ଠିକ୍ ଏହି କୌଶଳରେ ସେ ସାନଭାଇର ପାତ୍ରଟିକୁ ହସ୍ତଗତ କଲା । ଏହିପରି ସେ ଅଦ୍ଭୁତ ଶକ୍ତି ସମ୍ପନ୍ନ ଚାରୋଟି ବସ୍ତୁର ଅଧିକାରୀ ହେଲା ।
ଏବେ ସେ ଆକାଶମାର୍ଗରେ ଯାଇ ବାରାଣସୀ ନିକଟରେ ଉପସ୍ଥିତ ହେଲା ଓ ରାଜାଙ୍କ ପାଖକୁ ସମ୍ବାଦ ଦେଲା- “ମୋ ହସ୍ତରେ ରାଜ୍ୟ ଅର୍ପଣ କର, ନଚେତ୍ ଆସି ମୋ ସଂଗେ ଯୁଦ୍ଧ କର ।”
ରାଜା ଏହି ସମ୍ବାଦରେ କ୍ରୋଧାନ୍ଧ ହୋଇ ତାହାକୁ ଉଚିତ୍ ଶିକ୍ଷା ଦେବାପାଇଁ ସୈନ୍ୟସାମନ୍ତ ସହ ଯୁଦ୍ଧକୁ ବାହାରିଲେ । ଯୁବକ ଢୋଲରେ ଆଘାତ କଲାମାତ୍ରେ ସହସ୍ର ସହସ୍ର ସୈନ୍ୟ ଆବିର୍ଭୂତ ହେଲେ । ଯୁବକ ପାତ୍ରଟିକୁ ଆଘାତ କଲା । ସେଥିରୁ ଦହିର ଗୋଟିଏ ପ୍ରବଳ ସ୍ରୋତ ବାହାରି ରାଜାଙ୍କ ସୈନ୍ୟମାନଙ୍କୁ ଭସାଇନେଲା । ଯୁବକର ସୈନ୍ୟବଳ ଓ ଦହିର ସୁଅରେ ରାଜାଙ୍କ ସୈନ୍ୟମାନେ ବିନାଶପ୍ରାପ୍ତ ହେଲେ । ତାପରେ ଯୁବକ କୁରାଢିକୁ ଆଘାତ କରି ଆଦେଶ ଦେଲା, “ଯାଆ, କାଶୀରାଜାର ମୁଣ୍ଡ କାଟିଆଣି ମୋତେ ଦେ ।” ମୁହୂର୍ତକ ମଧ୍ୟରେ କାଶୀରାଜାଙ୍କର ମସ୍ତକ ତା’ର ପାଦତଳେ ଭୂଲୁଣ୍ଠିତ ହେଲା ।
ଯୁବକ ତା’ର ସୈନ୍ୟଦଳ ଘେନି ନଗର ଅଧିକାର କଲା ଓ ନିଜକୁ ସିଂହାସନରେ ଅଭିଷିକ୍ତ କରାଇଲା । ଦଧିର ସ୍ରୋତଦ୍ୱାରା ରାଜ୍ୟ ଅଧିକାର କରିଥିବାରୁ ସେ ରାଜପଦରେ ବସି ଦଧିବାହନ ନାମ ଧାରଣ କଲା ।
ଦିନେ ରାଜା ନଦୀକୂଳରେ ବସି ନଦୀରେ ଜାଲ ପକାଉଥିଲେ । ଜଳରେ ଭାସି ଆସିଥିବା ଗୋଟିଏ ଆମ୍ବ ଜାଲରେ ପଡିଲା । ଏହି ଆମ୍ବଟିର ଆକାର ଅତି ବୃହତ୍ ଓ ଏହାର ରଙ୍ଗ ସୁନାର ରଙ୍ଗ ପରି ଥିଲା । ରାଜା ସେହି ଆମ୍ବକୁ ଖାଇ ଦେଖିଲେ, ଏହାର ରସ ଅମୃତତୁଲ୍ୟ ମଧୁର । ସେ ଟାକୁଆଟିକୁ ନେଇ ନିଜ ଉଦ୍ୟାନରେ ପୋତିଦେଲେ । ଯଥାସମୟରେ ଟାକୁଆରୁ ଗଛ ହୋଇ ଫୁଲ ଫଳ ଧରିଲା । ଫଳ ପାଚିବାରୁ ରାଜା ଉଦ୍ୟାନରେ ଏକ ବିରାଟ ଉତ୍ସବ କରାଇଲେ ଓ ବୃକ୍ଷଟିକୁ ପୂଜା କରାଇଲେ । ଏହାର ଫଳ ମଧ୍ୟ ବୃହଦାକାର, ସ୍ୱର୍ଣ୍ଣାଭ ଓ ମଧୁର ଥିଲା । ରାଜା ଦଧିବାହନ ଏହି ଆମ୍ବକୁ ବନ୍ଧୁ ରାଜାମାନଙ୍କ ପାଖକୁ ଉପହାର ସ୍ୱରୂପ ପଠାଇଲେ; କିନ୍ତୁ ପଠାଇବା ପୂର୍ବରୁ ତାହାର ଟାକୁଆକୁ କଣାକରି ଦେଉଥିଲେ; ଯେପରିକି ଅନ୍ୟ କେହି ସେ ଜାତିର ଆମ୍ବଗଛ ଉତ୍ପାଦନ କରିପାରିବେନାହିଁ ।
ରାଜାମାନେ ସେହି ଆମ୍ବର ଟାକୁଆ ପୋତିଲେ; କିନ୍ତୁ ସେଥିରେ ଗଛ ହେଲା ନାହିଁ । ସେମାନେ ଅନୁସନ୍ଧାନ କରି ପ୍ରକୃତ କାରଣ ଜାଣିପାରିଲେ । ସେମାନଙ୍କ ମଧ୍ୟରୁ ଜଣେ ରାଜାଙ୍କର ଗୋଟିଏ ମାଳୀ ଥିଲା । ସେ ତାକୁ କହିଲେ, “ତୁ ଦଧିବାହନ ରାଜାଙ୍କ ଆମ୍ବଗଛର ଫଳକୁ ପିତା କରିଦେଇ ପାରିଲେ, ଯଥେଷ୍ଟ ପୁରସ୍କାର ପାଇବୁ ।”