ଶକ୍ର ତାଙ୍କୁ ଗୋଟିଏ ଢୋଲ ଦେଇ କହିଲେ, “ଏହି ଢୋଲର ଡାହାଣ ପାଖେ ଆଘାତ କଲେ ହାତୀମାନେ ପଳାଇଯିବେ । ବାଁ ପାଖେ ଆଘାତ କଲେ ସେମାନେ ତୁମ ସହିତ ବନ୍ଧୁତା କରିବେ ଓ ଚତୁରଙ୍ଗ ସୈନ୍ୟ ଘେନି ତୁମକୁ ସାହାଯ୍ୟ କରିବେ ।”
ଶେଷରେ ଶକ୍ର ସବାସାନଭାଇ ପାଖକୁ ଯାଇ ସେହିପରି ପଚାରିବାରୁ ସେ କହିଲେ, “ମୋର ଗୋଟିଏ ରୋଗ ହୋଇଛି । ଦହି ଖାଇବା ମୋର ଦରକାର ପଡୁଛି । ମୋତେ କିଛି ଦହିଦିଅ ।”
ଶକ୍ର ତାଙ୍କୁ ଗୋଟିଏ ପାତ୍ର ଦେଇ କହିଲେ, “ଏହାକୁ ହଲାଇ ହଲାଇ ତୁମେ ଯାହା ମାଗିବ, ତାହା ଏଥିରୁ ବାହାରିବ । ଦହି, ଦୁଧ, ଘିଅ, ଟଙ୍କା, ସୁନା ଯାହାଇଚ୍ଛା ତାହା ମାଗିପାର । ଏହାଦ୍ୱାରା ତୁମେ ଇଚ୍ଛାକଲେ ଗୋଟାଏ ରାଜ୍ୟ ମଧ୍ୟ ପାଇପାରିବ ।”
ଶକ୍ର ସ୍ୱର୍ଗକୁ ଫେରିଗଲେ । ତିନିଭାଇଙ୍କର ଇଚ୍ଛା ପୂର୍ଣ୍ଣ ହେଲା । କୁରାଢି ବଡଭାଇଙ୍କୁ ନିଆଁ ଦେଲା; ଢୋଲ ଯୋଗୁଁ ମଝିଆଁଭାଇ ହାତୀମାନଙ୍କୁ ଦୂରରେ ରଖିଲେ ଓ ସାନଭାଇ ପାତ୍ରରୁ ଯଥେଷ୍ଟ ଦହି ପାଇଲେ ।
ଏହି ସମୟରେ ଗୋଟିଏ ଗ୍ରାମ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବାରୁ ଲୋକେ ତାହାକୁ ଛାଡି ଚାଲିଗଲେ । ସେହି ଗ୍ରାମର ଧ୍ୱଂସ ସ୍ତୂପରେ ଗୋଟିଏ ବରାହ ଆସି ବାସ କରିବାକୁ ଲାଗିଲା । ଦିନେ ସେ ଧ୍ୱଂସସ୍ତୂପ ମଧ୍ୟରୁ ଗୋଟିଏ ରତ୍ନ ପାଇଲା । ଏହାର ବିଚିତ୍ର ଶକ୍ତି ଥିଲା । ଏହାକୁ ବରାହ ଦନ୍ତରେ ଧରିବା ମାତ୍ରେ ସେ ଆକାଶ ଉପରକୁ ଉଠି ଉଡିବାକୁ ଲାଗିଲା । ଶୂନ୍ୟରେ ରହି ସେ ସମୁଦ୍ର ମଧ୍ୟରେ ଗୋଟିଏ ଦ୍ୱୀପ ଦେଖିଲା । ଦ୍ୱୀପଟିର ରମଣୀୟ ଦୃଶ୍ୟରେ ମୁଗ୍ଧ ହୋଇ ସେ ସେହି ଦ୍ୱୀପର ଗୋଟିଏ ବୃକ୍ଷ ମୂଳରେ ବାସ କରିବାକୁ ଲାଗିଲା ।
କାଶୀ ରାଜ୍ୟରେ ଜଣେ ଯୁବକ ଥିଲା । ସେ କର୍ମକୁଣ୍ଠ ଓ ବିଳାସପରାୟଣ ହୋଇଥିବାରୁ ତା’ର ପିତାମାତା ତାକୁ ଗୃହରୁ ତଡିଦେଲେ । ସେ ଇତସ୍ତତଃ ଭ୍ରମଣ କରୁ କରୁ ଗୋଟିଏ ବନ୍ଦରରେ ଉପସ୍ଥିତ ହେଲା । ଗୋଟିଏ ଜାହାଜରେ ସେ ଖଲାସି କାର୍ଯ୍ୟରେ ନିଯୁକ୍ତ ହୋଇ ପୃଥିବୀର ନାନାସ୍ଥାନ ଦେଖିଲା । ଦୈବାତ୍ ସମୁଦ୍ରରେ ଯାଉଥିବା ସମୟରେ ଜାହାଜ ଜଳମଗ୍ନ ହେଲା । ଯୁବକଟି ଜୀବନ ରକ୍ଷାପାଇଁ ସନ୍ତରଣ କରି କରି ସେହି ଦ୍ୱୀପରେ ଲାଗିଲା । ଖାଦ୍ୟ ଅନ୍ୱେଷଣ କରୁ କରୁ ସେ ଗୋଟିଏ ବୃକ୍ଷମୂଳରେ ପହଁଚିଲା । ସେତେବେଳକୁ ବରାହ ରତ୍ନଟିକୁ ପାଖରେ ରଖି ବୃକ୍ଷମୂଳରେ ଶୋଇଥିଲା । ଯୁବକ ଅମୂଲ୍ୟ ରତ୍ନଟିକୁ ଦେଖି ତାହାକୁ ନେଇଆସିଲା । ରତ୍ନଟିକୁ ଧରିବାକ୍ଷଣି ସେ ଆକାଶମାର୍ଗକୁ ଉଠିଗଲା । କିଛିଦୂର ଯାଇ ସେ ଗୋଟିଏ ବଟବୃକ୍ଷ ଉପରେ ଓହ୍ଲାଇ ଭାବିଲା, “ଏହି ରତ୍ନର ପ୍ରଭାବରେ ବରାହ ଆକାଶମାର୍ଗରେ ଏ ଦ୍ୱୀପକୁ ଆସି ରହିଅଛି । ଆଗ ଏହାକୁ ବଧ କରି ଏହାର ମାଂସ ଖାଇବି । ତାପରେ ଅନ୍ୟତ୍ର ଯିବି” ।