ରାଣୀ କ୍ଳାନ୍ତ ହେଲେ ଠିକ୍, କିନ୍ତୁ ରାଜା ଓ ରାଜପରିବାର ପ୍ରତି ଲୋକଙ୍କର ଶ୍ରଦ୍ଧା କେତେ ପ୍ରଗାଢ, ତାହା ଜାଣି ସେ ମଧ୍ୟ ବହୁତ ଖୁସି ହେଉଥାନ୍ତି । ରାତି ହେଲା । ସେ ତାଙ୍କ ଶିଶୁକୁ ଧରି ନିଜ କକ୍ଷକୁ ଗଲେ । ଶିଶୁ ଶୋଇ ପଡିଥାଏ । ସେତେବେଳକୁ ନଅର ଚତୁର୍ଦ୍ଦିଗରେ ଉତ୍ସବ ଜମି ଆସିଲାଣି । ଗୋଟିଏ ପାଖରେ ଆତସ୍ବାଜି ଚାଲିଥାଏ । ଭୀଷଣ ଶବ୍ଦ ଶୁଭୁଥାଏ । ଝଲକ ଝଲକ ଆଲୁଅ ଖଣ୍ଡମଣ୍ଡଳକୁ ଝଲସାଇ ଦେଉଥାଏ । ଅନ୍ୟ ଦିଗରୁ ବିପୁଳ ହାସ୍ୟରୋଳ ଶୁଭୁଥାଏ । କାରଣ ସେଠାରେ କିଛି ହାସ୍ୟ ରସାତ୍ମକ ନାଟକ ହେଉଥାଏ । ସାଧାରଣତଃ ନଅରର ସବୁ ଦ୍ୱାର ରାତିରେ ବନ୍ଦ ରହେ ଓ ପ୍ରହରୀମାନେ ଦ୍ୱାର ସବୁକୁ ଜଗି ରହନ୍ତି । କିନ୍ତୁ ଆଜି ସବୁ ଖୋଲା ଥିଲା – ନଅରର ନରନାରୀ ଓ ସେମାନଙ୍କ ବନ୍ଧୁବାନ୍ଧବ ବିନାବାଧାରେ ଯିବାଆସିବା କରିପାରିବେ ବୋଲି ।
ରାଣୀ ଶୋଇ ପଡିବାକୁ ଯାଉଥିଲେ । ତାଙ୍କ ମୁଖ୍ୟ ପରିଚାରିକା ପୋଷାକ ବଦଳାଇବାରେ ତାଙ୍କୁ ସାହାଯ୍ୟ କରୁଥିଲେ । ସେତିକିବେଳେ ରାଜା ହଠାତ୍ ସେଠାକୁ ପଶି ଆସିଲେ । ରାଣୀ ଆଶ୍ଚର୍ଯ୍ୟ ହେଲେ ବି ହସିଲେ ଓ କହିଲେ, “ତୁମେ ବଡ କ୍ଳାନ୍ତ ଦିଶୁଛ! କିନ୍ତୁ ରାଜା ହସିଲେନି କି ସେ ବିଷୟରେ କିଛିବି କହିଲେ ନାହିଁ । ସେ ପରିଚାରିକା ଆଡେ ଅନାଇ ତାକୁ ସେଠାରୁ ଚାଲିଯିବାକୁ ଇଙ୍ଗିତ ଦେଲେ ।”
ରାଣୀ ଉତ୍କଣ୍ଠା ଭରା କଣ୍ଠରେ ପଚାରିଲେ, “କଥା କ’ଣ?”
ରାଜା ତତ୍କ୍ଷଣାତ୍ ଭିତରୁ କବାଟ ବନ୍ଦ କରିଦେଲେ ଓ ମୁହଁରୁ ସ୍ୱେଦ ପୋଛିଲେ । “ରାଣୀ, ସବିସ୍ତାରେ ସବୁ କହିବାର ସମୟ ଇଏ ନୁହେଁ । ଖାଲି ଏତିକି ଜାଣିଥାଅ, ଆମ ଜୀବନ ବିପନ୍ନ । ତୁମେ ଗୋପନ ସୁଡଙ୍ଗ ଦେଇ ଏହିକ୍ଷଣି ଏଠୁ ପଳାଇଯିବା ଉଚିତ୍ ।”
“ଗୋପନ ସୁଡଙ୍ଗ ଦେଇ?”
