ଶିଶୁ ରାଜକୁମାର ଟିକିଏ ଇତସ୍ତତଃ କରି ଭାଲୁକୀ ପାଖକୁ ଗଲେ । ରାଜପୁତ୍ରଙ୍କୁ କୋଳରେ ଧରି ଭାଲୁକୀ ନାଚି ନାଚି ଚାଲିଗଲା । ପଛେ ପଛେ ମଙ୍କୁ ଆନନ୍ଦରେ ଚାଲିଥାଏ । ସନ୍ନ୍ୟାସୀ ସନ୍ତୋଷ ସହକାରେ ଅନାଇ ରହିଥାନ୍ତି ।
କିନ୍ତୁ ଯେତେବେଳେ ତାଙ୍କ ଆଖି ରାଣୀଙ୍କ ଉପରକୁ ଫେରି ଆସିଲା, ସେ ସେତେବେଳେ ପୁଣି ଗମ୍ଭୀର ଦେଖାଗଲେ । ସେତିକିବେଳେ ରାମୁ ଓ ଗୋବିନ୍ଦ ଲେଉଟି ଆସିଲେ । ଦୁହେଁ ଖୁବ୍ ଉତ୍ୟକ୍ତ ଦିଶୁଥିଲେ । ସନ୍ନ୍ୟାସୀ ପଚାରିଲେ “କଥା କ’ଣ?”
ରାମୁ କହିଲା “ଆଜ୍ଞା, ଆମେ କିଛି ଭଲ ଖବର ଆଣିନାହୁଁ । ରାଜପରିବାର ଉପରେ କୌଣସି ଭୀଷଣ ବିପତ୍ତି ପଡିଛି । ରାଜାଙ୍କୁ ହତ୍ୟା କରାଯାଇଛି ବୋଲି ଜନରବ ।” ଗୋବିନ୍ଦ କହିଲା “ରାଣୀ କୁଆଡେ ଯେ ଗଲେ, ସେକଥା କେହିବି ଜାଣି ନାହାଁନ୍ତି ।”
ସନ୍ନ୍ୟାସୀ ଦୀର୍ଘଶ୍ୱାସ ଛାଡି ରାଣୀଙ୍କ ଆଡେ ଅଙ୍ଗୁଳି ନିର୍ଦ୍ଧେଶ କଲେ । ବିସ୍ମୟରେ ରାମୁ ଓ ଗୋବିନ୍ଦ ପ୍ରଥମେ ଦୁଇପାଦ ପଛକୁ ହଟିଗଲେ । ତା’ପରେ ସେମାନେ ପୁଣି ଆଗକୁ ଯାଇ ରାଣୀଙ୍କୁ ଭଲ ଭାବରେ ଲକ୍ଷ୍ୟ କଲେ ।
ରାମୁ ତା’ କଣ୍ଠସ୍ୱର ନିମ୍ନ କରି ପ୍ରଶ୍ନ କଲା “ଗୁରୁଦେବ! ରାଣୀ କ’ଣ ଆଉ ଜୀବନରେ ନାହାଁନ୍ତି?”
