ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

                ରାଜକୁମାର ସନ୍ଦୀପ! ବିଦ୍ରୋହୀମାନଙ୍କର ଇଏ ପୁଣି ନୂଆ ଧ୍ୱନି କ’ଣ? ପୂର୍ବରୁ ସେମାନଙ୍କ ପ୍ରେରିତ ବାର୍ତ୍ତାରେ ଏଭଳି କୌଣସି ସୂଚନା ନଥିଲା । ବର୍ତ୍ତମାନ ସେମାନେ କୌଣସି ଶକ୍ତିଶାଳୀ ନେତା ଦ୍ୱାରା ସୁସଂଗଠିତ ମନେ ହେଉଛି । ଏହି ରାଜକୁମାର ବୋଲାଉଥିବା ସନ୍ଦୀପ କିଏ? ଜବର୍ସେନ୍ ମନରେ ଭୟ ଘୋଟି ଆସିଲା । ତୀର ଯଦି ତା’ ମୁଣ୍ଡ ବା ଛାତିକୁ ଲକ୍ଷ୍ୟ କରାହୋଇଥାନ୍ତା, ତେବେ? ତାକୁ କୌଣସି ଶତ୍ରୁ ଅନୁସରଣ କରୁଛି ଜାଣିବା ପରେ ଜୟନଗର ଭିତରକୁ ସେ କିପରି ସାହସ କରି ସୈନ୍ୟ ଦଳ ନେଇଯିବ?

                କିନ୍ତୁ ନଗଲେ ବୀରସିଂହକୁ କି କୈଫିୟତ୍ ଦେବ? ସେ ଇତସ୍ତତଃ କରି ତା’ପରେ ହୁକୁମ୍ ଦେଲା, “ଜୟନଗର ଚାଲ!” ପୂର୍ଣ୍ଣିମା ରାତି ଆଗତପ୍ରାୟ । ବୀରସିଂହର ଧମକଚମକ ବିଷୟରେ ସାଧାରଣ ଲୋକେ କିଛି ଜାଣି ନଥିଲେ । ସେମାନେ ପ୍ରତିମା ପ୍ରତିଷ୍ଠାର ଆୟୋଜନରେ ବ୍ୟସ୍ତ । ପରଦିନହିଁ ସେ ଅନୁଷ୍ଠାନ ।

                ହଠାତ୍ ଦଳେ ସୈନ୍ୟ ସାମନ୍ତରାଜାଙ୍କ ନଅର ଆଡେ ମାଡି ଚାଲିଥିବାର ଦେଖି ସେମାନେ ଖୁବ୍ ଆଶ୍ଚର୍ଯ୍ୟ ହେଲେ । କେହି କେହି ଦୌଡି ଯାଇ ଶଙ୍କର ବର୍ମାଙ୍କ କର୍ମଚାରୀମାନଙ୍କୁ ଏହି ଖବର ଦେଲେ । ଶଙ୍କର ବର୍ମା ନଅର ସମ୍ମୁଖକୁ ବାହାରି ଆସିଲେ ।

                ସେ ଜବର୍ସେନ୍କୁ ପଚାରିଲେ “ତମର ଉଦ୍ଧେଶ୍ୟ?”

ଜବର୍ସେନ୍ ଉତ୍ତର ଦେଲା “କନକଦୁର୍ଗାଙ୍କ ସୁବର୍ଣ୍ଣ ପ୍ରତିମା ଉଦ୍ଧେଶ୍ୟରେ ଆମେ ଆସିଛୁ ।”

“ତାହା ଦିଆଯାଇ ପାରିବ ନାହିଁ ବୋଲି ମୁଁ ଦୂତକୁ କହିଛି!”

ଜବର୍ସେନ୍ ଅର୍ଥପୂର୍ଣ୍ଣ ଭାବରେ କହିଲା “ଆମେ ନେଇଯିବୁ ।”

ଶଙ୍କର ବର୍ମା ଚୁପ୍ ହୋଇ ମୁହୂର୍ତ୍ତଟିଏ କିଛି ଚିନ୍ତା କରି କହିଲେ, “ରକ୍ତପାତ ହେବା ମୁଁ କେବେବି ଚାହେଁନା । ଯାହା ଇଚ୍ଛା କରିପାର ।”

ଗୁପ୍ତଚରମାନେ ଜବର୍ସେନ୍କୁ ପ୍ରତିମା ଥିବା କୋଠରୀ ଭିତରକୁ ନେଇଗଲେ । ସେ ତା’ ଅନୁଚରମାନଙ୍କ ସହଯୋଗରେ ପ୍ରତିମା ଉଠାଇଲା । ଠିକ୍ ସେତିକିବେଳେ ଜଣେ ଚର ଆସି ତା’ କାନରେ କିଛି କହିଲା । ବୀରସିଂହ ନିର୍ଦ୍ଧେଶ ଦେଇଥିଲା କି ପ୍ରତିମାକୁ ନୌକାରେ ନେଇଯିବାକୁ ହେବ । ସୈନ୍ୟମାନେ ନଈର ଉଭୟ ତୀରରେ ନୌକା ସହ ତାଳ ଦେଇ ଚାଲିବେ । ତା’ହେଲେ ବିଦ୍ରୋହୀମାନେ ମୂର୍ତ୍ତି ଛଡାଇନେବାର ଆଉ କୌଣସି ସୁଯୋଗ ପାଇବେ ନାହିଁ । ବୀରସିଂହକୁ ତା’ ଗୁପ୍ତଚରମାନେ ବିଦ୍ରୋହୀମାନେ ଆକ୍ରମଣ କରିବାର ସମ୍ଭାବନା ଅଛି ବୋଲି ଖବର ଦେଇଥିଲେ ।

