ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

ବୀରସିଂହ ତାଚ୍ଛଲ୍ୟ ପ୍ରକାଶ କରି କହିଲା “ହାଃ ହାଃ, କିଏ ମାରିବ? ତମେ ଓ ଶଙ୍କର ବର୍ମା?”

“ବୀରସିଂହ, ତେଣେ ଅନା!” ମନ୍ତ୍ରୀ ମହୋଦୟ ଏତକ କହିବା ମାତ୍ରେ ପ୍ରାସାଦର ପ୍ରାଚୀର ସେପଟରୁ ଶହ ଶହ ସୈନ୍ୟ ମୁଣ୍ଡ ତୋଳିଲେ । ଏସବୁ ଘଟଣା ଦେଖି ବୀରସିଂହ କାବା ହୋଇଗଲା ।

ଶଙ୍କର ବର୍ମା ଆସି ବୃଦ୍ଧ ମନ୍ତ୍ରୀଙ୍କ ପାଖରେ ଠିଆ ହେଲେ ଓ କହିଲେ, “ବୀରସିଂହ, ଆମେ ଜାଣିଶୁଣି ତମକୁ ଆମ ରାଜ୍ୟ ଉପରକୁ ମାଡି ଆସିବାକୁ ପ୍ରବର୍ତାଇଛୁ । ନହେଲେ ଅଯଥା ରକ୍ତପାତ ହୋଇଥାନ୍ତା । ବର୍ତ୍ତମାନ ରାଜା ଶାନ୍ତିଦେବଙ୍କ ସୁପୁତ୍ର ରାଜକୁମାର ସନ୍ଦୀପଙ୍କ ଆଗରେ ଆତ୍ମସମର୍ପଣ କର । ଏସବୁ ତାଙ୍କରି ଯୋଜନା । ଏହି ମୁହୂର୍ତ୍ତରେ ଯଦି ମରିବାକୁ ନ ଚାହୁଁଛ, ତେବେ ତାଙ୍କ ପାଖରେ ମସ୍ତକ ଅବନତ କର । ତମେ ଆଉ ପଳାଇପାରିବ ନାହିଁ । ଅମୃତପୁରର ବିଶାଳ ସୈନ୍ୟବାହିନୀ ତମ ସୈନ୍ୟଦଳକୁ ଘେରି ରହିଛନ୍ତି । ବିଧିର ବିଧାନ ସେ ରାଜ୍ୟକୁ ତୁମ ସୈତାନୀ କବଳରୁ ରକ୍ଷା କରିଥିଲା । ଏହି ମୁହୂର୍ତ୍ତରେ ତେଣେ ସୁମେଧର ରାଜଧାନୀ ଶାନ୍ତିପୁରର ରାଜନଅରକୁ ବିଦ୍ରୋହୀ ନେତା ବସନ୍ତ ଅବରୋଧ କରିସାରିଲେଣି । ସୁମେଧ ରାଜ୍ୟର ସବୁ ଲୋକ ତୁମକୁ ଘୃଣା କରନ୍ତି । ତମେ ଆଶ୍ରା ପାଇଁ କୁଡିଆଟିଏ ବି ପାଇବ ନାହିଁ । ଯିବ କୁଆଡେ? ଆଉ ଡେରି କରନା । ଆତ୍ମସମର୍ପଣ କର ।”

ବୀରସିଂହ ଏଣେତେଣେ ଅନାଇଲା । ତା’ର ବହୁ ସୈନ୍ୟ ଘୋଡା ଉପରୁ ପଡି ଭୀଷଣ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଅନ୍ୟମାନେ ଅବାକ୍ ହୋଇ ଜୁଳୁ ଜୁଳୁ କରି ଅନାଇଥିଲେ ।

ଶଙ୍କର ବର୍ମା କଣ୍ଠସ୍ୱର ଉଚ୍ଚ କରି କହିଲେ, “ସୁମେଧ ରାଜ୍ୟର ସୈନ୍ୟଗଣ! ହେଇଟି ତୁମର ପ୍ରକୃତ ପ୍ରଭୁ–ରାଜକୁମାର ସନ୍ଦୀପ ।”

ସନ୍ଦୀପ ଆସି ଶଙ୍କର ବର୍ମାଙ୍କ ପାଖରେ ଠିଆ ହେଲେ ।

ଶଙ୍କର ବର୍ମା ପୁଣି କହିଲେ “ସୈନ୍ୟମାନେ! ତମ ରାଜକୁମାରଙ୍କୁ ଅଭିବାଦନ କରିବ ନାହିଁ?”

ସୈନ୍ୟମାନେ ଉତ୍ସାହରେ କହିଲେ, “ରାଜକୁମାର ସନ୍ଦୀପଙ୍କର ଜୟ ହେଉ!”