ସନ୍ନ୍ୟାସୀ କହିଲେ “ନାହାଁନ୍ତି । ସେ ଆତତାୟୀ କବଳରୁ ଖସି ଆସି ପାରିଲେ, କିନ୍ତୁ ରାଜପୁତ୍ରକୁ ଆମ ଜିମା ଦେଇ ଶେଷ ନିଃଶ୍ୱାସ ତ୍ୟାଗ କଲେ । ଭାଲୁକୀ ରାଜପୁତ୍ରକୁ ନେଇ ଯାଇଛି ।”
ଗୋବିନ୍ଦ ଦୀର୍ଘନିଃଶ୍ୱାସ ଛାଡି କହିଲା, “ମୁଁ ରାଣୀଙ୍କୁ ତାଙ୍କ ବିବାହ ଦିନ ଯାହା ଦେଖିଥିଲି । ଆଜି ବି ଠିକ୍ ସେହିଭଳି ସେ ସତେଜ୍ ଓ କମନୀୟ ଦିଶୁଛନ୍ତି । ଲୋକେ କହନ୍ତି, ସେ ଆମ ରାଜାଙ୍କଠୁଁ ଦାନ ଦୟା ଗୁଣରେ କୌଣସି ମତେ କମ୍ ନଥିଲେ । ରାଜ୍ୟର କେଡେ ଦୁର୍ଭାଗ୍ୟ ଯେ ଶେଷରେ ଏଭଳି ରାଜା ରାଣୀଙ୍କୁ ହରାଇବାକୁ ପଡିଲା । ଏପରି ହେଲେ ରାଜ୍ୟରେ ଅରାଜକତା ବ୍ୟାପିଯିବା ତ ନିଶ୍ଚିତ ।”
“ରାଣୀ ଯେପରି ବିଶ୍ୱାସରେ ଆମ ହାତରେ ଶିଶୁକୁ ସମର୍ପି ଦେଇଗଲେ, ସେ ବିଶ୍ୱାସ ପ୍ରତି ଆମେ ସମ୍ମାନ ଦେଖାଇବା ଲୋଡା । ଶିଶୁ ରାଜପୁତ୍ର ଯେପରି ଭଲରେ ରହିବେ ଓ ପଢିବେ, ସେ ଦାଇତ୍ତ୍ଵ ଆମର । କ’ଣ କହୁଛ?”
ରାମୁ ଓ ଗୋବିନ୍ଦ କହିଲେ “ଗୁରୁଦେବ! ଆମ ଦ୍ୱାରା ଯାହା କିଛିବି ସମ୍ଭବ, ତାହା ତ ଆମେ ନିଶ୍ଚୟ କରିବା ।”
ସନ୍ନ୍ୟାସୀ କହିଲେ “ବର୍ତ୍ତମାନ ରାଣୀଙ୍କ ଶେଷ କୃତ୍ୟ ସମାପନ କରିବାକୁ ହେବ । ଆମେ ରାଜା କେଉଁଠି, କିପରି ଅବସ୍ଥାରେ ଅଛନ୍ତି, ଜାଣୁନା । ରାଜପରିବାରର ଶତ୍ରୁ ପୁଣି କିଏ, ତା’ର ବଳ କେତେ, ସେକଥା ବି ଆମକୁ ଜଣା ନାହିଁ । ରାଣୀଙ୍କ ମୃତ୍ୟୁ ହୋଇଛି, ଏ ବିଷୟ ଆପାତତଃ କେହିବି ଜାଣିବା ଉଚିତ୍ ନୁହେଁ ।”
ଗୋବିନ୍ଦ ପ୍ରଶ୍ନ କଲା “ରାଣୀ ଆଉ ଇହ ଜୀବନରେ ନାହାଁନ୍ତି, ଏକଥା ଶତ୍ରୁ ଜାଣିଲେ କ୍ଷତି କ’ଣ? ସେମାନେ ରାଣୀଙ୍କର ଆଉ ଅଧିକ କ’ଣ ବା ଅନିଷ୍ଟ କରିବେ?”
ସନ୍ନ୍ୟାସୀ କହିଲେ “କେହି ସିନା ଆଉ ରାଣୀଙ୍କର କୌଣସି ଅନିଷ୍ଟ କରିପାରିବେ ନାହିଁ, କିନ୍ତୁ ରାଜପୁତ୍ରଙ୍କର ଅନିଷ୍ଟ ପାଇଁ ଶତ୍ରୁ କିଆଁ ଚେଷ୍ଟା ନ କରିବ? ରାଣୀ ଏଠି ଆସି ପହଁଚି ମୃତ୍ୟୁବରଣ କରିଥିବା କଥା ଜାଣିଗଲେ ସେମାନେ ବୁଝିଯିବେ ଯେ ଶିଶୁ ରାଜପୁତ୍ର ବି ଏଇଠି କେଉଁଠି ଅଛନ୍ତି । ରାଜବଂଶର ବିନାଶ ଯଦି ସେମାନଙ୍କର ଉଦ୍ଧେଶ୍ୟ ହୋଇଥିବ, ତେବେ ରାଜପୁତ୍ରଙ୍କୁ କିଏ ନିରାପଦ ରଖି ପାରିବ?”
