ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦଧିବାହନ ଜାତକ

         ଏହା ବିଚାରି ସେ ବରାହ ଉପରକୁ କେତୋଟି ବଟଫଳ ନିକ୍ଷେପ କଲା । ସେ ନିଦ୍ରାରୁ ଉଠି ନିକଟରେ ରତ୍ନଟିକୁ ଦେଖିନପାରି ଭୟରେ ଏଣେତେଣେ ଦଉଡିଲା । ତାହାର ଏ ଅବସ୍ଥା ଦେଖି ଯୁବକ ହସିଉଠିଲା । ତହୁଁ ବରାହ କ୍ରୋଧରେ ତାକୁ ଧରିବାପାଇଁ ଗଛ ଉପରକୁ ଲମ୍ପ ପ୍ରଦାନ କଲା; କିନ୍ତୁ ଗୋଟିଏ ଶାଖାରେ ତାହାର ମସ୍ତକ ବାଜିବାରୁ ସେ ପ୍ରାଣତ୍ୟାଗ କଲା । ଯୁବକ ବୃକ୍ଷରୁ ଓହ୍ଲାଇଆସି ବରାହଟିକୁ ଅଗ୍ନିରେ ଦଗ୍ଧ କରି ତା’ର ମାଂସରେ ଉଦର ପୂର୍ଣ୍ଣ କଲା ।

         ତାପରେ ସେ ରତ୍ନ ସାହାଯ୍ୟରେ ପୁଣି ଶୂନ୍ୟମାର୍ଗରେ ଗତି କରିବାକୁ ଲାଗିଲା । ଅନେକ ଦୂର ଯିବାପରେ ସେ ହିମାଳୟର ପାଦଦେଶରେ ପହଁଚି ତିନୋଟି କୁଟୀର ଦେଖିଲା । ସେ ସେହି ସ୍ଥାନରେ ଆକାଶରୁ ଅବତରଣ କରି ପ୍ରଥମେ ବଡଭାଇର କୁଟୀରକୁ ଗଲା । ସନ୍ନ୍ୟାସୀ ତାକୁ ଯଥାବିଧି ଆତିଥ୍ୟ ପ୍ରଦର୍ଶନ କରି କୁଟୀରରେ ରଖିଲେ । ଦୁଇ ତିନି ଦିନ ରହିବା ପରେ ସେ କୁରାଢିଟିର ଅଦ୍ଭୁତ ଶକ୍ତି ଲକ୍ଷ୍ୟ କରିପାରିଲା ଓ ତାହାକୁ ହସ୍ତଗତ କରିବାପାଇଁ ଲୋଭ କଲା । ସେ ନିଜର ରତ୍ନଟିର ଗୁଣ ବର୍ଣ୍ଣନା କରି ତାହା ପରିବର୍ତରେ କୁରାଢିଟି ନେବାର ଇଚ୍ଛା ପ୍ରକାଶ କଲା । ସନ୍ନ୍ୟାସୀଙ୍କର ମଧ୍ୟ ଆକାଶରେ ବିହାର କରିବାର ଅଭିଳାଷ ଜନ୍ମିଲା । ତେଣୁ ସେ ନିଜର କୁରାଢିଟି ଦେଇ ରତ୍ନଟି ରଖିଲେ ।

         ଯୁବକ କୁରାଢିକୁ ଧରି କିଛିଦୂର ଯିବା ପରେ ତାକୁ ଆଘାତ କରି କହିଲେ, “ଯାଅ, ସେ ସନ୍ନ୍ୟାସୀକୁ ମାରି ତା’ଠାରୁ ମୋ ରତ୍ନ ନେଇଆ ।” କୁରାଢି ଏହି ଆଦେଶ ପାଳନ କରି ରତ୍ନଟି ଆଣି ତାକୁ ଦେଲା ।

         ଯୁବକ କୁରାଢିକୁ ଗୋଟିଏ ଗୋପନ ସ୍ଥାନରେ ରଖିଦେଇ ମଝିଆଁ ଭାଇଙ୍କ କୁଡିଆକୁ ଗଲା । ତାଙ୍କ ପାଖରେ ଦୁଇ ତିନି ଦିନ ରହି ସେ ଢୋଲଟିର ଅଦ୍ଭୁତ ଶକ୍ତି ଜାଣିପାରିଲା । ତାଙ୍କୁ ନିଜର ରତ୍ନର ଗୁଣ କହି ଲୋଭ ଜନ୍ମାଇ ତାଙ୍କଠାରୁ ଢୋଲଟିକୁ ନେଲା ଓ ତା ପରିବର୍ତରେ ରତ୍ନଟି ଦେଲା । କିନ୍ତୁ ସେଠାରୁ ଯିବା ପରେ କୁରାଢିକୁ ଆଦେଶ ଦେଲା, “ଯାଆ, ସେ ସନ୍ନ୍ୟାସୀକୁ ମାରି ତା’ଠାରୁ ରତ୍ନ ଆଣି ମୋତେ ଦେ ।” କୁରାଢି ତାହାହିଁ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