“ହଁ ।”
ରାଣୀ ଅବାକ୍ ହୋଇ ଅନାଇ ରହିଲେ । ରାଣୀଙ୍କ ଶୟନକକ୍ଷ ଭିତରୁ ଯାଇ ଗୋପନ ସୁଡଙ୍ଗଟିଏ ବଣ ଭିତରେ କେଉଁଠି ଉଠିଥିଲା । ରାଜା ଓ ରାଣୀଙ୍କ ଛଡା ସେକଥା ଆଉ କେହିବି ଜାଣି ନଥିଲେ । ବଂଶ ପରମ୍ପରା କ୍ରମେ ଜଣେ ରାଜା ସେ ରହସ୍ୟ ତାଙ୍କ ଉତ୍ତରାଧିକାରୀଙ୍କୁ କହି ଦେଉଥିଲେ । ରାଜା ଶାନ୍ତିଦେବ ଥରେ ମାତ୍ର ସେ ସୁଡଙ୍ଗର ମୁହଁ ଖୋଲି ରାଣୀଙ୍କୁ ନେଇ ଭିତରକୁ ଅଳ୍ପ କିଛିଦୂର ଯାଉଥିଲେ । କିନ୍ତୁ ଦିନେ ବାସ୍ତବରେ ସେ ସୁଡଙ୍ଗ ଦେଇ ସେମାନଙ୍କ ଭିତରୁ ଜଣକୁ ପଳାଇବାକୁ ହେବ, ଏହା ସେମାନେ କଳ୍ପନା ମଧ୍ୟ କରିଥିଲେ ।
ରାଣୀ ପ୍ରଶ୍ନ କଲେ “ତୁମେ କହୁଛ ମୋତେ ଏଠାରୁଏକୁଟିଆ ଯିବାକୁ ହେବ?” ସେତେବେଳେ ତାଙ୍କ ମୁହଁରେ ଆତଙ୍କ ତୀବ୍ର ଭାବରେ ଫୁଟି ଉଠିଥିଲା ।
“ଏକୁଟିଆ ନୁହେଁ, ରାଣୀ ତୁମ ସନ୍ତାନ ସହ ।”
“ଅସମ୍ଭବ । ତୁମକୁ ଛାଡି ମୁଁ କିପରି ଚାଲିଯିବି?”
ରାଜା କହିଲେ “ରାଣୀ, ଆମ ପୁଅ ପାଇଁ ତମକୁ ଏତିକି କାମ ତ ଯେମିତି ହେଲେବି କରିବାକୁ ହେବ । ଶତ୍ରୁ ଆମ ତିନିଜଣଙ୍କୁ ହତ୍ୟା କରିବାକୁ ଚାହେଁ । ଯଦିଓ ମୁଁ ସେମାନଙ୍କର ପ୍ରଥମ ଲକ୍ଷ୍ୟ । ମୁଁ ଯଦି ତୁମ ସହ ପଳାଇବି, ତେବେ ଶତ୍ରୁମାନେ ସମୁଦାୟ ଶକ୍ତିଦେଇ ଆମକୁ ଖୋଜିବେ । କିନ୍ତୁ ମୁଁ ଯଦି ସେମାନଙ୍କର ଉଚିତ୍ ମୁକାବିଲା କରିବି, ତେବେ ଆପାତତଃ ସେମାନେ ତୁମକୁ ଓ ପୁଅକୁ ଭୁଲିଯିବେ ।” ସେନାପତି ବୀରସିଂହ କିପରି ଷଡଯନ୍ତ୍ର କରି, ଆଜିର ଏ ଉତ୍ସବ ମୁଖର ରାତିର ସୁଯୋଗ ନେଇ ସେମାନଙ୍କୁ ହତ୍ୟା କରିବାକୁ ଉଦ୍ୟତ, ରାଜା ଏକଥା ସଂକ୍ଷେପରେ ରାଣୀଙ୍କୁ ବୁଝାଇଦେଲେ । ରାଜା ତାଙ୍କ ପ୍ରଜାଙ୍କ ପାଖରେ ତଥା ସୈନ୍ୟମାନଙ୍କ ପାଖରେ ଅତ୍ୟନ୍ତ ପ୍ରିୟ ଥିଲେ । କିନ୍ତୁ ଅଳ୍ପ କେତେଜଣ ଲୋକ ଯେତେବେଳେ ସଂଗଠିତ ଭାବରେ କିଛି କରନ୍ତି, ସେମାନେ ଅସଂଗଠିତ ଅସଂଖ୍ୟ ଲୋକଙ୍କୁ ମଧ୍ୟ କାବୁ କରିପାରିବେ । ନଅରର ସବୁ ଦ୍ୱାର ବର୍ତ୍ତମାନ ଶତ୍ରୁମାନଙ୍କ ଅକ୍ତିଆରରେ । ଆଉ ଅଳ୍ପ ସମୟ ଭିତରେ ଗୋଟିଏ ସୁନ୍ଦର ଘର ଭଳି ଦିଶୁଥିବା ବାରୁଦ ସ୍ତୁପରେ ନିଆଁ ଲାଗିବ ଓ ତହିଁ ଭିତରୁ ହଜାର ହଜାର ଆଲୋକ-ବାଣ ଆକାଶକୁ ଉଠିଯିବ । ପ୍ରଚଣ୍ଡ ଶବ୍ଦରେ ଚତୁର୍ଦ୍ଦିଗ କାମ୍ପମାନ ହେବ । ଲୋକେ ଗଭୀର ଆଗ୍ରହରେ ସେ ଅପୂର୍ବ ଦୃଶ୍ୟକୁ ଅପେକ୍ଷା କରିଛନ୍ତି । ସେତିକିବେଳେ ବୀରସିଂହ ଓ ତା’ ଅନୁଚରମାନେ ନଅର ଭିତରେ ପଶି ରାଜା, ରାଣୀ ଓ ଶିଶୁ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ମନ୍ତ୍ରଣା କରିଛନ୍ତି ବୋଲି ଗୁପ୍ତଚରଠୁଁ ଖବର ମିଳିଥିଲା ।
ରାଣୀ ଅଶ୍ରୁପୂର୍ଣ୍ଣ ଆଖିରେ ପଚାରିଲେ “ତମେ ତମ ଦେହରକ୍ଷୀମାନଙ୍କୁ କାହିଁକି ଡାକୁନାହଁ?”
ରାଜା କହିଲେ “ମୁଁ ଏବେ ସେମାନଙ୍କୁ କିପରି ପାଇବି? ଉତ୍ସବ ଉପଭୋଗ କରିବା ନିମନ୍ତେ ମୁଁ ତ ସେମାନଙ୍କୁ ଛୁଟି ଦେଇ ଦେଇଛି! ଏଭଳି ପରିସ୍ଥିତିରେ ମୁଁ ବର୍ତ୍ତମାନ ନଅର ବାହାରକୁ କିପରି ଯିବି? ବୀରସିଂହର ଅନୁଚରମାନେ ମୋତେ ତାହା କେବେବି କରିବାକୁ ଦେବେ ନାହିଁ । ନଅର ବାହାରେ କେହି ଆମ ଅବସ୍ଥା ବିଷୟରେ ବିନ୍ଦୁ ବିସର୍ଗ ସୁଧା ଜାଣନ୍ତି ନାହିଁ ।”
ରାଣୀ ଉଦ୍ବିଗ୍ନ ଭାବରେ ପଚାରିଲେ “ତା’ହେଲେ, ତୁମର କ’ଣ ହେବ?”
ରାଜା କହିଲେ “ମୁଁ ସେମାନଙ୍କ କବଳରୁ ଆତ୍ମରକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ମୋହରି ପ୍ରତି ଆକୃଷ୍ଟ କରି ରଖିବି । ତୁମେ ଯଦି ମୋ କଥା ମାନିବ, ତେବେ ମୋ ଉଦ୍ଧେଶ୍ୟ ସଫଳ ହେବ ।”
“ମୋତେ କ’ଣ କରିବାକୁ ହେବ?”
“ରାଣୀ, ତୁମେ ଯଦି ରାଜପୁତ୍ର ସହ ଏକ ନିରାପଦ ସ୍ଥାନକୁ ଚାଲିଯାଇ ପାର, ତେବେ ମୋର ଉଦ୍ଧେଶ୍ୟ ସଫଳ ହେବ । ମୁଁ ଏହି ମୁହୂର୍ତ୍ତରେ ମିଛ ପ୍ରବୋଧ ଦେବି ନାହିଁ । ମୁଁ ହୁଏତ ଆଉ ବଞ୍ଚିବି ନାହିଁ । ତେବେ ବର୍ତ୍ତମାନ ଆଉ ଅଧିକ ଯୁକ୍ତିତର୍କର କୌଣସି ଅବକାଶ ନାହିଁ । ତମେ ଏବେ ଏଠୁ ଯାଅ ।”
ରାଣୀ ବ୍ୟାକୁଳ କଣ୍ଠରେ କହିଲେ “ନା । ତୁମକୁ ମୃତ୍ୟୁ ମୁହଁରେ ଛାଡି ଏକାକୀ ମୁଁ ଆଦୌ ଯିବିନାହିଁ ।”
