“ମୁଁ ଗନ୍ଧର୍ବ ଅଟେ । ମୋର ଅନେକ ଅଦ୍ଭୁତ ଶକ୍ତି ରହିଛି । ତୁମେ ଏହା ଜାଣନାହିଁ । ତେଣୁ ବିବ୍ରତ ହେଉଛ । ଏପରି କହି ମଣିକଣ୍ଠ ଶୂନ୍ୟରେ ନିଜର ଦୁଇହାତ ବୁଲାଇଲେ ।”
ପର ମୁହୂର୍ତ୍ତରେ ସଖୀବୃନ୍ଦ ଓ ସିପାହୀମାନେ ଅଚେତ୍ ହୋଇ ପଡିଗଲେ । ରାଜକୁମାରୀ ସ୍ମିତହସି କହିଲେ, “ବାଃ ସତରେ ଖୁବ୍ ଅଦ୍ଭୁତ!”
ରାଜକୁମାରୀଙ୍କ ପ୍ରଶଂସାରେ ଆନନ୍ଦିତ ହୋଇ ମଣିକଣ୍ଠ କହିଲେ, “ସୁନ୍ଦରୀ, ମୋର ଏହି ଆକସ୍ମିକ ଅଭିପ୍ରାୟ ପ୍ରକାଶରେ ତୁମେ ଆଉ କ୍ଷୁବ୍ଧ ହେବନାହିଁ ତ? ମୁଁ ତୁମକୁ ବିବାହ କରିବାକୁ ଇଚ୍ଛା କରୁଛି । ଏହି ଆନ୍ତରିକ କାମନା ପ୍ରକାଶ ନ କରି ମୁଁ ଆଉ ରହିପାରିଲି ନାହିଁ ।”
ମୃଣାଳିନୀ, ମଣିକଣ୍ଠଙ୍କୁ ନିରେଖି ଚାହିଁଲେ । ଶିର ଅବନତ କରି ସେ କହିଲେ, “ମୋର ପିତାଶ୍ରୀ ମଧ୍ୟ ଦୀର୍ଘକାଳରୁ ମୋର ବିବାହ ପାଇଁ ଉଦ୍ୟମ କରିଆସୁଛନ୍ତି । କିନ୍ତୁ ଏ ଯାବତ୍ କେହି ଯୋଗ୍ୟ ବର ଉପଲବ୍ଧ ହୋଇନାହାଁନ୍ତି । ଏବେ ଆପଣଙ୍କୁ ମୁଁ ମୋର ପତି ରୂପେ ମନୋନୟନ କରୁଛି । କିନ୍ତୁ ବିବାହ ପୂର୍ବରୁ ଆପଣଙ୍କୁ ଏକ କଠିନତମ କାର୍ଯ୍ୟ ସାଧନ କରିବା ପାଇଁ ପଡିବ ।”
ମଣିକଣ୍ଠ ଉତ୍ସୁକ ହୋଇ ପଚାରିଲେ, “କେଉଁ କାର୍ଯ୍ୟ?” “ବୀର ସେନ, ଆମ ପଡୋଶୀ ଦେଶର ଶାସକ । ସେ ମୋତେ ବିବାହ କରିବା ପାଇଁ ଲାଳାୟିତ । କିନ୍ତୁ ମୋର ହୃଦୟରେ ତାଙ୍କ ପାଇଁ ଟିକିଏ ହେଲେ ବି ସ୍ଥାନ ନାହିଁ । ଯେହେତୁ ସେ ଆମଠାରୁ ଢେର୍ ବଳଶାଳୀ, ସେ ଯୁଦ୍ଧ ଦ୍ୱାରା ହେଉପଛେ, ମତେ ହାସଲ କରିବା ପାଇଁ ଚେଷ୍ଟା କରିବେ । ତେଣୁ ଆପଣ ଯଦି ତାଙ୍କୁ ପରାସ୍ତ କରିପାରିବେ, ମୁଁ ନିଷ୍କପଟ ହୃଦୟରେ ଆପଣଙ୍କୁ ବିବାହ କରିବା ପାଇଁ ସମ୍ମତ ହେବି ।”
“ଏହା ତ ମୋର ବାମହାତର ଖେଳ । ମୁଁ ଏବେ ନିଜ ଲୋକକୁ ପ୍ରତ୍ୟାବର୍ତ୍ତନ କରି ରାଜା ଚିତ୍ରବର୍ଣ୍ଣଙ୍କ ସହ ପରାମର୍ଶ କରି ଫେରି ଆସୁଛି ।” ଏପରି କହି ମଣିକଣ୍ଠ ଅଦୃଶ୍ୟ ହୋଇଗଲେ ।
