ଗ୍ରାମକୁ ଫେରିବା ବାଟରେ ପୁଣି ସେହି ପୂର୍ବ ଗଛତଳେ ସମସ୍ତେ ବିଶ୍ରାମ କଲେ । ପିଲାମାନେ ଶୋଇଯିବାରୁ ଶ୍ରୀଧରଙ୍କୁ ତାଙ୍କ ପତ୍ନୀ ପଚାରିଲେ, “ତୁମେ କେତେ ଲୋକଙ୍କୁ ସାହାଯ୍ୟ କଲ, ଆଉ ନିଜ ବନ୍ଧୁ ବାନ୍ଧବଙ୍କୁ କଲ ନାହିଁ?”
ସ୍ତ୍ରୀଙ୍କୁ ବୁଝାଇବାକୁ ଯାଇ ଶ୍ରୀଧର କହିଲା, “ଏବେ ମଧ୍ୟ ତମେ କିଛି ବୁଝିପାରୁନାହଁ । ସେ ମୋତେ ପଇସା ମାଗିଲା ତାହାର ଆବଶ୍ୟକତା ଯୋଗୁଁ ନୁହେଁ, ବରଂ ମୋ ପାଖରେ ବହୁତ ପଇସା ଅଛି ମାଗଣା ମିଳିଯିବ ଖାଲି ସେଇଥିପାଇଁ । ନହେଲେ ଋଣପତ୍ର ପାଇଁ ସେ ଏତେ ଭୟ କରନ୍ତା କାହିଁକି ଯାହାର ପ୍ରକୃତରେ ସହାୟତା ଦରକାର ଏବେ କେବଳ ତାକୁହିଁ ସାହାଯ୍ୟ କରାଯିବ ଠକମାନଙ୍କୁ ନୁହେଁ । କ’ଣ ବୁଝିପାରିଲ?”
ଦୁହେଁ କଥା କହୁ କହୁ ଶୋଇପଡିଲେ । ସ୍ୱପ୍ନରେ ପୁଣି ସେହି ସାଧୁ ଦେଖା ଦେଇ କହିଲେ, “ସାବାସ୍ ଶ୍ରୀଧର, ତୁମେ ବୁଦ୍ଧିମାନ ଓ ବନ୍ଧୁବାନ୍ଧବଙ୍କର ପ୍ରକୃତ ରୂପ ଠିକ୍ ଚିହ୍ନିଛ, ମୁଁ ବହୁତ ଖୁସି । ଏବେ ତୁମ ପାଖରେ ବହୁତ ଧନ ହେବ । ତୁମେ କେବଳ ସେହିମାନଙ୍କୁ ସାହାଯ୍ୟ କରିବ ଯାହାର ପ୍ରକୃତରେ ଆବଶ୍ୟକତା ଥିବ ।” ଏତିକି କହି ସେ ସାଧୁ ସେଠାରୁ ହଠାତ୍ ଅଦୃଶ୍ୟ ହୋଇଗଲେ ।
ତା’ପରେ ଶ୍ରୀଧରଙ୍କର ନିଦ ଭାଙ୍ଗିଗଲା । ସେ ଅନ୍ୟମାନଙ୍କୁ ଉଠାଇ ପୁଣି ରାସ୍ତା ଚାଲିଲେ ଓ ଶିଘ୍ର ନିଜ ଗ୍ରାମରେ ପହଁଚିଗଲେ । ପରଦିନଠାରୁ ସେ ପୁଣି ଧର୍ମ କର୍ମ ଆରମ୍ଭ କରିଦେଲେ । କିନ୍ତୁ ଏବେ ତାହା ଥିଲା ଅନ୍ୟ ପ୍ରକାରର ଠକମାନେ ବାରମ୍ବାର ଧନ ନେବାକୁ ଚେଷ୍ଟା କରି ଅସଫଳ ହେଲେ । ପ୍ରକୃତ ଅସହାୟ ଓ ଦରିଦ୍ର ଲୋକମାନେ ଶ୍ରୀଧରଙ୍କ ଦ୍ୱାରା ଉପକୃତ ହେଲେ । ଧନକୁ ଉପଯୁକ୍ତ ଭାବରେ ବିନିଯୋଗ କରିପାରିଥିବାରୁ ଶ୍ରୀଧର ନିଜେ ମଧ୍ୟ ଖୁସି ହେଲେ । ପୁଣି ସାଧୁଙ୍କ କଥା ସ୍ମରଣ କରି ନିଜେ ଏବେ ଅନୁଧ୍ୟାନ ଦେଇ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀ ଶୁଣିବାରୁ ସେ ସହଜରେ ଛଳନାପ୍ରିୟ ଓ ଠକ ଲୋକଙ୍କୁ ଚିହ୍ନି ପାରି ଏଡେଇ ଯାଉଥିଲେ । କିନ୍ତୁ ଶ୍ରୀଧର ପୂର୍ବପରି ଦାନୀ ଭାବରେ ବିଖ୍ୟାତ ହୋଇ ରହିଲେ ।