ରାଜା କିନ୍ତୁ ଆଉ ତାଙ୍କ କଥା ମୋଟେ ଶୁଣିଲେ ନାହିଁ । ସେ ଗୋପନ ସୁଡଙ୍ଗର ମୁହଁ ଖୋଲୁଥିଲେ । ଠିକ୍ ଘରର ଦ୍ୱାର ପାଖରେ ସେ ମୁହଁ । ଶତ୍ରୁ କୌଣସି ଗୋପନ ସୁଡଙ୍ଗ ଥିବାର ସନ୍ଦେହ କଲେ ବି ବଳେ ବଳେ ତା’ ଆଖି ଘରର ଅନ୍ୟାନ୍ୟ ସ୍ଥାନକୁ ଯିବ ।
ସୁଡଙ୍ଗ ମୁହଁ ଖୋଲି ରାଜା ତା’ର ଅନ୍ଧକାର ଅଭ୍ୟନ୍ତର ଆଡେ ଅନାଇଲେ । ତା’ପରେ ସେ ରାଜା ତାଙ୍କ ରାଣୀଙ୍କୁ କହିଲେ, “ଗୋଟିଏ ହାତରେ ବତୀ ଧର । ଆଉ ଅନ୍ୟ ବାହୁରେ ଶିଶୁକୁ ଧର । ସମାନ ଦୂରତ୍ୱରେ ବାରଗୋଟି ଉଜ୍ଜ୍ୱଳ ପଥର ରହିଛି । ସେଗୁଡିକ ସବୁ ଅନ୍ଧାରରେ ବି ଦେଖାଯାନ୍ତି । ବତୀ ଆଲୁଅରେ ସେଗୁଡିକ ମଶାଲ ଭଳି ଦିଶିବେ । ତମେ ଶେଷ ପଥରଟି ଦେଖି ତାକୁ ତିନିଥର ହଲାଇଦେବ । ତା’ହେଲେ ଯାଇ ଏ ସୁଡଙ୍ଗର ସେପଟ ଦ୍ୱାର ଖୋଲିଯିବ ।”
ହଠାତ୍ ବାହାରେ ନଅରର ପରିଚାରକ ପରିଚାରିକାମାନଙ୍କର କଳରବ ସ୍ତବ୍ଧ ହୋଇଗଲା ।
“ରାଣୀ! ବୀରସିଂହ ବୋଧହୁଏ ଆସିଗଲାଣି । ବିଦାୟ । ଏ ଜନ୍ମରେ ନହେଲେ ପର ପାରିରେ ଆମର ନିଶ୍ଚୟ ଦେଖାହେବ ।” ଏହା କହି ରାଜା ନିଜ ନିଦ୍ରିତ ସନ୍ତାନକୁ ତୋଳି ତାକୁ ରାଣୀଙ୍କ ହାତରେ ଧରାଇ ଦେଲେ । ତା’ପରେ ତାଙ୍କୁ ବତୀଟିଏ ଧରାଇ ଦେଇ ସୁଡଙ୍ଗ ଭିତରକୁ ଅବତରଣ କରିବାକୁ ସାହାଯ୍ୟ କଲେ ।
“ରାଣୀ, ମୁଁ ତୁମକୁ ଏଭଳି ଭାବରେ ବିଦାୟ ଦେଇ ଭୀଷଣ ଦୁଃଖିତ । କିନ୍ତୁ ପୁଅର ଭବିଷ୍ୟତ ପାଇଁ ଆମକୁ ଏ ବିଚ୍ଛେଦ ସହିବାକୁ ପଡିବ ।”
ରାଣୀ ଥରେ ଅଶ୍ରୁପୂର୍ଣ୍ଣ ଆଖିରେ ଉପରକୁ ଅନାଇଲେ । ତା’ପରେ ଅନ୍ଧାର ଭିତରେ ସେ କୁଆଡେ ଅଦୃଶ୍ୟ ହୋଇଗଲେ ।
ରାଜା ସୁଡଙ୍ଗ ଦ୍ୱାର ବନ୍ଦ କରିଛନ୍ତି, ଠିକ୍ ସେତିକିବେଳେ ବାହାରେ ପ୍ରଚଣ୍ଡ ଶବ୍ଦ ହେଲା । ସେ ପ୍ରକାଣ୍ଡ ଆତସବାଜି ଆରମ୍ଭ ହୋଇଯାଇଥିଲା ।
ପର ମୁହୂର୍ତ୍ତରେ କୋଠରୀର ଦ୍ୱାର ଦେଶରେ ଆଘାତ ପରେ ଆଘାତ ହେଲା । ରାଜା ତାଙ୍କ ତରବାରୀ ଉନ୍ମୁକ୍ତ କରି ହୁଙ୍କାର ଦେଇ ପ୍ରଶ୍ନ କଲେ “କିଏ?”