ଏସବୁ ଦେଖି ଭଦ୍ର ବ୍ୟଙ୍ଗଭରା ସ୍ୱରରେ କହିଲେ, “ଏହି ତରବାରୀର ଏପରି କ’ଣ ବା ମହତ୍ୱ ଅଛି? କ’ଣ ଏହାଦ୍ୱାରା ତମେ କେବେବି ହାରି ନାହଁ?”
ବୀର କହିଲେ, “ଆମ ମଧ୍ୟରେ ଖଡ୍ଗଯୁଦ୍ଧ ଯଦି ହୋଇଥାନ୍ତା, ତେବେ ଜାଣିଥାନ୍ତ ଏହି ତରବାରୀର ମହତ୍ୱ କ’ଣ?”
ପରଦିନ ରାଜକୁମାରମାନେ ଘୋଡା ଚଢି ସବୁ ଜଙ୍ଗଲକୁ ଶିକାର କରିବାକୁ ଗଲେ, ଭଦ୍ର ସମସ୍ତିଙ୍କ ଆଗରେ ଯାଉଥିଲେ; ରାଜକୁମାରୀ ମଧ୍ୟ ଯାଉଥିଲେ । ବୀର ତାଙ୍କ ଘୋଡାକୁ ବେଶି ଜୋର୍ରେ ଦଉଡେଇବାକୁ ଚାହୁଁ ନଥିଲେ ବୋଲି ସେ ଧିରେ ଧିରେ ଯାଉଥିଲେ । କିଛି ସମୟ ପରେ ଗୁଣବତୀଙ୍କର ଆଉ ଶିକାର ପାଇଁ ଉତ୍ସାହ ନରହିବାରୁ ସେ ଫେରି ଆସିଲେ ଏବଂ ରାସ୍ତାରେ ବୀରଙ୍କୁ ଦେଖିଲେ ।
ଗୁଣବତୀ ପଚାରିଲେ, “ଆପଣଙ୍କର ଶିକାର କରିବାକୁ କୌଣସି ଇଚ୍ଛା ନାହିଁ ।”
ବୀର କହିଲେ, “ଇଚ୍ଛା ଅଛି, କିନ୍ତୁ ମୋ ଘୋଡା ଆମବଂଶର ସମସ୍ତିଙ୍କର ସେବା କରି କରି ବୁଢା ହେଲାଣି । ତାକୁ ଅଧିକ ପରିଶ୍ରମ କରାଇବାକୁ ମୁଁ ଆଉ ଚାହେଁ ନାହିଁ । ସମସ୍ତେ ଶିକାର କରିବାକୁ ଯାଉଛନ୍ତି ବୋଲି ମୁଁ ମଧ୍ୟ ଆସିଲି । ଭାବିଲି ଏହା ହୁଏତ ତୁମ ରାଜ୍ୟର ସ୍ୱୟମ୍ବରର ଏକ ବିଧାନ ।”
ଗୁଣବତୀ କହିଲେ “ମନେ ହେଉଛି ଭଲ ଘୋଡା ନ ପାଇବାରୁ ଆପଣ ପଛରେ ପଡି ଯାଇଛନ୍ତି । ମୋ ଘୋଡା ଆପଣ ନିଅନ୍ତୁ ଓ ଆପଣଙ୍କ ଘୋଡା ମୋତେ ଦିଅନ୍ତୁ ।”
ବୀର କହିଲେ “ମୋ ଘୋଡାକୁ ମୁଁ ବହୁତ ଭଲ ପାଏ । ତେଣୁ ମୁଁ ତାକୁ କେବେବି ଛାଡିପାରିବି ନାହିଁ ।”
“କାଲି ଯେତେବେଳେ ଆପଣ ତରବାରୀ ଦେଉଥିଲେ ସେତେବେଳେ କହିଲେ କି ଏହି ତରବାରୀ ଖୁବ୍ ମହତ୍ୱପୂର୍ଣ୍ଣ । ତେବେ କାଲିର କଥା କ’ଣ ମିଛ ଥିଲା?” ଏତିକି କହି ଗୁଣବତୀ ନିଜ ଘୋଡାକୁ ଦୌଡାଇ ନେଇ ଚାଲିଗଲେ ।
ସ୍ୱୟମ୍ବରର କାର୍ଯ୍ୟକ୍ରମ ସମାପ୍ତ ହେଲା । ଗୁଣବତୀ ନିଜର ପସନ୍ଦ କଥା ମାସେ ପରେ ଶୁଣାଇବେ । ଅତିଥିମାନେ ଲେଉଟି ଗଲେ । ଗୁଣବତୀ ସମସ୍ତିଙ୍କୁ ବିଦାୟ ଦେଲେ । କେବଳ ବୀରଙ୍କୁ ଭଲମନ୍ଦ କିଛି କହିଲେ ନାହିଁ । ସେ ବୀରଙ୍କ ଆଡକୁ ଚାହିଁଲେ ନାହିଁ ମଧ୍ୟ । ବୀରଙ୍କୁ ଏକଥା ବଡ ବାଧିଲା ।
