ସେ ବା କିପରି ଜାଣନ୍ତା ଯେ ପାନଶାଳା ବାରନ୍ଦାରେ ବସିଥିବା ଜଣେ ଯୁବକ ଗଭୀର ମନଯୋଗ ସହକାରେ ତା’ କଥା ଶୁଣୁଛି! ସେ ଯୁବକ ଜଣକ ଜଣେ ଭିଖାରୀ ଭଳି ଦିଶୁଥିଲା । କିନ୍ତୁ କେହି ଯଦି ତା’ ଆଖିକୁ ଲକ୍ଷ୍ୟ କରନ୍ତା, ତେବେ ବୁଝନ୍ତା ଯେ ତହିଁରେ ଗଭୀର ବୁଦ୍ଧି ଓ ସାହସ ରହିଛି ।
ସେ ଯୁବକଟି ଆଉ କେହି ନୁହେଁ, ସେ ହେଲା ବସନ୍ତ । ସେ ଅମୃତପୁରରେ ରହୁଥାଏ ସତ, କିନ୍ତୁ ଛଦ୍ମବେଶରେ ସେ ସୁମେଧ ଯାକ ବୁଲି ସେଠିକା ହାଲ୍ଚାଲ୍ ଲକ୍ଷ୍ୟ କରିବାରେହିଁ ତା’ର ସବୁ ସମୟ ଯାଉଥାଏ । ସେ ଭିନ୍ନ ଭିନ୍ନ ଛଦ୍ମବେଶ ଧାରଣ କରୁଥାଏ । କେତେବେଳେ ବଣିକ ବେଶରେ ତ ଆଉ କେତେବେଳେ ଭିଖାରୀ ବେଶରେ, କେତେବେଳେ ପୁଣି ଜ୍ୟୋତିଷ ବେଶରେ ସେ ଲୋକଙ୍କ ସହ ମିଶାମିଶି କରୁଥାଏ । ସେ ସୁଯୋଗ ଦେଇ କେହି କେହି ଯୁବକକୁ ବୀରସିଂହ ବିରୁଦ୍ଧରେ ସଂଗଠିତ ହେଉଥିବା ଗୋପନ ବିଦ୍ରୋହୀ ବାହିନୀରେ ଯୋଗ ଦେବାକୁ ପ୍ରବର୍ତାଉଥାଏ । ବୀରସିଂହର ଅତ୍ୟାଚାର ଆଉ ବେଶିଦିନ ବରଦାସ୍ତ କରାଯିବ ନାହିଁ । ସେ ଅତ୍ୟାଚାରର ଅନ୍ତ ହେବା ନିହାତି ଲୋଡା । କିନ୍ତୁ ତାହା କିପରି ସମ୍ଭବପର ହେବ, ସେକଥା ସେ ଚିନ୍ତା କରିପାରୁ ନଥିଲା । ତେବେ, ଯେଉଁ ରହସ୍ୟମୟ ବ୍ୟକ୍ତି ବୀରସିଂହର ସୈନ୍ୟମାନଙ୍କ କବଳରୁ ତାକୁ ଛଡାଇ ନେଇ ଯାଇଥିଲେ, ତାଙ୍କ ଉପରେ ତା’ର ଅଗାଧ ବିଶ୍ୱାସ ଆସିଯାଇଥିଲା । ସେ ବ୍ୟକ୍ତି ତାକୁ କହିଥିଲା, “ବୀରସିଂହର ଅତ୍ୟାଚାରରୁ ନିରୀହ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ଯାହା କିଛି କରିବା ଆବଶ୍ୟକ, ଆମେମାନେ ତାହା କରିବୁ । ତାହା ସଙ୍ଗେ ସଙ୍ଗେ ଆମେମାନେ ନିଜକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ପରିଚାଳନା କରିବୁ । ବିନା କାରଣରେ ବା ଅସାବଧାନରେ ଆମେ ଜଣେ ବି ଲୋକର ଯେପରି କୌଣସି କ୍ଷତି କରିବା ନାହିଁ ।”
ସେ ରହସ୍ୟମୟ ବ୍ୟକ୍ତି ସର୍ବଦା ନିଜ ମୁହଁ ଅଧା ଲୁଚାଇ ରଖିଥାନ୍ତି । କିନ୍ତୁ ତାଙ୍କ କଣ୍ଠସ୍ୱରରେ ଯାଦୁ ଥାଏ । ସେ ବସନ୍ତ ମନରେ ନୂତନ ଉତ୍ସାହ ଉଦ୍ଦିପନା ସୃଷ୍ଟି କରୁଥିଲେ, କିନ୍ତୁ ସେ କେବେ ବି ନିଜର ପରିଚୟ ଦେଉ ନଥିଲେ । ବସନ୍ତ ତାଙ୍କ ବିଷୟରେ ଜାଣିବାର ଆଗ୍ରହ ପ୍ରକାଶ କଲେ ସେ କହୁଥିଲେ, “ପରେ ଜାଣିବ ।”
