ସ୍ତ୍ରୀକଥା ଶୁଣି ଶ୍ରୀଧର ହସି ହସି କହିଲେ, “ତୁମେ ପିଲାଙ୍କ ପରି ବଡ ଅବୁଝା । ଏହି ବିପଦ ସମୟରେ ଆମ ବନ୍ଧୁବାନ୍ଧବଙ୍କର କାମ ହେଲା ଆମକୁ ସାହାଯ୍ୟ କରିବା, କିନ୍ତୁ ସେହି ଦାୟିତ୍ୱରୁ ନିଜକୁ ମୁକ୍ତ ରଖିବା ପାଇଁ ସେମାନେ ଆମ ବିରୁଦ୍ଧରେ ଯାହା ତାହା କହି ପ୍ରଚାର କରୁଛନ୍ତି ଯଦ୍ୱାରା ତାଙ୍କର କର୍ତ୍ତବ୍ୟ କଥା ସେମାନେ ଭୁଲି ଯାଉଛନ୍ତି, ବରଂ ଭୁଲିଯିବାର ଛଳନା କରୁଛନ୍ତି । ସେମାନେ ଅଜ୍ଞାନ; ସେମାନଙ୍କ କର୍ମ କଥା ଭାବି ଆମର କିଛି ବି ଲାଭ ନାହିଁ । ତେଣୁ ଯାଅ ଶୋଇ ଯାଅ ।”
ଶ୍ରୀଧରଙ୍କ ସ୍ତ୍ରୀ ଏକଥା ଶୁଣିବା ପରେ ଆଉ କିଛି ଉଚ୍ଚବାଚ୍ୟ ନକରି ଧୀରେ ଶୋଇଗଲେ । ଶ୍ରୀଧର ମଧ୍ୟ ଶୋଇଗଲେ । ଗଭୀର ନିଦ୍ରାରେ ଥିବା ସମୟରେ ସେ ଏକ ସ୍ୱପ୍ନ ଦେଖିଲେ । ଆଉ ସେହି ସ୍ୱପ୍ନରେ ଜଣେ ସାଧୁ ତାଙ୍କୁ କହିଲେ, “ଶ୍ରୀଧର, ତୁମେ ନିଶ୍ଚିତ ଭାବରେ ଜଣେ ଦୟାଳୁ । ଦାନ ଦେଇ ଦେଇ ଆଜି ତୁମେ ଦରିଦ୍ର । ତୁମକୁ ମୁଁ କିଛି ସହାୟତା କରିବି । ତୁମେ ନିଦରୁ ଉଠି ଏହି ଗଛର ଖୋଲରେ ଦେଖିବ ତମ୍ବା ମୁଦିଟିଏ ପଡିଛି । ସେଇଟି ହାତରେ ପିନ୍ଧିବ, ତା’ପରେ ଯେତେ ଧନ ଚାହିଁବ ପାଇବ । କିନ୍ତୁ ମୁଦିଟି ପିନ୍ଧି ନିକଟବର୍ତ୍ତୀ ଗ୍ରାମ କମଳପୁରକୁ ଯିବ । ସେଠାରେ ପହଁଚି ଦେଖିବ ଗାଁ ମୁଣ୍ଡ ମନ୍ଦିରର ମଣ୍ଡପ ଉପରେ ଦଶଜଣ ଲୋକ ବସି ଆଲୋଚନା କରୁଛନ୍ତି । ତାଙ୍କ ଭିତରେ ତୁମର ଜଣେ ବନ୍ଧୁବାନ୍ଧବ ମଧ୍ୟ ଥିବେ । କାହାକୁ କିଛି ନ ପଚାରି ତୁମେ ତାକୁ ଚିହ୍ନିବାକୁ ଚେଷ୍ଟା କରିବ । ଯଦି ଚିହ୍ନିପାରିବ ତେବେ ତୁମ ମୁଦି ହଠାତ୍ ସୁନାମୁଦି ହୋଇଯିବ । କିନ୍ତୁ ଆଜିଠାରୁ ଯଦି ତୁମେ ଧନ ଅପାତ୍ରରେ ଦାନ କରିବ ତେବେ ମୁଦି ପୁଣି ତମ୍ବା ହୋଇଯିବ । ତୁମେ ସେହି ବନ୍ଧୁଙ୍କ ଘରେ ଗୋଟିଏ ରାତି ରହିବ । ପରଦିନ ସକାଳେ ନିଜ ଗ୍ରାମକୁ ଫେରିଯିବ ।” ଶ୍ରୀଧର ଚମକି ପଡି ନିଦରୁ ଉଠି ପଡିଲେ । ସଙ୍ଗେ ସଙ୍ଗେ ସେ ଯାଇ ଗଛର କୋରଡ ଦେଖିଲେ ଓ ତମ୍ବା ମୁଦିଟିଏ ପାଇଲେ ଓ ତତ୍କ୍ଷଣାତ୍ ତାକୁ ହାତରେ ପିନ୍ଧି ପକାଇଲେ ।
