ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

ବୀରସିଂହ କହିଲା “କପାଳଚାନ୍ଦ! ତମର ଏଭଳି ପ୍ରସ୍ତାବକୁ ମୁଁ ସମର୍ଥନ କରୁଛି । ଆମର ପ୍ରଧାନ ଗୁପ୍ତଚରଠୁଁ ମୁଁ ଖବର ପାଇଛି ଯେ ରାଜା ପବିତ୍ର ଅସୁସ୍ଥ । ଏହାହିଁ ସୁବର୍ଣ୍ଣ ସୁଯୋଗ । ଆମେ ଆଉ କାଳବିଳମ୍ବ କରିବା ଉଚିତ୍ ହେବ ନାହିଁ । ଯାଅ ଅଭିଯାନ ପାଇଁ ପ୍ରସ୍ତୁତ ହୁଅ । କିନ୍ତୁ ନଦୀ ପାରି ହେବା ଭଳି ଆମର ଯଥେଷ୍ଟ ନୌକା ଅଛି ତ?”

କପାଳଚାନ୍ଦ କହିଲା “ଯୁଦ୍ଧର ସାଜସରଞ୍ଜାମ ବୋହିବା ଭଳି ଯଥେଷ୍ଟ ନୌକା ଅଛି । ସୈନ୍ୟମାନଙ୍କ ପାଇଁ ନୌକା ଦରକାର ନାହିଁ । ସେମାନେ ଜଳରେ ପଶି ସେ ପାରିକୁ ଚାଲିଯିବେ । ନନ୍ଦିନୀ ନଦୀରେ ବର୍ତ୍ତମାନ ଜଳ ବେଶି ନାହିଁ । ଖୁବ୍ ବେଶି ହେଲେ ଛାତିଯାଏ ହେବ ।”

ବୀରସିଂହ ପ୍ରଶ୍ନ କଲା “ବେଶ୍ ଭଲ କଥା । କେତେ ଶୀଘ୍ର ତମେ ପ୍ରସ୍ତୁତ ହୋଇପାରିବ?”

କପାଳଚାନ୍ଦ ଉତ୍ତର ଦେଲା “ହଜୁର୍! ଆପଣଙ୍କ ନିର୍ଦ୍ଧେଶ ମିଳିଲେ ଆମେ ଆଗାମୀ କାଲିହିଁ ଯୁଦ୍ଧ ଯାତ୍ରାରେ ବାହାରି ପଡି ପାରିବା!”

ବୀରସିଂହ ଏଥିରେ ଖୁସି ହେଲା ଓ କହିଲା, “କପାଳଚାନ୍ଦ! ତମେ ପାରିବାର ଲୋକ । ସେଥିଲାଗି ତମକୁ ଯଥାଯୋଗ୍ୟ ପୁରସ୍କାର ଅବଶ୍ୟ ମିଳିବ – ତେବେ ଅମୃତପୁର ଆମ ଅଧିକାରକୁ ଆସିବା ପରେ ଯାଇ । ଏବେ ଆଗାମୀ କାଲି ପାଇଁ ପ୍ରସ୍ତୁତ ହୁଅ । ପଅର ଦିନ ଆମେ ବାହାରିବା – ରାତିରେ ।”

କପାଳଚାନ୍ଦ କହିଲା “ଆପଣଙ୍କ ଦୂରଦୃଷ୍ଟିର କୌଣସି ତୁଳନା ନାହିଁ ହଜୁର୍! ପଅର ଦିନ ରାତି ପୂର୍ଣ୍ଣିମା ରାତି । ଆମେ ସନ୍ତର୍ପଣରେ ନଦୀ ପାରି ହୋଇ ହଠାତ୍ ଅମୃତପୁରର ରାଜଧାନୀ ଆକ୍ରମଣ କରି ତାକୁ ଦଖଲ କରିନେବୁ ।”