ମଣିକଣ୍ଠ ଭୂ–ଲୋକର ଏକ କନ୍ୟାକୁ ବିବାହ କରିବା ପାଇଁ ଇଚ୍ଛୁକ, ଏହି ସମ୍ବାଦ ଚିତ୍ରବର୍ଣ୍ଣଙ୍କ ମନରେ ଭୟଙ୍କର କ୍ରୋଧ ସୃଷ୍ଟି କଲା । ସେ ତାଙ୍କୁ କଠୋରତମ ଶାସ୍ତି ଦେବା ପାଇଁ ଚିନ୍ତା କରୁଥିବା ସମୟରେ ଅନ୍ୟ ଏକ ସତ୍ୟ ତାଙ୍କ ସମ୍ମୁଖରେ ଉଦ୍ଘାଟିତ ହେଲା । ତାହା ଚିତ୍ରବର୍ଣ୍ଣଙ୍କ କନ୍ୟା କାନ୍ତିମୟୀ, ମଣିକଣ୍ଠଙ୍କୁ ଭଲପାଏ ଓ ବିବାହ କରିବାର ସ୍ୱପ୍ନରେ ଦିନ କାଟୁଛି ।”
ତେଣୁ ଚିତ୍ରବର୍ଣ୍ଣ ମଣିକଣ୍ଠଙ୍କୁ କହିଲେ, “ଗନ୍ଧର୍ବ ଓ ମାନବଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପିତ ହେବା ଅନୁଚିତ୍ । ତେଣୁ ମୋ କନ୍ୟାର ମନସ୍କାମନା ପୂରଣ କରି ତୁମେ ତାକୁ ବିବାହ କର ।”
କିନ୍ତୁ ମଣିକଣ୍ଠ ଏହା ଗ୍ରହଣ କଲେ ନାହିଁ । ମୃଣାଳିନୀଙ୍କୁ ବିବାହ କରିବାର ଜିଦ୍ରେ ସେ ଅଟଳ ରହିଲେ । ସେ ସ୍ପଷ୍ଟ ଜଣାଇଦେଲେ ଯେ ତାଙ୍କର ନିଷ୍ପତିରେ ପରିବର୍ତ୍ତନର ପ୍ରଶ୍ନ ହିଁ ଉଠୁନାହିଁ ।
ଚିତ୍ରବର୍ଣ୍ଣ କ୍ରୋଧିତ ହୋଇ ଅଭିଶାପ ଦେଲେ । “ଯଦି ଏହା ତୁମର ଶେଷକଥା ତେବେ ଏହି ଗନ୍ଧର୍ବଲୋକରେ ତୁମପାଇଁ କୌଣସି ସ୍ଥାନ ନାହିଁ । ଏବେଠାରୁ ତୁମକୁ ଭୂ–ଲୋକରେ ବାସ କରିବା ପାଇଁ ପଡିବ । ଏହି କ୍ଷଣଠାରୁ ତୁମର ସକଳ ଅଦ୍ଭୁତ ଶକ୍ତି ବ୍ୟର୍ଥ ହୋଇଯିବ ।”
ମଣିକଣ୍ଠ ନିଜର ଶାପଗ୍ରସ୍ତ ଜୀବନ ପାଇଁ କ୍ଷୋଭ ପ୍ରକାଶ ନ କରି ଭୂଲୋକ ଫେରି ଆସିଲେ । ମୃଣାଳିନୀ ପିତା ଚନ୍ଦ୍ରକେତୁଙ୍କୁ ମଣିକଣ୍ଠଙ୍କ ସମସ୍ତ ବୃତାନ୍ତ କହିସାରିଥିଲେ । ତେଣୁ ରାଜା ମଣିକଣ୍ଠଙ୍କର ସ୍ୱାଗତ କଲେ । ମଣିକଣ୍ଠ ଅଭିଶାପ ବିଷୟ ମୃଣାଳିନୀଙ୍କୁ କହିବାରୁ ସେ ପ୍ରଶ୍ନ କଲେ, “ଅଦ୍ଭୁତ ଶକ୍ତିର ଅଭାବରେ କଣ ବୀରସେନଙ୍କୁ ପରାଜିତ କରାଯାଇପାରିବ?”