ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

କିନ୍ତୁ ଅଚିରେ ବିପଦରେ ପଡିଗଲା ବିଚରା ଭାଲୁକୀ । ଢୋଲ, ତୁରୀ ଶୁଣି ବିଚଳିତ ହୋଇ ସେ ରାଜକୁମାରଙ୍କୁ ଖୋଜୁଥିଲା । ତାଙ୍କ ନିରାପତ୍ତା କଥା ଭାବି ଭାଲୁକୀ ନିଜ କଥା ପାଶୋରି ଦେଇଥିଲା ।

ସେ ଯେ ବୀରସିଂହର ଦୃଷ୍ଟି ଆକର୍ଷଣ କରିବ, ସେଥିରେ ବା ଆଶ୍ଚର୍ଯ୍ୟ କ’ଣ! ବୀରସିଂହ ତାକୁ ଦେଖି ହଠାତ୍ ହୁକୁମ୍ ଦେଲା “ଏଟାକୁ ଧରି ନିଅ!”  । ପଶୁପକ୍ଷୀ ଧରିବା ଦିଗରେ ଦଳେ ଓସ୍ତାଦ୍ ସୈନିକ ତା’ ପାଖରେ ଠିଆ ହୋଇଥାନ୍ତି । ସେମାନେ ଛକି ରହିଲେ । ଭାଲୁକୀ ଗୋଟାଏ ଗୁଂଫା ଆଡୁ ବିପରୀତ ଦିଗର ଅନ୍ୟ ଏକ ଗୁଂଫା ଆଡେ ଦୌଡିଗଲାବେଳେ ସେମାନେ ତା’ ଉପରକୁ ଜାଲ ଛାଟିଦେଲେ । ବିରାଟ, ଶକ୍ତ ଜାଲ ଭାଲୁକୀ ଉପରେ ପଡିଲା । ସଙ୍ଗେ ସଙ୍ଗେ ସୈନ୍ୟମାନେ ଜାଲ ଉପରଦେଇ ଯାଇ ତାକୁ କାବୁ କଲେ । ଭାଲୁକୀ ଛାଟିପିଟି ହୋଇ ମୁକୁଳିବାକୁ ଚେଷ୍ଟା କରୁଥାଏ । କିନ୍ତୁ ଅତ୍ୟନ୍ତ ଟାଣ ତନ୍ତୁରେ ନିର୍ମିତ ସେ ଜାଲ ଛିଡିବା ଏତେ ସହଜ ନଥିଲା । ସୈନ୍ୟମାନେ ଲାଠି ବାଗେଇ ଧରିଥାନ୍ତି ଓ ସେ ବେଶି ଗର୍ଜନ ତର୍ଜନ କଲେ ତାକୁ ସେଥିରେ ପିଟି ଦେଉଥାନ୍ତି ।

ବୀରସିଂହ ଏସବୁ ଦେଖି ଖୁସି ହୋଇଗଲା । ତା’ପରେ ହସି ହସି ସେ କହିଲା, “ଏଡେ ଶୀଘ୍ର ବଢିଆ ପୁରସ୍କାରଟାଏ ଆମକୁ ମିଳିଯିବ ବୋଲି ମୁଁ କେବେବି ଜାଣି ନଥିଲି । ତେବେ ଆହୁରି ଅଧିକ କିଛି ଲୋଡା ।”

କଣ୍ଠସ୍ୱର ନିମ୍ନ କରି ସେ ତା’ପରେ ଜବର୍ସେନ୍କୁ କହିଲା, “ମାନେ ଆମର ଲୋଡା କିଛି ବିଦ୍ରୋହୀ । ଭାଲୁ ଭଳି ସେଥିରୁ ଯୋଡିଏ ତିନୋଟି କାବୁ ହୋଇପାରିଲେ ଥରକର ଉଦ୍ୟମ ସାର୍ଥକ ହେବ ।”

ଜବର୍ସେନ୍ କିଛି କହିବା ପୂର୍ବରୁ ଗୋଟିଏ ତୀବ୍ର କଣ୍ଠସ୍ୱର ଶୁଣାଗଲା, “ବନ୍ଦକର ଏ ଖେଳ!” ଏତିକି କହି ଗୋଟିଏ ବୁଦା ଆଢୁଆଳରୁ ବାହାରି ଆସିଲେ ଜୟାନନ୍ଦ । “ଶୁଣ, ବଣର ଏ ଅଂଚଳରେ ଆଜିଯାଏଁ କେହି କୌଣସି ଉପଦ୍ରବ କରିନଥିଲେ । ସୁମେଧ ରାଜ୍ୟର କୌଣସି ରାଜା କି ରାଜଧାନୀ ଶାନ୍ତିପୁରର କୌଣସି ସମ୍ଭ୍ରାନ୍ତ ବ୍ୟକ୍ତି ଏଠାକୁ ଶୀକାର କରିବାକୁ ଆସି ନାହାଁନ୍ତି । ଏଠି ମୋ ଗୁରୁ ତଥା ପୂର୍ବରୁ ତାଙ୍କ ଗୁରୁ ବି ରହୁଥିଲେ । ରାଜାମାନେ ସେମାନଙ୍କ ପ୍ରତି ସମ୍ମାନ ଦେଖାଇ ଏ ଅଂଚଳକୁ ଏଡାଇ ଚଳୁଥିଲେ । ତମେ ସେମାନଙ୍କ ପରମ୍ପରା ପ୍ରତି ସମ୍ମାନ ଦେଖାଇ ଏଠାରୁ ଫେରିଯାଅ ।”

