ଆନନ୍ଦପୁରରେ କାନ୍ତିବର୍ମା ନାମକ ଜଣେ ମଧ୍ୟବିତ୍ତ ବ୍ୟକ୍ତି ରହୁଥିଲେ । ତାଙ୍କର ସନ୍ତାନ ସନ୍ତତି କେହି ନଥିବାରୁ ସେ ସର୍ବଦା ବିଷାଦଗ୍ରସ୍ତ ହୋଇ ରହୁଥାନ୍ତି । ଥରେ ସେହି ଗ୍ରାମକୁ ଜଣେ ସାଧୁ ଆସିଲେ ସେ ସର୍ବଦା ଭ୍ରମଣ କରୁଥା’ନ୍ତି । ନିୟମ ଅନୁସାରେ କୌଣସି ସ୍ଥାନରେ ତିନିଦିନରୁ ଅଧିକ ରହିବା କଥା ନୁହେଁ । ତାଙ୍କ ପାଖରୁ ପ୍ରସାଦ ଖାଇବା ପାଇଁ ଲୋକେ ଭିଡ କରୁଥା’ନ୍ତି । କାରଣ ତାଙ୍କର ଦିବ୍ୟଶକ୍ତି ଉପରେ ଲୋକଙ୍କର ଯଥେଷ୍ଟ ବିଶ୍ୱାସ ଥିଲା ।
କାନ୍ତିବର୍ମା ସେହି ସାଧୁଙ୍କୁ ଯାଇ ଦେଖାକଲେ । ନିଜର ସନ୍ତାନ ନହେବା କଥା ତାଙ୍କ ନିକଟରେ ସେ କହି ତାହାର ପ୍ରତିକାର ନିବେଦନ କଲେ । ସେତେବେଳେ ତାଙ୍କ ନିକଟରେ ଗୋଟିଏ ପାତ୍ରରେ କିଛି ଦୁଧ ଥିଲା । ସେଥିରୁ ଅଳ୍ପ ସେ ଗିନାଟିରେ ଢାଳି କାନ୍ତିବର୍ମାଙ୍କୁ ଦେଇ କହିଲେ, “ନିଅ ଏତକ ତୁମ ପତ୍ନୀଙ୍କୁ ପିଆଇ ଦେବ । ତାହେଲେ ଯାଇ ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।”
କାନ୍ତିବର୍ମା ସେତକ ନେଇ ଅତି ଆନନ୍ଦରେ ଯାଇ ପତ୍ନୀଙ୍କ ପାଖରେ ପହଁଚି ତାକୁ କହିଲା, “ନିଅ ଏଥିରୁ ଢୋକେ ପିଇଦିଅ ତ ।” କାନ୍ତିବର୍ମାର ସ୍ତ୍ରୀ କାଂଚନ ସେତକ ନେଇ ତା’ ପୂଜା ଘରେ ଠାକୁରଙ୍କୁ ଅର୍ପଣ କରି ଦୁଇଢୋକରେ ସେତକ ପିଇଦେଲା ।
କାଂଚନର ପେଟରେ ତା’ପିଲା ରହିଲା । ଠିକ୍ ସମୟରେ ଯାଆଁଳା ଝିଅ ଦୁଇଟି ଜନ୍ମ ହେଲେ ବର୍ଷକର ହୋଇଯିବା ପରେ, ସେମାନେ ଚାଲି ଶିଖିଲେ । ସେତେବେଳେ ଜଣା ପଡିଲା ଯେ ସେମାନଙ୍କର ଗୋଟିଏ ଲେଖା ଗୋଡ ଦୁର୍ବଳ, ତେଣୁ ସେମାନଙ୍କୁ ଚାଲିବାରେ ଭୀଷଣ କଷ୍ଠ ହେଉଛି ଅନେକ ଚେଷ୍ଟା, ଚିକିତ୍ସା କରି ମଧ୍ୟ ଫଳ କିଛି ହେଲା ନାହିଁ ।
