ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦାନୀକର୍ଣ୍ଣ ଭୂମିନାଥ

ପୁରୋହିତ ତତ୍କ୍ଷଣାତ୍ କହିଲେ, “ଭୂମିନାଥଙ୍କ ପରି ଦାନୀକର୍ଣ୍ଣ ନିଜର ବଚନରୁ କେବେବି ମଧ୍ୟ ବାହାରକୁ ଯିବେ ନାହିଁ । ତେଣୁ ଭୂମି ପାଇଲେ ସେ ମୋତେ ନିଶ୍ଚୟ ଦେବେ । କିନ୍ତୁ ମୁଁ ସେ ଭୂମିକୁ ସ୍ୱୀକାର କଲେ ମୋ ଯାଚକବୃତିରେ କଳଙ୍କ ଲାଗିବ ।”

କିଛି ଦିନ ପରେ ବସନ୍ତପୁର ନିକଟରେ ନଦୀରେ ବନ୍ଧ ତିଆରି ହେଲା । ଫଳରେ ଅନେକ ଜମି ପାଣିରେ ବୁଡିଲା । ଅନେକ ନୂଆ ଜମି ପାଣି ଉପରକୁ ଦେଖାଦେଲା । ଛୋଟ ନାଳମାନ ଖୋଳା ହେଲା । ସେହି ସମୟରେ ମାପଚୁପ ଯୋଗୁଁ ଭୂମିନାଥଙ୍କ ନାମରେ ଦଶଏକର ଜମି ମିଳିଗଲା ।

ଭୂମିନାଥ ଭାବିଲେ ବୋଧହୁଏ ଭାଗ୍ୟଦେବୀଙ୍କର କୃପାଦୃଷ୍ଟି ପୁଣି ଥରେ ତାଙ୍କ ଉପରେ ପଡିଲା । ଏଣୁ ସେ ଖୁସି ହୋଇ ଜମି ମାପିବା ଅମୀନକୁ ବସାଇରଖି ପୁରୋହିତଙ୍କୁ ଡକାଇ ପଠାଇଲେ । ପୁରୋହିତ ଆସିଲେ । ଭୂମିନାଥ କହିଲେ, “ଅମୀନବାବୁ, ମୋ ମା’ଙ୍କର ମୃତ୍ୟୁ ସମୟରେ କିଛି ଭୂମି ଏହି ପୁରୋହିତଙ୍କୁ ଦେବି ବୋଲି ବଚନ ଦେଇଥିଲି । ତା’ପରେ ମୁଁ ଦରିଦ୍ର ହୋଇଗଲି, ଆଉ ନିଜ ବଚନ ରକ୍ଷା କରି ପାରି ନଥିଲି । ଏବେ ଏହି ଜମି ପୁରୋହିତଙ୍କ ନାମରେ ଲେଖି ଦିଅନ୍ତୁ ।” ତାଙ୍କ କଥା ଶୁଣି ଅମୀନ ଅତି ଆଶ୍ଚର୍ଯ୍ୟ ହେଲେ । ଅଚାନକ ଜମିଗୁଡିଏ ପାଇବାମାତ୍ରେ ଅନ୍ୟଜଣକ ନାମରେ କରିଦେଉଥିବା ଘଟଣା ଆଜିକାଲି ଯୁଗରେ ବିରଳ ।

ଏବେ ପୁରୋହିତ-ମହାସଙ୍କଟରେ ପଡିଲେ । ତାଙ୍କର ମନେ ପଡିଲା ସେ ପଡୋଶୀ ଗ୍ରାମର ପୁରୋହିତଙ୍କୁ କ’ଣ କହିଥିଲେ । ସେ ଯଦି ଦାନ ଅସ୍ୱୀକାର କରନ୍ତି, ତେବେ ଭୂମିନାଥଙ୍କ ମନ ବଡ କଷ୍ଟ ହେବ, ପୁଣି ସେ ଯଦି ବିନା ସର୍ତ୍ତରେ ଜମି ନେଇଯା’ନ୍ତି ତେବେ ନିଜର କଥା ଅନୁସାରେ ତାଙ୍କର ଯାଚକବୃତି କଳଙ୍କିତ ହେବ । ଭୂମିନାଥ ଦାନ ଦେଇ ପରର ଉପକାର କରି କରି ପୂର୍ବରୁ ଜମିସବୁ ହରାଇ ଥିଲେ । ଏବେ ଏତେଦିନ ପରେ ସେ ପୁଣି ଆଗ ପରି ଦରିଦ୍ର ହୋଇ ରହିବେ । ବିଚରା ଦାନ କରିବାକୁ ମନଥିଲେ ମଧ୍ୟ କରିପାରିବେ ନାହିଁ । କିନ୍ତୁ ତାଙ୍କ ହାତରେ ଧନ ରହିଥିଲେ, ଭବିଷ୍ୟତରେ ଲୋକମାନେ ଉପକୃତ ହେବେ । ତେଣୁ ପୁରୋହିତ କିଛି ସମୟ କ’ଣ ବିଚାର କରି କହିଲେ, “ଏହି ଦାନ ସହ ଭୂମିନାଥଙ୍କୁ ଅନ୍ୟ ଏକ ଦାନ ମଧ୍ୟ ଦେବାକୁ ହେବ । ସେ ଯଦି କଥା ଦେବେ, ତେବେ ମୁଁ ଏଦାନ ସ୍ୱୀକାର କରିବି ନହେଲେ ନାହିଁ ।”

ତାଙ୍କର ଏଭଳି କଥା ଶୁଣି ଭୂମିନାଥ ଓ ଅମୀନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ଭୂମିନାଥ ଅଳ୍ପ ହସି କହିଲେ, “କୁହନ୍ତୁ କ’ଣ ଦାନ ଦେବାକୁ ହେବ?”

