ଏପରି କଥା ଶୁଣି ବୀରସିଂହ ଉତ୍ତେଜିତ କଣ୍ଠରେ ପ୍ରଶ୍ନ କଲା “ପଳାଇଗଲେ? କ’ଣ ସେ ତିନିଜଣ ଘାତକ ତାଙ୍କ ପଥ ଓଗାଳିବା ସତ୍ତ୍ୱେ ମଧ୍ୟ? ବାଃ, ତମେ ଘାତକ ପଠାଇଥିଲ ନା ତିନୋଟି ମେଣ୍ଢା ପଠାଇଥିଲ କେଜାଣି? ସେମାନେ ଏବେ କି କୈଫିୟତ୍ ଦେଉଛନ୍ତି?”
ରାଜାଙ୍କ କ୍ରୋଧ ଦେଖି କଟୁଆଳ ବାରମ୍ବାର ଛେପ ଢୋକି ଦୁଇ ଚାରିଥର କଥା ହୁଡି ତା’ପରେ ଜଣାଇଲା କି କୈଫିୟତ୍ ଦେବା ନିମନ୍ତେ ଘାତକମାନେ ବି ଆଉ ନାହାଁନ୍ତି!
“ଓଃ, ତାହେଲେ ତମେ ମେଣ୍ଢା ବି ପଠାଇ ନଥିଲ, ବରଂ ତିନୋଟି ଠେକୁଆ ପଠାଇଥିଲ! ଯେଉଁ ବୁଢା ମନ୍ତ୍ରୀ ତା’ ଜୀବନ କାଳରେ କେବେବି ଲାଠି ବା ତରବାରୀ ଧରିନାହିଁ, ସେ ପୁଣି ତିନିଜଣ ଓସ୍ତାଦ୍ ଘାତକଙ୍କୁ ହତ୍ୟାକରି ଖସି ଚାଲିଗଲା! ” ଏକଥା କହିବା ବେଳେ ବୀରସିଂହର ଆଖିରୁ ସତେ ଯେପରି ନିଆଁ ହୁଳା ବାହାରୁଥାଏ!
ଏସବୁ ଦେଖି ସେ କଟୁଆଳ କହିଲା “ମହାରାଜ! ମୁଁ ବି ଏଥିରୁ କାହିଁ କିଛି ବି ବୁଝି ପାରୁନାହିଁ । ତିନି ଘାତକ ମରି ପଡିଥିବାର ଦେଖାଗଲା । ବୃଦ୍ଧ ମନ୍ତ୍ରୀ ଯେ ସେମାନଙ୍କର ଏଭଳି ଦଶା କରିଥିବେ, ଏକଥା ମୋର କାହିଁ ବିଶ୍ୱାସ ହେଉନାହିଁ । ତେଣୁ ମୋ ମତରେ ନିଶ୍ଚୟ ଆଉ କେହି ଏ କାମ କରିଛି ।”
ଏହା ଶୁଣି ବୀରସିଂହ ଚିନ୍ତିତ ଭାବରେ ପ୍ରଶ୍ନ କଲା “ସେହି ବ୍ୟକ୍ତି ଜଣକ କିଏ ହୋଇପାରେ?”
