି ଅର୍ଥ ଭୟଙ୍କର ବିପଦକୁ ହାତ ଠାରି ଡାକିବା । ପ୍ରବଳ ଝଡ ତୋଫାନ ମାଡି ଆସିବ । ଘରଦ୍ୱାର, ଫସଲ ଉଜୁଡି ଯିବ । ଗଛଲତା ଧ୍ୱସ୍ତବିଧ୍ୱସ୍ତ ହୋଇଯିବ । ବଗିଚା ଧ୍ୱଂସ ହୋଇଯିବ । ତୁମେ କ’ଣ ଏସବୁ ନିଜ ଆଖିରେ ଦେଖିବାକୁ ଚାହୁଁଛ?”
ବିକ୍ରମାଦିତ୍ୟ ଯୋଡହସ୍ତ ହୋଇ କହିଲେ, “ନା ଦେବ । ମୁଁ ଧ୍ୱଂସ ଚାହେଁନା । ମୁଁ ଚାହେଁ ରାଜ୍ୟ ଏବଂ ପ୍ରଜାମାନଙ୍କର ମଙ୍ଗଳ ।”
ବାୟୁଦେବ କହିଲେ, “ତେବେ ରାଜ୍ୟକୁ ଫେରି ଯାଅ ରାଜା । ମୋର ଆଶୀର୍ବାଦ ତମ ଉପରେ ରହିଛି ଏବଂ ସର୍ବଦା ରହିଥିବ । ତୁମ ରାଜ୍ୟରେ କେବେ ଦୁର୍ଭିକ୍ଷ, ଅନାବୃଷ୍ଟି/ ଅତିବୃଷ୍ଟି ହେବ ନାହିଁ । ଭଲ ଫସଲ ଉପୁଜାଇ ରାଜ୍ୟବାସୀ ସୁଖରେ ରହି ପାରିବେ । ମୁଁ ତମକୁ ଗୋଟିଏ କାମଧେନୁ ଗାଈ ଉପହାର ଦେଉଛି । ତା’ ମାଧ୍ୟମରେ ତମ ରାଜ୍ୟରେ ଦୁଧ ଦହିର ବନ୍ୟା ଛୁଟିବ ।”
ସଙ୍ଗେ ସଙ୍ଗେ ଗୋଟିଏ ଗାଈ ଆସି ମହାରାଜ ବିକ୍ରମାଦିତ୍ୟଙ୍କ ପାଖରେ ଠିଆ ହେଲା । ସେ ତାକୁ ସ୍ନେହରେ ଥାପୁଡେଇ ଦେଲେ । ତା’ପରେ ବେତାଳଙ୍କ ସାହାଯ୍ୟରେ ନିଜ ରାଜ୍ୟରେ ପହଁଚିଲେ ।
ଅନ୍ୟ ପକ୍ଷରେ ସାଧୁ ଜଣକ ସାଗର ଦେବତାଙ୍କୁ ପ୍ରାର୍ଥନା କରି ତାଙ୍କୁ ମହାରାଜାଙ୍କ ମହାମେଳନରେ ଯୋଗ ଦେବା ପାଇଁ ଅନୁରୋଧ କଲେ ।
ସାଗର ଦେବତା କହିଲେ, “ମୁଁ ଜାଣେ ବିକ୍ରମାଦିତ୍ୟଙ୍କ ଭଳି ମହାଦାନୀ, ଜ୍ଞାନୀ, ପ୍ରଜାପାଳକ, ପରୋପକାରୀ କେହି ନାହାଁନ୍ତି । କିନ୍ତୁ ମୁଁ ତାଙ୍କ ମେଳନରେ ଯୋଗଦେଇ ପାରିବି ନାହିଁ । କାରଣ ମୁଁ ସେଠାକୁ ଗଲେ ମୋ ସହିତ ସମସ୍ତ ଜଳ ପ୍ରବାହିତ ଦେବ । ବିଲବାଡି, ଗାଁ, ସହର