ପୁରୋହିତ କହିଲେ “ଶ୍ରମ ଦାନ । ତୁମେ ମୋତେ କଥା ଦିଅ ଯେ ମୋର ସର୍ତ୍ତ ସ୍ୱୀକାର କରିବ, ତେବେ ଯାଇ ମୁଁ ଭୂମିଦାନ ନେବି ।”

ଭୂମିନାଥ କହିଲେ “ଆଚ୍ଛା କୁହନ୍ତୁ ।”

“ସମସ୍ତେ ଜାଣନ୍ତି ଯେ ତୁମେ କୃଷି ବିଦ୍ୟାରେ ଦକ୍ଷ । ତୁମେ ଯେଉଁ ଜମିରେ ହାତ ଦିଅ ସେ ଜମିରେ ସୁନା ଫଳେ । ଗଙ୍ଗାମାତାଙ୍କ ଦୟାରୁ ଏ ଜମିରେ ପଟୁମାଟି ପଡି ଏହା ଅତ୍ୟନ୍ତ ଉର୍ବର ହୋଇଛି । ଅନ୍ୟ ଚାଷୀମାନେ ଯେଉଁ ପ୍ରକାର ଫସଲ କରି ପାରନ୍ତି ନାହିଁ, ତୁମ ହାତରେ ସେ ସବୁ ସମ୍ଭବ ହୁଏ । ତୁମେ ଧାନ ସହିତ ଆହୁରି ଅନେକ ପ୍ରକାର ପନିପରିବା ଚାଷ ବି କରିଥାଅ । ଏହାକୁ ଲୋକମାନେ ମଧ୍ୟ ଆନନ୍ଦରେ କିଣିଥା’ନ୍ତି । ଆଜି ଯେଉଁ ଜମି ପାଣିରୁ ଉଠିଛି କାଲି ହୁଏତ ବନ୍ୟାରେ ନିଶ୍ଚିହ୍ନ ହୋଇଯିବ । ତେଣୁ ମୋ ସର୍ତ୍ତ ଅନୁସାରେ ତୁମେ ସେଥିରେ ଫସଲ ଉପୁଜାଇବ ଓ ପ୍ରତିବର୍ଷ ଯାହା ଫସଲ ହେବ ତାହାକୁ ବିକ୍ରିକରି ଯେଉଁ ଟଙ୍କା ମିଳିବ, ତାହାର ଏକ ଚତୁର୍ଥାଂଶ ମୋତେ ଦେବ । ତେବେ ଯାଇ ତୁମର ଦାନ ସାର୍ଥକ ହେବ । ଆଉ ମୋର ଯାଚକ ବୃତି ମଧ୍ୟ ସାର୍ଥକ ହେବ । ଅନ୍ୟଥା ମୁଁ କଳଙ୍କିତ ହେବି । ତୁମେ ଜଣେ ଉତ୍ତମ ଦାନୀ; ଓ ତୁମ ପୁଣ୍ୟର ଫଳ ମଧ୍ୟ ମୁଁ ପାଇବି । ନହେଲେ ଜମି ପଡିଆ ପଡି ରହିବ ସିନା ହେଲେ ମୁଁ ସେଥିରେ କିଛିବି କରିପାରିବି ନାହିଁ ।”

ଅମୀନ ପୁରୋହିତଙ୍କ ବୁଦ୍ଧିର ବହୁତ ପ୍ରଶଂସା କଲେ । ଭୂମିନାଥ ପୁରୋହିତଙ୍କ ନିଷ୍ପତିକୁ ନମ୍ରଭାବରେ ମାନିନେଲେ ।

ସେହି ଦିନଠାରୁ ଭୂମିନାଥ ଖୁବ୍ ମନ ଦେଇ ଚାଷବାସ କଲେ ଯାହା ଦ୍ୱାରା ବହୁତ ଫସଲ ହେଲା । ସେ ପୁଣି ଧନୀ ହୋଇଗଲେ ଓ ଅଧିକରୁ ଅଧିକ ଦାନ ଦେଲେ । ଭୂମି ଦାନ ଦେଇ ଭୂମିନାଥ ନିଜର ବଚନ ରକ୍ଷା କଲେ ଓ ଅଧିକରୁ ଅଧିକ ଦାନ ଦେଇ ନିଜ ନାମକୁ ସାର୍ଥକ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