ଜୟନଗରରେ ପ୍ରାୟ ଉତ୍ସବ ଲାଗିଯାଇଥାଏ । ପୁରୁଣା ନଅର ଭିତରୁ ଆବିସ୍କୃତ ଦେବୀ ପ୍ରତିମା ଦର୍ଶନ କରିବାକୁ ଲୋକେ ଭିଡ କରୁଥିଲେ । ଛୋଟିଆ ମନ୍ଦିରଟିଏ ତୋଳା ହୋଇଥିଲା । ଆପାତତଃ ତହିଁଭିତରେ ପ୍ରତିମା ସ୍ଥାପନ ନିମନ୍ତେ ଶୁଭ ମୁହୂର୍ତ୍ତ ସ୍ଥିର ହୋଇସାରିଥାଏ ।
ଶଙ୍କର ବର୍ମା ତାଙ୍କ ଉଦ୍ୟାନରେ ବୁଲୁଥିଲେ । ଜଣେ ପ୍ରାସାଦ-ରକ୍ଷୀ ଆସି ତାଙ୍କୁ କହିଲା କି ବୀରସିଂହ ନିକଟରୁ ଦୂତଟିଏ ଆସିଛି ।
ଶଙ୍କର ବର୍ମା ଭ୍ରୁକୁଞ୍ଚନ କଲେ । “ବୀରସିଂହର ଦୂତ? ଠିକ୍ ଅଛି ତାକୁ ଏଠାକୁ ନେଇଆସ ।”
ଦୂତ ଆସି ଶଙ୍କର ବର୍ମାଙ୍କୁ ଅଭିବାଦନ କରି କହିଲା, “ଆମ ମହାରାଜା ବୀରସିଂହ ଆପଣଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କ ପ୍ରାପ୍ୟ କଥା ମଧ୍ୟ ଆପଣଙ୍କୁ ମନେ ପକାଇ ଦେଇଛନ୍ତି!”
ଶଙ୍କର ବର୍ମା ଆଶ୍ଚର୍ଯ୍ୟ ହୋଇ କହିଲେ “ତାଙ୍କ ପ୍ରାପ୍ୟ? କାହାରିକୁ ଆମର କିଛି ଦେୟ ଥିବା କଥା ତ ଆମେ ଜାଣୁନା!”
ଦୂତ ନମ୍ର ଭାବରେ କହିଲା “ଆଜ୍ଞା, ଆପଣଙ୍କ ରାଜ୍ୟ ଆମ ସୁମେଧ ରାଜ୍ୟ ଯୋଗୁଁ ନିରାପଦ ଅଛି । ଅର୍ଥାତ୍ ସୁମେଧ ଆପଣଙ୍କୁ ରକ୍ଷା କରୁଛି । ସେ ବାବଦରେ ଆପଣଙ୍କଠୁଁ ସୁମେଧର କିଛି ପ୍ରାପ୍ୟ ରହିଛି ।”
ଶଙ୍କର ବର୍ମା ପ୍ରଶ୍ନ କଲେ “ଏପରି କଥା! ତାହେଲେ ତମ ପ୍ରଭୁ କ’ଣ ଆଶା କରୁଛନ୍ତି?”
ଦୂତ କହିଲା “ଆଜ୍ଞା, ଆପଣ ଯେଉଁ ସୁବର୍ଣ୍ଣ ପ୍ରତିମା ଉଦ୍ଧାର କରିଛନ୍ତି, ଆମ ମହାରାଜା ବୀରସିଂହ ତାହାହିଁ ଆପଣଙ୍କଠାରୁ ନେବାକୁ ଚାହାଁନ୍ତି ।”
ଏକଥା ଶୁଣିବା ମାତ୍ରେ ଶଙ୍କର ବର୍ମାଙ୍କ ମୁହଁରେ ହଠାତ୍ କ୍ରୋଧ ଫୁଟି ଉଠିଲା । କିନ୍ତୁ ସେ ଭାଷାରେ ନିଜ ମନୋଭାବ ପ୍ରକାଶ କଲେ ନାହିଁ । ସେ ଶାନ୍ତ କଣ୍ଠରେ କହିଲେ, “ଶୁଣ ଦୂତ, ସେ ପ୍ରତିମା କାହାକୁ ହସ୍ତାନ୍ତର କରିବାର ଅଧିକାର ମୋର ନାହିଁ । ସେ ପ୍ରତିମାଙ୍କର ପ୍ରତିଷ୍ଠା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା ସରିଲାଣି । ପରେ ଗୋଟିଏ ବଡ ମନ୍ଦିର ତୋଳି ଦେବୀ ମୂର୍ତ୍ତିକୁ ତହିଁ ଭିତରକୁ ସ୍ଥାନାନ୍ତର କରିବୁ । ସେତେବେଳେ ବଡ ଉତ୍ସବ କରି ସୁମେଧ ଓ ଅମୃତପୁରର ରାଜାମାନଙ୍କୁ ନିମନ୍ତ୍ରଣ କରିବା ଆମର ଉଦ୍ଧେଶ୍ୟ ।”
“ଆଜ୍ଞା, ମୋତେ ଆପଣଙ୍କୁ ଖାଲି ଏତିକି ଜଣାଇଦେବାକୁ ନିର୍ଦ୍ଧେଶ ଦିଆଯାଇଛି କି ଆପଣ ଯଦି ସ୍ୱେଚ୍ଛାରେ ଯାଇ ସେ ପ୍ରତିମାଟି ନଦେବେ, ତେବେ ସେହି ପ୍ରତିମାକୁ ଆପଣଙ୍କଠୁଁ ଜୋର୍ ଜବରଦସ୍ତ କରି କାଢି ନିଆଯିବ ।” ଦୂତ ତଳକୁ ଅନାଇ ଏତକ କହିଲା । ଏଥିରୁ ଜଣାଯାଏ ଯେ ଦୂତ ନିଶ୍ଚୟ ବୀରସିଂହଠୁଁ ବହୁତ ଅଧିକ ବିବେକୀ । ଏଣୁ ଏକଥା କହିବାକୁ ତା’କୁ ବଡ ଅଡୁଆ ଲାଗୁଥାଏ ।
“ହୁଁ!” ଶଙ୍କର ବର୍ମା ଆକାଶ ଆଡେ ଅନାଇ କହିଲେ, “ଦୂତ! ତମେ ଯାଇ ତମ ପ୍ରଭୁକୁ କହିଦିଅ କି ଆମେ ପ୍ରତିମା ହସ୍ତାନ୍ତର ପାଇଁ ଆଦୌ ପ୍ରସ୍ତୁତ ନୋହୁଁ । ଯଦି ବୀରସିଂହ ଚାହାଁନ୍ତି, ଆମେ ତାଙ୍କୁ କିଛି ଅର୍ଥ ଦେଇପାରୁ । କିନ୍ତୁ ତାହାବି ତାଙ୍କର ଅନ୍ୟାୟ ଦାବି । ତାଙ୍କ ପୂର୍ବରୁ ସୁମେଧ ରାଜ୍ୟ ଶାସନ କରୁଥିବା କୌଣସି ରାଜା ଏଭଳି ଦାବି କରି ନାହାଁନ୍ତି । ବର୍ତ୍ତମାନ ତୁମେ ଏଠୁ ଯାଇପାର ।”
ଦୂତ ଅଭିବାଦନ କରି ଚାଲିଗଲା । ଶଙ୍କର ବର୍ମା ପୁନର୍ବାର ପଦଚାରଣା ଆରମ୍ଭ କଲେ ।
ଶଙ୍କର ବର୍ମା ତା’ ପ୍ରସ୍ତାବରେ କେବେବି ରାଜି ହେବେ ନାହିଁ ବୋଲି ବୀରସିଂହ ଠିକ୍ ଜାଣିଥିଲା । ସେ ଜୟନଗର ସୀମାନ୍ତରେ ଦଳେ ସୈନ୍ୟ ଧରି ଅପେକ୍ଷା କରିବାକୁ ଜବରସେନ୍କୁ ନିର୍ଦ୍ଧେଶ ଦେଇଥାଏ । ତା’ହେଲେ ତ ଚଟାପଟ କାର୍ଯ୍ୟ ହାସଲ ହୋଇଯିବ । ଶଙ୍କର ବର୍ମା ପ୍ରତିମା ଲୁଚାଇଦେବା ପୂର୍ବରୁ କିମ୍ବା ଅମୃତପୁରକୁ ସାହାଯ୍ୟ ସକାଶେ ନିବେଦନ କରିବା ପୂର୍ବରୁ ପ୍ରତିମା ଛଡାଇ ନିଆଯାଇ ପାରିବ!
ଦୂତ ସୀମାନ୍ତକୁ ଆସି ଜବର୍ସେନ୍କୁ ତା’ ବିଫଳତା ସମ୍ବାଦ ଦେବା ମାତ୍ରେ ଜବର୍ସେନ୍ ଜୟନଗର ଭିତରକୁ ସୈନ୍ୟ ଧରି ମାଡିଯିବାକୁ ପ୍ରସ୍ତୁତ ହେଲା । ସେ ସୈନ୍ୟମାନଙ୍କୁ ଏକତ୍ର କରି କହିଲା, “ଶୁଣ! ଆମେ ଜୟନଗରର ସାମନ୍ତରଜାଙ୍କ ନଅର ଅଭିମୁଖେ ଅଭିଯାନ କରିବା । କୌଣସି ବାଧା ସାମ୍ନା କରିବାର ଆଶଙ୍କା ନାହିଁ । କିନ୍ତୁ…”
“ଚୁପ୍ କର!”
ତୀବ୍ର କଣ୍ଠସ୍ୱରରେ ଏ ନିର୍ଦ୍ଧେଶ କୌଣସି ବୁଦା ଭିତରୁ ଆସି ଜବର୍ସେନ୍କୁ ସ୍ତବ୍ଧ କରିଦେଲା । ସେ ଏଣେ ତେଣେ ଅନାଇବା ବେଳକୁ ଅନ୍ୟ ଗୋଟିଏ ଦିଗରୁ ତୀରଟିଏ ଆସି ତା’ ସାମ୍ନାରେ ପଡିଲା । ତୀର ସହ ଯୋଖା ହୋଇଥିଲା ଏକ ଚିଠି । ସେଥିରେ ଲେଖାଥିଲା, ଜୟନଗର ଭିତରକୁ ପଶନାହିଁ । ଏଇଠୁ ଫେରିଯାଅ । ଏହାକୁ ଚେତାବନୀ ବୋଲି ଜାଣିବ । ରାଜକୁମାର ସନ୍ଦୀପଙ୍କ ନିର୍ଦ୍ଧେଶ କ୍ରମେ ।”