ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

ବିଦ୍ରୋହୀମାନଙ୍କୁ ଅଚାନକ କାବୁ କରିବା ଉଦ୍ଧେଶ୍ୟରେ ବୀରସିଂହ ଶୀକାର ନାମରେ ଅରଣ୍ୟରେ ପ୍ରବେଶ କଲା । ସେ ଜାଣି ନଥିଲା ଯେ ସାଧୁ ଜୟାନନ୍ଦ ପଶୁପକ୍ଷୀଙ୍କ ଉପରେ ଅଦ୍ଭୁତ ପ୍ରଭାବ ବିସ୍ତାର କରିଥିଲେ । ସେ ରାଜକୁମାର ସନ୍ଦୀପକୁ ମଧ୍ୟ ତାଙ୍କ ଶକ୍ତିର ସୁତ୍ର ଶିଖାଇ ଦେଇଥିଲେ । ରାଜକୁମାରଙ୍କ ନିର୍ଦ୍ଧେଶରେ ପଶୁପକ୍ଷୀମାନେ ବୀରସିଂହର ଲୋକଙ୍କୁ ଆକ୍ରମଣ କରି ସେଠାରୁ ହଟାଇ ଦେଲେ । ତା’ପରେ …

ବୀରସିଂହର ଅପମାନର କୌଣସି ଅନ୍ତ ନଥାଏ । କିଛିବର୍ଷ ତଳେ ଅମୃତପୁର ଆକ୍ରମଣ କରିବାକୁ ବାହାରି ନଦୀରେ ଅକସ୍ମାତ୍ ବନ୍ୟା ଯୋଗୁଁ ତା’ ସୈନ୍ୟଦଳ ଯେପରି ବିପର୍ଯ୍ୟସ୍ତ ହୋଇଥିଲେ, ସେକଥା ସେ ପାଶୋରି ନଥିଲା । କିନ୍ତୁ ଛାର ପଶୁପକ୍ଷୀମାନଙ୍କ ଆକ୍ରମଣ ଯୋଗୁଁ ବଣରୁ ପଳାଇ ଆସିବାକୁ ବାଧ୍ୟ ହେବାଠୁଁ ବଳି ଲଜ୍ଜାର କଥା ଆଉ କ’ଣ ବା ଥାଇପାରେ?

କିଛିଦିନ ପାଇଁ ବୀରସିଂହ ଦରବାରରେ ଆଉ ନିଜ ମୁହଁ ଦେଖାଇଲା ନାହିଁ । ସେନାପତି ଜବରସେନ୍ ଓ ପାତ୍ରମିତ୍ରମାନେ ମଧ୍ୟ ତେନ୍ତୁଳି ଖାଇଲା ଭଳି ମୁହଁ କରିଥାନ୍ତି । ତେବେ ସେ ଘଟଣା ଯୋଗୁଁ ପ୍ରଜାମାନଙ୍କର ମଙ୍ଗଳ ହେଲା । ବୀରସିଂହର ଧାରଣା ହେଲା, ତା’ ଜାତକରେ ବର୍ତ୍ତମାନ ଦୁଃସମୟ ପଡିଛି । ତେଣୁ କିଛିଦିନ ଲାଗି ଚୁପ୍ଚାପ୍ ହୋଇ ରହିବା ତା’ପକ୍ଷେ ବହୁତ ଭଲ ।

ଦିନ ଗଡି ଚାଲିଲା । ବୀରସିଂହର ଗର୍ବ ଖର୍ବ ହୋଇଥାଏ ଠିକ୍; କିନ୍ତୁ ତା’ ପ୍ରକୃତିରେ କୌଣସି ପରିବର୍ତ୍ତନ ଦେଖାଦେଇ ନଥାଏ । ଗୁପ୍ତଚରମାନେ ତାକୁ ଜଣାଇଲେ କି ବିଦ୍ରୋହୀମାନେ ଖାଲି ଯେ ରାଜା ଶାନ୍ତିଦେବଙ୍କ ଶ୍ୱଶୁର ଘର ରାଜ୍ୟ ଅମୃତପୁରରୁ ସାହାଯ୍ୟ ପାଉଛନ୍ତି ତାହା ନୁହେଁ, ଜୟନଗରର ସାମନ୍ତରାଜା ଶାନ୍ତିଦେବ ମଧ୍ୟ ସେମାନଙ୍କୁ ସହାୟତା ଦେଉଛନ୍ତି ।