ଏହାପରେ ସେ ବୀରସିଂହ ହସି ଦେଇ କପାଳଚାନ୍ଦର ପିଠି ଥାପୁଡେଇ ଦେଲା । ତା’ପରେ କପାଳଚାନ୍ଦ ସେଠାରୁ ଚାଲିଗଲା ।

କପାଳଚାନ୍ଦ ସଙ୍ଗେ ସଙ୍ଗେ ପ୍ରସ୍ତୁତିରେ ଲାଗିଗଲା । ସେହି ରାତିରେ ସେ ସେନାଧ୍ୟକ୍ଷମାନଙ୍କର ବୈଠକ ଡକାଇ ଆକ୍ରମଣର ଯୋଜନା ଉପରେ ଆଲୋଚନା କଲା । ସେନାଧ୍ୟକ୍ଷମାନେ ଆହ୍ଲାଦିତ ହେଲେ ।

କପାଳଚାନ୍ଦ ସମସ୍ତଙ୍କୁ ତାଗ୍ଦା କରି କହିଦେଲା କି ଆକ୍ରମଣର ଯୋଜନା ଯେପରି କୌଣସି ମତେ ପ୍ରକାଶ ନ ପାଏ । ସମସ୍ତେ ଏହି କଥାଟିକୁ ଗୋପନ ରଖିବାର ପ୍ରତିଶୃତି ଦେଲେ । କିନ୍ତୁ କେହି କେହି ନିଜ ନିଜ ଘରେ ଗୋପାନରେ ଏକଥା ପ୍ରକଟ କରିଦେଲେ । ଜଣେ ସେନାଧ୍ୟକ୍ଷ ନିୟମିତ ଗୋଟିଏ ପାନଶାଳାକୁ ଯାଉଥାଏ ଓ ସେଠାରେ ସେ ମଦ ପିଉଥାଏ । ସେଦିନ ରାତିରେ ସେ ପାନଶାଳାର ମାଲିକକୁ କହିଲା, “ତମର ମୋଠୁଁ ପଚାଶଟି ରୌପ୍ୟ ମୁଦ୍ରା ପାଇବାର ଅଛି ତ? ଚିନ୍ତା କର ନାହିଁ । ଆଜି ରାତିକ ମୋତେ ଧାରରେ ପିଆଅ । ତମକୁ ମୁଁ ରୌପ୍ୟ ମୁଦ୍ରାରେ ନୁହେଁ ସ୍ୱର୍ଣ୍ଣମୁଦ୍ରାରେ ପରିଶୋଧ କରିବି । ମୁଁ ଖାଲି ଥରେ ଫେରି ଆସେ ।”

ପାନାଗାରାର ମାଲିକ ପଚାରିଲା “କୁଆଡୁ ଫେରିବ ମିତ?”

ପାନ ପାତ୍ରରୁ ଢୋକେ ପିଇ ସେନାଧ୍ୟକ୍ଷ କହିଲା “ନଈ ସେ ପାରିରୁ ।”

ପାନଶାଳାର ମାଲିକ ପଚାରିଲା “ନଈ ସେପାରିରୁ? ବୋଇଲେ ଅମୃତପୁରରୁ?”

ସେନାଧ୍ୟକ୍ଷ କହିଲା “ଦେଖ ମିତ, ମୋତେ ଆଉ ବେଶି କଥା ପଚାର ନାହିଁ ।”

ପାନଶାଳାର ମାଲିକ ପଚାରିଲା “କିନ୍ତୁ ତମେ କେବେ ଫେରିବ, ମିତ?”

ସେନାଧ୍ୟକ୍ଷ ଖୁସିରେ କହିଲା “ହୁଏତ ପଅର ଦିନ କିମ୍ବା ତହିଁ ପରଦିନ! ଆମେ ତ କାଲି ରାତିରେ ଯାଉଛୁ । ଖବରଦାର୍! ମୋତେ ଆଉ କିଛି ବି ପଚାର ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