ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦକ୍ଷିଣା

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଉଦ୍ୟତ ହୁଅନ୍ତେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରିରେ ତୁମେ ଯେପରି ଏହି ଶ୍ମଶାନରେ ସାହସିକ କାର୍ଯ୍ୟ କରୁଛ ତାହା ତ ନିଃସନ୍ଦେହ ପ୍ରଶଂସନୀୟ । କିନ୍ତୁ ଜଣେ ବ୍ୟକ୍ତି ପାଇଁ କେବଳ ଦୃଢସଂକଳ୍ପ ଓ ସାହସ ଯଥେଷ୍ଟ ନୁହେଁ । ତା’ ସହିତ ବ୍ୟବହାରିକ ଜ୍ଞାନ, ଉପଯୁକ୍ତ ସମୟ ବାଛିବା ଓ ନିଜ ଲକ୍ଷ୍ୟକୁ ସର୍ବଦା ସମ୍ମୁଖରେ ରଖିବା ଇତ୍ୟାଦି ମଧ୍ୟ ପ୍ରୟୋଜନ । କାରଣ ସେସବୁ ନଥିଲେ ବେଳେ ବେଳେ କାମ ହେଉ ହେଉ ଗୋଳମାଳ ହୋଇଯାଏ । ଏହି କଥା ପ୍ରମାଣ କରିବାକୁ ମୁଁ ତୁମକୁ ସୁନନ୍ଦର କାହାଣୀ ଶୁଣାଇବି । ମନଦେଇ ତାହା ଶୁଣ, ଶ୍ରମଭାର ଲାଘବ ହେବ ।” ଏତିକି କହିସାରି ସେ ବେତାଳ ଗପିଲା –

                “ଅନେକ ଦିନ ପୂର୍ବେ ରାଜା ସୁରସେନ ବିରୂପ ଦେଶରେ ରାଜୁତି କରୁଥିଲେ । ତାଙ୍କ ମନ୍ତ୍ରୀ ବୃହଷ୍ପତି ଅତ୍ୟନ୍ତ ବୁଦ୍ଧିମାନ ଓ ବିବେକଶୀଳ ଥିଲେ । ଦିନେ ସେ ହଠାତ୍ ମରିଗଲେ । ଏଣୁ ସେ ରାଜା ବାଧ୍ୟ ହୋଇ ଏକ ନୂଆ ମନ୍ତ୍ରୀ ତାଙ୍କ ସ୍ଥାନରେ ରଖିଲେ ।”

                ନୂଆ ମନ୍ତ୍ରୀ ସଦା ସର୍ବଦା ରାଜାଙ୍କୁ ଭୁଲ୍ କଥାସବୁ ମନ୍ତ୍ରଣା ଦେବାକୁ ଲାଗିଲେ, ଫଳରେ ସେ ରାଜ୍ୟରେ ବିଶୃଙ୍ଖଳା ଦେଖାଦେଲା । ଯେତେବେଳେ ତାହା ଅତି ବେଶି ହୋଇଗଲା ରାଜଗୁରୁ ରାଜାଙ୍କୁ ଏସବୁ ବିଷୟରେ ସଚେତନ କରିଦେବାକୁ ମନେ ମନେ ସ୍ଥିର କଲେ । ଦିନେ ସମୟ ସୁଯୋଗ ଦେଖି ରାଜାଙ୍କୁ ସେ କହିଲେ, “ମହାରାଜ, ରାଜ୍ୟର ଶୃଙ୍ଖଳା ଓ ଭଲମନ୍ଦ ଯାହା ସବୁ ତ ପ୍ରାୟ ଭଲ ଭାବରେ ଚଳୁଥିଲା । ଅଥଚ ଏ ନୂଆମନ୍ତ୍ରୀ ଆସିବା ଦିନଠାରୁ ଆପଣଙ୍କୁ ଏମିତି କ’ଣ ମନ୍ତ୍ରଣା ଦେଉଛନ୍ତି ଯେ ତା’ ଫଳରେ ରାଜ୍ୟରେ ଅଶାନ୍ତି ସୃଷ୍ଟି ହେଉଛି ଓ କ୍ରମେ ବିଦ୍ରୋହ ବି ସୃଷ୍ଟି ହେବାକୁ ବସିଲାଣି । ମୋର ମନେ ହେଉଛି ଏ ନୂଆ ମନ୍ତ୍ରୀଙ୍କର ରାଜ୍ୟଶାସନ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଓ ଅଭିଜ୍ଞତା ନ ଥିବାରୁ ସେ ଆପଣଙ୍କୁ ସବୁ ଭୁଲ୍ କଥା କହୁଛନ୍ତି ।”

                ରାଜଗୁରୁଙ୍କଠାରୁ ଏଭଳି କଥା ଶୁଣି ରାଜା ଟିକେ ହସି ଦେଇ କହିଲେ, “ଗୁରୁଦେବ, ମାନୁଛି ଦୈବୀଶକ୍ତି ଇତ୍ୟାଦି ବିଷୟରେ ଆପଣଙ୍କର ଅଗାଧ ପାଣ୍ଡିତ୍ୟ ଅଛି । କିନ୍ତୁ ରାଜ୍ୟ ଶାସନ ବିଷୟରେ ଆପଣଙ୍କର ଏମିତି କି ଜ୍ଞାନ ଅଛି?”

