ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଥମ୍ବଲୀନା

ବେଙ୍ଗୁଲୀର ପୁଅ ତା ମା’ ଗୋଟିଏ ଖଟିଆ ଆଣି ଆସୁଥିବାର ଦେଖି ଖୁବ୍ ଜୋର୍ରେ ପାଟି କରି ଉଠିଲା । ବେଙ୍ଗୁଲୀ ତା ପୁଅକୁ କହିଲା ‘ତୁ ଏତେ ବଡ ପାଟି କରେନା । ମୁଁ ତୋ ପାଇଁ ଗୋଟିଏ ସୁନ୍ଦରିଆ ଝିଅଟିଏ ଆଣିଛି । ତୁ ଏତେ ଜୋର୍ରେ ପାଟି କଲେ ତାର ନିଦ ଭାଙ୍ଗିଯିବ ଓ ସେ ଡରି ଆମ ପାଖରୁ ଚାଲିଯିବ । ସେ ଖୁବ୍ ହାଲୁକା ତେଣୁ ଆମେ ତାକୁ ଏ ଝରଣା ମଝିରେ ଥିବା କଇଁ ପତ୍ର ଉପରେ ଶୁଆଇ ଦେବା ତାହେଲେ ଯାଇ ସେ ଚାହିଁଲେ ମଧ୍ୟ ଆଉ କୁଆଡେ ବି ଯାଇ ପାରିବ ନାହିଁ । ସେ କଇଁ ପତ୍ରଟି ଝିଅଟି ପାଇଁ ଗୋଟିଏ ଦ୍ୱୀପ ପରିହେବ ଓ ଆମେ ତା ରହିବା ପାଇଁ ଗୋଟିଏ ଛୋଟ ପଥର ଘର ତିଆରି କରି ଦେବା ।’

ସେହି ଝରଣା ମଝିରେ ଅନେକ ବଡ ବଡ ନୀଳ କଇଁପତ୍ର ସବୁ ଭାସୁଥିଲା । ବେଙ୍ଗୁଲୀଟି ଥମ୍ବଲୀନାର ଖଟିଆକୁ ଧରି ଗୋଟିଏ ବଡ କଇଁ ପତ୍ର ପାଖକୁ ପହଁରିଗଲା ଓ ପତ୍ର ମଝିରେ ଥମ୍ବଲୀନାକୁ ଶୁଆଇ ଦେଲା ।

ସକାଳ ହେବାମାତ୍ରେ ଥମ୍ବଲୀନାର ନିଦ ଭାଙ୍ଗିଗଲା ଓ ସେ ଉଠିଦେଖିଲା ଝରଣା ମଝିରେ ଗୋଟିଏ କଇଁ ପତ୍ର ଉପରେ ସେ ଶୋଇଛି । ସେ ଚାରିଆଡକୁ ଚାହିଁଲାବେଳକୁ ଦେଖିଲା ଚାରିଆଡେ ଖାଲି ପାଣି । ସେ ଚିତ୍କାର କରି କାନ୍ଦିବାକୁ ଲାଗିଲା ।

ଏଣେ ଏ ବେଙ୍ଗୁଲୀଟି ଝରଣା କୂଳରେ ପଥରରେ ଗୋଟିଏ ସୁନ୍ଦର ଘର ତିଆରି କରି ତାକୁ ଫୁଲରେ ସଜାଇଲା । ଘର ତିଆରି କରି ସାରିବାପରେ ବେଙ୍ଗୁଲୀ ତାର ପୁଅକୁ ସାଙ୍ଗରେ ଧରି ଥମ୍ବଲୀନା ଶୋଇଥିବା କଇଁ ପତ୍ର ପାଖକୁ ପହଁରିଗଲା । ବେଙ୍ଗୁଲୀକୁ ଦେଖି ଥମ୍ବଲୀନା ଖୁବ୍ ଜୋର୍ରେ କାନ୍ଦି ଉଠିଲା । ବେଙ୍ଗୁଲୀ ଥମ୍ବଲୀନାକୁ କହିଲା ‘ତୁ ମୋର ଏଇ ପୁଅକୁ ବିଭାହୋଇ ଆମ ଘରେ ଆନନ୍ଦରେ ରହିବୁ । ମୁଁ ତୁମ ଦୁହିଁଙ୍କ ପାଇଁ ଗୋଟିଏ ଖୁବ୍ ସୁନ୍ଦର ଘର ତିଆରି କରିଛି ।’ ବେଙ୍ଗୁଲୀ ଥମ୍ବଲୀନାକୁ ଏହା କହି ତା ପୁଅ ସହିତ ପ୍ରଥମେ ଥମ୍ବଲୀନା ଶୋଇଥିବା ଖଟିଆଟି ଧରି କୂଳକୁ ପହଁରିଗଲା ।