ନଗର ଛାଡି ବୀର ଯେତେବେଳେ ଚାଲିଗଲେ ରାସ୍ତାରେ ସେ ଜଣେ ଗାଈଆଳକୁ ଭେଟିଲେ ବୀର ତାକୁ କହିଲେ, “ଏବେ ତୁମେ ଯାହା ଦେଖିବ, ତାହାର ପୁରା ବିବରଣୀ ରାଜକୁମାରୀଙ୍କୁ ଦେବ । ସେ ଘୋଡାରୁ ଓହ୍ଲାଇ ଘୋଡାଟିକୁ ଗାଈଆଳକୁ ଦାନ କରିଦେଇ ଚାଲି ଚାଲି ଗଲେ । ଯିବାବେଳେ ଘୋଡାକୁ ଆଉଁସି ଦେଇ ସେ କହିଲେ, “ହେ ମୋର ପ୍ରିୟ ଅଶ୍ୱ, ତୋତେ ମୁଁ ଆଜି ରାଜକୁମାରୀ ଗୁଣବତୀଙ୍କ ପାଇଁ ଉତ୍ସର୍ଗ କରି ଯାଉଛି । ତୋତେ ମୁଁ ଆଉ ଗ୍ରହଣ କରିବି ନାହିଁ ।” ଗାଈଆଳ ଘୋଡାଟି ପାଇ ମହାଖୁସି । ପରେ ସେ ଯାଇ ରାଜକୁମାରୀକୁ ସବୁକଥା କହିଲା ।
ଏହି ଘଟଣାର ଠିକ୍ ସପ୍ତାହକ ପରେ ବୀର ଦେଖିଲେ କି ତାଙ୍କ ଘର ସମ୍ମୁଖରେ ଏକ ସୁନ୍ଦର ଘୋଡା ବନ୍ଧାହୋଇଛି ବୀର ଏଥିରୁ ବୁଝିଲେ କି ଏହି ଘୋଡା ବୋଧହୁଏ ଗୁଣବତୀହିଁ ପଠାଇଛନ୍ତି । ତେଣୁ ସେ ବହୁତ ଖୁସି ହେଲେ ।
ମାସକ ପରେ ପୁଣି ରାଜକୁମାରମାନେ ଗୁଣବତୀଙ୍କ ପତି ନିର୍ବାଚନ ଶୁଣିବା ପାଇଁ ସେଠାକୁ ଆସିଲେ । ସମସ୍ତେ ଜାଣିଥିଲେ କି ସେ ନିଶ୍ଚୟ ଭଦ୍ରଙ୍କୁ ହିଁ ପସନ୍ଦ କରିବେ । କିନ୍ତୁ ସେ ବୀରଙ୍କୁହିଁ ନିଜର ପତି ବୋଲି ଘୋଷଣା କଲେ । ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଭଦ୍ର ଉତ୍ତେଜିତ ହେଲେ ।
“ମୁଁ ବୀରଙ୍କର ଶକ୍ତି ଏବେ ପର୍ଯ୍ୟନ୍ତ ଦେଖି ନାହିଁ । ତେଣୁ ମୁଁ ଏବେ ତାଙ୍କୁ ଦ୍ୱନ୍ଦଯୁଦ୍ଧକୁ ଆହ୍ୱାନ କରୁଛି ।”
ବୀର କହିଲେ, “ଆଜି ଶିକାର କରିବାକୁ ଯିବା । ଫେରିବା ବାଟରେ ଆପଣମାନଙ୍କ ମଧ୍ୟରୁ ଯାହା ସହିତ ବି ମୁଁ ଦ୍ୱନ୍ଦଯୁଦ୍ଧ କରିବାକୁ ପ୍ରସ୍ତୁତ ।”
ଅତିଥିମାନେ ଶିକାର କରିବାକୁ ଗଲେ ଓ ସାରାଦିନ ଶିକାର କରି ସଂଧ୍ୟାକୁ ଶିକାର କରିଥିବା ଜନ୍ତୁମାନଙ୍କୁ ଧରି ନଅରକୁ ଫେରିଲେ । ଭଦ୍ର ଓ ବୀର କେବଳ ଫେରି ନଥିଲେ । ଗୁଣବତୀଙ୍କର ଭୟ ହେଲା କାଳେ କେହି କ୍ରୁର ଜନ୍ତୁ ସେମାନଙ୍କୁ ଖାଇ ଦେଇ ନାହାଁନ୍ତି ତ? ସଂଧ୍ୟାବେଳକୁ ଭଦ୍ର ଫେରି ଆସିଲେ । କିନ୍ତୁ ବୀର ଫେରିଲେ ନାହିଁ । ଅନେକ ରାତ୍ରି ପର୍ଯ୍ୟନ୍ତ ସେ ନଫେରିବାରୁ ସମସ୍ତେ ରାତ୍ରିଭୋଜନ କରିବାକୁ ବସିଗଲେ । ସେତେବେଳେ ଯାଇ ବୀର ଫେରିଲେ । ତାଙ୍କୁ ଦେଖିଲେ ମନେ ହେଉଥିଲା କି ସେ କୌଣସି ମୃତ ଜନ୍ତୁଙ୍କୁ ସଙ୍ଗରେ ଆଣି ନଥିଲେ ।
ଭଦ୍ର ବ୍ୟଙ୍ଗଭରା ସ୍ୱରରେ ପଚାରିଲେ “ବଡ ଡେରି କଲ ରାଜକୁମାର । ମୁଁ ଭାବିଥିଲି ଶିକାର କରୁ କରୁ ଡେରି ହେଲା । କିନ୍ତୁ ଶିକାର କାହିଁ?”
