ସୁମେଧ ରାଜ୍ୟର ସିଂହାସନ ମାଡି ବସି ବୀରସିଂହ ଶାନ୍ତି ପାଉ ନଥାଏ । ତା’ ବିରୁଦ୍ଧରେ ଲୋକେ ଷଡଯନ୍ତ୍ର କରୁଛନ୍ତି, କ୍ରମେ ଏ ଆଶଙ୍କା ତା’ ମନରେ ବଦ୍ଧମୂଳ ହେଉଥାଏ । ସେ ତା’ର ନବନିଯୁକ୍ତ ସେନାପତି ସାହାଯ୍ୟରେ ପ୍ରଜାସାଧାରଣଙ୍କୁ ଭୀଷଣ କଷ୍ଟ ଦେଉଥାଏ । କିନ୍ତୁ ଲୋକଙ୍କ ଭିତରେ ଭୟ ସଂଚାର କରିବା ଦିଗରେ ତା’ର ଉଦ୍ୟମ ବିଶେଷ ଫଳପ୍ରଦ ହେଉ ନଥାଏ । ତା’ପରେ…
ଦିନ ଗଡି ଚାଲିଥାଏ । ତା ସଙ୍ଗେ ସଙ୍ଗେ ବୀରସିଂହ ମନରେ ଉତ୍କଣ୍ଠା ମଧ୍ୟ ବଢୁଥାଏ । ସେ ଭାବିଥିଲା, ନିଜକୁ ସେ ରାଜା ବୋଲାଇବା ମାତ୍ରେ ଆଖପାଖ ରାଜ୍ୟ ଜୟ କରିବାକୁ ବାହାରି ପଡିବ । ନିଜ ରାଜ୍ୟ ଭିତରେ ଏପରି ଅଶାନ୍ତି ଦେଖାଦେବ, କୌଣସି ଅଜ୍ଞାତ ଶତ୍ରୁ ପୁଣି ଆସି ତା’ର ମୁକାବିଲା କରିବ, ଏସବୁ କଥା ତା’ କଳ୍ପନାକୁ ଆସି ନଥିଲା । କିନ୍ତୁ ରାଜ୍ୟ ଜୟ କରିବାକୁ ବାହାରି ନ ପଡିଲେ ତା’ ସମ୍ମାନ କିପରି ରହିବ? ସେ ତ ତା’ ସେନାଧ୍ୟକ୍ଷମାନଙ୍କୁ ସେହି ପ୍ରତିଶୃତି ଦେଇ ସେମାନଙ୍କ ସମର୍ଥନ ହାସଲ କରିଥିଲା! ସେମାନେ ଯୁଦ୍ଧ ଅଭିଯାନରେ ବାହାରିବା ନିମନ୍ତେ ଟାକି ହୋଇ ବସିଛନ୍ତି! କାରଣ କୌଣସି ରାଜ୍ୟର ରାଜା ପରାଜିତ ହେଲେ ସେ ରାଜକୋଷ ବିଜୟୀ ରାଜାଙ୍କ କରଗତ ହୋଇପାରେ, କିନ୍ତୁ ରାଜ୍ୟ ସାରା ଲୁଣ୍ଠନ କରି ସେନାଧ୍ୟକ୍ଷ ଓ ସୈନିକମାନେ ଯାହା ପାଆନ୍ତି, ତାହା ସେମାନଙ୍କ ସମ୍ପତ୍ତି ହୋଇଯାଏ ।
ଏହା ଭିତରେ ବୀରସିଂହ ତା’ ସେନାଧ୍ୟକ୍ଷମାନଙ୍କ ଭିତରୁ ଜଣକୁ ପ୍ରଧାନ ସେନାପତି ଭାବରେ ନିଯୁକ୍ତ କରିଥାଏ । ତା’ନାମ କପାଳଚାନ୍ଦ । କପାଳଚାନ୍ଦ ଯେପରି ଧୂର୍ତ, ଠିକ୍ ସେହିପରି ନିଷ୍ଠୁର ମଧ୍ୟ । ଦିନେ ରାତିରେ ସେ ତାକୁ ନିଜ ମନ୍ତ୍ରଣା ଗୃହକୁ ଡକାଇ କହିଲା, “ଆମେ ଏଥର ରାଜ୍ୟ ଜୟ ପାଇଁ ବାହାରିବା ଉଚିତ୍ । କ’ଣ କହୁଛ?”
ଏକଥା ଶୁଣିବା ମାତ୍ରେହିଁ କପାଳଚାନ୍ଦର ମୁହଁରେ ହଠାତ୍ ଫୁଲ ଫୁଟି ଉଠିଲା । ତେଣୁ ସେ ତା’ ମୁଣ୍ଡ ନୁଆଇଁ ରାଜାଙ୍କ ପ୍ରସ୍ତାବର ଅନୁମୋଦନ କଲା ଓ କହିଲା, “ମହାରାଜ! ଆପଣଙ୍କ ଚିନ୍ତା ଓ ଏ ଅଧୀନର ଚିନ୍ତା କ’ଣ କେବେବି ଅଲଗା ହୋଇପାରେ? ଥରେ ଆମେ ଯୁଦ୍ଧ ଆରମ୍ଭ କରିଦେଲେ ଲୋକଙ୍କ ସମସ୍ତ ଧ୍ୟାନ ସେଇଆଡେ ଯିବ । ପ୍ରତିଦିନ ଯୁଦ୍ଧ କ୍ଷେତ୍ରରେ କେତେଦୂର କ’ଣ ହେଲା, ସେହିକଥା ଜାଣିବାକୁ ସେମାନେ ଉତ୍କଣ୍ଠିତ ହେବେ । ଯୁଦ୍ଧ ସମସ୍ତଙ୍କୁ ଉତ୍ତେଜନା ଓ ଶିହରଣ ଆଣିଦେବ । ଆମର ଜୟ ହେଲେ ଆମେ ରାଜ୍ୟକୁ ଅମାପ ଧନଦୌଲତ ନେଇ ଆସିବୁଁ । ସେଥିରେ ଆମ ରାଜ୍ୟର ଉନ୍ନତି ହେବ । ଲୋକେ ବି ଖୁସି ହୋଇଯିବେ ।”
“ଠିକ୍ । କିନ୍ତୁ କେଉଁ ରାଜ୍ୟ ବିରୁଦ୍ଧରେ ଆମେ ପ୍ରଥମେ ଅଭିଯାନ କରିବା?”
କପାଳଚାନ୍ଦ କହିଲା “ମହାରାଜ, ମୁଁ ଅନେକ ଭାବିଚିନ୍ତି ଦେଖୁଛି, ଅମୃତପୁର ଆକ୍ରମଣ କରିବାହିଁ ଆମପାଇଁ ସବୁଠାରୁ ଭଲ ହେବ । ସେଠାକାର ରାଜା ପବିତ୍ର ଏ ରାଜ୍ୟର ପୂର୍ବ ରାଜା ଶାନ୍ତିଦେବଙ୍କ ଶ୍ୱଶୁର । ତେଣୁ ଆପଣଙ୍କ ଉପରେ ତାଙ୍କର ରାଗ ରହିବାଟା ତ ସ୍ୱାଭାବିକ । ଆମେ ତ ଅମୃତପୁରର ଥୋକେ ଲୋକଙ୍କୁ କାଳେ ସେମାନେ ଗୁପ୍ତଚର ହୋଇଥିବେ ବୋଲି ଭାବି କାରାଗାରରେ ପୁରାଇ ରଖିଛୁ!”