ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦାନର ମହିମା

ଦିନେ ସେ ରାଜସଭାକୁ ଯାଉଥିବା ବେଳେ ଭାବିଲେ ପଡୋଶୀ ଘରେ ଥିବା ଅନ୍ୟ ଏକ ରାଜସଭାର ସଦସ୍ୟଙ୍କୁ ନିଜ ସାଙ୍ଗରେ ନେଇଯିବେ । ସେ ତାଙ୍କ ଘରେ ପ୍ରବେଶ କରି ଦେଖିଲେ ସେଇ ଭଦ୍ରଲୋକ ତାଙ୍କ ସନ୍ତାନମାନଙ୍କୁ ଧରି ଏକାଠି ବସି ହାଲୁଆ ଖାଉଛନ୍ତି । ମତ୍ସରୀକୋଷୀୟଙ୍କୁ ଦେଖି ସେ ହାଲୁଆ ଖାଇବା ପାଇଁ ତାଙ୍କୁ ନିମନ୍ତ୍ରଣ କଲେ । କିନ୍ତୁ ମତ୍ସରୀକୋଷୀୟ ଭାବିଲେ, “ଏଠାରେ ମୁଁ ହାଲୁଆ ଖାଇଲେ ତାଙ୍କୁ ପୁଣି ଦିନେ ଆମ ଘରକୁ ନିମନ୍ତ୍ରଣ କରିବାକୁ ହେବ, ତେଣୁ ନଖାଇଲେ ଭଲ ।” ଏଇପରି ଭାବି ସେ କହିଲେ –

“ଦେଖ ବନ୍ଧୁ, ଏ ସମୟରେ ମୁଁ ପ୍ରାୟ କେବେବି ଖାଏ ନାହିଁ । ତା’ଛଡା ଟିକିଏ ପୂର୍ବରୁ ମୁଁ ଘରୁ ପେଟଭରି ଖାଇକରି ଆସିଛି ।”

ମୁହଁରେ ସିନା ସେ ଏପରି କହିଦେଲେ, ହେଲେ ସେହି ସମୟଠାରୁ ହାଲୁଆ ଖାଇବା ପାଇଁ ତାଙ୍କ ମନ ବହୁତ ହାଇଁପାଇଁ ହେଲା । କିନ୍ତୁ ଘରେ ତିଆରି କଲେ କାଳେ ଅନେକ ଲୋକ ଭାଗୀ ହେବେ ସେଥିପାଇଁ ସେ ଘରେ ହାଲୁଆ ବନାଇବାର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚାତ୍ପଦ ହେଲେ । ସେ ନିଜର ମନ ଭିତରେ ଉଠିଥିବା ଇଚ୍ଛାକୁ ସ୍ତ୍ରୀଙ୍କ ଆଗରେ ପ୍ରକାଶ କରିବାକୁ ଚାହିଁଲେ । କିନ୍ତୁ କିଛି ନକହି ସେ ଚୁପ୍ ରହିଲେ ।

                ହାଲୁଆକୁ ଝୁରି ଝୁରି ସେ କ୍ରମଶଃ କ୍ଷୀଣତନୁ ହୋଇଗଲେ । ଦିନେ ତାଙ୍କର ଏ ଅବସ୍ଥା ଲକ୍ଷ୍ୟ କରି ତାଙ୍କୁ ତାଙ୍କ ସ୍ତ୍ରୀ କହିଲେ, “ତମର କ’ଣ ହୋଇଛି? କାହିଁକି ଏପରି ଦୁର୍ବଳ ହୋଇ ପଡିଛ? ଯାଅ ବୈଦ୍ୟକୁ ଦେଖାଇ କିଛି ଔଷଧର ବ୍ୟବସ୍ଥା କର । କିନ୍ତୁ ମୁଁ ଜାଣିବାରେ ତ ତୁମର କୌଣସି ରୋଗ ନାହିଁ!”

