ମାନ୍ୟାଙ୍କୁ ସେତେବେଳକୁ ମାତ୍ର ଚାରିବର୍ଷ ବୟସ । ସେ ପିଲାଟି ଦିନରୁ ଭାରି ଚାଲାକ ଚତୁର ଥିଲେ । ଥରେ ସେ ଯାହା ବି କିଛି ଶୁଣୁଥିଲେ ତାହା ତାଙ୍କର ମନେ ରହିଯାଉଥିଲା । ମାନ୍ୟାଙ୍କର ପିଲାଟି ଦିନରୁ ରୋମାଂଚକର କାହାଣୀ ଓ ବିଜ୍ଞାନ ପୁସ୍ତକ ପଢିବାରେ ବେଶ୍ ରୁଚିଥିଲା ।
ପିତାଙ୍କର ଚାକିରି ଚାଲିଯିବା ପରେ ଘରଲୋକଙ୍କୁ ଆଉ ଦି’ଓଳି ମୁଠାଏ ବି ଖାଇବାକୁ ମିଳିଲା ନାହିଁ । କଥାରେ ଅଛି ବିପଦ ଆସିଲେ ସେ ତା’ର ବନ୍ଧୁବାନ୍ଧବ, ସାଥୀମାନଙ୍କୁ ନେଇକରି ଆସେ । ଠିକ୍ ସେହି ସମୟରେ ମା’ ଅଚାନକ ରୋଗରେ ପଡିଲେ । ଅର୍ଥାଭାବରୁ ତାଙ୍କର ଚିକିତ୍ସା ଠିକ୍ ଭାବରେ ହୋଇ ପାରିଲା ନାହିଁ । ଶେଷରେ ସେ ମୃତ୍ୟୁବରଣ କଲେ । ତଥାପି ପାଂଚଜଣ ପିଲାଙ୍କର କିଭଳି କିଛି ଅସୁବିଧା ନହେବ ପିତା ଧ୍ୟାନ ଦେଇ ଚାଲିଥାନ୍ତି ।
‘ମାନ୍ୟା’ ମନ ଦେଇ ପାଠପଢୁଥାନ୍ତି । ସେ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣପଦକ ଲାଭ କଲେ । ସମସ୍ତେ ଚାହୁଁଥିଲେ ‘ମାନ୍ୟା’ ଡାକ୍ତରୀ ପାଠପଢି ଡାକ୍ତର ହୁଅନ୍ତୁ । ମାତ୍ର ତାଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତା ଏଥିପାଇଁ ପ୍ରତିବନ୍ଧକ ସାଜିଲା । ଏଣେ ବଡ ଭଉଣୀ ‘ବୋନ୍ୟା’ ପ୍ୟାରିସ୍ ଯାଇ ଡାକ୍ତରୀ ପଢିବା ପାଇଁ ଚାହୁଁଥିଲେ । ଏହା ଜାଣିପାରି ମାନ୍ୟା ତାଙ୍କ ବଡଭଉଣୀ ପାଇଁ ତ୍ୟାଗ ସ୍ୱୀକାର କଲେ । ନିଜର ପାଠପଢା ବନ୍ଦ କରି ସେ ତାଙ୍କ ବଡ ଭଉଣୀର ପାଠପଢା ଲାଗି ସାହାଯ୍ୟ କଲେ ।
ମାନ୍ୟା ଏଥର ଜଣେ ଭଦ୍ରଲୋକଙ୍କ ଘରେ ଚାକରାଣୀ ଭାବରେ କାର୍ଯ୍ୟ କରି ବଡ ଭଉଣୀର ପାଠପଢା ସମେତ ଘରଖର୍ଚ୍ଚ ବି ଚଳାଇଲେ । ମାଲିକାଣୀ ଉତ୍ତମ ସ୍ୱଭାବର ନଥିଲେ । ସବୁବେଳେ ସେ ଖାଲି ବିରକ୍ତିଭାବ ପ୍ରକାଶ କରୁଥିଲେ ଓ ଅହରହ ମାନ୍ୟାକୁ ଖଟାଉଥିଲେ । ତଥାପି ମଧ୍ୟ ସେ ମାନ୍ୟାଙ୍କ ମନରେ ତିଳେମାତ୍ର ବି ଦୁଃଖ ନଥିଲା । ସେଠାରେ ଛଅବର୍ଷଧରି ଏହିଭଳି ବିତିଯାଇଥିଲା । ତେଣେ ବଡ ଭଉଣୀଙ୍କର ଡାକ୍ତରୀପାଠ ପଢା ବି ଶେଷ ହୋଇଗଲା ।
ଏଥର ବଡ ଭଉଣୀ ବୋନ୍ୟା ଡାକ୍ତରୀ ଚାକିରି କଲାପରେ ପରିବାର କଥା ସେ ବୁଝିଲେ । ମାନ୍ୟାଙ୍କୁ ପାଖରେ ରଖାଇ ପଢାଇବା ପାଇଁ ସେ ଚାହିଁଲେ । ହେଲେ ମାନ୍ୟା ଏଥିରେ ରାଜି ହେଲେ ନାହିଁ, କାହିଁକିନା ସେ କାହା ଉପରେ ବି ବୋଝ ହେବାପାଇଁ ଚାହୁଁ ନଥିଲେ । ସେ ଏବେ ଡାକ୍ତରୀ ପାଠ ପଢିଲେ । ଗୋଟିଏ ଛୋଟ କୋଠରି ଭଡା ନେଇ ସେ ରହିଲେ । ତା’ପରେ ସେ ସେହି କଲେଜରେ ଛୋଟ ଚାକିରିଟିଏ ବି କଲେ । ବେଳେ ବେଳେ ଚା’ ରୁଟି ଖାଇ ଦିନ କଟାଇବାକୁ ତାଙ୍କୁ ପଡୁଥିଲା । ଥଣ୍ଡା ରାତିରେ କୋଠରି ଗରମ କରିବା ପାଇଁ ହେଉଥିବା ଖର୍ଚ୍ଚକୁ ବଂଚାଇ ସେଥିରେ ସେ ବହିପତ୍ର କିଣୁଥିଲେ । ସବୁବେଳେ ଖାଲି ଲେଖାପଢାରେ ହିଁ ତାଙ୍କର ସମୟ ଅତିବାହିତ ହେଉଥିଲା ।
