ରାଜା ଉକ୍ତ କପଟୀ ମହାଜ୍ଞାନୀଙ୍କଠାରୁ ଟଙ୍କା ଫେରାଇ ଆଣି ଦରିଦ୍ରକୁ ଦେଲେ ଓ କହିଲେ, “ତୁମେ ମୋ ସହିତ ଆସ, ମୁଁ ତୁମକୁ ସାହାଯ୍ୟ କରିବି ।”
ତା’ପରେ ରାଜା ଓ ଗରିବ ଦୁହେଁ ଗରିବର ଘରକୁ ଗଲେ । ଦୂରରୁ ଶୁଣିଲେ ଚାରିଜଣଯାକ ପୁଅ ପାଟିତୁଣ୍ଡ କରୁଛନ୍ତି । ପାଖରେ ପହଁଚି ଦେଖିଲେ ଯେ ସେମାନେ ମିଳିମିଶି ସୁନ୍ଦର ମୂର୍ତ୍ତିଟିଏ ତିଆରି କରିଥିଲେ ଓ ରଙ୍ଗ ଦେଇଥିଲେ । ସମସ୍ତେ କହିଲେ ଏଇଟି ବଜାରରେ ବିକ୍ରିକଲେ ବହୁତ ପଇସା ମିଳିବ । ପଡୋଶୀ ଘରର ପିଲା ଚନ୍ଦ୍ର ଆସି ମୂର୍ତ୍ତିଟିକୁ ଭାଙ୍ଗିଦେଲା । ଏମାନେ ଚାରିଜଣ ତାକୁ ଧରି ଭାବୁଛନ୍ତି କି ଦଣ୍ଡ ଦେବେ । ଇତିମଧ୍ୟରେ ରାଜା ଓ ପିଲାଙ୍କ ବାପା ଆସି ସେଠାରେ ପହଁଚିଲେ ।
ରାଜା ସ୍ଫଟିକଟି ହାତରେ ଧରି ଜଣ ଜଣ କରି ପଚାରିଲେ ଯେ ଚନ୍ଦ୍ରପତି ଲାଗି ଉଚିତ୍ ଦଣ୍ଡ କ’ଣ ହେବ? ପ୍ରଥମ ପୁଅ କହିଲା, “ତାକୁ ଶହେ ଚାବୁକ୍ ଦିଆଯିବ ।” ସ୍ଫଟିକର ରଙ୍ଗ ଲାଲ୍ ହୋଇଗଲା ।
ଦ୍ୱିତୀୟଟି କହିଲା, “ତା’ପାଖରେ ଯେତେ ମୂର୍ତ୍ତି ଅଛି ତାକୁ ସବୁ ଭାଙ୍ଗି ଦିଆଯିବ ।” ସ୍ଫଟିକଟି ପୁଣି ଲାଲ୍ ହୋଇ ରହିଲା ।
ତୃତୀୟଟି କହିଲା, “ତାକୁ କୁହ ଏପରି ଏକ ମୂର୍ତ୍ତି ତିଆରି କରିବା ପରେ ସେହି ମୂର୍ତ୍ତିକୁ ଭାଙ୍ଗିଦେଲେ ସେ ନିଜର ଅପରାଧ ଠିକ୍ ବୁଝିପାରିବ ।” ସ୍ଫଟିକଟି କୃଷ୍ଣ ବର୍ଣ୍ଣ ଧାରଣ କଲା ।
ତା’ପରେ ଚତୁର୍ଥ ପୁଅଟି କହିଲା, “ତାକୁ ମାରିଲେ କ’ଣ ଆମେ ଆମ ମୂର୍ତ୍ତି ଫେରିପାଇବା? ମୋର ଯଦି ଶକ୍ତି ଥା’ନ୍ତା ତେବେ ତାକୁ ବୁଝାଇ ଦିଅନ୍ତି, ଯଦ୍ୱାରା ସେ ନିଜେ ଅନୁତାପ କରି ନିଜକୁ ପରିବର୍ତ୍ତନ କରନ୍ତା ଓ ଆଉ ସେପରି କାମ କେବେବି ମଧ୍ୟ କରନ୍ତା ନାହିଁ ।” ସେହିକ୍ଷଣି ସ୍ଫଟିକର ବର୍ଣ୍ଣ ପୀତ ହେଲା । ଏବେ ସେ ରାଜା ଠିକ୍ ବୁଝିଗଲେ କି ଏହି ପିଲାଟି ହିଁ ଭବିଷ୍ୟତରେ ନିଶ୍ଚୟ ମହାଜ୍ଞାନୀ ହେବ । ଏହାପରେ ରାଜା ସେମାନଙ୍କୁ ନିଜର ପରିଚୟ ଦେଇ ଗରିବକୁ କହିଲେ, “ତୁମର ସବୁ ପିଲାଙ୍କର ଶିକ୍ଷାର ଭାର ଏଥର ମୁଁ ନେଲି । ମୁଁ ତୁମ ଆର୍ଥିକ ସହାୟତା ଦେବି । କିନ୍ତୁ ତୁମେ ଅନୁମତି ଦେଲେ, ତୁମର ଚତୁର୍ଥ ପୁତ୍ରର ଶିକ୍ଷା ଭାର ମୁଁ ନିଜେ ଗ୍ରହଣ କରିବି ।”
ଏହା ଶୁଣି ସେ ଗରିବ ଲୋକଟିର ଆନନ୍ଦର ଆଉ ସୀମା ରହିଲା ନାହିଁ । ତା’ର ଅନୁମତି ନେଇ ରାଜା ପିଲାଟିକୁ ଧରି ନଗରକୁ ଫେରି ଆସିଲେ ।
ବେତାଳ ଏହି କାହାଣୀଟି ଶୁଣାଇ ସାରି ବିକ୍ରମାର୍କଙ୍କୁ ପଚାରିଲା, “ରାଜନ୍, ସେ ଚତୁର୍ଥ ପୁତ୍ରର ଅପରାଧ ନିର୍ଣ୍ଣୟ ଠିକ୍ ହୋଇପାରେ । କିନ୍ତୁ ସମାଜ, ନିୟମ, ବିଚାର, ବାତାବରଣ ସବୁକିଛି ଦିନକୁ ଦିନ ପରିବର୍ତ୍ତନ ହେଉଛି । ଏପରି ମଧ୍ୟ ଦେଖାଯାଏ ଶାସକ ଗୋଷ୍ଠୀ ନିଜର ସ୍ୱାର୍ଥ ପାଇଁ କେତେ ପ୍ରକାର ପରିବର୍ତ୍ତନ ଭିତରେ ଗତି କରୁଛନ୍ତି । ତେଣୁ ଦଣ୍ଡ ନିର୍ଣ୍ଣୟ କରିବା ଏକ ଆପେକ୍ଷିକ ନୀତି । ନିରପେକ୍ଷ ନୁହେଁ । କୌଣସି ସମୟରେ ଯାହା ସମାଜରେ ଧର୍ମ ନ୍ୟାୟ ହୋଇଥାଏ, ପରେ ତାହା ଅଧର୍ମ ଓ ଅନ୍ୟାୟ ବି ତ ହୋଇପାରେ । ଏଥିରୁ ପ୍ରମାଣ ହେଉନାହିଁ କି ସ୍ଫଟିକର ବର୍ଣ୍ଣ ଅନୁସାରେ ନ୍ୟାୟ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭୁଲ୍ । ମୋ ସମସ୍ୟାର ସମାଧାନ ଜାଣି କରି ମଧ୍ୟ ତୁମେ ଯଦି ଚୁପ୍ ରହିବ, ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ ଆଉ ସମୟ ନଷ୍ଟ ନକରି ସେ ବେତାଳର ସନ୍ଦେହ ଦୂର କରିବାକୁ ଯାଇ କହିଲେ, “ସମୟ ଅନୁସାରେ ଦଣ୍ଡବିଧିର ପରିବର୍ତ୍ତନ ଏକ ନିର୍ବିବାଦ ସତ୍ୟ । ରାଜା ଚନ୍ଦ୍ରସେନଙ୍କ ପାଇଁ ତାହା ସମସ୍ୟା ନଥିଲା । ବରଂ ସେ ସ୍ଫଟିକ ଦ୍ୱାରା ଏହା ଜାଣିବାକୁ ଚାହୁଁଥିଲେ ଯେ ସେ ଦେଉଥିବା ଦଣ୍ଡ ଅପରାଧ ପରିପ୍ରେକ୍ଷିରେ ଅଧିକ ନା କମ୍ । ସ୍ଫଟିକଟି ମଧ୍ୟ ଏକ ସାଧାରଣ ଚିଜ ନୁହେଁ । ଏହା ମୁନିଙ୍କର ତପସ୍ୟା ଶକ୍ତିରୁ ଉତ୍ପନ୍ନ । ସମୟ ଓ ସାମାଜିକ ନିୟମ ପ୍ରଭୃତି ପରିବର୍ତ୍ତନ ହେଲେ ମଧ୍ୟ ସେ ତାହାର କାମ କରିବ ଓ ପ୍ରକୃତ ସତ୍ୟ ପ୍ରକାଶ କରିବ । ତେଣୁ ତାହାଥିଲା ସମୟାତୀତ ଏକ ଅଲୌକିକ ଶକ୍ତିସମ୍ପନ୍ନ ସ୍ଫଟିକ । ତେଣୁ ସେ ଯାହା ଦେଖାଇବ, ତାହା ଯଥାର୍ଥ ନ୍ୟାୟ ହେବାକୁ ବାଧ୍ୟ, ସମାଜର ନୀତି ସହିତ ତାହାର କୌଣସି ବିଶେଷ ସମ୍ପର୍କ ନାହିଁ । କାରଣ ନ୍ୟାୟଶାସ୍ତ୍ରଜ୍ଞର ଦୋଷତୃଟି ଥାଇପାରେ । ମାତ୍ର ତପସ୍ୟାପ୍ରସୂତ ଏହି ସ୍ଫଟିକର ସେସବୁ କିଛି ନାହିଁ । ପୁଣି ସ୍ଫଟିକ ଦଣ୍ଡବିଧାନ ନିଜେ କରିପାରୁ ନାହିଁ ।
କିନ୍ତୁ ବିବେକବାନ୍ ଲୋକ ହାତରେହିଁ ତାହା ପ୍ରକୃତ ନ୍ୟାୟ ଦେଉଛି; ଜଣେ ଅବିବେକୀ ହାତରେ ତାହା ଥିଲେ ସେ ସ୍ଫଟିକର ସଙ୍କେତକୁ ନିଜ ସ୍ୱାର୍ଥ ପାଇଁ ଉପେକ୍ଷା କରିପାରେ । ତେଣୁ ରାଜାଙ୍କ ହାତରେ ତାହା ଯଥାର୍ଥରେ କାମ ଦେବ ଏବଂ ରାଜା ଜୟସେନ୍ ସ୍ଫଟିକ ଦ୍ୱାରା ବହୁତ ସାହାଯ୍ୟ ପାଉଛନ୍ତି । ତମେ ଯଦି ଭାବୁଛ ଗରିବ ଲୋକର ଚତୁର୍ଥ ପୁତ୍ରର ଦଣ୍ଡ ନିର୍ଣ୍ଣୟ ସ୍ଫଟିକର ସଙ୍କେତ ଅନୁସାରେ ଠିକ୍ ହୋଇଗଲା ବୋଲି ସେ ଜ୍ଞାନୀ ହୋଇପାରେ ନ ହୋଇ ମଧ୍ୟ ପାରେ, ତେବେ ତୁମରି ଭାବନା ହିଁ ପ୍ରମାଦ ପୂର୍ଣ୍ଣ ।”
ରାଜା ବେତାଳର ପ୍ରଶ୍ନର ଉତ୍ତର ଦେବାରୁ ତାଙ୍କର ମୌନଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ପୁଣି ଖସି ପୂର୍ବୋକ୍ତ ଗଛରେ ଯାଇ ଝୁଲିପଡିଲା ।