କାନ୍ତିବର୍ମା ସେମାନଙ୍କ ଚିକିତ୍ସା ପାଇଁ ଟଙ୍କା ପାଣି ପରି ଖର୍ଚ୍ଚ କଲା । ଛୁଆଟି ମାନ ଦେଖିବାକୁ ବଡ ସୁନ୍ଦର ଓ କୌତୁକିଆ ହୋଇଥାନ୍ତି ହେଲେ, ପାଦ ଏପରି । ଲୋକଙ୍କର ନଜରର ଅନ୍ତରାଳରେ ସେମାନଙ୍କୁ ରଖା ହୋଇଥିଲା । ଯଦି ସେମାନେ ପୁଅପିଲା ହୋଇଥାନ୍ତେ ତେବେ ଏତେ ଚିନ୍ତା କରିବାର କିଛି ବି ନଥିଲା । କିନ୍ତୁ ବିଚାରୀ ଝିଅପିଲା ତ? ତଥାପି ମଧ୍ୟ କାନ୍ତିବର୍ମା ତାଙ୍କ ଝିଅମାନଙ୍କର ଭଲ ଭାବରେ ଯତ୍ନ ନେଉଥା’ନ୍ତି ।
ବାରବର୍ଷ ପରେ ସେହି ସାଧୁ ପୁଣି ସେହି ଗାଁକୁ ଆସିଲେ । କାନ୍ତିବର୍ମା ସେହି ସାଧୁଙ୍କ ଦର୍ଶନ କରି କହିଲେ, “ସାଧୁବାବା, ଆପଣଙ୍କ କୃପାରୁ ମୋର ଦୁଇଟି ଝିଅ ହୋଇଛନ୍ତି । କିନ୍ତୁ ସେମାନଙ୍କ ଭବିଷ୍ୟତ କଥା ଭାବି ମୋତେ ଭାରି ଭୟ ଲାଗୁଛି । କାରଣ ସେମାନେ ଭଲ କରି ଚାଲି ପାରୁ ନାହାଁନ୍ତି । ଆପଣ ଯଦି ଟିକେ କୃପା କରନ୍ତେ ତେବେ ସେମାନଙ୍କର ଏହି କଷ୍ଟ ଅବିଳମ୍ବେ ଦୂର ହୋଇଯାଇ ପାରନ୍ତା ।”
ତା’ର ଏଭଳି କଥା ଶୁଣି ସାଧୁ କିଛି ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଚିନ୍ତା କଲେ । ତା’ପରେ ସେ କହିଲେ, “ମୁଁ ଯେପରି ଖାଇବାକୁ କହିଥିଲି ତୁମ ସ୍ତ୍ରୀ ସେପରି ଖାଇ ନାହାଁନ୍ତି । କେବଳ ସେଇଥିପାଇଁ ଆଜି ଏହି ସମସ୍ୟା ସୃଷ୍ଟି ହୋଇଛି । ମୋ ପାଖରେ ଏହି କଦଳୀ ବ୍ୟତୀତ ଅନ୍ୟ କିଛି ନାହିଁ ।” ଏତିକି କହି ସେ କଦଳୀଟି ଛଡାଇ ନିଜେ ଖଣ୍ଡେ ଖାଇଲେ ଓ ଅନ୍ୟଖଣ୍ଡଟି କାନ୍ତିବର୍ମାଙ୍କୁ ଦେଇ ସାଧୁ କହିଲେ, “ଏଖଣ୍ଡ ତୁମର ଯେପରି ଇଚ୍ଛା ଯାହାକୁ ହେଲେ ଜଣକୁ ଦେଇ ଦିଅ ।” ଆଉ କିଛି କହିବାକୁ ନଦେଇ ସାଧୁ ତାଙ୍କୁ ଘରକୁ ପଠାଇ ଦେଲେ ।