ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତ୍ୟାଗ ଓ ଭୋଗ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ, ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ସେଠାରୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍! ମନୁଷ୍ୟଙ୍କ ମଧ୍ୟରେ ଅନେକ ଦୁଷ୍ଟ, କପଟୀ, ଶଠ ପ୍ରକୃତିର ଲୋକ ଅଛନ୍ତି । ବିବେକୀ ମନୁଷ୍ୟ ଅସୁବିଧାରେ ପଡି ବା କୌଣସି କାର୍ଯ୍ୟ ହାସଲ ପାଇଁ ସେମାନଙ୍କ ସାହାଯ୍ୟ ଲୋଡିବା ପାଇଁ ଚାହିଁଲେ, ଖୁବ୍ ସତର୍କତା ଅବଲମ୍ବନ କରିବା ଉଚିତ୍ । ଅନ୍ୟଥା ସେମାନଙ୍କର ବାକ୍ଚାତୁର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ, ପୁରୁଷ ହେଉ ବା ସ୍ତ୍ରୀ ନିଜର ସର୍ବନାଶ କରି ବସିବା କିଛି ଅସମ୍ଭବ କଥା ନୁହେଁ । ଶ୍ମଶାନର ଏହି ଘୋର ଅନ୍ଧକାର ରାତ୍ରିରେ ତୁମେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛ । ତେଣୁ ଏପରି ଖଳବୁଦ୍ଧିସମ୍ପନ୍ନ ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ତୁମକୁ ସତର୍କ କରିବା ପାଇଁ ମୁଁ ମୋର ଏକ ପରମ କର୍ତ୍ତବ୍ୟ ମନେ କରୁଛି । ରାଜକୁମାରୀ ମୃଣାଳିନୀ ଓ ଶଠ ଗନ୍ଧର୍ବ କାହାଣୀ ଏବେ ଶୁଣାଉଛି । ତାହା ଶୁଣିଲେ ତୁମ ପଥକ୍ଳାନ୍ତି ଦୂର ହେବ ।”

                ଏକଦା ମଣିକଣ୍ଠ ନାମକ ଜଣେ ଗନ୍ଧର୍ବଙ୍କ ମନରେ ଭୂ-ଲୋକଭ୍ରମଣର ବାସନା ଜାଗିଲା । ଏକ ପୂର୍ଣ୍ଣମୀ ରଜନୀରେ ସେ ଆକାଶ ମାର୍ଗରୁ ଭୂ–ଲୋକରେ ଆସି ଅବତରଣ କଲେ । ଏହି ସମୟରେ ବିଦେହ ରାଜକୁମାରୀ ମୃଣାଳିନୀ, ନିଜର ସହଚରୀମାନଙ୍କ ସହିତ ଉଦ୍ୟାନରେ ବିଚରଣ କରୁଥିଲେ । ରାଜକୁମାରୀଙ୍କ ସୌନ୍ଦର୍ଯ୍ୟ ସେ ଗନ୍ଧର୍ବଙ୍କୁ ଅତ୍ୟନ୍ତ ବିମୋହିତ କଲା ।

ନିଜକୁ ନିୟନ୍ତ୍ରିତ କରି ନ ପାରି ସେ ରାଜକୁମାରୀଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲେ, “ହେ ସୁନ୍ଦରୀ, ତୁମର ପରିଚୟ?”

ତାଙ୍କ କଥାରେ ମୃଣାଳିନୀ ବିସ୍ମିତ ହୋଇ କହିଲେ, “ମୁଁ ବିଦେହ ରାଜକୁମାରୀ ମୃଣାଳିନୀ । ଏହି ଉଦ୍ୟାନରେ ଅନ୍ୟ କାହାରି ପ୍ରବେଶ ଅସମ୍ଭବ ସ୍ଥଳେ, ତୁମେ ଏଠାକୁ କିପରି ଆସିଲ?”

ଉତ୍ତର ଆସିଲା – “ମୁଁ ଜଣେ ଗନ୍ଧର୍ବ । ମୋର ନାମ ମଣିକଣ୍ଠ । ଆକାଶ ମାର୍ଗରେ ବିହାର କରୁଥିବା ସମୟରେ, ତୁମର ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ ହୋଇ ଏଠାରେ ମୁଁ ଅବତରଣ କରିଛି ।”

ରାଜକୁମାରୀ ଏହା ଶୁଣି ଭୀତତ୍ରସ୍ତା ହୋଇ କହିଲେ, “ଆପଣ ଏଠାରୁ ତୁରନ୍ତ ଅପସରି ଯାଆନ୍ତୁ । ନଚେତ୍ ସିପାହୀଙ୍କ ଦୃଷ୍ଟିରେ ପଡିଲେ ସେମାନେ ଆପଣଙ୍କୁ ବନ୍ଦୀ କରିଦେବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