ପତ୍ନୀଙ୍କର ବହୁ ପ୍ରଶ୍ନ ପରେ ସେ ମାନିଲେ ଯେ ହାଲୁଆ ପାଇଁ ତାଙ୍କର ଆଜି ଏ ଅବସ୍ଥା ହୋଇଛି । ପତ୍ନୀ କହିଲେ, “ଏପରି ରୋଗର ଉପଶମ ହେବ ଯଦି ଅନେକ ଦରିଦ୍ର ଲୋକଙ୍କୁ ଆମେ ହାଲୁଆ ଖୁଆଇବା ।”

“ନାଇଁରେ ବାବା, ମୋ ରୋଗ ମୋ ଠାରେ ଥାଉ । ଅନ୍ୟମାନେ ଭାଗ ନେବେ ବୋଲି ତ ମୁଁ ନିଜେ ହାଲୁଆ ଖାଇବା କଥା ମୁହଁରେ ଧରୁ ନଥିଲି । ତମେ ଯଦି ମତେ ସାହାଯ୍ୟ କରିବାକୁ ଚାହଁ ତେବେ ହାଲୁଆ ପାଇଁ ସବୁ ସରଞ୍ଜାମ ସଜାଡି ତାହା ମୋତେ ଦେଇଦିଅ; ମୁଁ ଜଙ୍ଗଲକୁ ଯାଇ ସେଠି ରାନ୍ଧି ଏକେଲା ଖାଇବି ।”

ପତ୍ନୀ କହିଲେ “କିନ୍ତୁ ତମେ ତ ଜିନିଷପତ୍ରର ବୋଝ ଆଉ ନିଜ ମୁଣ୍ଡରେ ଧରି ଜଙ୍ଗଲକୁ ଯିବ ନାହିଁ । ତମେ ଆଗରେ ଯାଅ । ମୁଁ ସେସବୁ ଚାକର ହାତରେ ପଠାଇ ଦେଉଛି ।”

ଏଥର ମତ୍ସରୀକୋଷୀୟ ବହୁତ ଖୁସି ହୋଇ ଜଙ୍ଗଲକୁ ଯାଇ ସେଠାରେ ଅପେକ୍ଷା କଲେ । ଚାକର ଯଥା ସମୟରେ ଜିନିଷପତ୍ର ନେଇ ପହଁଚିଲା । ସେ ଜିନିଷପତ୍ର ରଖି ଚାକରକୁ କହିଲେ, “ତୁ କାହିଁକି ଆଉ ଏଠି ଠିଆ ହୋଇଛୁ? ଯା ଚାଲି ଯା, ସେ ଦୂରରେ ଥିବା ରାସ୍ତା ଉପରେ ଜଗି ବସିଥିବୁ ଏପଟକୁ କାହାକୁ ହେଲେବି ଛାଡିବୁ ନାହିଁ । ତୁ ନିଜେ ମଧ୍ୟ ଆସିବୁ ନାହିଁ । ମୁଁ ଯେବେ ତୋତେ ସଙ୍କେତ ଦେବି ତେବେ ଯାଇ ତୁ ଆସିବୁ ।” ତା’ପରେ ସେ ହାଲୁଆ ରାନ୍ଧି ବସିଲେ ।

ଇତିମଧ୍ୟରେ ଇନ୍ଦ୍ର ତାଙ୍କର ବଂଶର ସବୁ ଘଟଣା କଥା ଜାଣି ସାରିଥିଲେ । ସେ ଭାବିଲେ ପାଂଚପୁରୁଷ ଧରି ସମସ୍ତେ ସ୍ୱର୍ଗବାସୀ ହେଲେ, କିନ୍ତୁ ଏଇ ଏକମାତ୍ର ବଂଶଜ ମୃତ୍ୟୁ ପରେ ସିଧା ନର୍କକୁ ଯିବ । ଏବେଠୁ ତା’ର ଜ୍ଞାନୋଦୟ କରାଇଲେ ସ୍ୱର୍ଗବାସୀ ହେବାପାଇଁ ହୁଏତ କିଛି ଆଶା ରହିବ । ତା’ପରେ ସେ ଚନ୍ଦ୍ର, ସୂର୍ଯ୍ୟ, ମାତଳୀ ଓ ଶିଖାଗ୍ନିମାନଙ୍କୁ ଡାକି ଏ ବିଷୟରେ ଆଲୋଚନା କରି କିଛି ଗୋଟେ ଯୋଜନା ପ୍ରସ୍ତୁତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