ଇତିମଧ୍ୟରେ ଅମୃତପୁରର ସୈନ୍ୟବଳ ତ ବଢି ଯାଇଥାଏ । ସେ ରାଜ୍ୟର ରାଜା ମଧ୍ୟ ବିଶେଷ ଜାଗତିଆର ରହିଥାନ୍ତି । ବୀରସିଂହ ଅମୃତପୁର ଦଖଲ କରିବାର ଆଶା ଛାଡି ଦେଇଥାଏ । କିନ୍ତୁ ଜୟନଗରର ସାମନ୍ତ ରାଜାଙ୍କୁ ଉପଯୁକ୍ତ ଶିକ୍ଷା ଦେବାରେ ବାଧା କ’ଣ?

ଜଣେ ମନ୍ତ୍ରୀ ତାକୁ କହିଲା, “ଶଙ୍କର ବର୍ମାର ଧନସମ୍ପଦ ତ ବହୁତ । ତା’ ଉପରେ ସେ ପୁଣି ନିକଟରେ ତା’ ପୂର୍ବପୁରୁଷଙ୍କ ପୁରୁଣା ନଅରର ପଥର ଗଦା ତଳୁ ଗୋଟିଏ ଅପୂର୍ବ ଚିଜ ପାଇଛି । ତାହା ହେଉଛି ନିଦା ସୁନାରେ ନିର୍ମିତ କନକଦୁର୍ଗାଙ୍କ ପ୍ରତିମା ।”

ବୀରସିଂହ ଉତ୍ସାହଭରେ କହିଲା “ନିଦା ସୁନା? ଆମର ତ ତାହାହିଁ ଲୋଡା । ଧାନ ରପ୍ତାନି କରି ଅସ୍ତ୍ର ଆମଦାନୀ କରିବା ଦିଗରେ ଆମ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ । କିନ୍ତୁ ସୁନା ବଦଳରେ ଅସ୍ତ୍ର କିଣିବାଠୁଁ ସହଜ ଆଉ କ’ଣ?”

ସେନାପତି ଜବରସେନ୍ର ମୁହଁ ଉଜ୍ଜ୍ୱଳ ଦେଖାଗଲା । “ମହାରାଜ! ଆମେ ଜୟନଗର ଅଭିଯାନରେ ବାହାରି ପଡିବା?”

ବୀରସିଂହ ବିଦ୍ରୁପଭରା ହସ ହସି କହିଲା, “ଜବର! ତମକୁ ଆମେ ସେନାପତି କରିଛୁ ତମେ ଠେକୁଆ ଶୀକାର୍ କରିଆଣି ଆମକୁ ଦେବ ବୋଲି? ଜୟନଗରର ନିଜ ସୈନ୍ୟବାହିନୀ ନାହିଁ । ପରମ୍ପରା ଅନୁସାରେ ସେ ଟିକି ରାଜ୍ୟକୁ ରକ୍ଷା କରନ୍ତି ଆମ ସୁମେଧ ରାଜ୍ୟ ତଥା ଅମୃତପୁର ରାଜ୍ୟ । ଆମେ ଯଦି ତାକୁ ଆକ୍ରମଣ କରିବା, ତେବେ ଅମୃତପୁର ସହ ଆମର ଯୁଦ୍ଧ ଅନିବାର୍ଯ୍ୟ । ତମେ କ’ଣ ଅମୃତପୁରର ସୈନ୍ୟବାହିନୀକୁ ସାମ୍ନା କରିବାକୁ ପ୍ରସ୍ତୁତ?”

ଜବରସେନ୍ ମୁଣ୍ଡ ତଳକୁ କରି ଠିଆ ହୋଇ ରହିଲା । ପୁଣି ବୀରସିଂହ କହିଲା, ନା, ଖୋଲାଖୋଲି ଭାବରେ ଜୟନଗର ଆକ୍ରମଣ କରିବାର ପ୍ରଶ୍ନ ହିଁ ଉଠୁନାହିଁ । କିନ୍ତୁ ଆମେ ସେ ରାଜ୍ୟ ରକ୍ଷା କରୁଥିବା ବାବଦରେ ଆମ ପ୍ରାପ୍ୟ ଦାବି କରିପାରୁଁ! ସେହି ମର୍ମରେ ପ୍ରଥମେ ଶଙ୍କର ବର୍ମା ପାଖକୁ ବାର୍ତ୍ତା ପଠାଇବା । ସେ ଯଦି ବେଖାତିର୍ କରିବ, ସେତେବେଳେ ଦେଖାଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