ଏକଥା ଶୁଣି ଚନ୍ଦ୍ରସେନ ଭାରି ଆଶ୍ଚର୍ଯ୍ୟ ହେଲେ ଓ ଭୟଭୀତ ମଧ୍ୟ ହେଲେ । ସେ କହିଲେ, “ମହାଶୟ, ଅପରାଧୀଙ୍କ ଉପରେ ମୋର କୌଣସି ପ୍ରତିଶୋଧର ଭାବନା ନାହିଁ । କିନ୍ତୁ ସେମାନଙ୍କୁ କଠୋର ଦଣ୍ଡ ଦିଆ ନ ଗଲେ ତ’ ସାଧାରଣ ଜନତାଙ୍କ ଉପରେ ବିପଦର ସମ୍ଭାବନା ଅଧିକ ହେବ । ଆପଣ କହନ୍ତୁ ଏ ବିଷୟରେ ମୁଁ କ’ଣ ବା କରି ପାରିବି? ମୁଁ କ’ଣ ସେଥିପାଇଁ ରୋଗଗ୍ରସ୍ଥ ହୋଇ ରାଜ୍ୟ ଛାଡି ଦେବି?”
ପ୍ରଦୀପ କହିଲେ, “ଅପରାଧ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଭିନ୍ନ ଫଳ ଦିଏ । ମୁଁ ପୂର୍ବରୁ ଅନେକ ପ୍ରକାର ଅପରାଧ କରିଛି । ତା’ପରେ ଏହି ପାପ ସେଥିରେ ମିଶି ଯିବାରୁ ଆଜି ମୋର ଏହି ଅବସ୍ଥା ହେଲା । ତୁମେ ଭୟ କରନାହିଁ; ତୁମକୁ ମୁଁ ଗୋଟିଏ ସ୍ଫଟିକ ଦେବି, ଯାହା ଯୋଗୁଁ ତୁମେ ନିର୍ଭୀକ ହୋଇ ପାରିବ ।” ସେହି ସ୍ଫଟିକକୁ ଦେଖି ଚନ୍ଦ୍ରସେନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।
ପ୍ରଦୀପ କହିଲେ “ଏହାର କାର୍ଯ୍ୟ ହେଉଛି, ସେ ତୁମର ଦଣ୍ଡ ନିର୍ଣ୍ଣୟ ପ୍ରଥା ଠିକ୍ ବା ଭୁଲ୍, ସେ ବିଷୟରେ ସଙ୍କେତ ଦେବ । ତୁମେ ଅପରାଧ ଅନୁସାରେ ଯୋଗ୍ୟ ଦଣ୍ଡ ଦେଲେ ତାହା ପୀତବର୍ଣ୍ଣ ଧାରଣ କରିବ । ଦଣ୍ଡ ଅପରାଧ ମାତ୍ରାଠାରୁ ଅଧିକ ହେଲେ ତାହା ଲୋହିତବର୍ଣ୍ଣ ଧାରଣ କରିବ, କମ୍ ହେଲେ କୃଷ୍ଣବର୍ଣ୍ଣ ଧାରଣ କରିବ । କିନ୍ତୁ ସ୍ଫଟିକ ନିଜେ କୌଣସି ନିର୍ଣ୍ଣୟ କରିପାରିବ ନାହିଁ ।
ଏହି ସ୍ଫଟିକଟି ମୁଁ ମୋହର ତପଃଶକ୍ତି ଦ୍ୱାରା ପାଇଛି । ମୁଁ ଚାହୁଁଥିଲି କି ହିମାଳୟ ଯିବା ପୂର୍ବରୁ ମୁଁ ଏହି ସ୍ଫଟିକକୁ କୌଣସି ଏକ ଯୋଗ୍ୟ ରାଜାକୁ ଦେଇଯିବି; ତୁମ ଭାଗ୍ୟ ତୁମକୁ ଏଠାକୁ ନେଇ ଆସିଲା । ତମେ ଶାସନ ଏପରି ଭାବରେ ଚଳାଇବ ଯେ ଯେପରି ପାପ ତୁମକୁ ସ୍ପର୍ଶ ସୁଧା ବି ନକରେ ।”
