ସୁମେଧ ରାଜ୍ୟର ସୁନ୍ଦର ରାଜଧାନୀ ଶାନ୍ତିପୁର । ସେଠିକାର ରାଜା ଶାନ୍ତିଦେବ ସୁଖରେ ପ୍ରଜା ପାଳୁଥିଲେ । ଦିନେ ଉତ୍ସବମୁଖର ରାତିରେ ତାଙ୍କର ସ୍ୱାର୍ଥପର ସେନାପତି ବୀରସିଂହ ରାଜା, ରାଣୀ ଓ ଶିଶୁ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା । ରାଣୀ ଶିଶୁ ରାଜପୁତ୍ରଙ୍କୁ ଧରି ସୁଡଙ୍ଗ ପଥରେ ଖସି ଚାଲିଗଲେ । ରାଜା ବୀରତ୍ୱର ସହ ଲଢେଇ କରି ନଈ ଭିତରକୁ ଡେଇଁ ପଡି କେଉଁଆଡେ ଅଦୃଶ୍ୟ ହୋଇଗଲେ । ସେ ମୃତ କି ଜୀବିତ, ତାହା କେହି ବି ଆଦୌ ଜାଣିପାରିଲେ ନାହିଁ । ତା’ପରେ…
ରାଣୀ ଅଶ୍ରୁପୂର୍ଣ୍ଣ ନୟନରେ ସୁଡଙ୍ଗ ଭିତରୁ ଥରେ ଉପରକୁ ଅନାଇଲେ । ସେତେବେଳେ ସେ ରାଜା ତ ସୁଡଙ୍ଗର ଦ୍ୱାର ବନ୍ଦ କରୁଥିଲେ । ଏସବୁ ଦେଖି ରାଣୀଙ୍କର ମନେହେଲା, ଯେପରି ରାଜାଙ୍କ ସହ ଆଉ କେବେବି ତାଙ୍କର ସାକ୍ଷାତ୍ ହେବନାହିଁ । ମାତ୍ର କେଇ ମୁହୂର୍ତ୍ତ ପୂର୍ବେ ଉଭୟେ କେଡେ ସୁଖୀ ଓ ନିଶ୍ଚିନ୍ତ ଥିଲେ । କିଏ ଜାଣିଥିଲା ଯେ ଚାହୁଁ ଚାହୁଁ ଏତେ ଶୀଘ୍ର ସବୁ କିଛି ଓଲଟ ପାଲଟ ହୋଇଯିବ!
ସୁଡଙ୍ଗର ପ୍ରବେଶପଥ ବନ୍ଦ ହୋଇଯିବା ମାତ୍ରେ ରାଣୀଙ୍କର ଯେପରି ମନେହେଲା ସତେ ଅବା ପୃଥିବୀ ସହ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇଗଲା । ସେ ତ ତାଙ୍କ ଜୀବନରେ କେବେ ବି ଏକା ବାଟ ଚାଲି ନଥିଲେ । ରାଜକନ୍ୟା ହୋଇ ଜନ୍ମିଥିଲେ; ବିବାହ ଫଳରେ ରାଣୀ ହୋଇଥିଲେ । ତେଣୁ ସର୍ବଦା ଦାସୀମାନେ ତାଙ୍କୁ ଘେରି ରହିଥାନ୍ତି ।
ଏସବୁ କଥା ଭାବି ସେ ନିରବରେ କାନ୍ଦିଲେ । କାଳେ ତାଙ୍କ ଶିଶୁ ପୁତ୍ରର ନିଦ ଭାଙ୍ଗିଯିବ, ସେ ଡର ବି ରାଣୀଙ୍କର ଥାଏ । ମହମବତୀର ଆଲୁଅ ସାହାଯ୍ୟରେ ସେ କେତେ ପାହାଚ ଓହ୍ଲାଇ ସୁଡଙ୍ଗ ଭିତରେ ଅଗ୍ରସର ହେଲେ ।
ତାଙ୍କ ହାତରେ ଥିବା କ୍ଷୀଣ ଆଲୁଅ ମାତ୍ର ଗଜେ ଦୁଇଗଜ ରାସ୍ତା ଆଲୋକିତ କରି ପାରୁଥାଏ । ବାକି ସବୁତକ ତ କିଟିମିଟି ଅନ୍ଧାର । ରାଣୀ ଜାଣିଥିଲେ ଯେ ଗୋଟିଏ ପାହାଡ କଟା ହୋଇ ତହିଁ ଉପରେ ରାଜପ୍ରାସାଦ ନିର୍ମିତ ହୋଇଥିଲା । ସେ ଯେଉଁ ସୁଡଙ୍ଗ ଭିତର ଦେଇ ଯାଉଥିଲେ, ତାହା ସେହି ପାହାଡର ନିମ୍ନ ଭାଗ ଭିତର ଦେଇ କଟା ହୋଇଥିଲା । କିନ୍ତୁ ଏ ସୁଡଙ୍ଗ କେଉଁଠାରେ ଶେଷ ହୋଇଛି? ସୁଡଙ୍ଗରୁ ସେ ବାହାରି ପାରିବେ ତ? ତହିଁରୁ ବାହାରି ପୁଣି ସେ କେଉଁଠାରେ ପହଁଚିବେ?
ସେ ସୁଡଙ୍ଗ ଭିତରଯାକ ଯେମିତି ସନ୍ତସନ୍ତିଆ, ତା’ର ବାତାବରଣ ମଧ୍ୟ ଠିକ୍ ସେହିପରି ଶ୍ୱାସରୋଧକାରୀ । ହଠାତ୍ ସେ ରାଣୀ ଖଣ୍ଡିଏ ପଥର ଉପରେ ଝୁଂଟି ପଡିଲେ । ସେ ନିଜ ଭାରସାମ୍ୟ ବଜାୟ ରଖିପାରିଲେ, କିନ୍ତୁ ତାଙ୍କ ହାତରୁ ବତୀଟି ତଳେ ପଡି ଲିଭିଗଲା । ତେଣିକି ତ ସବୁ କିଛି କିଟିମିଟିଆ ଅନ୍ଧାର । ସେ କ’ଣ କରିବେ କିଛିବି ବୁଝି ନପାରି ଶେଷରେ ସ୍ତବ୍ଧ ହୋଇ ରହିଲେ ।