ତା’ପରେ ‘ମାନ୍ୟା’ ବିଜ୍ଞାନ ପାଠପଢି ସେଥିରେ ପ୍ରଥମସ୍ଥାନ ଅଧିକାର କଲେ । ସେତେବେଳେ ଯାଇ ତାଙ୍କର ନାମ ‘ମାନ୍ୟା’ରୁ ‘ମେରୀ’ ହେଲା । ତା’ପରେ ସେ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଆରମ୍ଭ କରିଦେଲେ । ତାଙ୍କ ସାଥୀରେ ଯୋଗଦେଲେ ପେରିକ୍ୟୁରି । ପେରିଙ୍କର ମଧ୍ୟ ବୈଜ୍ଞାନିକ ଗବେଷଣାରେ ରୁଚିଥିଲା । ଦୁହେଁ ମିଶି ଗବେଷଣାରେ ଏଭଳି ହଜିଗଲେ ଯେ, ତାଙ୍କୁ ଦିନରାତି କିଛି ବି ଅଂଟିଲା ନାହିଁ । ପରେ ସେମାନେ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ ବି କଲେ ।
ତା’ପରେ ସେ ଦୁହିଁଙ୍କର ଦୀର୍ଘ ବର୍ଷର ନିରବଚ୍ଛିନ୍ନ ଗବେଷଣା ଫଳରେ ‘ରେଡିୟମ’ ଆବିଷ୍କାର ହେଲା । ଏଣିକି ସେମାନେ ରେଡିୟମ୍ ଉପରେ ନୂଆ ନୂଆ ଗବେଷଣା ବି ଚଳାଇଲେ ଓ ତାହା ସେମାନଙ୍କୁ ଅନେକ ସଫଳତା ଆଣି ଦେଲା । ପରିଶେଷରେ ସେ ଦୁହେଁ ମିଳିତଭାବରେ ୧୯୦୩ ମସିହାରେ ପଦାର୍ଥବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଲେ । ତା’ପରେ ସାରା ବିଶ୍ୱରେ ତାଙ୍କ ନାଆଁ ଖୁବ୍ ଖ୍ୟାତ ହୋଇଗଲା ।
ମେରି- କ୍ୟୁରୀଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ । ମାତ୍ର ଏହା ବେଶୀଦିନ ଯାଏଁ ନଥିଲା । ହଠାତ୍ ଦିନେ ଆକସ୍ମିକ ଭାବରେ ଏକ ସଡକ ଦୁର୍ଘଟଣାରେ ପେରିଙ୍କର ଦେହାନ୍ତ ଘଟିଲା । ଏହି ଦାରୁଣ ଆଘାତ ଯୋଗୁଁ ମେରୀଙ୍କର କିଛି ଦିନ କାମରେ ଆଉ ମନ ଲାଗିଲା ନାହିଁ । ତଥାପି ତାଙ୍କର ଗଭୀର ନିଷ୍ଠା ତାଙ୍କୁ ଚୁପ୍ ରଖାଇ ଦେଲାନାହିଁ । ସେ ପୁଣି ରାତିଦିନ କାମରେ ଲାଗିଗଲେ । ଏଥର ‘ରେଡିୟମ’ର ଗୁଣ ଖୋଜିବାରେ ସେ ଲାଗିଗଲେ ଓ ସଫଳତା ହାସଲ କଲେ ମଧ୍ୟ ଏହି କାର୍ଯ୍ୟ ଲାଗି ତାଙ୍କୁ ଆଉଥରେ ବି ନୋବେଲ ପୁରସ୍କାର ମିଳିଲା ।
ରେଡିୟମ୍ ଏକ ମୂଲ୍ୟବାନ ଧାତୁଥିଲା । ଆଜି ଲକ୍ଷ ଲକ୍ଷ ରୋଗୀଙ୍କର ଚିକିତ୍ସା ଏହି ରେଡିୟମ ଦ୍ୱାରା ହିଁ ହେଉଛି । ମାତ୍ର ସେହି ତେଜଷ୍କ୍ରିୟ ରେଡିୟମକୁ ନେଇ ବାରମ୍ବାର ଗବେଷଣା କରିବା ଦ୍ୱାରା ଏହା ମେରୀଙ୍କର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାଜିଲା । ଶେଷରେ ତାଙ୍କର ପ୍ରାଣ ଏହି ରେଡିୟମ୍ ହିଁ ନେଇଗଲା । ଆଜି ବିଶ୍ୱର ଅଗଣିତ ନିପୀଡିତାଙ୍କ ଦୁଃଖ ଯନ୍ତ୍ରଣା ମେଂଟାଇବାକୁ ଯାଇ ପେରୀ ନିଜର ଜୀବନକୁ ଯେପରି ଉତ୍ସର୍ଗ କରି ଦେଇଗଲେ, ତାହା ଅନ୍ୟତ୍ର ବିରଳ ।