ସେ ଉଜ୍ଜ୍ୱଳ ସୁବର୍ଣ୍ଣ ପ୍ରତିମା ଧରି ଦୁଇଜଣ ସୈନିକ ନୌକାରେ ବସିଲେ । ଏଣେ ଦୁଇ ତୀରରେ ସୈନ୍ୟମାନେ ଚାଲିଥାନ୍ତି । ଜବର୍ସେନ୍ ତା’ ଅଭିଯାନ ସଫଳ ହୋଇଛି ବୋଲି ଆତ୍ମସନ୍ତୋଷ ଲାଭ କରୁଥାଏ ।

ଗୋଟିଏ ସ୍ଥାନରେ ନଈର ଉଭୟ ତୀରରେ ଘନ ବରଗଛ ସବୁ ଥାଏ । ସୈନ୍ୟମାନେ ଠିକ୍ ସେଇଠି ପହଁଚିବା ବେଳକୁ ଅଳ୍ପ ଦୂରରେ, ବିଲ ଭିତରେ ବଢିଆ ଆତସ୍ବାଜି ଫୁଟିଲା । ସମସ୍ତଙ୍କ ଦୃଷ୍ଟି ସେହିଆଡକୁ ଗଲା । ପ୍ରତିମା ଧରି ନୌକାରେ ବସିଥିବା ଲୋକ ଦୁଇଜଣଙ୍କର ମନେ ହେଲା ଭୂତଟିଏ ସେମାନଙ୍କ ଆଡେ ଝୁଲି ହୋଇ ଆସୁଛି! ପର ମୁହୂର୍ତ୍ତରେ ସେମାନେ ଦେଖିଲେ ଯେ, ସେ ପ୍ରତିମା ଆଉ ତାଙ୍କ ପାଖରେ ନାହିଁ! ବରଗଛରୁ ଓହଳିଥିବା ମୋଟ ଦଉଡି ଗୋଟିଏ ହାତରେ ଧରି ବେଗରେ ନଈ ଭିତରକୁ ଝୁଲି ଯାଇ କେହି ଜଣେ ତା’ ଅନ୍ୟ ହାତରେ ପ୍ରତିମାଟିକୁ ଉଠାଇ ନେଇ ଅନ୍ୟ ତୀରରେ ପହଁଚିଗଲା । ସେ ତୀରର ସୈନ୍ୟମାନେ ବି ଆତସ୍ବାଜି ଆଡେ ଅନାଇଥାନ୍ତି । ନୌକାର ଲୋକେ “ଡାକୁ! ” ବୋଲି ଚିତ୍କାର କରିବା ବେଳକୁ ସେ ରହସ୍ୟମୟ ଲୋକଟି ସେ ତୀରରେ ଅପେକ୍ଷା କରିଥିବା ଘୋଡା ଉପରେ ବସି ଚମ୍ପଟ ଦେଲାଣି ।

ଜହ୍ନ ଆଲୁଅ ଭିତରେ ସେ ଦୁଃସାହସୀ ଘୋଡାସବାର ଅଦୃଶ୍ୟ ହୋଇଗଲା । ସୈନ୍ୟମାନେ ହତବମ୍ବ ହୋଇ ଅନାଇଥାନ୍ତି ।

ଜବର୍ସେନ୍ ତା’ ସୈନ୍ୟମାନଙ୍କୁ ନିର୍ଦ୍ଧେଶ ଦେଲା “ବନ୍ଦ କର” । ନୌକାରେ ଥିବା ତା’ ଲୋକମାନଙ୍କୁ ସେ ଜିଜ୍ଞାସା କଲା, “କ’ଣ ହେଲା? ଦସ୍ୟୁଟା କାହିଁ? ଦସ୍ୟୁଟା କ’ଣ ଗୋଟାଏ କୁମ୍ଭୀର ଯେ ତୁମ ନୌକା ପଛରେ ପହଁରି ଆସି ମୂର୍ତ୍ତିଟା ନେଇଗଲା । ତୁମେମାନେ କ’ଣ ସେତେବେଳେ ଶୋଇ ପଡିଥିଲ ନା ଦୁଃସ୍ୱପ୍ନ ଦେଖୁଥିଲ?”

ନୌକାରେ ଥିବା ମୂର୍ତ୍ତିର ଜଗୁଆଳୀମାନେ କହିଲେ, “ମାଲିକ, ଆଜ୍ଞା ଦସ୍ୟୁ ଜଣକ ମୂର୍ତ୍ତିଟି ଧରି ଆଖି ପିଛୁଳାକେ କୁଆଡେ ପଳାୟନ କଲା ।”

“ହାୟ ହାୟ ଏ କ’ଣ ହେଲା? ଏତେ କଷ୍ଟରେ ଲକ୍ଷ୍ୟ ହାସଲ କରିବା ପରେ ବି ଏଇ ଦଶା?” ଜବର୍ସେନ୍ ଚିନ୍ତା କଲା “ସତରେ ସେ ଦସ୍ୟୁଟା ସୁବର୍ଣ୍ଣ ପ୍ରତିମାଟିକୁ ନେଇ ପଳାଇଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