ଥମ୍ବଲୀନା ଏକୁଟିଆ ନୀଳକଇଁପତ୍ର ଉପରେ ବସି କାନ୍ଦିବାକୁ ଲାଗିଲା । କାହିଁକିନା ସେ ଏ ଅସୁନ୍ଦରିଆ ବେଙ୍ଗକୁ ବିଭାହେବାକୁ ଚାହୁଁନଥିଲା । ଝରଣା ପାଣିରେ ଥିବା ଦଳେ ମାଛ କଇଁପତ୍ର ତଳେ ରହି ବେଙ୍ଗୁଲୀ ଓ ଥମ୍ବଲୀନାର କଥାବାର୍ତ୍ତା ସବୁ ଶୁଣୁଥିଲେ । ବେଙ୍ଗୁଲୀ ଓ ତାର ପୁଅ ଚାଲିଯିବା ପରେ ମାଛମାନେ ପାଣି ଉପରକୁ ଉଠି ଆସି କଇଁପତ୍ର ଉପରେ ଗୋଟିଏ ଛୋଟିଆ ଝିଅ ବସି କାନ୍ଦୁଥିବାର ଦେଖିଲେ । ମାଛମାନେ ଥମ୍ବଲୀନାର ମନକଥା ଜାଣି ସମସ୍ତେ ମିଶି କଇଁ ପତ୍ରର ନାଡଟିକୁ କାଟି ଦେଲେ ଫଳରେ କଇଁପତ୍ରଟି ଝରଣା ସ୍ରୋତରେ ଭାସିଭାସି ଯିବାକୁ ଲାଗିଲା । ଥମ୍ବଲୀନା ସେ କଇଁପତ୍ର ଉପରେ ବସି କାନ୍ଦୁଥାଏ । ଥମ୍ବଲୀନା କଇଁପତ୍ର ଉପରେ ବସି ଝରଣା ସ୍ରୋତରେ ଭାସି ଭାସି ଝରଣା କୂଳରେ ଥିବା କେତେ ଗାଁ ଗଣ୍ଡା ସହର ବଜାର ପାର ହୋଇ ଶେଷରେ ତାର ଜନ୍ମମାଟିକୁ ମଧ୍ୟ ପାର୍ ହୋଇଗଲା । ଝରଣାକୂଳ ଗଛରେ ବସିଥିବା ପକ୍ଷୀମାନେ ଏପରି ଗୋଟିଏ ଛୋଟିଆ ସୁନ୍ଦରିଆ ଝିଅକୁ ଦେଖି ଖୁବ୍ ଆନନ୍ଦରେ ଗୀତ ଗାଇବାକୁ ଲାଗିଲେ ।

ହଠାତ୍ କୁଆଡୁ ଗୋଟିଏ ସୁନ୍ଦର ପ୍ରଜାପତି ଉଡିଆସି ଥମ୍ବଲୀନା ବସିଥିବା କଇଁପତ୍ର ଉପରେ ବସିଲା । ସୁନ୍ଦର ପ୍ରଜାପତିକୁ ଦେଖି ଥମ୍ବଲୀନା ଖୁବ୍ ଆନନ୍ଦରେ ତାର ଉତ୍ତରୀୟରୁ ଖଣ୍ଡେ ସୁତା ବାହାରକରି କଇଁପତ୍ର ଦେହରେ ପ୍ରଜାପତିର ଗୋଟିଏ ଗୋଡକୁ ବାନ୍ଧିଦେଲା । ଫଳରେ ସେ ପ୍ରଜାପତିଟି ଆଗକୁ ଯେତେ ଉଡିବାକୁ ଲାଗିଲା କଇଁ ପତ୍ରଟି ବି ସେତେ ଜୋର୍ରେ ଝରଣା ପାଣିରେ ଭାସି ଭାସି ଯିବାକୁ ଲାଗିଲା ।

ଏହି ସମୟରେ ଗୋଟିଏ ଭଅଁର କୁଆଡୁ ଉଡିଆସି ଥମ୍ବଲୀନାର ସରୁ ଅଂଟାକୁ ତା ଗୋଡରେ ଧରି ଉଡିବାକୁ ଲାଗିଲା । କଇଁପତ୍ର ଓ ତା ଦେହରେ ବନ୍ଧା ହୋଇଥିବା ପ୍ରଜାପତିଟି ଝରଣା ସ୍ରୋତରେ କେଉଁଆଡେ ଭାସି ଭାସି ଅଦୃଶ୍ୟ ହୋଇଗଲେ । ଥମ୍ବଲୀନାକୁ ଧରି ସେ ଭଅଁରଟି ଗୋଟିଏ ଗଛ ଡାଳରେ ବସିଗଲା । ଥମ୍ବଲୀନା ଏହା ଦେଖି ଖୁବ୍ ଭୟଭୀତ ହୋଇଗଲା । ପ୍ରଜାପତିଟିର କଥା ଭାବି ଥମ୍ବଲୀନାର ମନ ଆହୁରି ଦୁଃଖ ହୋଇଗଲା କାରଣ ସେ ଜାଣିଥିଲା ଯେ ପ୍ରଜାପତିଟି କଇଁ ପତ୍ରରେ ବନ୍ଧାହୋଇଥିବାରୁ ସେ ଖାଇବାକୁ ନପାଇ ମରିଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