ଭଅଁରଟି ଥମ୍ବଲୀନାକୁ ଗଛର ଗୋଟିଏ ବଡ ପତ୍ର ଉପରେ ରଖି ଫୁଲରୁ ମହୁ ଆଣି ତାକୁ ଖାଇବାକୁ ଦେଲା । ଭଅଁରଟି ଥମ୍ବଲୀନାକୁ କଅଁଳ କଥା କହୁଥିଲେ ମଧ୍ୟ ତାକୁ ସେଠାରେ ରହିବାକୁ ଜମା ଭଲ ଲାଗୁନଥିଲା । ସେ ଗଛରେ ଥିବା ଅନ୍ୟ ଭଅଁରମାନେ ଥମ୍ବଲୀନାକୁ କେତେ କଥା କହିବାକୁ ଲାଗିଲେ । କିଏ କହିଲା ତ ତାର ଶୁଣ୍ଢ ନାହିଁ ଆଉ କିଏ କହିଲା ସେ ଦେଖିବାକୁ ଅସୁନ୍ଦରୀ ।
ଭଅଁରଟି ଯେତେବେଳେ ଅନ୍ୟ ଭଅଁରମାନଙ୍କ ଥମ୍ବଲୀନା ପ୍ରତି ଏପରି ବ୍ୟବହାର ଦେଖିଲା ସେ ଥମ୍ବଲୀନାକୁ ଅନ୍ୟ ଗୋଟିଏ ଜାଗାରେ ଛାଡି ଦେବାକୁ ସ୍ଥିର କଲା । ତେଣୁ ସେ ଥମ୍ବଲୀନାକୁ ନେଇ ବଣର ଗୋଟିଏ ବଡ ଫୁଲମଝିରେ ରଖିଦେଲା । ଏହା ଦେଖି ଥମ୍ବଲୀନା ଜୋର୍ରେ କାନ୍ଦିବାକୁ ଲାଗିଲା ।
ସେତେବେଳକୁ ତ ଗ୍ରୀଷ୍ମଋତୁ ହୋଇଥାଏ ଓ ଥମ୍ବଲୀନା ସାରା ଗ୍ରୀଷ୍ମଋତୁଟି ସେହି ବଣରେ କଟାଇଲା । ଥମ୍ବଲୀନା ବଣରେ ଥିବା ଦୁବଗଛରେ ଗୋଟିଏ ଶେଯ ବୁଣି ତାକୁ ଗୋଟିଏ ଗଛର ବଡ ପତ୍ର ତଳେ ଝୁଲାଇ ଦେଇ ତା ତଳେ ରହିଲା । ବଣରେ ଥିବା ବିଭିନ୍ନ ଫୁଲରୁ ମହୁ ସଂଗ୍ରହ କରି ତାକୁ ଖାଇ ସେ ବଂଚିବାକୁ ଲାଗିଲା । କ୍ରମେ ଗ୍ରୀଷ୍ମ ଓ ବର୍ଷାଋତୁ ଶେଷ ହୋଇ ଶୀତ ଋତୁ ଆସିଲା । ଖୁବ୍ ଥଣ୍ଡା ପଡିବାରୁ ବଣରେ ଥିବା ପକ୍ଷୀମାନେ ବଣ ଛାଡି ଅନ୍ୟଆଡେ ଉଡିଯିବାକୁ ଲାଗିଲେ । ଆସ୍ତେ ଆସ୍ତେ ବଣର ଗଛମାନେ ପତ୍ରଛଡା ଦେଲେ ଓ ଫୁଲମାନେ ସବୁ ମଉଳି ଗଲେ । ଥମ୍ବଲୀନା ଯେଉଁ ପତ୍ରତଳେ ରହୁଥିଲା ସେ ପତ୍ରଟି ମଧ୍ୟ ଝଡିଗଲା । ପ୍ରଚଣ୍ଡ ଶୀତ ଯୋଗୁଁ ଥମ୍ବଲୀନାର ଦେହ କାଲୁଆ ମାରିଗଲା । ତେଣୁ ସେ ଶୀତରେ ଖାଲି ଥରିବାକୁ ଲାଗିଲା ।
