ସେ ବଣ ଭିତରେ ରାଜକୁମାର ତ ପବନ ସହିତ ତାଳଦେଇ ଦୌଡିବାକୁ ଶିଖିଥାନ୍ତି । ଗୁଣ୍ଡୁଚି ମୂଷା ଭଳି ଅକ୍ଳେଶରେ ସେ ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁ ପାରୁଥାନ୍ତି । ନିଜେ ନିଜେ ଅଭ୍ୟାସ କରି ସେ ଜଣେ ଓସ୍ତାଦ୍ ତୀରନ୍ଦାଜ ହୋଇପାରିଥିଲେ । ସେ ତାଙ୍କ ପରଲୋକଗତ ପିତାଙ୍କ ଭଳି ସବଳ ଓ ସଦୟ ହୋଇ ବଢୁଥାନ୍ତି ।
ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡି ଚାଲିଲା । ଦିନେ ବୀରସିଂହ ତା’ ନୂଆ ସେନାପତି ଜବର୍ସେନ୍କୁ ଡାକି କହିଲା, “ମୋର ଆଉ ଧୈର୍ଯ୍ୟ ନାହିଁ । ବିଦ୍ରୋହୀମାନଙ୍କୁ ସମୂଳେ ନିପାତ ନକଲେ ନହୁଏ । ଯଦି ବଣହିଁ ସେମାନଙ୍କର ଆଶ୍ରୟ, ତେବେ ବଣ ତଲାସ୍ କରାଯାଉ ।”
ତହୁଁ ସେ ଜବର୍ସେନ୍ କହିଲା, “ଯଥା ଆଜ୍ଞା, ମହାରାଜ! ମୁଁ ମୋ ସୈନ୍ୟବାହିନୀ ଧରି ବଣ ଭିତରକୁ ଅଭିଯାନ କରିବି ।”
ଏକଥା ଶୁଣି ବୀରସିଂହ କହିଲା, “ମୁଁ ନିଜେ ଅଭିଯାନର ନେତୃତ୍ୱ ନେବି ।”
ତାଙ୍କ କଥା ଶୁଣି ଜବର୍ସେନ୍ ଖୁବ୍ ଆଶ୍ଚର୍ଯ୍ୟ ହେଲା । ତା’ପରେ ସେ କହିଲା, “କିନ୍ତୁ ଆପଣ ନିଜେ ସେପରି କରିବାଟା ଶୋଭା ପାଇବ କି? ଆପଣ ପରା ରାଜା । ସ୍ୱୟଂ ରାଜା ସିନା କୌଣସି ରାଜ୍ୟ ଜୟ ପାଇଁ ଅଭିଯାନର ନେତୃତ୍ୱ ନେବେ, ଦଳେ ବିଦ୍ରୋହୀଙ୍କୁ ଦମନ କରିବା ନିମନ୍ତେ ନିଜେ ବାହାରିବାଟା କେତେଦୂର ସୁନ୍ଦର ଦିଶିବ?”
ଜବର୍ସେନ୍ର ଏଭଳି ମନ୍ତବ୍ୟରେ ବୀରସିଂହ ପ୍ରୀତ ହେଲା । ସେ ଟିକିଏ ଚିନ୍ତା କରି କହିଲା, “ମୁଁ ଶୀକାର ଉଦ୍ଧେଶ୍ୟରେ ବଣକୁ ଯାଉଛି, ଏହି କଥା ଘୋଷଣା କରାଯିବ । ଆମ ସୈନ୍ୟମାନେ ବଣର ଗୋଟାଏ ଅଂଚଳ ତିନିପଟରୁ ଘେରି ଅଗ୍ରସର ହେବେ । ଚତୁର୍ଥ ପଟରେ ଆମେ ରହିବୁଁ । ପଶୁମାନେ ଅତର୍ଚ୍ଛା ଆମ ଆଡେ ଦୌଡି ଆସିଲେ ଆମେ ତୀର ଚଳାଇବୁଁ । ପଶୁଙ୍କ ଛଡା ସେ ଅଂଚଳ ଭିତରେ ଯେତିକି ବି ବିଦ୍ରୋହୀ ଲୁଚି ରହିଥିବେ, ସେମାନଙ୍କର ବି ସେହି ଏକା ଦଶା ହେବ । ବଣର ବିଭିନ୍ନ ମୂଲକରେ ଭିନ୍ନ ଭିନ୍ନ ଦିନ ଆମେ ଏଇଆ କରିବୁଁ ।”
ଏପରି କଥା ଶୁଣି ଜବର୍ସେନ୍ ପ୍ରବଳ ଉତ୍ସାହ ଦେଖାଇ କହିଲା, “ଚମତ୍କାର ଯୋଜନା, ଆଜ୍ଞା!”
