ଜଣେ ମନ୍ତବ୍ୟ ଦେଲା, “ବାପ୍ରେ ବାପ୍! ତୁ ବାସ୍ତବିକ ଦରବାରୀ ପେଟୁ ହେବାର ଯୋଗ୍ୟ ।”
ଏହି କଥାଟି ଦୁର୍ଯ୍ୟୋଧନ ମନକୁ ବେଶ୍ ପାଇଲା ।
ଦରବାରୀ ପେଟୁ ବୋଇଲେ ଏଇଆ ବୁଝାଉଥିଲା: ରାଜ୍ୟର ରାଜା ବର୍ଷକେ ଥରେ ଗୋଟାଏ ପେଟୁ-ପ୍ରତିଯୋଗିତା କରାଉଥିଲେ । ଯିଏ ସବୁଠାରୁ ବେଶି ଖାଇ ପାରୁଥିଲା, ସେ ଦରବାରୀ ପେଟୁ ଉପାଧି ପାଉଥିଲା । ବର୍ଷକ ଯାଏଁ ସେ ରାଜାଙ୍କ ଅତିଥିଭବନରେ ମାଗଣା ଖାଇପିଇ ରହିବାର ସୁଯୋଗ ପାଉଥିଲା । ସେ ବର୍ଷକ ଭିତରେ ତା’ର ଯାହା ଇଚ୍ଛା, ତାକୁ ସେଇଆ ଖାଇବାକୁ ଦିଆ ଯାଉଥିଲା ।
ଦରବାରୀ-ପେଟୁ ହୋଇ ପାରିଲେ କେଡେ ସୁଖରେ ସମୟ ଅତିବାହିତ ହେବ, ସେ ସ୍ୱପ୍ନ ଦୁର୍ଯ୍ୟୋଧନକୁ ଅତ୍ୟନ୍ତ ବିଭୋର କଲା । ସେ ମନେ ମନେ ଗଭୀର ଉତ୍ତେଜନା ଅନୁଭବ କରିବା ସତ୍ତ୍ୱେ ତାକୁ ସେ ଚାପି ରଖିଲା । ମାତ୍ର ବନ୍ଧୁମାନେ ତା’ ମନକଥା ବୁଝିପାରି ପରସ୍ପର ଅନାଇ ଆଖି ଟିପି ହସିଲେ ।
ଦୁର୍ଯ୍ୟୋଧନ ତା’ ବନ୍ଧୁମାନଙ୍କୁ କହିଲା, “ଭାଇମାନେ! ତମେମାନେ ତେବେ ସେ ଦିଗରେ କିଛି ବ୍ୟବସ୍ଥା କର । ମୁଁ ଯଦି ପ୍ରତିଯୋଗିତାରେ ପ୍ରଥମ ହେବି, ତେବେ ଯାଇ ସିନା ଆମ ଗାଁର ସମ୍ମାନ ବଢିବ ।”
ସେମାନେ ମନ୍ତବ୍ୟ ଦେଲେ, “ଗାଁର ସମ୍ମାନ ତ ନିଶ୍ଚୟ ବଢିବ । ଆଉ ତାଛଡା ତୋର ବନ୍ଧୁ ହିସାବରେ ଆମର ବି କ’ଣ କିଛି କମ୍ ଗୌରବ ହେବ ।”
ଦୁର୍ଯ୍ୟୋଧନ ଉତ୍ସାହ ଅନୁଭବ କରି କହିଲା, “ଭାଇମାନେ, ତେବେ ତମେମାନେ ମୋତେ ସାହାଯ୍ୟ କର । ଯଥା ବିହିତ ବ୍ୟବସ୍ଥା କର ।”
ସାଙ୍ଗମାନେ ପ୍ରଶ୍ନ କଲେ, “ଆମେ କି ବ୍ୟବସ୍ଥା କରିବା?”
