ରାଜା ସବୁ ଶୁଣିବା ପରେ ବୀରସିଂହଙ୍କୁ ତାଙ୍କ ପଦରୁ ବାହାର କରିଦେଲେ, କିନ୍ତୁ ତାଙ୍କୁ କିଛି ଦଣ୍ଡ ଦେଲେ ନାହିଁ । ତାଙ୍କ ସ୍ଥାନରେ ଶ୍ରୀକରକୁ ନୂଆ ଅଧିକାରୀ ପଦ ଦେଲେ ।”
ବେତାଳ ତା’ କାହାଣୀଟି ଶେଷ କରି ବିକ୍ରମଙ୍କୁ ପଚାରିଲା, “ରାଜନ୍, ଶତ୍ରୁଜିତ୍, ବୀରସିଂହଙ୍କ ବିରୁଦ୍ଧରେ କରିଥିବା କାର୍ଯ୍ୟାନୁଷ୍ଠାନ ତୁମକୁ କିଛି ଅସଙ୍ଗତ ଲାଗୁନାହିଁ? ଶ୍ରୀକରର ଅଭିଯୋଗ ପରେ ରାଜା ନିଜେ ଯାଇ ବୁଝିଲେ ବୀରସିଂହଙ୍କ ଅତ୍ୟାଚାର ଓ ଅନ୍ୟାୟ ଯୋଗୁଁ ପ୍ରଜାମାନେ ବହୁତ କଷ୍ଟ ପାଉଛନ୍ତି । ତା’ପରେ ପୁଣି ରାଜା କାହିଁକି ତାଙ୍କୁ ବର୍ଷେ ସମୟ ଦେଲେ? ରାଜା କ’ଣ ଜାଣି ନଥିଲେ କି ବର୍ଷେ ସମୟ ମଧ୍ୟରେ ବୀରସିଂହ ତାଙ୍କର ଅଭିଯୋଗକାରୀଙ୍କ ଉପରେ ପ୍ରତିଶୋଧ ନେବେ ବୋଲି ଓ ନିଜ ଇଚ୍ଛା ଅନୁସାରେ ଧନ ଲୁଣ୍ଠନ କରି ନେବେ ବୋଲି? ପୁଣି ରାଜା ଯେତେବେଳେ ଜାଣିଲେ ଯେ ବୀରସିଂହ ନିଜକୁ ସୁଧାରିବା ଦିଗରେ କୌଣସି ଚେଷ୍ଟା କରି ନାହାଁନ୍ତି, ସେତେବେଳେ ସେ କାହିଁକି ତାଙ୍କୁ କୌଣସି ଦଣ୍ଡ ଦେଲେ ନାହିଁ? ଏସବୁ ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ତୁମେ ଯଦି କିଛି କହିବ ନାହିଁ ତେବେ ତୁମର ଶିର ଏହିକ୍ଷଣି ସ୍କନ୍ଧଚ୍ୟୁତ ହେବ ।”
ଏକଥା ଶୁଣି ରାଜା ବିକ୍ରମ କହିଲେ, “ବେତାଳ, ରାଜା ଶତ୍ରୁଜିତ ଯାହା କଲେ ସେଥିରେ କୌଣସି ଅସଂଗତ ନାହିଁ । ଶ୍ରୀକର ତ ପ୍ରଜାଙ୍କ ମଙ୍ଗଳ ପାଇଁ ଅଭିଯୋଗ କରିଥିଲା । ସେଥିପାଇଁ ତା’ କଥାରେ ବିଶ୍ୱାସ କରି ରାଜା ବୀରସିଂହଙ୍କ ଶାସନ ପ୍ରଣାଳୀ ଦେଖିବାକୁ ଗଲେ । ପ୍ରଜାମାନେ ଅଭିଯୋଗ କଲେ ଯେହେତୁ ରାଜା ତାଙ୍କ ପାଖକୁ ଆସିଲେ ଓ ସେମାନେ ମୁହଁ ଖୋଲିଲେ । ନିଜେ ରାଜାଙ୍କ ପାଖକୁ ଯାଇ ଅଭିଯୋଗ କରିବାର ସାହସ ସେମାନଙ୍କର ନଥିଲା । ଏଥିରୁ ସେ ରାଜା ଠିକ୍ ଜାଣିପାରିଲେ ଯେ, ତାଙ୍କ ପ୍ରଜାମାନେ ବୀରସିଂହର ଭୟରେ ସଂତ୍ରସ୍ଥ । ତେଣୁ ପ୍ରଜାଙ୍କ ମନରେ ସାହସ ଆଣିବା ପାଇଁ ବୀରସିଂହଙ୍କୁ ରାଜା ବର୍ଷେ ସମୟ ଦେଲେ । ତେବେ ପ୍ରଜା ସଚେତନ ହୋଇଗଲେ ଯେ ସେମାନଙ୍କ ଭୟ ଯୋଗୁଁ ବୀରସିଂହ ଆଜି ଏତେ ସାହସ କରି ଆଗେଇ ଯାଇଛି । ସେମାନେ ତ ମୂଳରୁ ପ୍ରତିବାଦ କରିଥିଲେ ସେ ଏତେ ସାହସ କରି ନଥାନ୍ତା ଏସବୁ ଦାସତ୍ତ୍ଵର ଶୃଙ୍ଖଳ । ନିଜର ଭୟ ବା ଦାସତ୍ତ୍ଵର ଶୃଙ୍ଖଳ ନିଜକୁ କାଟିବାକୁ ହେବ । ବାହାରୁ କେହି ଆସି କାଟିବେ ନାହିଁ । ନିଜେ ନ କାଟିଲେ ବୀରସିଂହ ପରେ ଯିଏ ଆସିବ ସେ ମଧ୍ୟ ସେଇ ଏକହିଁ କଥା କରିବ । ତେଣୁ ଏଠାରେ ପ୍ରଜାଙ୍କର ସଚେତନ ହେବା ଓ ସାହସୀ ହେବା ପ୍ରଧାନ କଥା ।”
ରାଜା ବିକ୍ରମଙ୍କର ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ମଧ୍ୟ ସେଠାରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।