“ବେଶ୍ । ଏହା ଦ୍ୱାରା ତମେମାନେ ଆତ୍ମସମର୍ପଣ କଲ ବୋଲି ଆମେ ଧରିନେଲୁ । ଅସ୍ତ୍ରଶସ୍ତ୍ର ତଳେ ଥୋଇଦିଅ । ତମମାନଙ୍କୁ କେହି କୌଣସି ଦଣ୍ଡ ଦେବେ ନାହିଁ । ତମେ ନୂଆ ରାଜା ସନ୍ଦୀପଙ୍କ ସୈନ୍ୟବାହିନୀରେ ରହିବ ।” ଏହା କହି ଶଙ୍କର ବର୍ମା ବୀରସିଂହ ଆଡେ ଅନାଇ କହିଲେ, “ବୀରସିଂହ, ଏଥର କୁହ । ତମେ ଆତ୍ମସମର୍ପଣ କରି ବିଚାରର ସମ୍ମୁଖୀନ ହେବ, ନା ଯୁଦ୍ଧ କରିବ । ମୁଁ ଦଶଯାଏଁ ଗଣିବି ।”

ବୀରସିଂହ ସେଯାଏଁ ଘୋଡାକୁ ଆୟତ କରିବାକୁ ଚେଷ୍ଟା କରୁଥିଲା । ହଠାତ୍ ଘୋଡା ତାକୁ ତଳେ ପକାଇଦେଲା ଓ ସେଠାରୁ ଦୌଡି ପଳାଇଲା । ଶଙ୍କର ବର୍ମା ଦଶଯାଏଁ ଗଣି ସାରିବା ମାତ୍ରେ ତାଙ୍କ ଦେହରକ୍ଷୀମାନେ ଯାଇ ବୀରସିଂହକୁ ତୁରନ୍ତ ବନ୍ଦୀ କଲେ! ଜବର୍ସେନ୍ ହାତ ଉପରକୁ ଟେକି ଆତ୍ମସମର୍ପଣର ସୂଚନା ଦେଲା ।

ସୁମେଧ, ଜୟନଗର ଓ ଅମୃତପୁର ରାଜ୍ୟ ବ୍ୟାପି ଆନନ୍ଦ ଉତ୍ସବ ଲାଗିଗଲା । ଅମୃତପୁରର ରାଜା ପବିତ୍ର ଓ ତାଙ୍କ ନାତି ସନ୍ଦୀପଙ୍କ ମିଳନ ଏଡେ ଆବେଗପୂର୍ଣ୍ଣ ହେଲା ଯେ ଯିଏ ତାକୁ ଦେଖିଛି, ସିଏ କେବେବି ତାହା ଭୁଲିବ ନାହିଁ ।

ସନ୍ନ୍ୟାସୀ ଜୟାନନ୍ଦଙ୍କ ଉପସ୍ଥିତିରେ ରାଜକୁମାର ସନ୍ଦୀପଙ୍କର ରାଜ୍ୟାଭିଷେକ ହେଲା । ତରୁଣ ରାଜା ପ୍ରଥମେ ବଣ ଭିତରକୁ ଯାଇ ନିଜ ପିତାମାତାଙ୍କ ସମାଧିରେ ପୁଷ୍ପାଞ୍ଜଳି ଦେଲେ ଓ ଦୁଇଟି ସମାଧି ସ୍ତୁପ ନିର୍ମାଣର ବ୍ୟବସ୍ଥା କଲେ । ପରେ ପରେ ଦୁଇଟି ସ୍ମରଣୀୟ ଅନୁଷ୍ଠାନ ହେଲା । ପ୍ରଥମଟି ହେଲା ରାଜକୁମାରୀ ସୁକନ୍ୟାଙ୍କ ସହ ତାଙ୍କ ବିବାହ । ଦ୍ୱିତୀୟରେ ସୁମେଧ ସହ ଜୟନଗର ଓ ଅମୃତପୁରର ମିଶ୍ରଣ ହେଲା । କାରଣ ସାମନ୍ତ ରାଜା ଶଙ୍କର ବର୍ମାଙ୍କର ସୁକନ୍ୟା ଛଡା ଆଉ ଅନ୍ୟ କେହି ସନ୍ତାନ ନଥିଲେ କି ରାଜା ପବିତ୍ରଙ୍କର ବି ଆଉ କେହି ଉତ୍ତରାଧିକାରୀ ନଥିଲେ ।

ରାଜା ସନ୍ଦୀପ ଓ ରାଣୀ ସୁକନ୍ୟା ସୁଖରେ ଓ ଶାନ୍ତିରେ ଦୀର୍ଘଦିନ ଧରି ରାଜୁତି କଲେ । ପ୍ରଜାମାନେ ବି ସେ ଦୁହିଁଙ୍କୁ ପ୍ରାଣରୁ ବଳି ଭଲ ପାଉଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