ତା’ପରେ ବୀରସିଂହ ନିର୍ଦ୍ଧେଶ ଦେଲା, “ବେଶ୍ । ବର୍ତ୍ତମାନ ଆମ ଅଭିଯାନ ପାଇଁ ବିହିତ ବ୍ୟବସ୍ଥା କର ।”
ଯଥାଶୀଘ୍ର ଯୋଜନା ପ୍ରସ୍ତୁତ ହୋଇଗଲା । ଦୁଇଦିନ ପରେ ବୀରସିଂହ କେଇ ଶହ ସୈନ୍ୟ ଧରି ବଣ ଅଭିମୁଖେ ଚାଲିଲା । ସେ ବଣର ଆୟତନ ବିଶାଳ । ଦୈବକୁ ଯେଉଁ ଅଂଚଳରେ ସନ୍ନ୍ୟାସୀ ଜୟାନନ୍ଦ ତାଙ୍କର ମୁଷ୍ଟିମେୟ ବିଶ୍ୱସ୍ତ ଶିଷ୍ୟଙ୍କୁ ଧରି ରହୁଥାନ୍ତି, ବୀରସିଂହ ସେହି ଅଂଚଳ ଉପରେ ଚଢଉ କରିବାକୁ ମନସ୍ଥ କଲା ।
ବୀରସିଂହ ଘୋଷଣା କଲା କି ବାଘ, ହେଟା ଓ ଭାଲୁ ଭଳି କିଛି ବଡ ବଡ ଜୀବ ଶୀକାର କରିବା ତା’ର ଉଦ୍ଧେଶ୍ୟ । ସୈନ୍ୟମାନଙ୍କୁ ସେହି ଅନୁସାରେ ସେ ଝରଣା ପାର୍ଶ୍ଵବର୍ତ୍ତୀ ଅଂଚଳ ତିନିପାଖରୁ ଘେରି ଢୋଲ ପିଟି ଓ ତୁରୀ ବଜାଇ ଜୀବମାନଙ୍କୁ ଘଉଡାଇ ଆଶିବାକୁ ନିର୍ଦ୍ଧେଶ ଦେଲା ।
କାର୍ଯ୍ୟାରମ୍ଭ ହେଲା । ଜୟାନନ୍ଦଙ୍କ ଶିଷ୍ୟମାନେ ଦୌଡିଯାଇ ଗୁରୁଙ୍କୁ ଏ ଅପ୍ରତ୍ୟାଶିତ ଆକ୍ରମଣ କଥା ଜଣାଇଲେ । ସନ୍ନ୍ୟାସୀ ତତ୍କ୍ଷଣାତ୍ ରାଜକୁମାରଙ୍କୁ ଲୁଚି ଯିବାକୁ ନିର୍ଦ୍ଧେଶ ଦେଲେ । ତା’ପରେ ସେ ନିଜର ପୋଷା ଶୁଆକୁ କହିଲେ ସେ ଯେମିତି ବାଘା, ଭାଲୁକୀ ଓ ହାତୀକୁ ଚେତାବନୀ ଦେଇଦେବେ । କାରଣ ସେ ତିନିହେଁ ଅଧିକାଂଶ ବେଳେ ତାଙ୍କ ଆଶ୍ରମ ଚାରିପଟେ ବୁଲୁଥାନ୍ତି ।