                ରାଜାଙ୍କ କଥା ଶୁଣି ରାଜଗୁରୁ ନୀରବ ରହିଲେ ଓ ପରେ ପୂର୍ବ ମନ୍ତ୍ରୀଙ୍କ ଘରେ ଯାଇ ସେ ପହଁଚିଲେ । ରାଜଗୁରୁଙ୍କୁ ମନ୍ତ୍ରୀଙ୍କ ପତ୍ନୀ ଖୁବ୍ ଆଦର ଅଭ୍ୟର୍ଥନା କଲେ । ରାଜଗୁରୁ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, “ମହାରାଜ! ତୁମ ସ୍ୱାମୀଙ୍କ ଦ୍ୱାରା ସଦା ସର୍ବଦା ପ୍ରଭାବିତ ଥିଲେ ଓ ତାଙ୍କୁ ସେ ସମ୍ମାନ ବି ଦେଉଥିଲେ । କିନ୍ତୁ ଏବେ ନୂତନ ମନ୍ତ୍ରୀ ରାଜାଙ୍କୁ ଭୁଲ୍ ବାଟରେ ନେଉଛି ରାଜା ତାହା ମୋଟେ ବୁଝିପାରୁ ନାହାଁନ୍ତି । ମୁଁ ଚାହେଁ ଯେ ଦେଶର ମଙ୍ଗଳ ପାଇଁ ତୁମ ପୁତ୍ର ସୁନନ୍ଦକୁ ଯୋଗ୍ୟ କର । ସେ ମହର୍ଷି ବିତଣ୍ଡଙ୍କ ପାଖକୁ ଯାଇ ତାଙ୍କଠାରୁ ବିଦ୍ୟାଶିକ୍ଷା କରୁ ।”

ରାଜଗୁରୁଙ୍କ କଥା ମାନି ପୂର୍ବତନ ମନ୍ତ୍ରୀଙ୍କ ପତ୍ନୀ ତାଙ୍କ ପୁତ୍ରକୁ ମହର୍ଷି ବିତଣ୍ଡଙ୍କ ଆଶ୍ରମକୁ ପଠାଇ ଦେଲେ । ବିତଣ୍ଡ ସୁନନ୍ଦଙ୍କୁ ଦେଖିବା ମାତ୍ରେ ସବୁକିଛି ବୁଝିଗଲେ । ସେ କହିଲେ, “ଏ ଆଶ୍ରମ ଜ୍ଞାନ ଉପାର୍ଜନର ସ୍ଥାନ । ମନ୍ତ୍ରୀତ୍ୱ ପାଇଁ ପ୍ରସ୍ତୁତ ହେବାକୁ ନୁହେଁ ।”

                ଆଚାର୍ଯ୍ୟଙ୍କ କଥା ଶୁଣି ସୁନନ୍ଦ ହାତ ଯୋଡି ଠିଆ ହୋଇଗଲେ ଓ କହିଲେ, “ଗୁରୁଦେବ, ମୋର ପିତା ରାଜାଙ୍କୁ ଯଥାର୍ଥ ଭାବରେ ମନ୍ତ୍ରଣା ଦେଇ ଏ ରାଜ୍ୟର ମଙ୍ଗଳ କରୁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ରାଜା ଭାବିଛନ୍ତି ଯେ ସବୁ ମନ୍ତ୍ରୀ ମୋ ପିତାଙ୍କ ପରି ହେବେ । ମୁଁ ରାଜାଙ୍କ ମନରୁ ଏ ଧାରଣା ଦୂର କରିଦେବାକୁ ଚାହେଁ, ଯଦ୍ୱାରା ରାଜ୍ୟ ବହୁପ୍ରକାର କ୍ଷତିରୁ ନିସ୍ତାର ପାଇବ । ମୁଁ ସେଥିପାଇଁ ଆପଣଙ୍କ ପାଖକୁ ଆସିଛି । ମୋ ପିତାଙ୍କର ଯାହା ସବୁ ଭୁଲ୍ ଥିଲା ମୁଁ ସେସବୁକୁ ଅନ୍ତତଃ ସୁଧାରି ପାରିବି । ତେଣୁ ଦେଶର ମଙ୍ଗଳ ପାଇଁ ମୋତେ ଆପଣ ନିଜ ଶିଷ୍ୟ ରୂପେ ଗ୍ରହଣ କରନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