ଘରଚଟିଆ ଥମ୍ବଲୀନାକୁ ନେଇ ବଗିଚା ମଧ୍ୟରେ ଥିବା ଏକ ବଡ ଧଳା ଫୁଲ ମଝିରେ ତାକୁ ଓହ୍ଲାଇଦେଲା । ଥମ୍ବଲୀନା ଦେଖିଲା ବେଳକୁ ସେ ଧଳାଫୁଲ ମଝିରେ ଗୋଟିଏ ଛୋଟିଆ ସୁନ୍ଦର ମଣିଷଟିଏ ବସିଛି । ତା ମୁଣ୍ଡରେ ଗୋଟିଏ ସୁନ୍ଦର ସୁବର୍ଣ୍ଣ ମୁକୁଟ ଓ କାନ୍ଧରେ ଦୁଇଟି ପର ଅଛି । ସେ ଲୋକଟି ଥମ୍ବଲୀନା ଭଳି ମଧ୍ୟ ଛୋଟ । ଏକା ସେଇ ଧଳାଫୁଲ ନୁହେଁ ସେଠାରେ ଫୁଟିଥିବା ସବୁ ଫୁଲ ମଧ୍ୟରେ ଗୋଟିଏ ଗୋଟିଏ ଛୋଟିଆ ମଣିଷ ଥିଲା । ସେମାନଙ୍କ ମଧ୍ୟରେ କେତେକ ସ୍ତ୍ରୀ ଓ କେତେକ ପୁରୁଷ ଥିଲେ । ମାତ୍ର ମୁକୁଟ ପିନ୍ଧିଥିବା ଲୋକଟି ସେମାନଙ୍କ ମଧ୍ୟରେ ରାଜା ।
ଥମ୍ବଲୀନା ସେ ଛୋଟଲୋକଟିକୁ ଦେଖି ଘରଚଟିଆକୁ କହିଲା, ‘ସେ ଲୋକଟି ଦେଖିବାକୁ କେତେ ସୁନ୍ଦର ।’
ସେ ମୁକୁଟ ପିନ୍ଧିଥିବା ଲୋକଟି ଘରଚଟିଆକୁ ଦେଖି ଖୁବ୍ ଭୟଭୀତ ହୋଇଗଲା କାରଣ ଘରଚଟିଆଟି ତା ତୁଳନାରେ ଖୁବ୍ ବଡଥିଲା । ମାତ୍ର ସେ ଯେତେବେଳେ ଘରଚଟିଆ ପିଠିରେ ଥମ୍ବଲୀନାକୁ ଦେଖିଲା ସେ ଖୁବ୍ ଖୁସି ହୋଇଗଲା କାରଣ ସେ ଥମ୍ବଲୀନା ଭଳି ଏତେ ସୁନ୍ଦରୀ ଆଗରୁ କେବେ ବି ଦେଖିନଥିଲା । ଥମ୍ବଲୀନା ରୂପରେ ମୁଗ୍ଧ ହୋଇ ସେ ଛୋଟ ରାଜାଟି ତାର ସୁବର୍ଣ୍ଣ ମୁକୁଟଟିକୁ ଥମ୍ବଲୀନା ମୁଣ୍ଡରେ ପିନ୍ଧାଇ ଦେଲା । ସୁବର୍ଣ୍ଣ ମୁକୁଟଟି ପିନ୍ଧାଇ ଦେଇ ସେ ଥମ୍ବଲୀନାକୁ କହିଲା ‘ତୁମର ପରିଚୟ କ’ଣ? ତୁମେ ମୋତେ ବିବାହ କରି ଏଠାରେ ଫୁଲରାଣୀ ହୋଇ ରହିବ?’
ଥମ୍ବଲୀନା ସେ ରାଜାଙ୍କ ନିକଟରୁ ଏହା ଶୁଣି ଖୁବ୍ ଖୁସି ହୋଇଗଲା ଓ ତାଙ୍କୁ ବିବାହ କରିବାକୁ କହିଲା । ଠିକ୍ ଏତିକିବେଳେ ସେଠାରେ ଥିବା ସବୁ ଛୋଟ ସ୍ତ୍ରୀ ପୁରୁଷ ଆନନ୍ଦରେ କେତେ ଉପହାର ଆଣି ସେମାନଙ୍କୁ ଦେଲେ ଓ ଛୋଟ ଛୋଟ ପର ଆଣି ତା କାନ୍ଧରେ ଲଗାଇ ଦେଲେ ।
ଏହାଦେଖି ଘରଚଟିଆଟି ଆନନ୍ଦରେ ଗୋଟିଏ ବିବାହ ସଂଗୀତ ଗାଇବାକୁ ଲାଗିଲା ଓ ସେଠାରେ ସମସ୍ତେ ଥମ୍ବଲୀନାକୁ ଫୁଲରାଣୀ ବୋଲି ଡାକିଲେ ।