ବୀର କହିଲେ “ମୁଁ ଅଧିକ ଜନ୍ତୁମାନଙ୍କୁ ମାରି ନାହିଁ । ଶିକାର ମିଳିବା ବା ନମିଳିବା ଦୈବାଧିନ ।”
ଭଦ୍ର ପ୍ରଶ୍ନକଲେ “ଦେଖାଅତ କ’ଣ ଶିକାର ଆଣିଛ?”
ବୀର କହିଲେ, “ଶିକାର ତ ମୁଁ ନିଶ୍ଚୟ ଆଣିଛି କିନ୍ତୁ ତାହା ମଣିଷ; ହେଲେ ଶିକାର ଏପଟକୁ ଆସିବାକୁ ମଙ୍ଗୁ ନାହାଁନ୍ତି ।”
ଭଦ୍ର ପଚାରିଲେ “କ’ଣ ସେ ଶିକାରଟି ଜୀବନ୍ତ?”
“ପାଖ ଘରେ ଯାଇ ଦେଖିଆସ” ଏହା କହି ଭଦ୍ର ଚୁପ୍ ରହିଲେ । କୌତୁହଳ ଦମନ କରି ନପାରି ଭଦ୍ର ଓ ଅନ୍ୟାନ୍ୟ କୁମାରମାନେ ଉଠିଯାଇ ଦେଖିଲେ ଦୁର୍ଦ୍ଦଷ ରାଜା ଦୁର୍ଜୟ ବନ୍ଦୀ ହୋଇ ଠିଆ ହୋଇଛନ୍ତି ।
ଏହି ଦୃଶ୍ୟ ଦେଖି ସମସ୍ତେ ନିର୍ବାକ୍ ହୋଇଗଲେ । କିଛି ସମୟ ବିତିଯିବା ପରେ ସମସ୍ତେ ଅତ୍ୟାଚାରି ଦୁର୍ଜୟଙ୍କର ପରାଜୟ ଦେଖି ବୀରଙ୍କୁ ବହୁତ ପ୍ରଶଂସା କଲେ । ଭଦ୍ର ଚୁପ୍ ରହିଲେ ।
ପିତାଙ୍କର ବଳ ଉପରେହିଁ ଭଦ୍ର ନିଜର ବଡ ପଣ ଦେଖାଉଥିଲେ । ଏତେ ବଡ ଶୁରବୀରଙ୍କୁ ହରାଇଥିବା ପରାକ୍ରମୀ ବୀରଙ୍କୁ ଦେଖି ସେ ଭୟଭୀତ ହେଲେ । ସେଥିପାଇଁ ବୀରଙ୍କୁ ଦ୍ୱନ୍ଦଯୁଦ୍ଧକୁ ଆହ୍ୱାନ କରିବାକୁ ତାଙ୍କର ଆଉ ସାହସ ହେଲା ନାହିଁ । ତାଙ୍କ ଉପରେ ପ୍ରତିଶୋଧ ନେବାକୁ ମଧ୍ୟ ସେ ଆଉ ସାହସ କଲେ ନାହିଁ ।
ପରେ ବୀର ଓ ଗୁଣବତୀଙ୍କର ବିବାହ ହେଲା । ଅନ୍ୟାନ୍ୟ ରାଜକୁମାରମାନେ ସେହି ଉତ୍ସବରେ ଭାଗ ନେଲେ । ତା’ପରେ ଭଦ୍ର ସେହି ଦୁର୍ଗ ଛାଡି କେତେକ ସାଥି ନେଇ କେଉଁଆଡେ ଚାଲିଗଲେ । ବୀର ସେହି ଦୁର୍ଗକୁ ନିଜ ବଶରେ ରଖିଲେ । ଅନ୍ୟାନ୍ୟ ପଡୋଶୀ ରାଜ୍ୟ ସହିତ ସେ ଭଲ ସମ୍ପର୍କ ରଖିଲେ । ତା’ପରେ ଗୁଣବତୀଙ୍କ ସହିତ ସେ ଭଲ ଭାବରେ ଶାସନ ଚଳାଇଲେ ।