“ବୀର! ମୁଁ ଯେ କଳ୍ପନା ବିଳାସୀ, ସ୍ୱପ୍ନଚାରୀ, ଏଥିରେ ତ କୌଣସି ସନ୍ଦେହ ନାହିଁ । ମୁଁ ସ୍ୱପ୍ନ ଦେଖେ – ଯେତେବେଳେ ଲୋକେ ପରସ୍ପର ସହଯୋଗରେ, ହସଖୁସିରେ ଦିନ ବିତାଇବେ; ପରସ୍ପର ତଂଟି ବା ଅଂଟି କାଟିବାରେ ନୁହେଁ । ବୀର, ତମେ ଗୋଟାଏ କାମ କର । ଆମ ସୈନ୍ୟବଳକୁ ଗଠନମୂଳକ କାମରେ ଲଗାଅ । ସେମାନେ ନଈରେ ସେତୁ ବାନ୍ଧନ୍ତୁ; ଯେଉଁଠି ପାଣି ନାହିଁ, ସେଠାରେ ସରୋବର ଖୋଳନ୍ତୁ । ରାଜପଥର ଦୁଇ କଡରେ ଗଛ ଲଗାନ୍ତୁ । କୃଷକମାନଙ୍କୁ ହଳ କରିବାରେ ସେମାନେ ସାହାଯ୍ୟ କରନ୍ତୁ…”
“ମଣିମା, ହେଲା । ବୀରସିଂହ ଧୈର୍ଯ୍ୟ ହରାଇ ଥଟ୍ଟାଳିଆ ସ୍ୱରରେ କହିଲା, “ଗୋରୁ ଜଗିବା ପାଇଁ, ସ୍ତ୍ରୀ ଲୋକମାନଙ୍କୁ ରୋଷେଇରେ ସାହାଯ୍ୟ କରିବା ପାଇଁ ମୁଁ ଆମ ସୈନ୍ୟମାନଙ୍କୁ ଉପଦେଶ ଦେବି ।”
ଏହା ଶୁଣି ରାଜା ହସିଲେ । ବୀରସିଂହ ବୟସରେ ତାଙ୍କଠାରୁ ବର୍ଷେ ଦୁଇବର୍ଷ ସାନ ହୋଇଥିବା ଦୃଷ୍ଟିରୁ ରାଜା ତା’ ପ୍ରତି ସ୍ନେହଭାବ ପୋଷଣ କରୁଥିଲେ । ସେ କହିଲେ, “ବୀର! ତମେ କ’ଣ ଭାବୁଛ ଗୋରୁ ଜଗିବା ଆଉ ରୋଷେଇ କରିବା ଗୌଣ କାମ? ସେହି ସବୁ ହେଲା ସଚ୍ଚା କାମ । ତା’ ତୁଳନାରେ ପର ରାଜ୍ୟ ଲୁଣ୍ଠନ କରିବା, ମଣିଷ ମାରିବା ଇତ୍ୟାଦି ନାରକୀୟ କାମ । ସେସବୁ କାମକୁ ଧିକ୍! ବୀର, ତମେ ନିଜ ହୃଦୟକୁ ଶାନ୍ତ ରଖ । ତା’ହେଲେ ଯାଇ ତମ ପରିବେଶ ଶାନ୍ତ ରଖିବା ଦିଗରେ ଉତ୍ସାହ ଅନୁଭବ କରିବ ।” ରାଜା ଏତିକି କହିବା ବେଳକୁ ମନ୍ତ୍ରୀ ଆସି ସେଠାରେ ପହଁଚିଲେ । ରାଜା ତାଙ୍କ ସହ କଥାବାର୍ତ୍ତା କଲେ । ଏଣେ ସେନାପତି ସେଠାରୁ ଚାଲିଗଲେ ।
ସେହି ରାତିରେ ସେନାପତି ତାଙ୍କ ସହକାରୀ ଦଳପତିମାନଙ୍କୁ ଡକାଇ କହିଲେ, “ଶୁଣ । ନିଜ ନିଜ ତରବାରୀ ଫୋପାଡି ଦିଅ । ହଳ କରିବା, ଗଛ କାଟିବା, ରୋଷେଇ କରିବା ଶିଖ । ଆମ ରାଜା ତମମାନଙ୍କଠୁଁ ସେଇଆ ଆଶା କରନ୍ତି ।”
ଏକଥା ଶୁଣି ଦଳପତିମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଧୂର୍ତ୍ତ ବୀରସିଂହ ସେମାନଙ୍କୁ ରାଜାଙ୍କ ବିରୁଦ୍ଧରେ ମତାଇବାକୁ ଲାଗିଲେ । କହିବା ବାହୁଲ୍ୟ, ସେ ଯେଉଁ ସବୁ ଦଳପତିମାନଙ୍କୁ ଡକାଇଥିଲେ, ସେମାନେ ସବୁ ତାଙ୍କ ନିଜ ଲୋକ । ତାଙ୍କରି ଯୋଗୁଁ ସେମାନେ ଚାକିରୀ ଓ ପଦୋନ୍ନତି ଉଭୟ ପାଇଥିଲେ ।
ସେମାନେ ସ୍ତବ୍ଧ ହୋଇ ରହିଲେ । ବୀରସିଂହ ଗମ୍ଭୀର କଣ୍ଠରେ କହିଲେ, “ବନ୍ଧୁଗଣ! ଆମେମାନେ ଯୋଦ୍ଧା । ଆମର ପ୍ରଥମ କର୍ତ୍ତବ୍ୟ ଆମ ତରବାରୀ ପ୍ରତି । ଆମେ କ’ଣ ଆମ ତରବାରୀରେ କଳଙ୍କ ଲାଗି କ୍ଷୟ ହେବାର ଏମିତି ଦେଖୁଥିବା?”
