ରାଜା କହିଲେ “ମୁଁ ଜାଣେ । କିନ୍ତୁ ସୁମେଧ ରାଜ୍ୟର ସୈନ୍ୟବଳ ଆଗରେ ଆମ ସୈନ୍ୟବାହିନୀ କେତେ ସମୟ ବା ଠିଆ ହୋଇ ରହି ପାରିବେ? ଅଯଥା ରକ୍ତପାତ ଘଟାଇ ଲାଭ କ’ଣ? ମୋ କଥା ଶୁଣ । ତୁମ୍ଭେମାନେ ଯାଇ ନନ୍ଦିନୀ ନଦୀ କୂଳରେ ଠିଆ ହୋଇ ରହିବ । ଶତ୍ରୁ ପକ୍ଷ ନଦୀ ସେପାରିରେ ପହଁଚିବା ମାତ୍ରେ ସେମାନଙ୍କୁ ସନ୍ଧି ପ୍ରସ୍ତାବ ଦେବ । ଆମେ ସୁମେଧ ରାଜଦରବାରକୁ ବାର୍ଷିକ କର ଦେବୁ ।”
ଏଭଳି କଥା ଶୁଣି ମନ୍ତ୍ରୀ ଓ ସେନାପତି କିଛି ସମୟ ନୀରବ ରହିଲେ । ତା’ପରେ ମନ୍ତ୍ରୀ କହିଲେ, “ମଣିମା! ଆପଣଙ୍କ ନିର୍ଦ୍ଧେଶ ଶିରୋଧାର୍ଯ୍ୟ । ଏହାହିଁ ବର୍ତ୍ତମାନ ପରିସ୍ଥିତିରେ ବିଜ୍ଞ କାର୍ଯ୍ୟ ହେବ । କିନ୍ତୁ ଶତ୍ରୁପକ୍ଷ ଯଦି ଆମ ସନ୍ଧି ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବ, ତେବେ ଆମେ ପ୍ରାଣମୂର୍ଚ୍ଛା ଲଢେଇ କରିବୁ ।”
ଏକଥା ଶୁଣି ସେ ରାଜା ନୀରବ ରହିଲେ ।
ପୂର୍ଣ୍ଣିମା ରାତି । ବୀରସିଂହର ସୈନ୍ୟଦଳ ଆସି ନଦୀକୂଳରେ ପହଁଚିଗଲେ । ନୌକାରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ବୋଝେଇ କରାଗଲା । ସେନାଧ୍ୟକ୍ଷମାନେ ମଧ୍ୟ ନୌକା ଚଢି ବସିଲେ । ସୈନ୍ୟମାନଙ୍କୁ ହୁକୁମ୍ ଦିଆଗଲା, “ପାଣିରେ ପଶି ସେପାରିକୁ ଯାଅ ।”
ଅନ୍ୟ ପାରିରେ ଅମୃତପୁରର ମନ୍ତ୍ରୀ, ସେନାପତି ଓ ସେମାନଙ୍କ ପଛରେ ସୈନ୍ୟଦଳ ଠିଆ ହୋଇଥାନ୍ତି । ମନ୍ତ୍ରୀ ମହୋଦୟ ବୀରସିଂହ ଉଦ୍ଧେଶ୍ୟରେ ଉଚ୍ଚ କଣ୍ଠରେ ସନ୍ଧି ପ୍ରସ୍ତାବ ଦେବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ନଈ ସେପାରିକୁ ପ୍ରବଳ ପବନ ଯୋଗୁଁ ତାଙ୍କ କଣ୍ଠସ୍ୱର ଶୁଣାଯିବାର ଆଶା ନଥିବାରୁ ସେ ଅପେକ୍ଷା କରିଥାନ୍ତି ।
ହଠାତ୍ ପବନର ବେଗ ଆହୁରି ପ୍ରବଳ ହେଲା । ପରେ ପରେ ନଦୀ ପାରି ହେଉଥିବା ବୀରସିଂହର ସୈନ୍ୟମାନଙ୍କର ଆର୍ତ୍ତନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ନୌକା ଗୁଡିକ ଓଲଟି ପଡିଲେ । ହଠାତ୍ ଭୀଷଣ ବନ୍ୟା ଆସିଥିଲା । ପାର୍ବତ୍ୟ ନଦୀରେ ଏପରି ଅଚାନକ ବନ୍ୟା ମଧ୍ୟେ ମଧ୍ୟେ ହୋଇଥାଏ । ଭୟଙ୍କର ଲହରୀମାନ ପାର୍ବତ୍ୟ ଅଂଚଳରୁ ମାଡି ଆସୁଥାନ୍ତି । ନଦୀ ମଝିରେ ଥିବା ଅଭିଯାନକାରୀ ସୈନ୍ୟମାନଙ୍କୁ ସେ ଜଳରାଶି ଅଚିରେ ଡୁବାଇ ଦେଲା ଓ ସେମାନଙ୍କୁ ଛିନ୍ଛତ୍ର କରିଦେଲା ।
ଚାହୁଁ ଚାହୁଁ ମାତ୍ର କେତେ ମିନିଟ୍ ଭିତରେ ବୀରସିଂହର ସୈନ୍ୟଦଳ ନିଶ୍ଚିହ୍ନ ହୋଇଗଲେ । କେତେଜଣ ମଲେ ଓ କେତେଜଣ ଯାଇ ଦୂର ଦୂରାନ୍ତରରେ ନଦୀକୂଳରେ ଲାଗିଲେ, ସେକଥା କହିବା ଯମା ସମ୍ଭବପର ନୁହେଁ । କିନ୍ତୁ ବୀରସିଂହ ଓ କପାଳଚାନ୍ଦ ଅଳ୍ପକେ ବର୍ତ୍ତୀଗଲେ ।
ଅମୃତପୁରର ରାଜା କହିଲେ “ଆମକୁ ବିଧାତା ରକ୍ଷା କଲା ।” “କିନ୍ତୁ ଭବିଷ୍ୟତରେ ଶତ୍ରୁକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ରହିବା ।”