ସବୁ ଜଳମଗ୍ନ ହୋଇଯିବ । ସବୁ ଧ୍ୱଂସ ହୋଇଯିବ । ମରୁଡି, ମହାମାରୀ ଗ୍ରାସ କରିବ । ବିକ୍ରମାଦିତ୍ୟଙ୍କ ମନ ରଖିବା ପାଇଁ ମୁଁ ସେଠାକୁ ଯାଇ ଅନ୍ୟମାନଙ୍କର ଅନିଷ୍ଟ କରିବାକୁ ଚାହେଁ ନାହିଁ ।
ମୋ ତରଫରୁ ତମେ ମହାରାଜ ବିକ୍ରମାଦିତ୍ୟଙ୍କୁ କହିବ, ମୁଁ ତାଙ୍କ ସହିତ ରହିଛି । ମେଳନରେ ବ୍ୟବହୃତ ପ୍ରତିଟି ଜଳବିନ୍ଦୁରେ ମୋର ସତା ରହିଛି । ଏତକ କହି ସାଗର ଦେବତା ସାଧୁଙ୍କୁ ପାଂଚଟି ମହାମୂଲ୍ୟ ରତ୍ନ ଏବଂ ଗୋଟିଏ ସମୁଦ୍ର ଘୋଡା ବିକ୍ରମାଦିତ୍ୟଙ୍କ ଉଦ୍ଧେଶ୍ୟରେ ପ୍ରଦାନ କଲେ ।”
ସାଧୁ ଜଣକ ସାଗର ଦେବତାଙ୍କୁ ପ୍ରଣାମ କରି ରତ୍ନ ସହିତ ଘୋଡାକୁ ନେଇ ସେଠାରୁ ପ୍ରସ୍ଥାନ କଲେ ।
ସମୁଦ୍ର ଘୋଡା ଏବଂ ରତ୍ନପାଇ ମହାରାଜ ବିକ୍ରମାଦିତ୍ୟ ବେଶ୍ ଆନନ୍ଦିତ ହେଲେ । ମାତ୍ର କିଛି ସମୟ ପରେ କ’ଣ ଭାବିଲେ, କେଜାଣି ସେଇ ରତ୍ନ ଏବଂ ଘୋଡାକୁ ସାଧୁଙ୍କୁ ଦାନ ଦେଇ କହିଲେ, “ଆପଣ ବହୁ କଷ୍ଟ ସ୍ୱୀକାର କରି ସାଗର ଦେବତାଙ୍କୁ ସନ୍ତୁଷ୍ଟ କରି ଏ ସମସ୍ତ ଦ୍ରବ୍ୟ ଆଣିଛନ୍ତି, ଯେତେବେଳେ ଏସବୁ ଆପଣଙ୍କର ପ୍ରାପ୍ୟ । ଏଣୁ ଆପଣ ମୋର ଦାନ ଗ୍ରହଣ କରି ମୋତେ କୃତାର୍ଥ କରନ୍ତୁ ।”
ସାଧୁ ମହାରାଜାଙ୍କ ଠାରୁ ଦାନ ଗ୍ରହଣ କରି ନିଜ ରାସ୍ତାରେ ଚାଲିଗଲେ । ମହାରାଜ ମହାମେଳନର ସଫଳ ଆୟୋଜନ କରି ରାଜ୍ୟ ଏବଂ ପ୍ରଜାମାନଙ୍କର ମଙ୍ଗଳ ସାଧନ କଲେ ।
ତ୍ରିଲୋଚନାଠାରୁ ଏ ସମସ୍ତ ଶୁଣି ଭୋଜରାଜ ବେଶ୍ ଚିନ୍ତାରେ ପଡିଗଲେ । ସ୍ଥିର କରି ପାରିଲେ ନାହିଁ, ସେ ମହାରାଜା ବିକ୍ରମାଦିତ୍ୟଙ୍କ ସହିତ କେତେଦୂର ସମକକ୍ଷ ।