ତହୁଁ ଦୁର୍ଯ୍ୟୋଧନ କହିଲା, “ଗାଁର ମୁଖିଆଙ୍କୁ କୁହ, ମୋତେ ବର୍ଷକ ପାଇଁ ଖାଇବା ପିଇବାକୁ ଦେବାର ବନ୍ଦୋବସ୍ତ ଗ୍ରାମ ପାଣ୍ଠିରୁ କରାଯାଉ । ଅଧିକ ଅଧିକ ଖାଇବାର ଅଭ୍ୟାସ ନକଲେ ମୁଁ କିପରି ହଠାତ୍ ଗୁଡାଏ ଖାଇ ପାରିବି?”
ଟୋକାମାନେ ଯାଇ ମୁଖିଆଙ୍କୁ ଏକଥା କହିଲେ । ମୁଖିଆ କହିଲେ, “ଆଚ୍ଛା, ତେବେ ମନ୍ଦରପୁର ଗାଁରୁ ମୁଁ ହନୁମାନ ସିଂହକୁ ଡକାଇବି । ସେ ପାଞ୍ଚବର୍ଷ ତଳେ ଦରବାରୀ ପେଟୁ ହୋଇଥିଲା । ତା’ ସହିତ ଦୁର୍ଯ୍ୟୋଧନ ପ୍ରଥମେ ପ୍ରତିଯୋଗିତା କରୁ । ଯଦି ଦୁର୍ଯ୍ୟୋଧନ ଖାଇବାରେ ତା’ ପାଖାପାଖି ସ୍ତରକୁ ଆସିଯିବ, ତେବେ ଗାଁ ତରଫରୁ ତାକୁ ବର୍ଷେ ପର୍ଯ୍ୟନ୍ତ ଖାଇବାର ବ୍ୟବସ୍ଥା କରିଦେବା ।”
ମୁଖିଆଙ୍କ ଏହି ସିଦ୍ଧାନ୍ତରେ ଦୁର୍ଯ୍ୟୋଧନ ଖୁସି ହେଲା । ସେ ନିଜ ଘରେ ଯେତେଦୂର ସମ୍ଭବ ବେଶି ବେଶି ଖାଇବାକୁ ଲାଗିଲା । ଘରେ ସମସ୍ତେ ତା’ଉପରେ ବିରକ୍ତ ହେଲେ, କିନ୍ତୁ ତା’ ମନ ଖରାପ ହେବ ବୋଲି କେହି କିଛି ବି କହିଲେ ନାହିଁ ।
ହନୁମାନ ସିଂହ ଡକା ହୋଇ ଆସିଲା । ଯଥା ସମୟରେ ସେ ଦୁହିଁଙ୍କ ଭିତରେ ଜିଲିପି ଖିଆ ପ୍ରତିଯୋଗିତା ଆରମ୍ଭ ହେଲା । ପ୍ରଥମେ ଦୁର୍ଯ୍ୟୋଧନ ଗର୍ବିତ ଭାବରେ ଘୋଷଣା କରିଥାଏ କି ସେ ହନୁମାନ ସିଂହକୁ ହରାଇ ଦେବ । କିନ୍ତୁ ତିରିଶଟି ଜିଲିପି ଖାଇ ସାରିବା ବେଳକୁ ସେ ଯେପରି ଆଉ ହଲ୍ ଚଲ୍ ହୋଇ ପାରିବ ନାହିଁ, ତାକୁ ଠିକ୍ ସେହିପରି ଲାଗିଲା । ହନୁମାନ ସିଂହ ଏକାଗ୍ର ଭାବରେ ଖାଇ ଚାଲିଥାଏ । ଜିଲିପି ଛଣା ହେଉଥାଏ ଓ ତା’ ପତରରେ ଦିଆ ହେଉଥାଏ । ଚାଳିଶ, ପଚାଶ, ଷାଠିଏଟି ଖାଇସାରବା ପରେ ବି ହନୁମାନ ସିଂହ ନିର୍ବିକାର ଭାବରେ ଆହୁରି ଖାଇବାକୁ ଅପେକ୍ଷା କରିଥାଏ । ଦୁର୍ଯ୍ୟୋଧନ ବହୁ କଷ୍ଟରେ ଚାଳିଶ ଯାଏଁ ପହଁଚିଲା ଓ ଆଉ ଖାଇ ପାରିବ ନାହିଁ ବୋଲି କହିଲା । ହନୁମାନ ସିଂହ ଶହେଟି ଜୀଲିପି ଖାଇଲା ।