ଥମ୍ବଲୀନା ଶୀତରେ ଥରିଥରି ବଣ ପାଖରେ ଥିବା ଗୋଟିଏ ଶସ୍ୟକ୍ଷେତ୍ରକୁ ଗଲା । ସେତେବେଳେ ଶସ୍ୟକ୍ଷେତ୍ରରୁ ସବୁ ଶସ୍ୟ କଟାହୋଇଯାଇଥିଲା । ଥମ୍ବଲୀନା ସେ ବଣରେ ବୁଲବୁଲୁ ଗୋଟିଏ ମୂଷା ଗାତ ଦେଖିଲା । ସେ ମୂଷାଗାତଟି ଉଷୁମ ଲାଗିବାରୁ ଥମ୍ବଲୀନା ତା ଭିତରକୁ ଯାଇ ଦେଖିଲା ତା ଭିତରେ ମୂଷାଟି ଅନେକ ଖାଦ୍ୟ ଶସ୍ୟ ରଖିଛି, ଥମ୍ବଲୀନା ଦୁଇଦିନ ଉପାସ ଥିବାରୁ ସେ ମୂଷାକୁ କିଛି ଖାଦ୍ୟ ଶସ୍ୟ ମାଗିଲା ।
ମୂଷା ଏତେ ଛୋଟ ପିଲାଟିକୁ ଦେଖି ତାର ତା’ପ୍ରତି ଖୁବ୍ ଦୟା ହେଲା । ସେ ଥମ୍ବଲୀନାକୁ କହିଲା ‘ଏ ଶୀତ ଦିନେ ତୁମେ ଆସି ମୋର ଏ ଉଷୁମ ଘରେ ରୁହ । ତୁମେ ଏଠାରେ ମୋର ଘର ପରିଷ୍କାର ରଖିବ ଓ ମୋତେ ଗପ ଶୁଣେଇବ ।’ ଥମ୍ବଲୀନା ମୂଷାକଥାରେ ରାଜିହୋଇ ଖୁବ୍ ଖୁସିରେ ତା ଘରେ ରହିଲା ।
ଦିନେ ମୂଷାଟି ଥମ୍ବଲୀନାକୁ କହିଲା ‘ଆଜି ମୋ ଘରକୁ ଜଣେ ଅତିଥି ଆସିବେ । ସେ ମୋର ପଡୋଶୀ । ସେ ଖୁବ୍ ଧନୀ ଓ ତାଙ୍କର ବହୁତ ସୁନ୍ଦର ଘରମାନ ଅଛି ଓ ତାଙ୍କର ଖୁବ୍ ଦାମିକା ମଖମଲି ପୋଷାକ ପତ୍ର ବି ଅଛି । ତୁମେ ଯଦି ତାଙ୍କୁ ବିବାହ କରନ୍ତ ତେବେ ଖୁବ୍ ଆନନ୍ଦରେ ରହନ୍ତ । ମାତ୍ର ଗୋଟିଏ କଥା ସେ ଜଣେ ଅନ୍ଧ ।’
ଥମ୍ବଲୀନା ମୂଷାର ସେ ଅତିଥି ବିଷୟରେ ଆଦୌ ମୁଣ୍ଡ ଖେଳାଇଲା ନାହିଁ କାରଣ ସେ ଠିକ୍ ଜାଣିଥିଲା ଯେ ମୂଷାଟିର ସେ ଅତିଥିଟି ହେଉଛି ଗୋଟିଏ ଚୁଚୁନ୍ଦ୍ରା । ମୂଷାଟି ଥମ୍ବଲୀନାକୁ ଆହୁରି ମଧ୍ୟ କହିଲା, ‘ମୋର ଅତିଥି ଜଣକ ଖୁବ୍ ଧନୀ ମାତ୍ର ସେ ଜନ୍ମରୁ ସୂର୍ଯ୍ୟଙ୍କୁ ଦେଖି ନାହାଁନ୍ତି । ସେ ସୂର୍ଯ୍ୟ କିରଣ ଓ ଫୁଲର ବାସ୍ନାକୁ ଆଦୌ ସହ୍ୟ କରି ପାରନ୍ତି ନାହିଁ । କାରଣ ସେ ଜନ୍ମକାଳରୁ ସୂର୍ଯ୍ୟ ଓ ଫୁଲ ଦେଖିନାହାଁନ୍ତି ।’