ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

ଅଳ୍ପ ସମୟ ଭିତରେ ତାଙ୍କ ଆଖି ସେହି ଅନ୍ଧାର ପ୍ରତି ଅଭ୍ୟସ୍ତ ହୋଇଗଲା । ଗୋଟାଏ ନିଷ୍ପ୍ରଭ ଅଥଚ ସ୍ତିମିତ ଆଲୋକ ତାଙ୍କ ଦୃଷ୍ଟି ଆକର୍ଷଣ କଲା । ତା’ପରେ ସେ ଧୀରେ ଧୀରେ ଚାଲିବାକୁ ଲାଗିଲେ । ସେ ଆଲୁଅ ଗୋଟିଏ ବିଶେଷ ଧରଣର ପଥର ଦେହରୁ ନିର୍ଗତ ହେଉଥିଲା । ସୁଡଙ୍ଗ ଭିତରେ ସେଭଳି ପଥର କିଛି କିଛି ଛଡାରେ ପୋତା ହୋଇଥିବାର ସେ ଦେଖିଲେ ।

ଏହି ସମୟରେ ହଠାତ୍ ଶିଶୁ ପୁତ୍ରର ନିଦ ଭାଙ୍ଗିଗଲା । ତେଣୁ ସେ କାନ୍ଦିବାକୁ ଲାଗିଲା । ରାଣୀ ଶିଶୁକୁ ଜାବୁଡି ଧରି ତା’ କାନ୍ଦ ବନ୍ଦ କରିବାର ଚେଷ୍ଟା କଲେ । ତା’ସଙ୍ଗେ ସଙ୍ଗେ ସେ ନିଜ ଗତି ମଧ୍ୟ ବଢାଇଦେଲେ । ସେତେବେଳେ ତ ସେ ରାଣୀ ଭୀଷଣ କ୍ଳାନ୍ତ ଅନୁଭବ କରୁଥାନ୍ତି । ତେଣୁ ନିଶ୍ୱାସ ନେବାକୁ ତାଙ୍କ ପକ୍ଷେ ଭାରି କଷ୍ଟ ହେଉଥାଏ । କିନ୍ତୁ ଯେତେ ଶୀଘ୍ର ସମ୍ଭବ ସୁଡଙ୍ଗରୁ ବାହାରିଯିବା ନିମନ୍ତେ ସେ ବ୍ୟାକୁଳ ହୋଇ ଉଠୁଥିଲେ ।

କେତୋଟି ପଥର ଅତିକ୍ରମ କରିବା ପରେ ଯାଇ ସେ ରାଣୀ ସୁଡଙ୍ଗ ଶେଷରେ ପହଁଚିଲେ ବୋଲି ଜାଣିବେ, ସେକଥା ରାଜା ଆଗରୁ ତାଙ୍କୁ କହି ଦେଇଥିଲେ । କିନ୍ତୁ ତାହା ଆଉ ରାଣୀଙ୍କର ମନେ ନଥିଲା । ଯାହାହେଉ, ସେ ଦେଖିଲେ ସୁଡଙ୍ଗ ଶେଷ ହେଲାଣି । କିନ୍ତୁ ତହିଁରୁ ବାହାରିବା ପାଇଁ ଦ୍ୱାର ନାହିଁ । କାନ୍ଥ ଦେହରେ ଖଣ୍ଡିଏ ଜ୍ୟୋତିର୍ମୟ ପଥର ଖଞ୍ଜା ହୋଇଥାଏ । ରାଣୀ ତାକୁ ଟିକେ ଝିଙ୍କିଦେଲେ ।

ଫଳରେ ସେ ପଥର ଖଣ୍ଡିକ ଖସି ପଡିଲା । ଦେଖାଗଲା, ଜଣେ ମଣିଷ ପଶିଗଲା ଭଳି ସେଠାରେ ଗାତଟିଏ ଅଛି । ରାଣୀ ଖୁବ୍ ସାବଧାନରେ ସେ ପାଖକୁ ଗଲେ । ଦେଖିଲାବେଳକୁ ତାହା ଗୋଟିଏ ଗୁମ୍ଫା । ସେ ଗୁମ୍ଫା ଯାଇ ମିଶିଛି ଆଉ ଗୋଟିଏ ବଡ ଗୁମ୍ଫାରେ । ବଡ ଗୁମ୍ଫା ସେ ପାଖରେ ଅରଣ୍ୟ ।

                ଜହ୍ନରାତି । ରାଣୀ ମୁକ୍ତ ପବନରେ ନିଃଶ୍ୱାସ ନେଲେ । ଏଣେ ତାଙ୍କ ଶିଶୁପୁତ୍ର ପୁଣି ଶୋଇ ପଡିଥାଏ । ଏଥର ସେ ରାଣୀ ଟିକେ ଆଶ୍ୱସ୍ତ ହେଲେ । କାରଣ ଶିଶୁର କାନ୍ଦଣାରେ କୌଣସି ଭୟଙ୍କର ଜନ୍ତୁ ଆକୃଷ୍ଟ ହେବା କିଛିବି ଅସ୍ୱାଭାବିକ ନୁହେଁ ।

ସେତେବେଳେ ତ ସେ ରାଣୀଙ୍କୁ ଭାରି ଶୋଷ ଲାଗୁଥାଏ । ମାତ୍ର ଏତେବେଳେ ପାଣି ମିଳିବ ବା କେଉଁଠି?

ଅଦୂରରେ କେତୋଟି ଶୃଗାଳଙ୍କ ଚିତ୍କାର ଶୁଭିଲା । ହୁଏତ ସେହି ସମୟରେ ଭୋର୍ ହୋଇ ଆସୁଥିଲା । ରାଣୀ ଖଣ୍ଡିଏ ପଥର ଉପରେ ବସିପଡି ଅନ୍ଧକାର ପତଳା ହୋଇ ଆସିବାକୁ ଅପେକ୍ଷା କଲେ । ତାଙ୍କ କାନରେ ଗୋଟିଏ ଜଳ ପ୍ରପାତର ମୃଦୁ ଶବ୍ଦ ପଡିଲା । ଏହାପରେ ସେ ସେହି ଶବ୍ଦ ଅନୁସରଣ କରି ହିଁ ଅଗ୍ରସର ହେଲେ । ଅଳ୍ପ ଦୂରରେ ସେ ଗୋଟିଏ କ୍ଷୀଣ ଜଳପ୍ରପାତ ଦେଖିଲେ । ଶିଶୁଟିକୁ ଘାସ ଉପରେ ଥୋଇ ସେ ରାଣୀ ପ୍ରପାତ ପାଖକୁ ଯାଇ ନିଜର ତୃଷ୍ନା ନିବାରଣ କଲେ । ତା’ପରେ ସେ ତାଙ୍କ ପିଲାକୁ କୋଳକୁ ନେଇ ତାକୁ ସ୍ତନ୍ୟପାନ କରାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