ଏହାପରେ ସ୍ଫଟିକଟି ଧରି ରାଜା ରାଜଧାନୀକୁ ଫେରିଲେ । ଏଣିକି ରାଜା ନିଜ ପାଖରେ ପାଂଚଜଣ ନ୍ୟାୟାଧୀଶ ରଖିଥାନ୍ତି । ତା’ପରେ ସ୍ଫଟିକର ନିର୍ଦ୍ଧେଶ ଅନୁସାରେ ରାଜା ଦଣ୍ଡ ଦିଅନ୍ତି । ସ୍ପଟିକଟି ସଦା ସର୍ବଦା ଲାଲ୍ ଓ କଳା ରଙ୍ଗରେ ପରିଣତ ହୁଏ । କେବେବି ମଧ୍ୟ ତାହା ପୀତ ବର୍ଣ୍ଣରେ ପରିବର୍ତିତ ହୁଏ ନାହିଁ । ତେଣୁ ରାଜା ବଡ ଅସୁବିଧାରେ ପଡିଲେ । ସେ ଜାଣିଲେ ଅପରାଧ ଅନୁସାରେ ଦଣ୍ଡଦେବା ଭାରି କଷ୍ଟକର ।
ଚନ୍ଦ୍ରସେନ ସର୍ବଦା ସ୍ଫଟିକକୁ ପାଖରେ ରଖିଥାନ୍ତି । ଦିନେ ଛଦ୍ମବେଶରେ ସେ ସହରରେ ବୁଲୁଥା’ନ୍ତି; ଗୋଟିଏ ସ୍ଥାନରେ ଦେଖିଲେ ଏକ ବୃକ୍ଷମୂଳରେ ଜଣେ ଗରିବ ଲୋକ ଆଉ ଜଣେ ଧନୀକୁ ଟଙ୍କା ଥଳୀ ଦେଉଛି । ଏସବୁ ଘଟଣା ଦେଖି ସେ ରାଜା ପଚାରିଲେ, “ତମେମାନେ ଏଠାରେ କ’ଣ କରୁଛ?”
ଗରିବ କହିଲା, “ଏହି ବ୍ୟକ୍ତି ଜଣେ ମହାଜ୍ଞାନୀ । ସେ ମୋତେ ସାହାଯ୍ୟ କରିବାକୁ କହିଛନ୍ତି । ତେଣୁ ମୋର ସମସ୍ତ ଅର୍ଜିତ ଧନ ମୁଁ ତାଙ୍କୁ ଦେଇ ଦେଉଛି ।”
ରାଜା ପ୍ରଶ୍ନକଲେ “ତୁମର କି ପ୍ରକାର ସାହାଯ୍ୟ ଲୋଡା?”
ତହୁଁ ସେ ଗରିବଟି କହିଲା, “ମହାଶୟ, ମୋର ଚାରିଟି ପୁତ୍ର । ଦିନେ ଜଣେ ସାଧୁ ଆସି ମୋତେ କହିଲେ କି ତୁମ ପିଲାଙ୍କ ମଧ୍ୟରୁ କେହି ଜଣେ ମହାଜ୍ଞାନୀ ହେବ । ତାକୁ ଭଲକରି ପଢାପଢି କରାଅ । ମୁଁ ପଚାରିଲି ଯେ କେଉଁ ଜଣକ ମହାଜ୍ଞାନୀ ହେବ? ସେ କେବଳ ଏତିକି କହିଲେ ଯେ ଅଗ୍ନି ଓ ଜ୍ଞାନ ବିଷୟରେ କିଛି କୁହାଯାଏ ନାହିଁ । ଚାରିପୁତ୍ରଙ୍କୁ ଶିକ୍ଷା ଦେବାର ଶକ୍ତି ମୋ ପାଖରେ ନାହିଁ । ସେଥିପାଇଁ ଏହି ମହାଶୟଙ୍କୁ ମୁଁ ଅନୁରୋଧ କରୁଛି, ଅନ୍ତତଃ ସେ କହିଦେବେ ଚାରିଜଣଙ୍କ ମଧ୍ୟରୁ କିଏ ମହାଜ୍ଞାନୀ ହେବ?”