ରାମୁ ଓ ଗୋବିନ୍ଦ ବର୍ତ୍ତମାନର ଅବସ୍ଥା ବୁଝିପାରିଲେ । ସେମାନେ ପଚାରିଲେ, “ଆଜ୍ଞା, ରାଣୀଙ୍କର କି ପ୍ରକାରେ ସତ୍କାର ହେବ? ଦେହ ଦାହ ହେବ ନା ସମାଧିସ୍ଥ ହେବ?”
ସନ୍ନ୍ୟାସୀ କହିଲେ “ରାଣୀଙ୍କ ଇଚ୍ଛା କ’ଣ, ସେକଥା ଜାଣିବାକୁ ହେବ ।” ତା’ପରେ ସେ ପାହାଡର ପାଦଦେଶରେ ଥିବା ଝରଣା ଭିତରକୁ ଯାଇ ସ୍ନାନ ସମାପନ କଲେ । ସ୍ନାନ ପରେ ସେ ରାଣୀଙ୍କ ମୃତ ଦେହ ପାଖରେ ବସି ଧ୍ୟାନସ୍ଥ ହେଲେ । ରାମୁ ଓ ଗୋବିନ୍ଦ ଜଗି ରହିଲେ । କ୍ରମେ ଦିବାଲୋକ ସ୍ପଷ୍ଟ ହେଉଥିଲା । ପକ୍ଷୀମାନେ ଗଛ ଉପରୁ ଉଡିବାକୁ ଓ କାକଳି ଛାଡିବାକୁ ଆରମ୍ଭ କରିଦେଇଥାନ୍ତି । ସେତିକି ଛଡା ଆଉ କିଛି ଶବ୍ଦ ନଥାଏ ।
କିଛି ସମୟ ପରେ, ସନ୍ନ୍ୟାସୀ ଆଖି ଖୋଲି କହିଲେ, “ରାଣୀଙ୍କ ଦେହ-ମୁକ୍ତ ଚେତନାର ଇଚ୍ଛା, ତାଙ୍କ ଦେହ ସମାଧିସ୍ଥ ହେବ । ଶିଶୁ ରାଜପୁତ୍ର ତାଙ୍କ ଉପରେ ଫୁଲ ଦେବେ – ସମାଧି ପୂର୍ବରୁ – ଏକଥା ବି ସେ ଚାହାଁନ୍ତି ।” ତା’ପରେ ସନ୍ନ୍ୟାସୀ ପୁଣି ଉଠିପଡି କହିଲେ, “ଚେତନା ଦେହ ଛାଡିବା ସଙ୍ଗେ ସଙ୍ଗେ ଦେହକୁ ଦାହ ବା ସମାଧିସ୍ଥ କରିବା ଠିକ୍ ନୁହେଁ । ଗୋଟିଏ ଅଦୃଶ୍ୟ ଶକ୍ତି ତରଙ୍ଗ ଦେହକୁ ବେଷ୍ଟନ କରିଥାଏ । ସେ ତରଙ୍ଗ ମିଳେଇ ଯିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା ଆବଶ୍ୟକ । ଅର୍ଥାତ୍ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦେହ ଏଇଠି ରହିଥିବ । ତୁମେ ଏହାକୁ ଜଗିବ ।”
ରାମୁ ଓ ଗୋବିନ୍ଦ ପଚାରିଲେ “କିନ୍ତୁ କୌଣସି କାଠୁରିଆ ବା ବଣ ସୀମାନ୍ତରେ ବସବାସ କରୁଥିବା ଭୀଲ୍ମାନେ ଯଦି ଏଆଡେ ଆସିବେ?”