ଦଳପତିମାନେ ସମସ୍ୱରରେ କହିଲେ “କଦାପି ନୁହେଁ ।”
“କଣ୍ଠସ୍ୱର ନିମ୍ନ କରି କଥା କୁହ । କାନ୍ଥର ବି କାନଥିବା କିଛିବି ଅସମ୍ଭବ ନୁହେଁ ।” ଏହିପରି ଭାବେ ବୀରସିଂହ ସେମାନଙ୍କୁ ସାବଧାନ୍ କରିଦେଲେ ।
ଏହା ପରେ ଦୀର୍ଘ ସମୟ, ମଧ୍ୟରାତ୍ରି ଅତୀତ ହେବାଯାଏଁ, ସେମାନେ ସବୁ କ’ଣ ପରାମର୍ଶ କଲେ, କି ପ୍ରକାର ଯୋଜନାମାନ କଲେ, ସେ କଥାର ବିଷଦ ବିବରଣୀ ସେମାନଙ୍କ ଛଡା ଆଉ କେହି ଜାଣିବାର ଉପାୟ ନଥିଲା । ବୀରସିଂହ ରାଜ-ନଅର ଏବଂ ତହିଁ ଭିତରେ ଥିବା ଭିନ୍ନ ଭିନ୍ନ ଦ୍ୱାର, ବାରନ୍ଦା, ମଧ୍ୟବର୍ତ୍ତୀ ଖୋଲା ସ୍ଥାନ, ଏସବୁର ମାନଚିତ୍ର ତିଆରି କରିଥାନ୍ତି । ନଅର, ବିଶେଷ କରି ରାଜା ଓ ରାଣୀଙ୍କ ଅନ୍ତଃପୁରର ସମସ୍ତ ପରିଚାରକ ପରିଚାରିକାଙ୍କ ତାଲିକା ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି । ସେହି ସବୁ ଉପରେ ସେମାନଙ୍କ ଆଲୋଚନା ହେଲା ।
କିନ୍ତୁ ରାଜା ଶାନ୍ତିଦେବ ସେ ଗୋପନ ବୈଠକ ବିଷୟରେ ଜଣେ ଗୁପ୍ତଚରଠୁଁ କିଛି ଖବର ପାଇଗଲେ । ଗୁପ୍ତଚର ଅବଶ୍ୟ ସବୁକଥା ଶୁଣିପାରି ନଥିଲା । ସେ ରାଜାଙ୍କୁ ଯେତିକି କହିଲା, ତାହା ଉପରେ ରାଜା ବିଶେଷ ଗୁରୁତ୍ୱ ଦେଲେନାହିଁ । ରାଜା ଅତ୍ୟନ୍ତ ଭଲ ମଣିଷ ହୋଇଥିବାରୁ ବୀରସିଂହ କେଡେ ଭୟଙ୍କର ହୋଇପାରନ୍ତି, ସେକଥା ସେ କଳ୍ପନା ସୁଧା କରିପାରୁ ନଥିଲେ । ତା’ଛଡା ରାଜାଙ୍କ ଶିଶୁପୁତ୍ରର ଦ୍ୱିତୀୟ ଜନ୍ମଦିନ ପାଖେଇ ଆସୁଥିଲା । ଖୁବ୍ ଜାକଜମକରେ ସେ ଦିନଟିକୁ ପାଳନ କରିବା ନିମନ୍ତେ ରାଜା, ମନ୍ତ୍ରୀ ଓ ପାତ୍ରମିତ୍ରମାନେ ତତ୍ପର ଥିଲେ । ଅସଂଖ୍ୟ ଲୋକ ଭୋଜି ଖାଇବା କଥା । ନଅର ଆଗରେ ନାଚ, ଗୀତ, ଯାଦୁବିଦ୍ୟା ପ୍ରଦର୍ଶନୀ ଇତ୍ୟାଦି ହେବା କଥା । ଯଜ୍ଞ, ତୋରଣ ଇତ୍ୟାଦି ନିର୍ମାଣ କରିବାରେ ଶହ ଶହ ଲୋକ ଲାଗି ପଡିଥିଲେ । ରାତିରେ ଆତସ୍ବାଜି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । ରାଜା ଠିକ୍ କଲେ କି ଉତ୍ସବ ପରେ ସେ ସେନାପତିଙ୍କୁ ଡକାଇ କଥାବାର୍ତ୍ତା କରିବେ ।
ଶିଶୁ ରାଜକୁମାରଙ୍କ ଜନ୍ମଦିନ ପୂର୍ବ ସଂନ୍ଧ୍ୟାରୁ ଶାନ୍ତିପୁର ଉତ୍ସବ ମୁଖର ହୋଇ ଉଠିଲା । ଶୁଭଦିନ ସକାଳେ ରାଣୀ ଶିଶୁପୁତ୍ରକୁ ତାଙ୍କ କୋଳରେ ଧରି ନଅର ଅଭ୍ୟନ୍ତରରେ, ଗୋଟିଏ ପ୍ରଶସ୍ତ ପ୍ରକୋଷ୍ଠରେ ବସିଲେ । ଶହ ଶହ ନରନାରୀ ରାଣୀ ଓ ତାଙ୍କ ସନ୍ତାନକୁ ଅଭିବାଦନ ଜଣାଇ, ଭେଟିଦେଇ ଚାଲିଯାଉଥାନ୍ତି ।
ଶିଶୁ ରାଜପୁତ୍ର ହସି ଦେଇ ଅନେକଙ୍କୁ ପ୍ରତିଅଭିବାଦନ ଜଣାଉଥାନ୍ତି ।