“ଆଜ୍ଞା ହଁ । ଶତ୍ରୁ ସେହି ଉତ୍ସବ ମୁଖର ରଜନୀର ସୁଯୋଗ ନେଲା ।” ଏତିକି କହି ସାରିବା ପରେ ରାଣୀ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ।
ସନ୍ନ୍ୟାସୀ କହିଲେ “ଝିଅ! ଆଉ କଥା କୁହନାହିଁ । ଏଥର ବିଶ୍ରାମ କର ।”
ରାଣୀଙ୍କ ମୁହଁରେ ଦୁଃଖଭରା ହସ ଖେଳିଗଲା । “ମହାତ୍ମା! ମୁଁ ଆଉ ଅଧିକ କଥା କହିପାରିବାର ସମୟ ସରିଗଲାଣି । ମୋର ଦୃଢ ବିଶ୍ୱାସ, ଆପଣଙ୍କ ଜରିଆରେ ଭଗବାନ ମୋ ପୁଅର ଦାୟିତ୍ୱ ନେଲେ । ମୁଁ ବର୍ତ୍ତମାନହିଁ ପରପାରିକୁ ଯାଉଛି । କିନ୍ତୁ ମୋ ମନରେ କିଛି ବି ଦୁଃଖ ନାହିଁ । ତେବେ ସୁଖରେ ମରିଥାନ୍ତି, ଯଦି ରାଜା ନିରାପଦ ବୋଲି ଜାଣନ୍ତି ।”
ସନ୍ନ୍ୟାସୀ ରାଣୀଙ୍କ ମୁଣ୍ଡ ଆଉଁସି ଦେଇ କହିଲେ “ଝିଅ! ଭଗବାନଙ୍କ ଇଚ୍ଛା ବିନା କ’ଣ ମୁଁ ତମକୁ ଭେଟିଲି? ରାଜା ନିରାପଦରେ ଥାନ୍ତୁ, ଏହି ପ୍ରାର୍ଥନା କରିବା । ଭଗବାନ ତାଙ୍କ ଦାୟିତ୍ୱ ବି ନିଅନ୍ତୁ । ତମେ ତାଙ୍କ ଚିନ୍ତା ଆଉ କରନାହିଁ । ଏବେ ତମେ କେବଳ ଭଗବାନଙ୍କ ଉପରେ ମନୋନିବେଶ କର ।”
ରାଣୀଙ୍କ ମୁହଁରେ ପ୍ରତ୍ୟୟ ଓ ଶାନ୍ତିର ମୃଦୁ ହସ ଖେଳିଗଲା । ମାତ୍ର ସେ ହସ ଲିଭି ନ ଯାଉଣୁ ସେ ଆଖି ବୁଜିଲେ । ସନ୍ନ୍ୟାସୀ ରାଣୀଙ୍କ ନାଡି ପରୀକ୍ଷା କଲେ । ସେ ବୁଝିଲେ, ରାଣୀ ଆଉ କଦାପି ମଧ୍ୟ ତାଙ୍କ ଆଖି ଖୋଲିବେ ନାହିଁ ।