“କାଠୁରିଆ ଓ ଭୀଲ୍ମାନେ ସରଳ ଓ ବିଶ୍ୱାସୀ । ଆମେ ସେମାନଙ୍କୁ କିଛି କଥା ଗୋପନ ରଖିବାକୁ କହିଲେ ସେମାନେ ସେଥିରେ କଦାପି ଅନ୍ୟଥା କରିବେ ନାହିଁ । ତଥାପି ଆମେ ସତର୍କ ହେବା ଆବଶ୍ୟକ ।” ଏହା କହି ସନ୍ନ୍ୟାସୀ ଗୋଟିଏ ମନ୍ତ୍ର ପଢି ଅପେକ୍ଷା କଲେ । କିଛିସମୟ ଭିତରେ ଦୂରରୁ ଗର୍ଜନ ଶୁଭିଲା । ସେ ଗର୍ଜନ କ୍ରମେ ନିକଟତର ହେଲା । ଚାହୁଁ ଚାହୁଁ ସେଠି ଗୋଟାଏ ମହାବଳ ବାଘ, ବାଘୁଣୀ ଓ ସେମାନଙ୍କର ତିନୋଟି ଶାବକ ପହଁଚିଗଲେ । ବାଘଶାବକମାନେ ସନ୍ନ୍ୟାସୀଙ୍କ ଗୋଡରେ ଯାଇ ଘଷି ହେଲେ । ସବୁ ଶାବକ ତାଙ୍କ ଉପରକୁ ଡେଇଁବା ପାଇଁ ଆଗ୍ରହୀ ଥାନ୍ତି । ସନ୍ନ୍ୟାସୀ ଦୁଇଜଣଙ୍କୁ ଦୁଇ କାଖରେ ଜାକି ଧରିଲେ । ତୃତୀୟଟି ତାଙ୍କ କାନ୍ଧ ଚଢି ବସିଲା ।
ସନ୍ନ୍ୟାସୀ ପ୍ରଶ୍ନ କଲେ “ବାଘ, ବାଘୀ, ଶୁଣ । ତମେ ଦୁହେଁ ଓ ତମ ଛୁଆମାନେ ସନ୍ଧ୍ୟାଯାଏଁ ଏହି ଅଂଚଳରେ ରହିବ । ମଧ୍ୟେ ମଧ୍ୟେ ଗର୍ଜନ ଛାଡୁଥିବ । ଆଜି ଏଠାକୁ କୌଣସି ବାହାର ଲୋକ ଆସିବା ଠିକ୍ ହେବ ନାହିଁ । ଏଠି ରାଣୀଙ୍କ ମୃତ ଦେହ ରହିଛି । ବାହାର ଲୋକେ ତାକୁ ଦେଖିବେ ନାହିଁ । ମୋ କଥା ବୁଝିଲଟି?”
ବାଘ ଓ ବାଘୁଣୀ ମୃଦୁ ଭାବରେ ଗର୍ଜନ କଲେ । ସେମାନେ ଯେ ସନ୍ନ୍ୟାସୀଙ୍କ ନିର୍ଦ୍ଧେଶ ମାନିନେଲେ, ଏତକ ସ୍ପଷ୍ଟ ହୋଇଗଲା ।
ସନ୍ନ୍ୟାସୀ ରାମୁ ଓ ଗୋବିନ୍ଦଙ୍କୁ କହିଲେ “ଏଥର ଉପଯୁକ୍ତ ସ୍ଥାନରେ ସମାଧି ପାଇଁ ମାଟି ଖୋଳିବା ଆବଶ୍ୟକ । କିନ୍ତୁ ପ୍ରଥମେ ରାଜକୁମାରଙ୍କୁ ଆଣ । ସେ ତାଙ୍କ ମା’ଙ୍କ ଦେହରେ ଫୁଲ ଦିଅନ୍ତୁ ।”