ତହୁଁ ସେ କଟୁଆଳ କହିଲା “ଜାଣେନା, ମହାରାଜ! ଏହାର ରହସ୍ୟ ଉଦ୍ଘାଟନ କରିବା ନିମନ୍ତେ ମୁଁ ଆମର ବରିଷ୍ଠ ଗୁପ୍ତଚରମାନଙ୍କୁ ନିର୍ଦ୍ଧେଶ ଦେଇଛି ।”
ଏହି ଘଟଣା ବିଷୟରେ ଜାଣିବା ପରେ ବୀରସିଂହ ମୁହଁରେ ବିରକ୍ତି ଓ ଆତଙ୍କ ଆହୁରି ଅଧିକ ସ୍ପଷ୍ଟ ହୋଇ ଉଠିଲା । ସେ କିଛି ସମୟ ଚୁପ୍ଚାପ୍ ଛିଡାହୋଇ ରହି ତା’ପରେ କହିଲା, “ପ୍ରଥମରୁ ଏଭଳି ବିପଦକୁ ସମୂଳେ ଉତ୍ପାଟନ ନକଲେ ପରେ ତାହା ଭୟାବହ ହୋଇ ଦେଖାଦେବ । ଗୋଟାଏ ଭିତ୍ତିରି ଷଡଯନ୍ତ୍ର ଯେ ଚାଲିଛି, ଏଥିରେ ତ ମୋର କୌଣସି ସନ୍ଦେହ ନାହିଁ । ସେହି ଷଡଯନ୍ତ୍ରକାରୀମାନେ ଅଧିକ ବଳଶାଳୀ ହେବା ପୂର୍ବରୁ ହିଁ ମୋତେ ସେମାନଙ୍କୁ ଖତମ୍ କରିଦେବାକୁ ହେବ । ସେଥିପାଇଁ ଯଦି ଆମକୁ କିଛି କଠୋର ପଦକ୍ଷେପ ନେବାକୁ ହୁଏ, ତେବେ ତାହା ମଧ୍ୟ ନେବାକୁ ହେବ । ରାଜା ଶାନ୍ତିଦେବଙ୍କର କ’ଣ ହେଲା ବୋଲି ଯେଉଁ ଯୁବକ ପ୍ରଶ୍ନ କରୁଥିଲା, ସେ କୁଆଡେ ଗଲା? ସେ ବୋଧେ ନିଶ୍ଚୟ ଏହି ଷଡଯନ୍ତ୍ରକାରୀମାନଙ୍କ ଭିତରୁ ଜଣେ ହୋଇଥିବ ।”
କଟୁଆଳ କହିଲା “ଛାମୁ! ସେ ଟୋକାର ନାମ ବସନ୍ତ । ଆମେ ତାକୁ ଯତ୍ପରୋନାସ୍ତି ଜେରା କରି ସାରିଲୁଣି । ହେଲେ ସେ ତ କାହିଁ ଷଡଯନ୍ତ୍ରକାରୀ ବୋଲି ମନେ ହେଉନାହିଁ । କିନ୍ତୁ ସେ ଟୋକାର ଭାରି ସାହସ । ରାଜଗାଦୀ ଉପରେ ଆପଣଙ୍କର ଅଧିକାର କାହୁଁ ଆସିଲା, ସେ ବାରମ୍ବାର ସେ ପ୍ରଶ୍ନ ଉଠାଉଛି ।”
ବୀରସିଂହ କହିଲା “ତମମାନଙ୍କର ବୁଦ୍ଧି ନାହିଁ । ଜଣେ ଟୋକା ଏଭଳି ପ୍ରଶ୍ନ କରିବା କେବେବି ମଧ୍ୟ ସମ୍ଭବପର ନୁହେଁ । ତା’ପଛରେ ନିଶ୍ଚୟ ଦଳେ ଲୋକଙ୍କ ସମର୍ଥନ ରହିଛି । ସେ ଟୋକାକୁ ମାରଧର କର । ତାହେଲେ ଯାଇ ସେ ମାନିଯିବ ।”
କଟୁଆଳ ଜଣାଇଲା “ଛାମୁ! ଆମେ କ’ଣ ସେସବୁ କଥା ଆଉ ବାକି ରଖିଛୁ? ତାକୁ କେତେ ପ୍ରକାରେ ଯନ୍ତ୍ରଣା ଦିଆହେଲାଣି । କିନ୍ତୁ ସବୁ ବୃଥା ।”
ବୀରସିଂହ ନିର୍ଦ୍ଧେଶ ଦେଲା “ତେବେ ତାକୁ ମୃତ୍ୟୁଦଣ୍ଡ ଦିଅ । ସହର ଭିତର ଦେଇ ତାକୁ ମୃତ୍ୟୁଭୂମିକୁ ନେଇଯାଅ । ଏଥିରୁ ଲୋକେ ଜାଣନ୍ତୁ ଯେ, ଆମ୍ଭ ବିରୁଦ୍ଧରେ କିଛି କହିବା ଭଳି ଔଦ୍ଧତ୍ୟ ଯିଏ ବି ଦେଖାଏ, ତା’ର କ’ଣ ଯେ ଦଶା ହୁଏ । ସମସ୍ତଙ୍କ ଆଗରେ ତାକୁ ଫାସିରେ ଲଟକାଅ । ଏପରି କରିବା ଦ୍ୱାରା ତା’ ଦଳର ଲୋକଙ୍କ ଭିତରେ ସେ ଦୃଶ୍ୟ ଭୟର ସଂଚାର କରିବ ।”