ଜୟାନନ୍ଦଙ୍କ ଏଭଳି କଥା ଶୁଣି ବୀରସିଂହ ଅଟ୍ଟହାସ୍ୟ କରି କହିଲା “ଯଦି ଜଣେ ରାଜା ଗୋଟାଏ ପରମ୍ପରା ସୃଷ୍ଟି କରିଥାଏ, ତେବେ ଆଉ ଜଣେ ରାଜା ତାକୁ ଭାଙ୍ଗି ବି ଦେଇପାରେ ।”

ସନ୍ନ୍ୟାସୀ କହିଲେ, “ଜଣେ ଉତ୍ତମ ରାଜା କେବେ ବି ଗୋଟାଏ ଉତ୍ତମ ପରମ୍ପରା ଭାଙ୍ଗିବେ ନାହିଁ ।”

ଏକଥା ଶୁଣି ସେ ବୀରସିଂହ କ୍ରୁଦ୍ଧ ହୋଇ ଚିତ୍କାର କଲା, “ତାହେଲେ ତୁମେ କ’ଣ କହୁଛ ମୁଁ ଖରାପ ରାଜା?”

ତହୁଁ ଜୟାନନ୍ଦ ଉତ୍ତର ଦେଲେ ଯେ, “ତମେ ଭଲ କି ଖରାପ ସେକଥା ତମ କାର୍ଯ୍ୟହିଁ ପ୍ରମାଣ କରିବ!”

“ପ୍ରମାଣ? କାହା ଆଗରେ ପ୍ରମାଣ? ତମେ କ’ଣ ମୋର ବିଚାରକ? ଏହା କି ପ୍ରକାର ଔଦ୍ଧତ୍ୟ!” ବୀରସିଂହ ଏତକ କହିସାରିବା ବେଳକୁ ଭାଲୁକୀ ଜାଲ ଭିତର ଦେଇ ତା’ ହାତ ବଢାଇ ଜଣେ ସୈନିକର ଗାଲ ଖଣ୍ଡିଆ କରିଦେଲା ।

ବୀରସିଂହ ହୁକୁମ୍ ଦେଲା, “ଏ ଭାଲୁକୁ ମାରି ପକାଅ! ଏଇଟା ଦୁଷ୍ଟ, ହିଂସ୍ର ।”

ଏକଥା ଶୁଣି ସନ୍ନ୍ୟାସୀ କହିଲେ “ତୁମେ ଭୁଲ୍ କହୁଛ ବୀରସିଂହ । ଭାଲୁ ତମ ହିଂସ୍ରତାରେ ତା’ ନିଜ ପ୍ରତିକ୍ରିୟା ଯାହା ଖାଲି ଟିକେ ଦେଖାଉଛି । ତମେ ତାକୁ ଛାଡିଦିଅ କହୁଛି ।”

ତାଙ୍କ କଥା ଶୁଣି ବୀରସିଂହ ପାଟିକରି କହିଲା, “କ’ଣ! ତମର ଏଡେ ସାହସ ତମେ ମୋତେ ମହାରାଜ ନକହି ବୀରସିଂହ ବୋଲି ଡାକିବ! ପୁଣି ମୁଁ କ’ଣ କରିବା ଉଚିତ୍ ଅନୁଚିତ, ସେ ବିଷୟରେ ବି  ନିର୍ଦ୍ଧେଶ ଦେବ! ସତେ ଅବା ମୁଁ ତମ ଜମିଦାରିରେ ଠିଆ ହୋଇଛି!”

ସନ୍ନ୍ୟାସୀ କହିଲେ “ଏହା ପ୍ରକୃତିର ଜମିଦାରି!”

ପୁଣି ସେ ବୀରସିଂହ ହୁକୁମ୍ ଦେଲା, “ଏ ଲୋକଟାକୁ ମଧ୍ୟ ବନ୍ଦୀକର!” କେତେଜଣ ସୈନିକ ଦୌଡିଯାଇ ସନ୍ନ୍ୟାସୀଙ୍କୁ ଧରି ପକାଇଲେ । ତତ୍କ୍ଷଣାତ୍ ଗଛଲତା ଉପରେ ଶତାଧିକ ପକ୍ଷୀ ଭୟାର୍ତ ରାବ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