ମୁଦିଟି ପିନ୍ଧିବା ପରେ ଶ୍ରୀଧର ସ୍ତ୍ରୀ ଓ ପିଲାଙ୍କୁ ଉଠାଇଲେ ଓ ସେମାନଙ୍କୁ ନେଇ ସିଧା କମଳପୁର ଚାଲିଲେ । ସେଠାରେ ପହଁଚି ସେ ଦେଖିଲେ ସ୍ୱପ୍ନ ଅନୁସାରେ ସେହି ଗାଁର ମନ୍ଦିରର ମଣ୍ଡପ ଉପରେ ଦଶଜଣ ଲୋକ ବସି ତାଙ୍କରି ବିଷୟରେ ହିଁ କଥାବାର୍ତ୍ତା ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହିଲେ, “ମୋର ପିତା ଥରେ କୌଣସି କାମରେ ମଧୁପୁର ଯାଇଥିଲେ । ସେଠାରେ ତାଙ୍କର ହଠାତ୍ ହୃଦରୋଗ ବାହାରି ପଡିଲା । ତା’ପରେ ସେ ଯନ୍ତ୍ରଣାରେ ଛଟପଟ ହେଲେ । ସେତେବେଳେ ସମସ୍ତ ବନ୍ଧୁବାନ୍ଧବମାନେ ଶତ୍ରୁ ପରି ବ୍ୟବହାର କଲେ । କିନ୍ତୁ ଜଣେ ଅଜଣା ଅଚିହ୍ନା ଲୋକ ତାଙ୍କୁ ବୈଦ୍ୟ ପାଖକୁ ନେଲେ, ଔଷଧ ଖୁଆଇଲେ, ଏପରିକି ସବୁ କିଛି ନିଜ ହାତରୁ ଖର୍ଚ୍ଚ କଲେ । ପରେ ସେହି ଭଦ୍ର ବ୍ୟକ୍ତିଟି ଖର୍ଚ୍ଚ କରିଥିବା ପଇସା ଫେରସ୍ତ ସୁଦ୍ଧା ବି ନେଲେ ନାହିଁ । ଏସବୁ କଥା ମୋ ବାବା ମୋତେ ଘରେ କହିଥିଲେ । ସେହି ଦୟାଳୁ ଭଦ୍ରବ୍ୟକ୍ତିଙ୍କ ନାମ ଥିଲା ଶ୍ରୀଧର । ଶୁଣାଯାଏ ସେହି ଭଦ୍ରଲୋକ ଦାନ କରି କରି ନିର୍ଦ୍ଧନ ହୋଇ ଶେଷକୁ ଗ୍ରାମ ଛାଡି ଚାଲିଯାଇଛନ୍ତି ।”
ଏହିଭଳି ଭାବରେ ଜଣେ ପରେ ଜଣେ ଶ୍ରୀଧରଙ୍କର ଗୁଣଗାନ କଲେ । କିନ୍ତୁ ସେଠାରେ ଏପରି ଏକ ବ୍ୟକ୍ତି ଉପସ୍ଥିତ ଥିଲେ ଯିଏ କି ଶ୍ରୀଧରଙ୍କର ପ୍ରଶଂସା ମୋଟେ ସହିପାରିଲେ ନାହିଁ । ତାଙ୍କ ନାମ ଥିଲା ମହେଶ ସେ କହିବାକୁ ଲାଗିଲେ, “ତୁମେମାନେ ପ୍ରକୃତ କଥା ଜାଣିନାହଁ । ଶ୍ରୀଧରଙ୍କ ଜେଜେବାପା, ଦରିଦ୍ରମାନଙ୍କ ଉପରେ ଖୁବ୍ ଅତ୍ୟାଚାର କରି ବହୁତ ଧନ ରୋଜଗାର କରିଥିଲେ । ତାଙ୍କର ପାପ ଯେତେବେଳେ ସୀମା ଟପିଗଲା ସେତେବେଳେ ଅଚିହ୍ନା ରୋଗ ବାହାରି ପଡିଲା ଓ ବହୁଦିନ ଭୋଗି ଭୋଗି ଶେଷରେ ସେହି ରୋଗରେ ସେ ମରିଗଲେ । ତା’ପରେ ଶ୍ରୀଧରଙ୍କ ପିତାଙ୍କ ଜୀବନରେ ମଧ୍ୟ ସେହି ଏକ ପ୍ରକାର ଘଟଣା ହିଁ ଘଟିଲା । ପାପ ଦୁଇପୁରୁଷ ଧରି ସେମାନଙ୍କ ପରିବାରରେ ଏହି ଭାବରେ କାମ କଲା । ତେଣୁ ଶ୍ରୀଧର ବାଧ୍ୟ ହୋଇ ଭୟରେ ସମ୍ପତ୍ତି ଗୁଡିକ ଦାନ କଲେ । କାରଣ ସେ ଧନ ତାଙ୍କର ଶ୍ରମବଳରୁ ଅର୍ଜ୍ଜନ କରାଯାଇନାହିଁ । ତେଣୁ ସେ କାଙ୍ଗାଳ ହୋଇ ବୁଲୁଛନ୍ତି ।”