ମଦ୍ୟପ ସେନାଧ୍ୟକ୍ଷ ଓ ପାନଶାଳାର ମାଲିକ ଭିତରେ ହେଉଥିବା କଥାବାର୍ତ୍ତା ଶୁଣି ବସନ୍ତ ନୀରବରେ ବାରାନ୍ଦାରୁ ଅବତରଣ କରି ରାସ୍ତାକୁ ବାହାରିଗଲା । ଚାରିଆଡେ ଅନ୍ଧକାର । ସେନାଧ୍ୟକ୍ଷର ଘୋଡା ପାନଶାଳାର ଫାଟକ ପାଖରେ ବନ୍ଧା ହୋଇଥିଲା । ଘୋଡାମାନଙ୍କୁ କିପରି ବଶ କରିବାକୁ ହୁଏ, ସେ ବିଦ୍ୟା ତ ବସନ୍ତକୁ ଭଲ ଭାବରେ ଜଣାଥିଲା । ସେ ଘୋଡାଟିକୁ ଆଉଁସା ଆଉଁସି କରି ଯେତେବେଳେ ସେ ବୁଝିଲା ଯେ, ଘୋଡାଟି ତା’ ପ୍ରତି ଅନୁରକ୍ତ, ସେତେବେଳେ ଧିରେ ଧିରେ ତାକୁ ମୁକୁଳାଇ ନେଇ ଫାଟକ ବାହାରକୁ ସେ ଚାଲିଗଲା । ତା’ର ଲଗାମ ଓ ପିଠିରେ ଥିବା ଆସନ ଥରେ ଭଲଭାବେ ପରୀକ୍ଷା କରିନେଇ ସେ ତା’ ଉପରେ ଚଢି ବସିଲା ଓ ତା’ପରେ ତାକୁ ଛୁଟାଇ ଦେଲା ।
ନଈ କୂଳରେ ପହଁଚିବାକୁ ତାକୁ ଘଂଟାକରୁ କମ୍ ସମୟ ଲାଗିଲା । କେଉଁଠି ଜଳ କମ୍, ସେକଥା ସେ ଜାଣିଥାଏ । ଆଉ ଘଂଟାକରେ ସେ ଯାଇ ଅମୃତପୁରର ରାଜଧାନୀରେ ପହଁଚିଗଲା ।
ରାଜଧାନୀ କ୍ଷୁଦ୍ର ସହର । ସେଠାକାର ଶାନ୍ତିପ୍ରିୟ ଲୋକେ ରାତି ଅଧିକ ହେବା ପୂର୍ବରୁ ଶୋଇ ପଡୁଥାନ୍ତି । ବସନ୍ତ ଯାଇ ମନ୍ତ୍ରୀଙ୍କ ଘରର ଦ୍ୱାରଦେଶରେ କରାଘାତ କଲା । ଜଣେ ଦ୍ୱାରରକ୍ଷୀ ଆଶ୍ଚର୍ଯ୍ୟ ହୋଇ ତା’ଆଡେ ଆସିବାରୁ ସେ କହିଲା, “ବର୍ତ୍ତମାନ ମୋର ମନ୍ତ୍ରୀଙ୍କ ସହ ସାକ୍ଷାତ୍ ହେବା ନିହାତି ଲୋଡା । ଅତ୍ୟନ୍ତ ଜରୁରୀ କଥା ଅଛି ।” ଦ୍ୱାରରକ୍ଷୀ କ’ଣ କରିଥାନ୍ତା କେଜାଣି, କିନ୍ତୁ ଦୈବକୁ ମନ୍ତ୍ରୀ ନିଜେ ଆସି ତା’କଥା ଶୁଣି ପକାଇଲେ । ବସନ୍ତର କଣ୍ଠସ୍ୱରରେ ଯେଉଁ ଆବେଗ ଓ ଆନ୍ତରିକତା ଥିଲା, ତାହା ସେ ଧରି ପାରିଲେ ନାହିଁ । ସେ ତାକୁ ଭିତରକୁ ନେଇଆସିବା ନିମନ୍ତେ ଦ୍ୱାରରକ୍ଷୀକୁ ନିର୍ଦ୍ଧେଶ ଦେଲେ ।
ବସନ୍ତ ତାଙ୍କୁ ସବୁକଥା କହିଲା । ତା’ପରେ ସେ ପୁଣି କହିଲା, ଆମ ହାତରେ ଆଉ ବେଳ ନାହିଁ, ରାଜ୍ୟ ରକ୍ଷା ନିମନ୍ତେ ତତ୍କ୍ଷଣାତ୍ ସବୁ ବ୍ୟବସ୍ଥା କରିବାକୁ ହେବ । ମନ୍ତ୍ରୀ ସଙ୍ଗେ ସଙ୍ଗେ ସେନାପତିଙ୍କୁ ଡକାଇଲେ । ତା’ପରେ ସେ ଦୁହେଁ ଅସୁସ୍ଥ ରାଜାଙ୍କ ସହ ଦେଖା କରିବାକୁ ବାହାରିଲେ ।
ରାଜା ସବୁକଥା ଶୁଣି ଦୀର୍ଘ ନିଃଶ୍ୱାସ ତ୍ୟାଗ କଲେ । ଏହାପରେ ସେ ମନ୍ତବ୍ୟ ଦେଲେ “ମୋ କନ୍ୟା ଓ ଜାମାତା ଗଲେ । ବର୍ତ୍ତମାନ ମୋ ରାଜ୍ୟ ଯାଉଛି!”
ସେନାପତି କହିଲେ “ମହାରାଜ! ଆମର ଶେଷ ରକ୍ତବିନ୍ଦୁ ଦେଇ ଆମେ ଆମ ରାଜ୍ୟ ନିଶ୍ଚୟ ରକ୍ଷା କରିବୁ ।”